ସୌନ୍ଦର୍ଯ୍ୟ ନାରୀର ଭୂଷଣ

ଡା. ବାସୁଦେବ ପ୍ରଧାନ
କଥାରେ ଅଛି ନଈ ସେପାରି କନକଗୋରୀ, ତନୁପାତଳୀ ଭାରି ସୁନ୍ଦରୀ। ସୁନ୍ଦରୀ ଝିଅଟିଏ ଦେଖିଲେ ଆଖି ଅଟକି ରହେ। ମା’ ବାପା ଭାବନ୍ତି ଘରକୁ ବୋହୂ କରି ନିଅନ୍ତେ କି! ପୁଅ ଭାବେ ବାହାହୋଇ ସଂସାର କରନ୍ତା କି! ଯଦି ଭାଗ୍ୟକୁ ବାହାଘର ହୋଇଯାଏ ଯିଏ ଦେଖେ ସିଏ କହେ ଯୋଡ଼ି ଭାରି ସୁନ୍ଦର। ସତେକି ଲକ୍ଷ୍ମୀନାରାୟଣ! କିଏ କହେ ରତିକାମଦେବଙ୍କ ଯୋଡ଼ି। ସତରେ ସୁନ୍ଦରକୁ ସମସ୍ତେ ମନ ବଳାନ୍ତି।
ଆଗକାଳରେ ପୁଅଝିଅଙ୍କ ବାହାଘର ମା’ବାପା, ବନ୍ଧୁବାନ୍ଧବ, ସାଇପଡ଼ିଶା ଠିକ୍‌ କରନ୍ତି। କନିଆ ଖୋଜାଚାଲେ ଏ ଗାଁରୁ ସେ ଗାଁ। କନିଆ ପସନ୍ଦ ହେଲେ ଜାତି, ଗୋତ୍ର, କୁଳ ସବୁ ଖୋଜା ହେଉଥିଲା। ତା’ ପରେ ଦବାନବା, ଯାନିଯୌତୁକ ତୁଟୁଥିଲା। ଜାତକ ମେଳକ ହେଲେ ବାହାଘର ସ୍ଥିର ହେଉଥିଲା। ଏବେ ସେଥିରେ ଅନେକ ପରିବର୍ତ୍ତନ ଆସିଛି। ପୁଅଝିଅ ନିଜେ ନିଜେ ବାହାଘର ସ୍ଥିର କରିଦେଉଛନ୍ତି। ପରେ ଘରେ ଜଣାଉଛନ୍ତି। ମା’ବାପା ଖୁସି ହେଲେ ନ ହେଲେ ଯାଏ ଆସେ ନାହିଁ। ଯଦି ଘରେ ଅମଙ୍ଗ ହୁଅନ୍ତି ସେମାନେ ମନ୍ଦିରରେ ନ ହେଲେ ରେଜିଷ୍ଟ୍ରି ମ୍ୟାରେଜ କରିଦେଉଛନ୍ତି। ଖାଲି ଝିଅର ବୟସ ୧୮ ଏବଂ ପୁଅର ୨୧ ହେଲେ ହେଲା। ଆଜିକାଲି ମଧ୍ୟ ରୋଜଗାରିଆ ଝିଅଙ୍କର ଅଧିକ ଚାହିଦା। ଝିଅ କ’ଣ ପଢ଼ିଛି, କି ଚାକିରି କରିଛି, ମାସକୁ କେତେ ଦରମା ପାଉଛି ଏସବୁ ଖୋଜା ହେଉଛି। ଆଜିକାଲିର ସହରୀ ଜୀବନରେ ଉଭୟଙ୍କ ରୋଜଗାରର ଯଥେଷ୍ଟ ଆବଶ୍ୟକତା ରହିଛି। ହେଲେ ଚାକିରି ଖୋଜୁ ଖୋଜୁ ବିବାହ ବୟସ ଗଡ଼ିଯାଉଛି। ଅଳ୍ପ ରୋଜଗାରରେ କେହି ସନ୍ତୁଷ୍ଟ ନୁହନ୍ତି। ଆଜିକାଲି ପାଠରେ, ଚାକିରିରେ ଆଉ ରୋଜଗାରରେ ମଧ୍ୟ ପ୍ରତିଯୋଗିତା। ତେବେ ରୋଜଗାର ପାଇଁ ଚାକିରି ଏକମାତ୍ର ମାଧ୍ୟମ ନୁହେଁ। ବଣିଜବେପାର, କୃଷିକୁ ପାଥେୟକରି ମଧ୍ୟ ଭଲରେ ବଞ୍ଚିହେବ। ଆଜିର ଦିନରେ ସୁନାନାକୀ ଝିଅଟିଏ ପାଇବା ଏତେ ସହଜ ନୁହେଁ। କାରଣ ବୟସ ବଢ଼ିବା ସାଙ୍ଗକୁ ଶରୀରରେ ପରିବର୍ତ୍ତନ ଆସେ ଏବଂ ସୌନ୍ଦର୍ଯ୍ୟ ଫିକା ପଡ଼େ। କଥାରେ ଅଛି, ଯୌବନେ ମର୍କଟୀ ଧନ୍ୟା। ଯେଉଁମାନେ ସ୍ବାସ୍ଥ୍ୟ ସଚେତନ ଓ ଖାଦ୍ୟ ପାନୀୟ, ବେଶପୋଷାକ ଉପରେ ସତର୍କ ଦୃଷ୍ଟି ରଖନ୍ତି ସେମାନଙ୍କର ପ୍ରକୃତ ବୟସ ଜାଣିହୁଏ ନାହିଁ। ସେମାନଙ୍କ ସୌନ୍ଦର୍ଯ୍ୟ ବହୁତ ଦିନ ପାଇଁ ବଜାୟ ରହିଥାଏ। ଝିଅ ଯେତେ ରୋଜଗାରିଆ ହେଲେ ମଧ୍ୟ ତା’ର ବାହ୍ୟ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। କେମିତି ଦେଖାଯାଉଛି- ଡେଙ୍ଗା, ଗେଡ଼ା, ମୋଟୀ, ପାତଳୀ, କାଳୀ, ଗୋରୀ ଏମିତି କେତେ କ’ଣ।
ତେବେ ଆମେ ଟିକିଏ ସ୍ବାସ୍ଥ୍ୟ ସଚେତନ ହେଲେ ଝିଅଟିଏ ବହୁ ଦିନ ପର୍ଯ୍ୟନ୍ତ ସୁନ୍ଦରୀ ହୋଇ ରହିପାରିବ। ସେହିପରି ବାହାଘର ପରେ ମଧ୍ୟ ସ୍ତ୍ରୀଲୋକଟି ନିଜର ସୌନ୍ଦର୍ଯ୍ୟ ଅତୁଟ ରଖିପାରିବ। କେତେକ ସ୍ବାସ୍ଥ୍ୟ ନୀତି ପାଳନ କଲେ ଏସବୁ ସମ୍ଭବ ହୋଇପାରିବ। ସେଗୁଡ଼ିକ ହେଲା ନିଜ ବୟସ, ଉଚ୍ଚତା ଅନୁସାରେ ଓଜନ। ଯଦି ଓଜନ ଅଧିକ ଥାଏ, ତେବେ ସୁନ୍ଦରୀ ସୁନାନାକୀ ଝିଅଟି ମଧ୍ୟ ଅସୁନ୍ଦର ଦେଖାଯାଏ। ସେମିତି ଉଚ୍ଚତା ଅନୁସାରେ ମୋଟାପଣ ଠିକ୍‌ ଥିଲେ ମଧ୍ୟ ଯଦି ମୁଣ୍ଡରେ ଚୁଟି ନ ଥାଏ ତେବେ ସେ ଅସୁନ୍ଦର ଦେଖାଯାଏ। କେଶ ହେଉଛି ନାରୀତ୍ୱର ଲକ୍ଷଣ ଓ ଭୂଷଣ। ଶାସ୍ତ୍ରରେ ଅଛି: ”ସ୍ତନକେଶବତୀ ନାରୀ ପୁରୁଷଃ ଲୋମଶଃ ସ୍ମୃତଃ। ଉଭୟୋରନ୍ତରୋ ଯତ୍ର ନପୁଂସକସ୍ୟ ଲକ୍ଷଣମ୍‌।“ ଆଜି ଯୁବାବସ୍ଥାରେ ଓଜନ ବୃଦ୍ଧି, ପତଳା ଚୁଟି ବା ଚନ୍ଦାପଣ ଦେଖିବାକୁ ମିଳୁଛି। ସେହିପରି କମ୍‌ ବୟସରୁ ଚୁଟି ପାଚିଯିବାରୁ ଅନେକେ ମାନସିକ ଚାପର ଶିକାର ହେଉଛନ୍ତି।
ଗାଁ ଅପେକ୍ଷା ସହରରେ ରହୁଥିବା ଲୋକମାନେ ଅଧିକ ମେଦ ବୃଦ୍ଧିର ଅଧିକ ଶିକାର ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଆଧୁନିକ ଜୀବନଶୈଳୀ। ଗାଁରେ ଶାରୀରିକ ଶ୍ରମ ଅଧିକ, ମାନସିକ ଚାପ କମ୍‌। ସହରରେ ଏହାର ବିପରୀତ। ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା କାରଣରୁ ବହୁତ ସମସ୍ୟା ଦେଖାଯାଏ। ସେହିପରି ପାରମ୍ପରିକ ଖାଦ୍ୟ ନ ଖାଇ ଜଙ୍କ୍‌ ଫୁଡ୍‌ ଖାଇବା, ମଦ୍ୟପାନ, ଧୂମପାନ ଏଥିପାଇଁ ଘାତକ ହୋଇଥାଏ। ତେବେ ମୋଟାପଣ କମାଇବା ପାଇଁ କେତେକ ସ୍ବାସ୍ଥ୍ୟନୀତି ଆପଣେଇଲେ ଏ ସବୁର ସହଜ ସମାଧାନ ହୋଇପାରିବ। ସେଗୁଡ଼ିକ ହେଲା ରାତିରେ କମ୍‌ ଖାଆନ୍ତୁ, କମ୍‌ ପାଣି ପିଅନ୍ତୁ। ଶୋଇବା ପୂର୍ବରୁ ନିଜ ମୋବାଇଲକୁ ସାଇଲେଣ୍ଟ ମୋଡ୍‌ରେ ରଖନ୍ତୁ। ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡ଼ନ୍ତୁ। ଦୁଇ ଗ୍ଳାସ୍‌ ଉଷୁମ ପାଣି ପିଅନ୍ତୁ। ଅତି କମ୍‌ରେ ଦୁଇ କିଲୋମିଟର ଚାଲନ୍ତୁ। ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ସକାଳ, ମଧ୍ୟାହ୍ନ ଏବଂ ରାତ୍ରି ଭୋଜନ ମଧ୍ୟରେ ଦୂରତା ରଖନ୍ତୁ। ସକାଳ ଜଳଖିଆ ନିଶ୍ଚିତ ଖାଆନ୍ତୁ। ମଧ୍ୟାହ୍ନ ଭୋଜନରେ ସାଲାଡ ରଖନ୍ତୁ। ଗହମ, ବାଜରାରୁ ତିଆରି ଖାଦ୍ୟ ଖାଆନ୍ତୁ। ଭାତ ଖାଇବା କମାଇ ଦିଅନ୍ତୁ। ମାଛ, ମାଂସ ଛାଡ଼ି ଶାକାହାରୀ ହେବା ଭଲ। ଗଜା ମୁଗ, ବୁଟ ଖାଆନ୍ତୁ। ଆବଶ୍ୟକ ସ୍ଥଳେ ସକାଳେ ତାଳମିଶ୍ରି ପାଣି ପିଅନ୍ତୁ। ଚିନି ବଦଳରେ ଗୁଡ଼ ଖାଆନ୍ତୁ। ସବୁଦିନ ଦହି ବା ଚହ୍ଲା ଖାଇଲେ ସ୍ବାସ୍ଥ୍ୟ ଭଲ ରହେ। ଏଥିରେ ଲାକ୍ଟୋବାସିଲସ୍‌ ଅଛି ଯାହା ପ୍ରୋବାୟୋଟିକ୍ସର କାମ କରେ। ଋତୁ ଅନୁସାରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ। ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ। ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ। ଖାଦ୍ୟ ଖାଇବା ପରେ ବଜ୍ରାସନରେ ୧୦ମିନିଟ୍‌ ବସନ୍ତୁ ଏବଂ ୩୦ ମିନିଟ୍‌ ପରେ ପାଣି ପିଅନ୍ତୁ। ମିଠା ଖାଇବା କମାନ୍ତୁ। ଝିଅମାନେ ପୁଚି, ଦଉଡିଡିଆଁ ଖେଳନ୍ତୁ। ଫଳରେ ସେମାନଙ୍କର ଶାରୀରିକ ଗଠନ ଠିକ୍‌ ରହିବ। ବୈବାହିକ ଜୀବନ ମଧ୍ୟ ସ୍ବାସ୍ଥ୍ୟପ୍ରଦ ହେବ। ଚା, କଫି କମ୍‌ ପିଅନ୍ତୁ। ଯଦି ଅଭ୍ୟାସ ଅଛି ବିନା କ୍ଷୀରର ହର୍ବାଲ ଚା ପିଅନ୍ତୁ। ଚାରେ ଚିନି ବଦଳରେ ଗୁଡ଼ ବା ମହୁ ବ୍ୟବହାର କରନ୍ତୁ। ଅପରାହ୍ଣରେ ଗୋଟିଏ ପାଚିଲା କଦଳୀ ନିୟମିତ ଖାଆନ୍ତୁ। ଏହା ଅମ୍ଳତା ଦୂର କରେ ଏବଂ ରକ୍ତ ବଢ଼ାଏ। ସୁନିଦ୍ରା ମଧ୍ୟ ଆଣିଥାଏ।
ଜିମ୍‌ ଯାଆନ୍ତୁ ମନା ନାହିଁ, ତେବେ ଯୋଗ କେନ୍ଦ୍ରକୁ ଯାଆନ୍ତୁ। ଯୋଗାଭ୍ୟାସ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ବଟା ହଳଦୀ ଖାଆନ୍ତୁ। ଦେହରେ ହଳଦୀ ଲଗାନ୍ତୁ। ଖାଲିପେଟରେ ଘିକୁଆଁରୀ ରସରେ ଗୁଡ଼ ମିଶାଇ ପିଅନ୍ତୁ। ଜଳଖିଆ ପରେ ଅଭ୍ୟାସ କରି ୨ଟି ଅଁଳା ଖାଆନ୍ତୁ। ଓଜନ ହ୍ରାସ ପାଇଁ ଡକ୍ତରଙ୍କ ପରାମର୍ଶ ଅନୁସାରେ ନବାକ ଗୁଗୁଳ, ହରିତକୀ ଚୂର୍ଣ୍ଣ ଖାଆନ୍ତୁ। ଦେହରେ ତେଲ ମାଲିସ କରନ୍ତୁ। ଯଦି ସମ୍ଭବ ମାସରେ ଦୁଇଦିନ (ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା, ଏକାଦଶୀ ପରି ତିଥିରେ) ଉପବାସ କରନ୍ତୁ ବା ହାଲୁକା ଖାଦ୍ୟ ସାଙ୍ଗକୁ ଫଳରସ ପିଅନ୍ତୁ। ରୂପଚର୍ଯ୍ୟାର ଗନ୍ତାଘର ରହିଛି ଆୟୁର୍ବେଦରେ। ପରାମର୍ଶ ନିଅନ୍ତୁ। ଆଜିର ଝିଅ କାଲିର ବୋହୂ, କାଲିର ମା’। ତେଣୁ କନ୍ୟାରତ୍ନର ଯତ୍ନ ନେବା ଆବଶ୍ୟକ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri