ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା

ଡ. ଶରତ ଚନ୍ଦ୍ର ରଥ
ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା- ପ୍ରତ୍ୟେକର ବ୍ୟାବହାରିକ ଉପଯୋଗିତା ରହିଛି। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିବା ପରି ଲାଗେ, ମନରେ ଅଶାନ୍ତି ନ ଥିଲେ ଚାରିଆଡ଼ ବିଷାକ୍ତ ଲାଗେ। ଏହି ଶାନ୍ତି ବସ୍ତୁର ପରିମାଣ, କ୍ଷମତାର ପ୍ରାବଲ୍ୟ, ଯଶର ବହୁଳତା ଉପରେ ନିର୍ଭର କରେନାହିଁ। ଏହା ନିର୍ଭର କରେ ମନର ସ୍ଥିତି ଉପରେ। ମନର ନିରୁଦ୍‌ବିଗ୍ନ ଅବସ୍ଥା ହିଁ ଶାନ୍ତି। ମନର ତିନିଗୋଟି ସ୍ତର ରହିଛି। ଗୋଟିଏ ହେଉଛି ଇନ୍ଦ୍ରିୟଗତ ମନ ଯାହା ଇନ୍ଦ୍ରିୟମାନଙ୍କର ଅନୁଭବ ସହିତ ବାକ୍ସବନ୍ଦୀ ହୋଇ ରହିଥାଏ। ଅହରହ ସୁଖଦୁଃଖରେ ଭ୍ରମିତ ଓ ବିଚଳିତ ସେଇ ମନ। ସେ ମନରେ ଶାନ୍ତି ନ ଥାଏ। କାରଣ ଦୁଃଖରେ ସେ ମନ ଭାଙ୍ଗିପଡ଼େ ଓ ସୁଖରେ ଆତ୍ମହରା ହୋଇପଡ଼େ, ତେଣୁ ଶାନ୍ତ ରହିପାରେ ନାହିଁ। ଆଉ ଗୋଟିଏ ହେଉଛି ବୁଦ୍ଧିଗତ ମନର ସ୍ତର, ଯହିଁରେ କିଛି ସ୍ଥିରତା, ବିଚାର ତଥା ବିବେକବୋଧ ଥାଏ। ଆମେ ଏଇ ସ୍ତରକୁ ନୈତିକତାର ସ୍ତର ବୋଲି କହିପାରିବା। ଏହି ମନରେ କିଛି ଅଂଶରେ ଶାନ୍ତିର ପ୍ରଭାବ ଥାଏ।
ଆଉ ଗୋଟିଏ ମନ ହେଉଛି ଆଦର୍ଶପ୍ରାଣ ଉଚ୍ଚମନ, ଯାହାର ପ୍ରଭାବରେ ମନରେ ଦିବ୍ୟଭାବନା ଆସିଥାଏ। ସେବା, ତ୍ୟାଗ, ଦୟା, କ୍ଷମା, ମମତ୍ୱବୋଧ, ଆନ୍ତରିକତା ପ୍ରଭୃତି ଦିବ୍ୟଭାବର ପ୍ରଭାବ ଏଇ ମନରେ ଥାଏ। ଏଇସବୁ ଦିବ୍ୟଜ୍ଞାନ ମନୁଷ୍ୟ ଦେହରେ ଦେଖି ଭଗବାନ ସନ୍ତୋଷଲାଭ କରନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି। ଉଚ୍ଚମନରେ ଅଧିକ ଶାନ୍ତି ଥାଏ, କାରଣ ଏଥିରେ ମାରିନେବାର, ଝାମ୍ପିନେବାର ମନୋବୃତ୍ତି ନ ଥାଏ, ବରଂ ଥାଏ ଦେଇଦେବାର ମନୋଭାବ। ନିଃସ୍ବାର୍ଥ ଭାବରେ ଅନ୍ୟ ପାଇଁ, ଜାତି ପାଇଁ, ଦେଶ ପାଇଁ ତଥା ସମଗ୍ର ବିଶ୍ୱ ପାଇଁ କିଛି ଦେଇଦେବାର ମାନସିକତା ଏଥିରେ ଥାଏ। ‘ତେନ ତ୍ୟକ୍ତେନ ଭୁଞ୍ଜିଥାଃ’-ଏହାର ମହତ୍ତ୍ୱ ଏହି ମନରେ ଉପଲବ୍ଧି କରିହୁଏ। ଏ ମନ ହେଉଛି ମହୁମାଛିର ମନ, ଯିଏ ମହୁ ସଂଗ୍ରହ କରେ, ମଇଳା ନୁହେଁ, ଯିଏ ସୌନ୍ଦର୍ଯ୍ୟକୁ ଅନୁଭବ କରେ, କଦର୍ଯ୍ୟକୁ ନୁହେଁ। ଇନ୍ଦ୍ରିୟଗତ ମନ ହେଉଛି ମାଛିର ମନ, ଯିଏ ମଇଳାକୁ ସୁଖ ପାଏ, ପର ନିନ୍ଦା, ପର ଚର୍ଚ୍ଚା, ପର ଚୁଗୁଲିରେ ସମୟ କାଟେ।
ଶାନ୍ତି କେବଳ ମଣିଷ ମନ ପାଇଁ ଉଦ୍ଦିଷ୍ଟ ନୁହେଁ, ପରିବେଶ ପାଇଁ ମଧ୍ୟ ଅଭିପ୍ରେତ। ଦିଗଦିଗନ୍ତରେ ଶାନ୍ତି, ଜଳରେ ଶାନ୍ତି, ଆକାଶରେ ଶାନ୍ତି, ବୃକ୍ଷଲତାରେ ଶାନ୍ତି ତଥା ସର୍ବତ୍ର ଶାନ୍ତିର ପ୍ରତିଷ୍ଠିତ ହେଉ-ଏହି ଇଚ୍ଛା ଆର୍ଯ୍ୟ ଋଷିମାନେ କରିଛନ୍ତି। ଏହା ହିଁ ଦିବ୍ୟ ମନର କ୍ରିୟା ଓ ପ୍ରକ୍ରିୟା।
ସନ୍ତୋଷ ଏକ ଅନୁଭବ, ଯାହା ଧନ, ଜନ, ଯଶ, ଗୌରବ, ପ୍ରତିପତ୍ତି, କ୍ଷମତାର ପରିମାଣ ଉପରେ ନିର୍ଭର କରେ ନାହିଁ। ଯାହା ଯାହା ମିଳିଛି ଓ ମିଳୁଛି ତହିଁରେ ଖୁସିରହିବା ହେଉଛି ଆତ୍ମସନ୍ତୋଷର ମୂଳକଥା। ଯାହା ମିଳିନାହିଁ ଓ ମିଳୁ ନାହିଁ- ସେଥିପାଇଁ ହାଁ ହାଁ ହେବା ଅସନ୍ତୋଷର ମୂଳକଥା। ଅସନ୍ତୋଷ ଥରେ ମନକୁ ଆସିଗଲେ ତାହା ଆଉ ସହଜରେ ଯାଏ ନାହିଁ। ଅସନ୍ତୋଷ ସର୍ବଦା ନାହିଁ ନାହିଁର ତାଲିକା କରେ, ସେ ତାଲିକା ଶେଷ ହୁଏନାହିଁ, ତେଣୁ ଅସନ୍ତୋଷ ସରେ ନାହିଁ।
ସହିଷ୍ଣୁତା ଏକ ବାସ୍ତବତା, ଜୀବନକୁ ବୁଝିବାର ଏକ ମାର୍ଜିତ ବ୍ୟବସ୍ଥା। ଆଜିକାଲି ଅସହିଷ୍ଣୁତାର ଅଖଣ୍ଡ ରାଜତ୍ୱ। କଥାକଥାକେ କଳି, କ୍ରୋଧ, ଆକ୍ରମଣ। କଥାକୁ ଅକଥା କରେ ଅସହିଷ୍ଣୁତା, କ୍ରୋଧରେ ଏହା ପ୍ରକାଶିତ ହୁଏ। କ୍ରୋଧର କରାମତି ପ୍ରବଳ ଯାହା ଅକଥା କୁହାଏ, ଅକାର୍ଯ୍ୟ କରାଏ। ପରିବେଶକୁ ଅସଜଡା କରେ। କ୍ରୋଧ ଅନ୍ୟର ଯେତେ କ୍ଷତି ଘଟାଏ, ନିଜର ତାହାଠାରୁ ଅଧିକ କ୍ଷତି ଘଟାଏ। କ୍ରୋଧ ଦେହକୁ ଥରାଏ, ପ୍ରାଣକୁ ଆଲୋଡ଼ିତ କରେ, ମନକୁ ଭ୍ରମିତ କରେ। ମନେପଡ଼େ ପୁରାଣର ସେଇ କାହାଣୀ- ଯହିଁରେ କ୍ରୋଧ ଯୋଗୁ ଦୁର୍ବାସା ଋଷି କିପରି ବିଚଳିତ ହୋଇ ପଡ଼ିଥିଲେ। ରାଜା ଅମ୍ବରୀଶଙ୍କ ଦରବାରକୁ ଋଷି ଆସି ଦ୍ୱାଦଶୀ ପାରଣା କରିବେ ବୋଲି କହିଲେ। ଋଷି ତାଙ୍କ ଶିଷ୍ୟମାନଙ୍କ ସହ ସ୍ନାନ କରିବାକୁ ଗଲେ ଏବଂ ସ୍ନାନ ସାରି ଆସିଲେ ଖାଦ୍ୟ ଗ୍ରହଣ କରିବେ। ରାଜାଙ୍କୁ ପରୀକ୍ଷା କରିବା ପାଇଁ ଋଷି ଜାଣିଶୁଣି ବିଳମ୍ବ କଲେ। ଋଷିଙ୍କର ବିଳମ୍ବ ଦେଖି ରାଜା ପାରଣା ମୁହୂର୍ତ୍ତ ଗଡ଼ିଯାଉଥିବାରୁ ଧର୍ମସଙ୍କଟରେ ପଡ଼ିଗଲେ। ତ୍ରୟୋଦଶୀ ଲାଗିଯିବାର ଠିକ୍‌ ପୂର୍ବରୁ ଜଳ ଟିକିଏ ରାଜା ଗ୍ରହଣ କରି ଋଷିଙ୍କ ଆସିବା ବାଟକୁ ଚାହିଁ ରହିଲେ। ଋଷି ବିଳମ୍ବରେ ଆସି ରାଜା ତାଙ୍କୁ ଅପେକ୍ଷା ନ କରି କାହିଁକି ଜଳରେ ପାରଣା କଲେ ବୋଲି କ୍ରୋଧରେ ଜର୍ଜରିତ ହୋଇ ରାଜାଙ୍କୁ ଅଭିଶାପ ଦିଅନ୍ତେ, ରାଜା ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ପ୍ରାର୍ଥନାର ଉତ୍ତର ସ୍ବରୂପ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଦୁର୍ବାସାଙ୍କ ପଛେ ପଛେ ଧାଇଁବାକୁ ଲାଗିଲା। ଅସହାୟ ହୋଇ ଦୁର୍ବାସା ଶେଷରେ ଅମ୍ବରୀଶଙ୍କୁ କ୍ଷମାଭିକ୍ଷା କଲେ। ନିଜ କ୍ରୋଧର ପରିଣାମ ବୁଝିପାରିଲେ। ଶ୍ରୀମା କହିଛନ୍ତି-‘ଯେତେବେଳେ କ୍ରୋଧ ଅନୁଭବ କରୁଛ, ସେତେବେଳେ ପଦଟିଏ ବି ଉଚ୍ଚାରଣ କର ନାହିଁ।’
ବାସ୍ତବରେ ଅଶିକ୍ଷା ହିଁ ଅଶାନ୍ତି, ଅସନ୍ତୋଷ ଓ ଅସହିଷ୍ଣୁତାର ମୂଳ କାରଣ। ଅହଂକାର ହେଉଛି ମୂଳ ମଞ୍ଜି। ସେହି ମଞ୍ଜିକୁ ଗଛ କରିବାରେ ଗର୍ବ, ଦମ୍ଭ, ଅଭିମାନ ସାହାଯ୍ୟ କରନ୍ତି। ଜନବଳ, ବାହୁବଳ, ଧନବଳ, ମଦବଳ ଏହି ଗଛକୁ ବଢ଼ାନ୍ତି। ସେଇ ଗଛରେ ଯେଉଁ ଫୁଲ ଫୁଟେ, ତାହାର ଦୁର୍ଗନ୍ଧରେ ବାତାବରଣ ନଷ୍ଟ ହୋଇଯାଏ। ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତାର ଫୁଲ ଫୁଟିଲେ ପରିବେଶ ସୁଗନ୍ଧଯୁକ୍ତ ଓ ସୁଶୋଭିତ ହୁଏ, ଏଥିରେ ସନ୍ଦେହ ନାହିଁ।
ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri