ଅନ୍‌ଲାଇନ ଶିକ୍ଷା ଆଶୀର୍ବାଦର ରୂପ ନେଉ

ଡ. ଭାରତ ଭୂଷଣ ରଥ

କରୋନାରେ ସବୁକିଛି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ଶିକ୍ଷା, ଯାହା ସମାଜର ଭିତ୍ତିଭୂମି ତାହା ଏପର୍ଯ୍ୟନ୍ତ ସୁଦ୍ଧା ମୂଳସ୍ରୋତକୁ ଆସିପାରୁନାହିଁ। ଛାତ୍ରୀଛାତ୍ରମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂର୍ଣ୍ଣରୂପରେ ଖୋଲିବା ଏତେ ସହଜସାଧ୍ୟ ହେଉନାହିଁ । ତେଣୁ ମୋଟାମୋଟି କହିବାକୁ ଗଲେ କରୋନା ଟିକା ପ୍ରଦାନ ପରେ କିଛି ସୁଫଳ ଦୃଷ୍ଟିଗୋଚର ହେଲେ ଯାଇ ଦେଶର ଶିକ୍ଷା ବ୍ୟବସ୍ଥା ପୁନଃ ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିଆସିବ।
ଶିକ୍ଷା ବ୍ୟବସ୍ଥା ଉପରେ ଏଭଳି ଏକ ଅତର୍କିତ ବିପଦକୁ ସାମ୍ନା କରିବା ପାଇଁ ପ୍ରାୟ ଆମେ କେହି ସଜାଗ ନ ଥିଲେ। ବିଶେଷକରି ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ଶିକ୍ଷା ଉପରେ କରୋନା ଏକ କାଳ ହୋଇ ଉଭା ହୋଇଛି। ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥାକୁ ଲକ୍ଷ୍ୟ କଲେ ଆମେ ଅନୁଭବ କରୁ କରୋନାରେ ଆମ ଦେଶର ସ୍ବାସ୍ଥ୍ୟ ଯେତିକି ବିପର୍ଯ୍ୟସ୍ତ ନ ହୋଇଛି ତା’ଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ଶିକ୍ଷା।
ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶିକ୍ଷାକୁ ସରଳ ଏବଂ ସାବଲୀଳ କରିବାରେ ପ୍ରମୁଖ ଅସ୍ତ୍ର ସାଜିଛି ଅନ୍‌ଲାଇନ୍‌ ଶିକ୍ଷା। ନିଜ ଘରେ ସମ୍ପୂର୍ଣ୍ଣ ସୁସ୍ଥ ରହି ଆମ ଦେଶର ଛାତ୍ରୀଛାତ୍ର ପ୍ରାୟ ୧୦ ମାସ ଧରି ବିଦ୍ୟାଧ୍ୟୟନ କରୁଛନ୍ତି। ଏ କ୍ଷେତ୍ରରେ ମୋବାଇଲ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଫେସବୁକ୍‌, ହ୍ବାଟ୍‌ସ ଆପ୍‌ ପ୍ରଭୃତି ମାଧ୍ୟମ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି। ଏତଦ୍‌ ବ୍ୟତୀତ ଗୁଗଲ୍‌ ମିଟ୍‌, ଜୁମ୍‌ ଆପ୍‌, ଟିମ୍‌ ଲିଙ୍କ୍‌ ପ୍ରଭୃତିକୁ ଉପଯୋଗ କରି ଏକକାଳୀନ ଶହ ଶହ ଏବଂ ହଜାର ହଜାର ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ସମ୍ଭବ ହେଉଛି। ଟେଲିଭିଜନ୍‌, ସମ୍ବାଦପତ୍ର ଏବଂ ପତ୍ରପତ୍ରିକାଗୁଡ଼ିକ ମଧ୍ୟ ଏ ବିପଦ ସମୟରେ ଶିକ୍ଷାବ୍ୟବସ୍ଥା ସାଙ୍ଗରେ ହାତ ମିଳେଇ ଶୈକ୍ଷିକତତ୍ତ୍ୱକୁ ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚାଇପାରୁଛନ୍ତି। ସତ କହିବାକୁ ଗଲେ ଭାରତରେ ଏହି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ବହୁତ କମ୍‌ ସ୍ଥାନରେ ପ୍ରଚଳିତ ଥିଲା। ହୁଏତ ଏ ବ୍ୟବସ୍ଥା ସହିତ ଜଡିତ ହେବାକୁ ଆମକୁ ଆହୁରି ଅନେକ ବର୍ଷ ଲାଗିଯାଇଥାନ୍ତା। କିନ୍ତୁ କୋଭିଡ୍‌-୧୯ ଭାରତର ପ୍ରାୟ ପ୍ରତ୍ୟେକ ନାଗରିକଙ୍କୁ ଅନ୍‌ ଲାଇନ୍‌ ଶିକ୍ଷା ବ୍ୟବସ୍ଥା ସହିତ ଜଡିତ କରାଇଲା। ଏକ ତୁଳନାତ୍ମକ ଅଧ୍ୟୟନ କଲେ ଆମେ ଜାଣିପାରିବା କୋଭିଡ୍‌ ପୂର୍ବର ଶିକ୍ଷା ବ୍ୟବସ୍ଥା ଏବଂ କୋଭିଡ୍‌ ପରର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଛି ଏବଂ ଭବିଷ୍ୟତରେ ଏହାର ଏକ ସୁପ୍ରଭାବ ନିଶ୍ଚୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିବ। ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ଶ୍ରେଣୀଗୃହରେ ଶିକ୍ଷାଦାନର ଯେଉଁ ମହତ୍‌ ଉଦ୍ଦେଶ୍ୟ ତାହା ବର୍ତ୍ତମାନ ବ୍ୟାଘାତ ହୋଇଛି। ଶିକ୍ଷକଙ୍କ ସମ୍ମୁଖରେ ଛାତ୍ର କେଉଁ ସ୍ଥିତିରେ ଅଛି ତାହା ଶିକ୍ଷକ ଜାଣିପାରନ୍ତି ଏବଂ ଛାତ୍ରମାନେ ଅଧ୍ୟୟନକୁ ଏକ ତପସ୍ୟା ଭାବରେ ଗ୍ରହଣ କରନ୍ତି। କିନ୍ତୁ ଅନ୍‌ଲାଇନ୍‌ ଶିକ୍ଷାରେ ଛାତ୍ର ଶିକ୍ଷକଙ୍କ ମଧ୍ୟରେ ସାକ୍ଷାତ ସମ୍ବନ୍ଧ ରହି ନ ଥାଏ। ଉଭୟଙ୍କ ମଧ୍ୟରେ ସମ୍ପର୍କସୂତ୍ର ସ୍ଥାପନ କରାଏ ମୋବାଇଲ୍‌ ଅଥବା କମ୍ପ୍ୟୁଟର। ଏହି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାର ଅନ୍ୟ ଏକ ବିଶେଷ ସମସ୍ୟା ହେଉଛି ଆମ ଦେଶର ଅଧିକାଂଶ ନାଗରିକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ। ତେଣୁ ଦୁଇ ତିନୋଟି ସନ୍ତାନସନ୍ତତିଙ୍କୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସୁବିଧା ଯୋଗାଇଦେବାରେ ମାତାପିତାଙ୍କର ଅସାମର୍ଥ୍ୟ। ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳରେ ମୋବାଇଲ୍‌ ନେଟୱର୍କ ସମସ୍ୟା ଅନ୍‌ଲାଇନ୍‌ ଶିକ୍ଷାକୁ ପ୍ରଭାବିତ କରେ। ଅଧିକ ସମୟ ମୋବାଇଲ, ଇଣ୍ଟରନେଟ୍‌ ପ୍ରଭୃତିର ବ୍ୟବହାର ସ୍ବାସ୍ଥ୍ୟହାନି ତଥା ଛାତ୍ରୀଛାତ୍ରଙ୍କର ବିଶୃଙ୍ଖଳିତ ମନୋଭାବକୁ ବୃଦ୍ଧିକରିବାର କାରଣ ମଧ୍ୟ ହୋଇପାରେ। ତେବେ ଏ ସବୁ ସତ୍ତ୍ୱେ ଶିକ୍ଷାର ସରଳୀକରଣ ପାଇଁ ଅନ୍‌ଲାଇନ୍‌ ଶିକ୍ଷା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନିଶ୍ଚୟ। କେବଳ ସାଇନ୍ସ, ଇଞ୍ଜିନିୟରିଂ, କମର୍ସ ନୁହେଁ ପରନ୍ତୁ ଏଲ୍‌କେଜି ତଥା ନର୍ସରି ଶ୍ରେଣୀଠାରୁ ଆରମ୍ଭ କରି ପିଏଚ. ଡି. ଭଳି ଉଚ୍ଚତର ଗବେଷଣା ମଧ୍ୟ ଅନ୍‌ଲାଇନ୍‌ ଦ୍ୱାରା ଅତ୍ୟନ୍ତ ପ୍ରଭାବୀ ଭାବରେ ହୋଇପାରୁଛି। ସଂସ୍କୃତ, ସଂଗୀତ, ନୃତ୍ୟ ଏବଂ ଯୋଗ ଭଳି ଶାସ୍ତ୍ରୀୟ ବିଷୟଗୁଡ଼ିକ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି। କୌଣସି ବି ଦେଶର ନାଗରିକ ବର୍ତ୍ତମାନ ଅନ୍‌ଲାଇନ୍‌ରେ ରହି ଅନ୍ୟ କୌଣସି ଦେଶର ଶିକ୍ଷାନୁଷ୍ଠାନରେ ଅଧ୍ୟୟନର ସୁଯୋଗ ପାଇପାରୁଛନ୍ତି। ଏକ ବିଶେଷ ସୁଯୋଗ ସମ୍ପ୍ରତି ଦୃଷ୍ଟିଗୋଚର ହୋଇଛି, ଯାହା କି ଅବସର ଗ୍ରହଣ କରିସାରିଥିବା ଶିକ୍ଷକମାନେ ନିଜର ଦୈନନ୍ଦିନ କର୍ତ୍ତବ୍ୟରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ କିଛି ସମୟ ବାହାର କରୁଛନ୍ତି। ଏହାଦ୍ୱାରା ଛାତ୍ରସମାଜ ଉପକୃତ ହେଉଛି ଏବଂ ଆଜୀବନ ଶିକ୍ଷକତାକୁ ବୃତ୍ତି କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ତାଙ୍କର ଅବସରକାଳୀନ ଜୀବନକୁ ଛାତ୍ରୀଛାତ୍ରମାନଙ୍କ ସହିତ ବିତେଇବାରେ ସୁଯୋଗ ପାଇଛନ୍ତି।
କେବଳ ଯେ ଅଧ୍ୟୟନ ଏବଂ ଅଧ୍ୟାପନାରେ ଏହା ଆମର ସହାୟକ ତା’ ନୁହେଁ ପରନ୍ତୁ ଶିକ୍ଷାନୁଷ୍ଠାନର ପ୍ରଶାସନିକ, ପରୀକ୍ଷା ସଞ୍ଚାଳନ, ନିଯୁକ୍ତିପ୍ରକ୍ରିୟା ତଥା ସାମୂହିକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଅନ୍‌ଲାଇନ୍‌ ଶିକ୍ଷା ଖୁବ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦ ପାଇଁ ହେଉଥିବା ନିଯୁକ୍ତି ସାକ୍ଷାତ୍‌କାରରେ ପ୍ରତିଭାଗୀ ଏବଂ ପ୍ରତିଭାଗିନୀମାନେ ନିଜ ଘରେ ରହି ସାକ୍ଷାତ୍‌କାର ଦେଉଥିବା ସମୟରେ ସାକ୍ଷାତ୍‌କାର ନେଉଥିବା ଅଧିକାରୀମାନେ ମଧ୍ୟ ନିଜ ନିଜ ଘରେ ରହି ମୂଲ୍ୟାୟନ କରନ୍ତି। ଏହାଦ୍ୱାରା ନିଯୁକ୍ତି ବିହୀନ ପ୍ରତିଭାଗୀମାନେ ଯାତ୍ରାଜନିତ ଆର୍ଥିକ ବ୍ୟୟରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟରୁ ରକ୍ଷା ପାଉଛି। ଠିକ୍‌ ସେହିଭଳି ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରର ସେମିନାରଗୁଡିକୁ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ଖୁବ୍‌ ପ୍ରାମାଣିକ ଭାବରେ ପ୍ରାୟୋଜିତ କରିବାର ଦୃଷ୍ଟିଗୋଚର ହେଉଛି। କୋଭିଡ୍‌ ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ସରକାରଙ୍କୁ କୋଟି କୋଟି ଟଙ୍କାର ବ୍ୟୟବରାଦ କରିବାକୁ ପଡୁଥିଲା, ତାହା ବର୍ତ୍ତମାନ ବିନା ଖର୍ଚ୍ଚରେ ତଥା ପ୍ରତିଭାଗୀମାନଙ୍କର ଯାତ୍ରା ପ୍ରଭୃତି ପରିଶ୍ରମ ବିନା ସମ୍ଭବ ହୋଇଛି। ବର୍ତ୍ତମାନ ସେହି ଧନକୁ ସରକାର ଉଚ୍ଚତର ଗବେଷଣା ତଥା ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ଅନ୍ୟ ଉପାୟରେ ବିନିଯୋଗ କରିପାରିବେ। ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାର ଏ ସମସ୍ତ ଗୁରୁତ୍ୱକୁ ଲକ୍ଷ୍ୟକରି କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ ଶିକ୍ଷାର ଉତ୍ତମ ଦିଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି। ବିଶେଷକରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାର ସଦ୍‌ ବିନିଯୋଗ କରିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବାରମ୍ବାର ପ୍ରୋତ୍ସାହନ ଦେଉଥିବାର ପରିଲକ୍ଷିତ ହେଉଛି। ଆଶା କୋଭିଡ୍‌ ଯନ୍ତ୍ରଣା ପରେ ମଧ୍ୟ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ସାହାଯ୍ୟରେ ଭାରତବର୍ଷର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିପାରିବ।
ଆସିଷ୍ଟାଣ୍ଟ ପ୍ରଫେସର,ସାହିତ୍ୟ ବିଭାଗ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆନ୍ଧ୍ରପ୍ରଦେଶ,ମୋ -୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri