ହିନ୍ଦୀକୁ ବିରୋଧ

ଭାରତର ବିବିଧତା ଉପରେ ପୁନର୍ବାର ଆକ୍ରମଣ ହୋଇଗଲା। ବିବିଧତାରେ ଯେଉଁ ସୌନ୍ଦର୍ଯ୍ୟ ରହିଛି, ତା’ର ମୂଳ ସ୍ରୋତ ଭିନ୍ନ ଭାଷା, ଖାଦ୍ୟ ଓ ବେଶପୋଷାକର ରୁଚିରୁ ଜଣାପଡ଼ିଥାଏ। ବିଶେଷକରି ଭାଷାକୁ ମାରିଦେଲେ ସଂସ୍କୃତି ଏବଂ ଚରିତ୍ର ଧ୍ୱଂସ ପାଇଯାଏ। ଏବେ ଅଣ-ହିନ୍ଦୀ ଭାଷୀ ରାଜ୍ୟ ଉପରେ ତ୍ରିଭାଷୀ ଫର୍ମୁଲା ପ୍ରୟୋଗ କରିବା ଲାଗି କେ. କସ୍ତୁରିରଙ୍ଗନ କମିଟିର ଅନୁମୋଦନକୁ ନେଇ ତାମିଲନାଡୁରୁ ଭାଷା ବିରୋଧୀ ସ୍ବର ଉଠିଛି। ବିଦ୍ୟାଳୟ ସ୍ତରରେ ଇଂଲିଶ୍‌ ଓ ଗୋଟିଏ ଆଞ୍ଚଳିକ ଭାଷା ସହ ହିନ୍ଦୀକୁ ବାଧ୍ୟତାମୂଳକ କରିବା ଲାଗି ଉକ୍ତ କମିଟି କେନ୍ଦ୍ର ସରକାରଙ୍କୁ ଚିଠା ପ୍ରସ୍ତାବ ଦେଇଛି। ସାଧାରଣ ନିର୍ବାଚନରେ ଭାଜପା ନିରଙ୍କୁଶ କ୍ଷମତା ପାଇ ସରକାର ଗଢ଼ିବା ପରେ ଦଳୀୟ ଚିନ୍ତାଧାରାକୁ ଜବରଦସ୍ତ ଅଣ-ହିନ୍ଦୀଭାଷୀ ଅଞ୍ଚଳରେ ଲାଗୁ କରିବାକୁ ମସୁଧା କରାଯିବା ପରେ ତାମିଲନାଡୁରେ ପୁଣି ଥରେ ହିନ୍ଦୀ ବିତର୍କର ବଳୟକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ହିନ୍ଦୀ ବିରୋଧୀ ବିକ୍ଷୋଭ ପ୍ରାକ୍‌-ସ୍ବାଧୀନତା ସମୟରେ ଆରମ୍ଭ ହୋଇଥିଲା। ୧୯୩୭ରୁ ୧୯୪୦ ମଧ୍ୟରେ ଦକ୍ଷିଣାଞ୍ଚଳରେ ପ୍ରଥମ ହିନ୍ଦୀ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ଏହାକୁ ନେଇ ଜାତୀୟ ବିତର୍କ ସୃଷ୍ଟି ହୋଇଥିଲା। ହିନ୍ଦୀଭାଷୀମାନେ ଦାବିକରି ବସିଲେ ଯେ ଦେଶର ସର୍ବାଧିକ ଲୋକ ହିନ୍ଦୀ କହୁଥିବାରୁ ଏହାକୁ ରାଷ୍ଟ୍ରଭାଷା କରାଯାଉ। ଅନ୍ୟପକ୍ଷରେ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ସି.ଏନ୍‌. ଆନ୍ନାଦୁରାଇ ଯୁକ୍ତି ବାଢ଼ିଥିଲେ, ଭାରତର ଅଧିକାଂଶ ଲୋକ ହିନ୍ଦୀ କହୁଥିବାରୁ ଯଦି ଏହାକୁ ରାଷ୍ଟ୍ରଭାଷା କରାଯିବ, ତା’ହେଲେ ଏ ଦେଶରେ ଅଧିକ କାଉ ଦେଖାଯାଉଥିବାରୁ ତାହାକୁ ଜାତୀୟ ପକ୍ଷୀ ଆଖ୍ୟା ଦିଆଯାଉ। ହିନ୍ଦୀ ବିରୋଧୀ ଚିନ୍ତାଧାରା ଉଗ୍ରରୂପ ଧାରଣ କରିବାରୁ ୧୯୬୫ରେ ୭୦ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହା ଦେଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଘୋଷଣା କରିଥିଲେ ଯେ ହିନ୍ଦୀକୁ ଅଣ-ହିନ୍ଦୀଭାଷୀ ଅଞ୍ଚଳରେ ଲଦି ଦିଆଯିବ ନାହିଁ। ଏବେ ଭାଜପା ସରକାର ସଂଖ୍ୟାଗରିଷ୍ଠ ଦଳ ଭାବେ କ୍ଷମତାକୁ ଫେରିବା ପରେ ”କଟା ଘା’ରେ ଚୂନ“ ଲଗାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି। ବିଶେଷକରି ଅଣ-ହିନ୍ଦୀଭାଷୀ ରାଜ୍ୟ ଯଥା କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଭାଜପା ବିପର୍ଯ୍ୟୟ ଚାଖିଥିଲା। ଏହିସବୁ ରାଜ୍ୟରେ ଅନେକ ଲୋକ ହିନ୍ଦୀ ଜାଣିଥିଲେ ମଧ୍ୟ ସାଧାରଣ ଗ୍ରାମବାସୀଙ୍କ ପାଇଁ ତାହା ଏକ ସହଜ ଭାଷା ନୁହେଁ। ଏଭଳି ପରିପ୍ରେକ୍ଷୀରେ କେନ୍ଦ୍ରର ଚିଠା ପ୍ରସ୍ତାବ ଦେଶକୁ ବିପଦମୁଖୀ କରିଦେଉଛି। ଭାଜପାର କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ ପ୍ରଥମେ ଚିଠା ପ୍ରସ୍ତାବ ଅଣାଯାଇ ତାହା ଜନସାଧାରଣଙ୍କୁ ଏକ ନିରାମିଷ ପ୍ରସ୍ତାବ ଭାବେ ବାଢ଼ି ଦିଆଯାଏ। ସବୁ ପ୍ରକାରର ପ୍ରତିକ୍ରିୟା ଘଟିସାରିବା ପରେ ତାହାହିଁ କାର୍ଯ୍ୟକାରୀ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ଅଣ-ହିନ୍ଦୀଭାଷୀ ରାଜ୍ୟ ତରଫରୁ ଏହି କସ୍ତୁରିରଙ୍ଗନ କମିଟିର ସୁପାରିସକୁ ବିରୋଧ କରା ନ ଗଲେ ତାହା ଖୁବ୍‌ଶୀଘ୍ର ନୀତି ପାଲଟିଯିବ। ପରବର୍ତ୍ତୀ ସମୟରେ ତାହାକୁ ବଦଳାଇବା ଅସମ୍ଭବ ହୋଇଯିବ। ତାମିଲନାଡୁରେ ୧ ଜୁନ୍‌ ୨୦୧୯ରେ ହିନ୍ଦୀକୁ ବିରୋଧ କରାଯାଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇ କୁହାଯାଉଛି ଯେ ଉକ୍ତ କମିଟି କରିଥିବା ସୁପାରିସକୁ ତର୍ଜମା କରାଯାଉଛି। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି କରାଯିବା ଉଚିତ ନୁହେଁ।
୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଆଡ଼କୁ ଏଆଇଏଡିଏମ୍‌କେ ଢଳିବା ପରେ ଏହାର ସୁଯୋଗ ନେଇ କେନ୍ଦ୍ର ସରକାର ତା’ର ବହୁ ଆକାଂକ୍ଷିତ ହିନ୍ଦୀ ଭାଷା ପ୍ରେମ ଅନ୍ୟ ଉପରେ ଅଜାଡ଼ି ଦେବାକୁ ପ୍ରୟାସ କରିଛି। ଏହି ବିଷୟ ପ୍ରଘଟ ହେବା ପରେ ତାମିଲନାଡୁର ବିରୋଧୀ ଏକଜୁଟ ହୋଇ ଏଆଇଏଡିଏମ୍‌କେ ସରକାରକୁ କଟୁ ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ କେ. ପାଲାନିସାମୀ ଆତ୍ମସମର୍ପଣ କରିଥିବାରୁ କେନ୍ଦ୍ରର ଏଭଳି ଅବାଞ୍ଛିତ ନୀତିକୁ ତାମିଲନାଡୁ ସରକାର ଆପଣାଇ ନେବାକୁ ଚେଷ୍ଟା କରୁଛି ବୋଲି ଡିଏମ୍‌କେ ଅଧ୍ୟକ୍ଷ ଏମ୍‌. କେ. ଷ୍ଟାଲିନ୍‌ ଅଭିଯୋଗ କରିଛନ୍ତି। ପାଲାନିସାମୀ ଯଦି ତୁରନ୍ତ କେନ୍ଦ୍ର ସରକାରଙ୍କ ଚିଠା ନୀତିକୁ ଅଗ୍ରାହ୍ୟ ନ କରନ୍ତି, ତାହା ହେଲେ ଏଆଇଏଡିଏମ୍‌କେରେ ଯୋଡ଼ାଯାଇଥିବା ‘ଆନ୍ନା’ ଓ ‘ଦ୍ରାବିଡ’ ଶବ୍ଦ ହଟାଇ ଦେବାକୁ ସେ ଆହ୍ବାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ‘ଆନ୍ନା’ ଶବ୍ଦର ଅର୍ଥ ହେଉଛି ଭାଇ। ଅନ୍ୟପକ୍ଷରେ ଶିକ୍ଷା ଚିଠା ନୀତିକୁ ବିରୋଧ ହେବା ପରେ ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ତଥା ଏବର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, କୌଣସି ଭାଷାକୁ କାହା ଉପରେ ଲଦି ଦେବାର ଯୋଜନା ନାହିଁ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଯଦି ହିନ୍ଦୀକୁ ଅଣ-ହିନ୍ଦୀଭାଷୀ ରାଜ୍ୟ ଉପରେ ଲଦି ଦିଆଯିବାକୁ ଯୋଜନା ନ ଥିଲା, ତେବେ କେନ୍ଦ୍ର ସରକାର ନୂଆ ଶିକ୍ଷା ଚିଠା ନୀତିରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ପଛରେ ରହସ୍ୟ କ’ଣ ଥିଲା।
ମନେପଡ଼େ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାର ସମୟରେ କେନ୍ଦ୍ର ସରକାର ଏକ ପ୍ରସ୍ତାବ ଆଣିଥିଲେ, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ କେତୋଟି କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇବା ପାଇଁ କେବଳ ଇଂଲିଶ୍‌ ନୁହେଁ, ଉତ୍ତର ଭାରତୀୟଙ୍କ ପାଇଁ ହିନ୍ଦୀରେ ମଧ୍ୟ ସବୁ ପ୍ରକାର ଉତ୍ତର ଲେଖିବାର ସୁଯୋଗ ମିଳୁ। ବିଶେଷକରି ସର୍ବଭାରତୀୟ ସେବା ଯଥା ଆଇଏଏସ୍‌, ଆଇପିଏସ୍‌ରେ ଏଭଳି ଦୁଷ୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାର ଉଦ୍ୟମ ଆରମ୍ଭ ହୋଇଥିଲା। ସେତେବେଳେ ଏଆଇଏଡିଏମ୍‌କେ ନେତୃତ୍ୱରେ ପାର୍ଲାମେଣ୍ଟରେ ବିରୋଧ ସୃଷ୍ଟି ହେବା ପରେ ମୋଦିଙ୍କ ସରକାର ନୀରବ ପଡ଼ିଥିଲା। ଏବେ ପୁନର୍ବାର ହାତ ବଙ୍କେଇ ନୂଆ ଢଙ୍ଗରେ ହିନ୍ଦୀକୁ ଲଦିବାର ପ୍ରୟାସ ଆରମ୍ଭ ହୋଇଛି।
ନିକଟରେ ଚେନ୍ନାଇରେ ଏକ ଗୁରୁତର ଟ୍ରେନ୍‌ ଦୁର୍ଘଟଣାକୁ ଅଳ୍ପକେ ଏଡ଼ାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ତାମିଲ ଷ୍ଟେଶନ ମାଷ୍ଟରଙ୍କୁ ହିନ୍ଦୀରେ ନିର୍ଦ୍ଦେଶ ଦିଆଯାଇଥିବାରୁ ଭାଷାଗତ ପାର୍ଥକ୍ୟ ଦେଖାଦେଇଥିଲା। ଏଥିପାଇଁ ଦକ୍ଷିଣ ରେଲଓ୍ବେ ଉଚ୍ଚ କର୍ମକର୍ତ୍ତାଙ୍କୁ ଲିଖିତ ନିର୍ଦ୍ଦେଶନାମା ଜାରି କରିବାକୁ ପଡ଼ିଲା ଯେ ସମସ୍ତେ ଇଂଲିଶ୍‌ରେ ବାର୍ତ୍ତାଳାପ କରିବେ। ଏହିଭଳି ଅନେକ ଘଟଣା ଏବଂ ଦୁର୍ଘଟଣା ବିଶ୍ୱବ୍ୟାପୀ ଭାଷାର ପାର୍ଥକ୍ୟ ଯୋଗୁ ଘଟିବାର ଉଦାହରଣ ରହିଛି। ସେଥିପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବ୍ୟବସ୍ଥାରେ କେବଳ ଇଂଲିଶ୍‌କୁ ବ୍ୟବହାର କରାଯାଇଥାଏ।
ଏହି ପରିପ୍ରେକ୍ଷୀରେ ୨୦୧୪ରେ ଏନ୍‌ଡିଏ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବିଭିନ୍ନ ଦିଗରେ ଦେଖାଦେଇଥିବା ଅରାଜକତାକୁ ମନେ ପକାଇ ଦିଆଯାଇପାରେ। ତନ୍ମଧ୍ୟରୁ ଭାଷା କଥା ବିଚାର କରାଯାଉ। ସେତେବେଳେ ହିନ୍ଦୀ ଭାଷା କହିଲେ ହିଁ ଜଣେ ହିନ୍ଦୁ ଓ ହିନ୍ଦୁସ୍ତାନୀ ହୋଇପାରିବ ବୋଲି କୁହାଯାଇଥିଲା। ଅର୍ଥାତ୍‌ ଅଣ-ହିନ୍ଦୀଭାଷୀ ନାଗରିକଙ୍କୁ ନିଜ ଦେଶରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବ୍ୟବହାର କରାଯିବାର ଚେଷ୍ଟା କରାଯାଉଛି। ଆଜି କେତେକ ତଥାକଥିତ ଆଧୁନିକ ଓଡ଼ିଆ ହିନ୍ଦୀ ସପକ୍ଷବାଦୀ ହୋଇଯାଇଛନ୍ତି। ଏପରିକି ରାଜ୍ୟର ମୁଖ୍ୟଙ୍କ ଉଦାହରଣ ଦେଇ ଏହି ହିନ୍ଦୀ ଯୋଦ୍ଧାମାନେ ଓଡ଼ିଆ ଭାଷାକୁ ନୂ୍ୟନ କରିଦେବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ମନେରଖିବା ଦରକାର ଯେ, ଯେତେ ଭଲ ହିନ୍ଦୀ କହିଲେ ମଧ୍ୟ ତାଙ୍କର ଉଚ୍ଚାରଣ ଶୈଳୀରୁ ସ୍ପଷ୍ଟ ବାରି ହୋଇପଡ଼ନ୍ତି ଓଡ଼ିଆ। ଯେତେ ହିନ୍ଦୀ ଭାଷୀ ଅଫିସର ଓଡ଼ିଆ କହିବାକୁ ଯାଇ ବିଭିନ୍ନ କାର୍ଯ୍ୟ ‘କେରିବା’ କହିବା ମାତ୍ରକେ ତାଙ୍କ ଅଣ-ଓଡ଼ିଆ ଉଚ୍ଚାରଣ ସ୍ପଷ୍ଟ ବୁଝାପଡ଼େ। ଯେଉଁ ମଣିଷ ନିଜ ଭାଷାକୁ ହତାଦର କରେ, ସେ ତା’ ନିଜ ପିତାଙ୍କୁ ଚିହ୍ନିପାରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri