ଲାଜ କିଆଁ ଲାଗୁଛି

ଯାଜ୍ଞସେନୀ ସାହୁ

କଲୋନୀକୁ ନୂଆ ନୂଆ ଆସିଥାନ୍ତି ଗୋଚ୍ଛାୟତ ଦମ୍ପତି। ସ୍ବାମୀ, ସ୍ତ୍ରୀ ଆଉ ପୁଅଟିଏ। ଗୋଚ୍ଛାୟତବାବୁ ଜଣେ ସରକାରୀ କର୍ମଚାରୀ। ବଦଳି ହୋଇ ଏବେ ଆସିଛନ୍ତି ବୋଧହୁଏ। ନୂଆ ସହରକୁ ଆସିବା ପରେ ପୁଅର ପାଠପଢ଼ା ଓ ନୂଆ ସ୍କୁଲରେ ଆଡମିଶନ୍‌ ବଡ ଚିନ୍ତାର ବିଷୟ। ପ୍ରତିଦିନ ସକାଳେ ମିସେସ୍‌ ଗୋଚ୍ଛାୟତ ଲକ୍ଷ୍ୟ କରନ୍ତି ଯେ କନଭେଣ୍ଟ୍‌ ସ୍କୁଲ ବସ୍‌ କଲୋନୀ ପାଖକୁ ଆସେ। ଶାଢି ଓ ଗହଣାମଣ୍ଡିତା ମମ୍ମିମାନେ ପିଲାଙ୍କୁ ନେଇ ବସ୍‌ ପାଖକୁ ଯାଆନ୍ତି। ମିସେସ୍‌ ଗୋଚ୍ଛାୟତ ପୁଅର ନାଁ ସେହି ସ୍କୁଲରେ ଲେଖାଇବାକୁ ମନସ୍ଥ କରିନେଲେ। ଗୋଚ୍ଛାୟତବାବୁ ସାରେ ଅଫିସ୍‌ରୁ ଫେରିବା ପରେ ସ୍ତ୍ରୀର କଥା ଶୁଣି ହରଡ଼ଘଣାରେ। ପୁଅ ତ ଗାଆଁ ସରକାରୀ ବିଦ୍ୟାଳୟରୁ ଆସିଛି। ଏବେ ପୁଣି ଇଂଲିଶ ମିଡିୟମ୍‌ରେ କେମିତି ଖାପ ଖୁଆଇବ ତାକୁ ନେଇ ସେଦିନ ଘରେ ପାଟିତୁଣ୍ଡ।
ମାଡାମ୍‌ କହିଲେ- ବୁଝିଲ ତମେ ଯୋଉ ଗାଉଁଲିକୁ ସେଇଆ ହୋଇ ରହିଯିବ। କଲୋନିର ସବୁ ଛୁଆଙ୍କୁ ଦେଖୁନ ସେମାନଙ୍କ କଥାବାର୍ତ୍ତା ଚାଲିଚଳନ ପୂରା ଆଧୁନିକ। ମିସେସ୍‌ ମହାନ୍ତିଙ୍କ ପୁଅ ପରା କାଲି ମୋତେ ହ୍ୟାଲୋ ଆଣ୍ଟି ଗୁଡମର୍ନିଙ୍ଗ୍‌ ବୋଲି କହିଲା। କେଡ଼େ ସ୍ମାର୍ଟ ନୁହେଁ? ଆଉ ଆମର ଇଏ। ଦୁଷ୍ଟାମି ବ୍ୟତୀତ କୋଉ କଥାକୁ ନୁହଁ। ଆଉ ୟାକୁ କେବେ ମୁଁ କିଟି ପାର୍ଟିକୁ ନେଲେ ମୋତେ କହିବ?
କିଟି ପାର୍ଟିର ନୂଆ ମେମ୍ବର ହେବା ପରଠୁ ସବୁଥିରେ ମାଡାମ୍‌ଙ୍କ ଆଶା ଓ ଚାହିଦା ବଢି ବଢି ଚାଲିଛି। ତେବେ ପୁଅର ଅବସ୍ଥା ସେପଟେ ବେହାଲ୍‌। ଇଂଲିଶ ପାଠ୍ୟକ୍ରମ ସହ ନା ନିଜକୁ ଅଭ୍ୟସ୍ତ କରିପାରିଲା ନା ସହପାଠୀଙ୍କ ସହ ସନ୍ତୁଳନ ରକ୍ଷା କରିପାରିଲା। ଶିକ୍ଷାବର୍ଷ ସମାପ୍ତ ହୋଇଗଲା ହେଲେ ପୁଅ ଆଉ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିଲା ନାହିଁ। ଅଯଥା ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହୋଇଗଲା ଏବଂ ବିଚରା ନିରୀହ ଶିଶୁଟିର ମାନସିକ ସ୍ବାସ୍ଥ୍ୟ ଉପରେ ବି ପ୍ରଭାବ ପଡ଼ିଲା।
ଯଥେଷ୍ଟ ବୁଝିବାଶକ୍ତି ଥିବା ଅନୁଭବୀ ମଣିଷମାନଙ୍କ ଏଇ ‘ଲାଜ ଲାଗିବା’ ଡରଟି ପାଇଁ ସମାଜଟା ସତେ ଯେମିତି ଅସନ୍ତୁଳିତ ହୋଇଯାଏ। ଏଇ ଡରଟା ନିରନ୍ତର ବଡ଼ଠୁ ସାନ ଜୋରଜବରଦସ୍ତ ଦବାଇ ଦିଆଯାଏ ପିଢିକୁ ପିଢି। ଯେମିତି ଏଇ ଗୋଚ୍ଛାୟତ ଦମ୍ପତି। ମଣିଷ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ନେଇ ଜନ୍ମ ହୋଇଥିଲେ ବି ତା’ ଯୋଗ୍ୟତା ଓ କ୍ଷମତାକୁ ଟାଳି ଦିଆଯାଏ। ନିଜ ଅନିଚ୍ଛା ସତ୍ତ୍ବେ ପିଲାଟିକୁ ସେହି ବିଷୟ ପଢିବାକୁ ପଡେ, ଯାହା ତା’ ଉପରେ ଲଦିଦିଆଯାଏ। ଯୁଗକୁ ଆଖି ଆଗରେ ରଖି ଡାକ୍ତର ଇଞ୍ଜିନିୟର ହେବା ପାଇଁ ଠେଲିଦିଆଯାଏ, ହେଉ ପଛେ ସେ ନୃତ୍ୟ ସଙ୍ଗୀତ ଆଦି କଳାପ୍ରିୟ।
ନାରୀ ସ୍ବାଧୀନତାକୁ କଏଦ କରି ନିଜ ପୁରୁଷପଣିଆର ପରାକାଷ୍ଠା ଦେଖାଇବାରେ ଲାଜ ଲାଗେନି, କିନ୍ତୁ ମୁକ୍ତ ଚିନ୍ତାଧାରା ସହ ସ୍ତ୍ରୀ ଦି’ ପଇସା କମାଇ ରୋଜଗାରକ୍ଷମ ହୋଇଗଲେ ଲାଜ ଲାଗେ। କାରଣ ସେମାନେ ଭୟ କରନ୍ତି ଏହାଦ୍ବାରା ବଂଶ ମର୍ଯ୍ୟାଦା ନତୁବା ପୁରୁଷତ୍ୱରେ ଦାଗ ଲାଗିଯିବ। ନିଷ୍ପାପ କନ୍ୟାଭ୍ରୂଣଟିର ହତ୍ୟା କରିବାରେ ଲାଜ ଲାଗେନି, କିନ୍ତୁ ବାପାମାଆଙ୍କ କୋକେଇଠୁ ନେଇ ଶବସତ୍କାର ପର୍ଯ୍ୟନ୍ତ କର୍ମ ଝିଅ କଲେ ସମାଜ ଆଗରେ ନିନ୍ଦନୀୟ ହେବାକୁ ପଡ଼େ।
ସମାଜରେ ଏମିତି ବି ଲୋକ ଅଛନ୍ତି, ଠିକ୍‌ ଯେମିତି ‘ଅଣ୍ଟିରେ ନ ଥାଇ ଧନ ପୁଅ ବାହାକରି ମନ।’ ପେଟକାଟି ପଛେ ଓଦାକନା ଦେଇ ଶୋଇବେ, ହେଲେ ଆଉ କାହାଘର ସୋଫାସେଟ୍‌, ଏୟାର କଣ୍ଡିସନର ଦେଖି ଲୋନ୍‌ କରି ବାକିକରି ହେଉ ପଛେ କିଣିବା ପରେ ଯାଇ ଥୟ। କ’ଣ ନା, ସମସ୍ତଙ୍କ ସହ ପାଦ ମିଳେଇ ନ ଚାଲିଲେ ଶୁଦ୍ଧ ଭାଷାରେ ‘ଲାଜ ଲାଗିବ’। କିନ୍ତୁ ବିଡ଼ମ୍ବନା ଏହା ଯେ, ଯେଉଁ ବିଷୟଗୁଡିକ ପାଇଁ ଲାଜ ଲାଗିବା କଥା, ତା’ ଉପରେ କେବେ ଲାଜ ଲାଗେନି। ଅନୁଭବରୁ ଠଉରେଇଥିବା ଉଦାହରଣ ସ୍ବରୂପ, ଭିକାରିଟିଏ ଖରାତରାରେ ଆସି ଦାଣ୍ଡମୁହଁରେ ଭିକ ମାଗୁଥିବା ବେଳେ କିଛି ଲୋକ ଏକ ଟଙ୍କା କିମ୍ବା ଚାରିଅଣା ଆଠଅଣାଠୁ ବେଶି ନ ଦେଇ ଜଲ୍‌ଦି ବିଦା କରିଦିଅନ୍ତି। ପିନ୍ଧିବାକୁ ଲୁଗାଟିଏ କି ଭାତପାଣି ଟିକେ ମାଗିଲେ ଗରଗର ହୋଇ ତାଟିକବାଟ ଦେଇଦିଅନ୍ତି, ନ ହେଲେ ଚାଖଣ୍ଡେ ଦୂରରୁ ଫିଙ୍ଗି ଦିଅନ୍ତି ଛୁଇଁଦେଲେ ନିଜ ଜାତିଗୋତ୍ର ହରାଇବା ଭୟରେ। ତେବେ ଏଇଭଳି ଆବୋରି ବସିଥିବା ବ୍ୟକ୍ତିତ୍ୱ ପାଇଁ ଆମକୁ ଲାଜ ଲାଗେନି। କିନ୍ତୁ ଭୋଜିଭାତ, ଅନ୍ୟାନ୍ୟ ପର୍ବରେ ପାଟଶାଢି, ଗହଣାଗାଣ୍ଠି ନ ଥିଲେ ନିହାତି ଲାଜ ଲାଗେ। ସମାଜର ହିତ ସାଧନ ତଥା ଅସହାୟ ଗରିବଙ୍କ ଉନ୍ନତି ପାଇଁ ଅର୍ଥଦାନ ନ କଲେ ଲାଜ ଲାଗେନି, କିନ୍ତୁ ଦୁର୍ନୀତି କରି ପଇସା ଖାଇ ଦୁଇ ମହଲାଟେ ନ ବାଡେଇ ପାରିଲେ ଲାଜ ଲାଗେ। ଜାତିଭେଦ, ଧର୍ମଭେଦ ଉପରେ ଏକପାଖିଆ ନ୍ୟାୟ କରି ନିଜକୁ ଉଚ୍ଚଗୋଷ୍ଠୀର କହି ଡିଣ୍ଡିମ ପିଟିବାରେ ଲାଜ ଲାଗେନି, କିନ୍ତୁ ମନ୍ଦିର ଯାଇ ହଜାର ହଜାର ଦାନଦକ୍ଷିଣା ଦେଇ ଚିତାକାଟି ନିଜକୁ ଧାର୍ମିକ ଉପସ୍ଥାପନ ନ କଲେ ଆମକୁ ଲାଜ ଲାଗେ।
ତେବେ କଥାର ସାରାଂଶ ଏହା ଯେ, ଏହି ଲାଜ ଲାଗିବା ଓ ନ ଲାଗିବା ପରି ଦୁଇଟି ସ୍ତମ୍ଭର ନିୟମ ଓ ସର୍ତ୍ତାବଳୀ ସମାଜ ଯୁଗ ଯୁଗ ଧରି ନିଜେ ଭରିଆସିଛି। ଏସବୁର ବର୍ଗୀକରଣ ନ କରି ସମାନତା ଆଧାରରେ ଆମେ ଯଦି ପ୍ରତିଟି ବିଷୟକୁ ସହଜରେ ଗ୍ରହଣ କରିପାରନ୍ତେ, ତେବେ ନା ଆମକୁ ଅନ୍ୟ ହିସାବରେ ବଞ୍ଚିବାକୁ ପଡ଼ନ୍ତା ନା ଅଯଥା କ୍ଳେଶ ରୁହନ୍ତା।

itu.cute96@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?