ସମ୍ପାଦକୀୟ/ ଥଇଥାନ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ପଦବୀରୁ ଇସ୍ତଫା ଦେଇଥିବା ବିଷୟ ୨୪ ଜୁନ୍‌ ୨୦୧୯ରେ ପଦାକୁ ଆସିଛି । ୧୦ ଡିସେମ୍ବର ୨୦୧୮ରେ ଉର୍ଜିତ ପଟେଲ ଗଭର୍ନର ପଦରୁ ଇସ୍ତଫା ଦେବାର ୭ ମାସ ପରେ ବିରଲ ଆର୍‌ବିଆଇ ଛାଡ଼ିବା ଏହି ବୈଧାନିକ ସଂସ୍ଥାର ସ୍ବାତନ୍ତ୍ର୍ୟ ଉପରେ ପୁଣି ପ୍ରଶ୍ନ ଉଠିଛି। କିନ୍ତୁ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ସେ ପୁଣି ଶିକ୍ଷା କ୍ଷେତ୍ରକୁ ଫେରିଯିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ବିଶ୍ୱାସଯୋଗ୍ୟ ମନେହେଉଛି। ଆମେରିକାରେ ତାଙ୍କ ପରିବାର ରହୁଛନ୍ତି ଓ ସେଠାରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ତାଙ୍କ ଇସ୍ତଫା ଏକ ସଂଯୋଗ ବୋଲି ଆଶା କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ଆର୍‌ବିଆଇ ଡେପୁଟି ଗଭର୍ନର ଭାବେ ଯୋଗଦେବା ପୂର୍ବରୁ ବିରଲ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଷ୍ଟର୍ନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ରେ ପ୍ରଫେସର ଥିଲେ। ତାଙ୍କ ଉପରେ ଆର୍‌ବିଆଇ ପକ୍ଷରୁ ଦିଆଯାଉଥିବା ସଫେଇ ସାଧାରଣରେ ଗ୍ରହଣଯୋଗ୍ୟ ମନେ ହେଉନାହିଁ। କାରଣ ତାଙ୍କୁ ୩ ବର୍ଷ ପାଇଁ ଉକ୍ତ ପଦବୀରେ ମୋଦି ସରକାର ଅବସ୍ଥାପିତ କରିଥିଲେ। ବିଶେଷଜ୍ଞଙ୍କ ମତରେ କେନ୍ଦ୍ର ସରକାର ଆର୍‌ବିଆଇର ବିଭିନ୍ନ ବ୍ୟାପାରରେ ଅତ୍ୟଧିକ ମୁଣ୍ଡ ପୂରାଇବାରୁ ସେଥିରେ ଅତିଷ୍ଠ ହୋଇ ସେ ପଦ ଛାଡ଼ିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୬ ଅକ୍ଟୋବର ୨୦୧୮ରେ ବିଶିଷ୍ଟ ଶିଳ୍ପପତି, ବ୍ୟାଙ୍କର ତଥା ଅର୍ଥନୀତିଜ୍ଞ ଅର୍ଦ୍ଦେଶିର ଦରବ୍‌ଶ ଶ୍ରଫ୍‌ ସ୍ମାରକୀ ବକ୍ତୃତାରେ ଭାଷଣ ଦେବା ବେଳେ ବିରଲ କହିଥିଲେ ଯେ, କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାକୁ କେନ୍ଦ୍ର ସରକାର ସମ୍ମାନ ଦେଉ ନ ଥିବାରୁ ଏହା ବର୍ତ୍ତମାନ ହେଉ ବା ଭବିଷ୍ୟତରେ ଆର୍ଥିକ ବଜାର କ୍ରୋଧର ସମ୍ମୁଖୀନ ହେବ। ସରକାରଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସେତେବେଳେ ଆର୍ଥିକ ଜଗତରେ ଚର୍ଚ୍ଚାର ବିଷୟ ହୋଇଥିଲା। ସମ୍ଭବତଃ ନିଜ କାର୍ଯ୍ୟରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପକୁ ସେ ସହ୍ୟ କରି ନ ପାରି ଇସ୍ତଫା ଦେଇଥାଇପାରନ୍ତି ବୋଲି କୁହାଯାଇପାରେ। ବିଶେଷକରି ଆଜିର ବାତାବରଣରେ ସରକାରଙ୍କ ତ୍ରୁଟି ଦର୍ଶାଉଥିବା ବ୍ୟକ୍ତି ବା ସଂସ୍ଥାର ଆୟୁ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି।
ଯେତେବେଳେ ଏକ ସରକାର ସ୍ବାଧୀନ ସଂସ୍ଥା ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିଥାଆନ୍ତି, ସେତେବେଳେ ସେହି ସଂସ୍ଥା ନିଜର ମୌଳିକତା ହରାଇବସେ। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଭଳି ଆର୍ଥିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ଦେଶର ଅର୍ଥନୀତି ନିମ୍ନଗାମୀ ହେଲା। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଆର୍‌ବିଆଇ ଅନନ୍ୟୋପାୟ ହୋଇ ସମର୍ଥନ କରିଥିଲା। ପରବର୍ତ୍ତୀ ସମୟରେ ବିମୁଦ୍ରୀକରଣ ସଂକ୍ରାନ୍ତ ଯେତେ ତଥ୍ୟ ପ୍ରକାଶ ପାଇଲା ସେଥିରେ ଦେଶର ଆର୍ଥିକ ଦୁଃସ୍ଥିତି ବିଷୟ ପଦାକୁ ଆସିଲା। ଅନେକ କ୍ଷୁଦ୍ର ଓ ମଧ୍ୟମଧରଣର ବ୍ୟବସାୟ ବନ୍ଦ ହୋଇଗଲା। ଏଥିରେ କାର୍ଯ୍ୟ କରୁଥିବା ଅସଂଖ୍ୟ ଲୋକ ବେକାର ହୋଇଗଲେ। ଗାଁ ଗହଳିରେ କୁଳବେଉସା କରି ଲୋକେ ଘରେ ସାଇତି ରଖିଥିବା ଅର୍ଥ ବଦଳାଇବାରେ ସକ୍ଷମ ହୋଇ ନ ପାରିବାରୁ କ୍ଷତିର ସମ୍ମୁଖୀନ ହେଲେ। ମୋଟାମୋଟି କହିଲେ ବିମୁଦ୍ରୀକରଣ ଭାରତୀୟ ଅର୍ଥନୀତିରେ ନକାରାତ୍ମକ ଅଭିବୃଦ୍ଧି ଆଣିଥିଲା। ପ୍ରସଙ୍ଗ ହେଲା ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ବିରୋଧ କଲେ ସେମାନଙ୍କୁ ଭିନ୍ନ ଚକ୍ଷୁରେ ଦେଖାଗଲା ଏବଂ ସମର୍ଥନକାରୀଙ୍କୁ ପୁରସ୍କାର ଦିଆଗଲା। କେତେକଙ୍କ କହିବା ଅନୁଯାୟୀ ଶକ୍ତିକାନ୍ତ ଦାସଙ୍କୁ ଗଭର୍ନର କରାଯିବା ପଛରେ ସେହି ରାଜନୀତି କାମ କରିଥିଲା। ଅବଶ୍ୟ ଆମେ ଓଡ଼ିଆ ଭାବେ ଶକ୍ତିକାନ୍ତଙ୍କ ଆସନ ଅଳଙ୍କୃତ କରିବାରେ ଗୌରବାନ୍ବିତ ମନେକରୁ। କିନ୍ତୁ ତାଙ୍କର କେନ୍ଦ୍ରୀୟ ବ୍ୟାଙ୍କ ଉପରେ ଥିବା ଗୁରୁଦାୟିତ୍ୱ ପରିଚାଳନାରେ କେତେ ଦକ୍ଷତା ଅଛି ସେଥିରେ ସନ୍ଦେହ ମଧ୍ୟ କରୁ।
ଦେଶର ଚଳନ୍ତି ମୁଦ୍ରା ଛପାଇବା, ଅର୍ଥ ଯୋଗାଣ ଓ ମୁଦ୍ରାନୀତି ପରିଚାଳନା ଏବଂ ବ୍ୟାଙ୍କ କାରବାର ଉପରେ ନିୟନ୍ତ୍ରଣ ରଖିବା ହେଉଛି ଆର୍‌ବିଆଇର ପ୍ରମୁଖ କାର୍ଯ୍ୟ। ସେଥିଲାଗି ତାହାକୁ ସ୍ବାୟତ୍ତତା ଦିଆଯାଇଛି। ହେଲେ ନିର୍ଦ୍ଦିଷ୍ଟ ସରକାର ନିଜର ରାଜନୈତିକ ଲକ୍ଷ୍ୟ ପୂରଣ କରିବା ଲାଗି ମୁଦ୍ରା ନୀତିରେ ପରିବର୍ତ୍ତନ ଆଣିବା ଲାଗି ଆର୍‌ବିଆଇ ଉପରେ ଚାପ ପ୍ରୟୋଗ କରିଥାଆନ୍ତି। ଦେଶର ନିଅଣ୍ଟିଆ ଅର୍ଥନୀତିରେ ମାଗଣା ଜିନିଷପତ୍ର ଲୋକଙ୍କୁ ଦେଇ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖୁଥିବା ସରକାରଙ୍କ ଯୋଗୁ ଆଜି କେନ୍ଦ୍ରୀୟ ବ୍ୟାଙ୍କ ବିପଦରେ ପଡ଼ିଛି। ପୂର୍ବତନ ଗଭର୍ନର ରଘୁରାମ ରାଜନ, ଉର୍ଜିତ ପଟେଲ ଏବଂ ଡେପୁଟି ଗଭର୍ନର ବିରଲ ଏହିଭଳି ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରୁ ସେମାନଙ୍କ ଭଳି ବୃତ୍ତିଗତ ଅର୍ଥନୀତିଜ୍ଞମାନଙ୍କ ସ୍ଥାନ ଆର୍‌ବିଆଇରେ ରହୁନାହିଁ। ସୁଦୃଢ଼ ଅର୍ଥନୀତି ଦେଶର ବିକାଶ ଆଣିଥାଏ। କିନ୍ତୁ ଯେତେବେଳେ ସ୍ବାଧୀନ ସଂସ୍ଥାଗୁଡ଼ିକ ସରକାରଙ୍କ ଚାମଚା ପାଲଟିଯାଆନ୍ତି, ସେତେବେଳେ ଆର୍ଥିକ ସ୍ତରରେ କ୍ଷତି ପହଞ୍ଚିବା ସହ ଗଣତାନ୍ତ୍ରିକ ଢାଞ୍ଚାରେ ଘୁଣ ଲାଗିଯାଏ। ଏବେଠାରୁ ସରକାର ଆର୍‌ବିଆଇ ପ୍ରତି ମନୋଭାବରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ଏହା ଅଣବୃତ୍ତିଧାରୀଙ୍କ ଥଇଥାନ କେନ୍ଦ୍ରରେ ପରିଣତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri