ସମ୍ପାଦକୀୟ/ସବୁଆଡ଼େ କ୍ଷତି

୧୯୯୧ରେ ଭାରତୀୟ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ଉଦାରୀକରଣ ନୀତି ଅବଲମ୍ବନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆସିବା ସହ ଘରୋଇ କ୍ଷେତ୍ର ବ୍ୟାପକ ହୋଇଥିଲା। ଭାରତରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଅନୁମତି ଦିଆଯାଇଥିଲା। ମୁକ୍ତ ଅର୍ଥନୀତି ଯୋଗୁ ସରକାରୀ ସ୍ତରରେ ଥିବା ଲାଇସେନ୍ସରାଜ୍‌ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା। ଏଭଳି ସଂସ୍କାରର ସୁଫଳ ଅବଶ୍ୟ କିଛି ବର୍ଷ ପରେ ଦେଶକୁ ମିଳିଥିଲା। ହେଲେ ଏବର ସ୍ଥିତି ଦେଖିଲେ ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥା କ୍ଷତିରେ ଚାଲୁଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଓ ଏୟାର ଇଣ୍ଡିଆ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏବେ ଅନ୍ୟତମ ପ୍ରମୁଖ ସରକାରୀ ସଂସ୍ଥା ଇଣ୍ଡିଆ ପୋଷ୍ଟ (ଭାରତୀୟ ଡାକସେବା) ୨୦୧୮-୧୯ ଆର୍ଥିକବର୍ଷରେ ୧୫ ହଜାର କୋଟି ଟଙ୍କା କ୍ଷତି କରିଛି। ବିଏସ୍‌ଏନ୍‌ଏଲ୍‌ ଓ ଏୟାର ଇଣ୍ଡିଆଠାରୁ ଏହାର କ୍ଷତି ପରିମାଣ ଟପିଯାଇଛି। ଉଲ୍ଲେଖଯୋଗ୍ୟ, ବିଏସ୍‌ଏନ୍‌ଏଲ୍‌ ୮ ହଜାର କୋଟି ଟଙ୍କା କ୍ଷତି ସହିଥିବା ବେଳେ ଏୟାର ଇଣ୍ଡିଆର ପରିମାଣ ରହିଥିଲା ୫,୩୪୦ କୋଟି ଟଙ୍କା। କେବଳ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହନ୍ତି, ଘରୋଇ ଟେଲିକମ୍‌ ଓ ଏୟାରଲାଇନ୍ସ ମଧ୍ୟ ସଙ୍କଟରେ ପଡ଼ିଛନ୍ତି। ସଦ୍ୟ ହଇରାଣରେ ପଡ଼ିଥିବା ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହେବା ଅବସ୍ଥାରେ ଆସି ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ସରକାରୀ ଓ ଘରୋଇ ଉଦ୍ୟୋଗ ଆର୍ଥିକ ସଙ୍କଟ ଦେଇ ଗତିକରିବା ଭାରତୀୟ ଅର୍ଥନୀତି ପାଇଁ ସତର୍କଘଣ୍ଟି ପାଲଟିଲାଣି।
ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି। କୌଣସି ଦଳ ଆର୍ଥିକ ଦିଗକୁ ଦୃଷ୍ଟି ନ ଦେଇ ଯେଉଁଭଳି ଭାବେ ସୁବିଧା ଘୋଷଣା କରିଚାଲିଛନ୍ତି, ତାହାକୁ ସୁସ୍ଥ ମସ୍ତିଷ୍କର ଜଣେ ବ୍ୟକ୍ତି କେବେହେଲେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ଦେଶରେ ସୁବିଧା ଓ ଫାଇଦା କେଉଁଠାରୁ ମିଳିପାରିବ ତାହାକୁ ଜନସାଧାରଣ ଯେଭଳି ସହଜରେ ଜାଣିପାରିଥାଆନ୍ତି, ଅର୍ଥନୀତି ଭଳି ଜଟିଳ ପ୍ରସଙ୍ଗକୁ ବୁଝିପାରୁ ନ ଥିବାରୁ ରାଜନୈତିକ ଦଳ ଓ ନେତାମାନେ ସେମାନଙ୍କୁ ଭକୁଆ କରି ରଖୁଛନ୍ତି। ସମାଜର ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାରୀ ତହବିଲରେ ଅର୍ଥ ପର୍ଯ୍ୟାପ୍ତ ନ ଥିଲା ବେଳେ ମାଗଣା ଘୋଷଣା କିଭଳି ଫଳବତୀ ହୋଇପାରିବ, ସେ ସଂକ୍ରାନ୍ତ ପ୍ରଶ୍ନ କୌଣସି ଭୋଟର ପଚାରୁଥିବା ଲକ୍ଷ୍ୟ କରାଯାଉ ନାହିଁ। କେନ୍ଦ୍ରରେ ଭାଜପା ସରକାରଙ୍କ ବିଗତ ୫ ବର୍ଷର ଶାସନକୁ ଦେଖିଲେ ଏ ଦେଶରେ କେବଳ ଏକ ପ୍ରଚାରସର୍ବସ୍ବ ବାତାବରଣ ସୃଷ୍ଟି କରାଯାଇଥିବା କୁହାଯାଉଛି। ଏହି ସରକାର ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରି ସମଗ୍ର ଅର୍ଥନୀତିକୁ ପଙ୍ଗୁ କରିଦେଇଛି। ଏହାର ସବୁଠାରୁ ଖରାପ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡ଼ିଛି। ନିକଟ ଅତୀତରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ନିଯୁକ୍ତି ହାର ବିଗତ ୪୫ ବର୍ଷ ମଧ୍ୟରେ ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲିଯାଇଛି। ତ୍ରୁଟିପୂର୍ଣ୍ଣ ବ୍ୟାଙ୍କିଙ୍ଗ୍‌ ନୀତି ଯୋଗୁ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ୧୦ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି। ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକ୍ସିଙ୍କ ସହିତ ଆହୁରି ୩୬ ଜଣ ବ୍ୟବସାୟୀ ଦେଶ ଛାଡ଼ି ପଳାଇ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବୀକାର କରିଛି। ପୁଣି ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଅତ୍ୟଧିକ ଅନୁଗ୍ରହ ଦିଆଯିବା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ସ୍ତର ଦୁର୍ବଳ ହୋଇଯାଇଛି। ଟେଲିକମ୍‌ କ୍ଷେତ୍ର ଏହାର ଜ୍ୱଳନ୍ତ ଉଦାହରଣ।
ଭୁଲ ଅର୍ଥନୈତିକ ନୀତି ସମଗ୍ର ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥାଏ। ଭାରତରେ ରାଜନୈତିକ ଦଳ ଓ ନେତାମାନେ ଦେଶ ସମ୍ମୁଖୀନ ହେଉଥିବା ବାସ୍ତବ ସମସ୍ୟାକୁ ଗୁରୁତ୍ୱ ନ ଦେଇ ଲୋକଙ୍କୁ ନିମ୍ନ ସ୍ତରର ସୁବିଧା ଯାଚି ଦୀର୍ଘ ସମୟ ଶାସନ ଗାଦିରେ ବସିବାକୁ ଉଚିତ ମଣୁଛନ୍ତି। କେଉଁ କାରଣ ଯୋଗୁ ଗାଁଠୁ ସହରଯାଏ ଶାଖା ମେଲିଥିବା ବୃହତ୍‌ ଡାକ ସଂସ୍ଥା କ୍ଷତିରେ ପଡ଼ିଲା, ତାହା ଉପରେ ଅନୁଧ୍ୟାନ କରାଯାଉ ନାହିଁ। ଦେଶର ଆର୍ଥିକ ମେରୁଦଣ୍ଡ ସବଳ ନ ହେଲେ ସାମାଜିକ ସ୍ତରରେ ବିକାଶ ହୋଇପାରିବ ନାହିଁ। ବର୍ତ୍ତମାନ ନିର୍ବାଚନ ଚାଲୁଥିବାରୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ‘ବିକାଶ’କୁ ବିଭିନ୍ନ ତରିକାରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବାରେ ବ୍ୟସ୍ତ। ‘ଚୂନା ନ ଦେଖି ପିଠା’ ତିଆରି କରୁଥିବା ରାଜନୈତିକ ଦଳ ଓ ନେତାମାନେ ବାସ୍ତବ ପରିସ୍ଥିତିକୁ ବୁଝିବା ଆବଶ୍ୟକ ହୋଇପଡ଼ିଲାଣି। ‘ଋଣ କରି ଘିଅ ପିଇବା’ ଭଳି ମନୋବୃତ୍ତି ବ୍ୟକ୍ତିଗତ ସ୍ତରରୁ ସରକାରଯାଏ ରହିଲେ, କୌଣସି ଜାତୀୟ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆଗକୁ ଯେଉଁଠାରେ ଯେଉଁ ଦଳ କ୍ଷମତାକୁ ଆସନ୍ତୁ ନା କାହିଁକି, କଠୋର ଅର୍ଥନୈତିକ ସ୍ଥିତି ଏକ ବୃହତ୍‌ ସମସ୍ୟା ଭାବେ ଉଭା ହେବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri