ଲାଜ କିଆଁ ଲାଗୁଛି

ଯାଜ୍ଞସେନୀ ସାହୁ

କଲୋନୀକୁ ନୂଆ ନୂଆ ଆସିଥାନ୍ତି ଗୋଚ୍ଛାୟତ ଦମ୍ପତି। ସ୍ବାମୀ, ସ୍ତ୍ରୀ ଆଉ ପୁଅଟିଏ। ଗୋଚ୍ଛାୟତବାବୁ ଜଣେ ସରକାରୀ କର୍ମଚାରୀ। ବଦଳି ହୋଇ ଏବେ ଆସିଛନ୍ତି ବୋଧହୁଏ। ନୂଆ ସହରକୁ ଆସିବା ପରେ ପୁଅର ପାଠପଢ଼ା ଓ ନୂଆ ସ୍କୁଲରେ ଆଡମିଶନ୍‌ ବଡ ଚିନ୍ତାର ବିଷୟ। ପ୍ରତିଦିନ ସକାଳେ ମିସେସ୍‌ ଗୋଚ୍ଛାୟତ ଲକ୍ଷ୍ୟ କରନ୍ତି ଯେ କନଭେଣ୍ଟ୍‌ ସ୍କୁଲ ବସ୍‌ କଲୋନୀ ପାଖକୁ ଆସେ। ଶାଢି ଓ ଗହଣାମଣ୍ଡିତା ମମ୍ମିମାନେ ପିଲାଙ୍କୁ ନେଇ ବସ୍‌ ପାଖକୁ ଯାଆନ୍ତି। ମିସେସ୍‌ ଗୋଚ୍ଛାୟତ ପୁଅର ନାଁ ସେହି ସ୍କୁଲରେ ଲେଖାଇବାକୁ ମନସ୍ଥ କରିନେଲେ। ଗୋଚ୍ଛାୟତବାବୁ ସାରେ ଅଫିସ୍‌ରୁ ଫେରିବା ପରେ ସ୍ତ୍ରୀର କଥା ଶୁଣି ହରଡ଼ଘଣାରେ। ପୁଅ ତ ଗାଆଁ ସରକାରୀ ବିଦ୍ୟାଳୟରୁ ଆସିଛି। ଏବେ ପୁଣି ଇଂଲିଶ ମିଡିୟମ୍‌ରେ କେମିତି ଖାପ ଖୁଆଇବ ତାକୁ ନେଇ ସେଦିନ ଘରେ ପାଟିତୁଣ୍ଡ।
ମାଡାମ୍‌ କହିଲେ- ବୁଝିଲ ତମେ ଯୋଉ ଗାଉଁଲିକୁ ସେଇଆ ହୋଇ ରହିଯିବ। କଲୋନିର ସବୁ ଛୁଆଙ୍କୁ ଦେଖୁନ ସେମାନଙ୍କ କଥାବାର୍ତ୍ତା ଚାଲିଚଳନ ପୂରା ଆଧୁନିକ। ମିସେସ୍‌ ମହାନ୍ତିଙ୍କ ପୁଅ ପରା କାଲି ମୋତେ ହ୍ୟାଲୋ ଆଣ୍ଟି ଗୁଡମର୍ନିଙ୍ଗ୍‌ ବୋଲି କହିଲା। କେଡ଼େ ସ୍ମାର୍ଟ ନୁହେଁ? ଆଉ ଆମର ଇଏ। ଦୁଷ୍ଟାମି ବ୍ୟତୀତ କୋଉ କଥାକୁ ନୁହଁ। ଆଉ ୟାକୁ କେବେ ମୁଁ କିଟି ପାର୍ଟିକୁ ନେଲେ ମୋତେ କହିବ?
କିଟି ପାର୍ଟିର ନୂଆ ମେମ୍ବର ହେବା ପରଠୁ ସବୁଥିରେ ମାଡାମ୍‌ଙ୍କ ଆଶା ଓ ଚାହିଦା ବଢି ବଢି ଚାଲିଛି। ତେବେ ପୁଅର ଅବସ୍ଥା ସେପଟେ ବେହାଲ୍‌। ଇଂଲିଶ ପାଠ୍ୟକ୍ରମ ସହ ନା ନିଜକୁ ଅଭ୍ୟସ୍ତ କରିପାରିଲା ନା ସହପାଠୀଙ୍କ ସହ ସନ୍ତୁଳନ ରକ୍ଷା କରିପାରିଲା। ଶିକ୍ଷାବର୍ଷ ସମାପ୍ତ ହୋଇଗଲା ହେଲେ ପୁଅ ଆଉ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିଲା ନାହିଁ। ଅଯଥା ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହୋଇଗଲା ଏବଂ ବିଚରା ନିରୀହ ଶିଶୁଟିର ମାନସିକ ସ୍ବାସ୍ଥ୍ୟ ଉପରେ ବି ପ୍ରଭାବ ପଡ଼ିଲା।
ଯଥେଷ୍ଟ ବୁଝିବାଶକ୍ତି ଥିବା ଅନୁଭବୀ ମଣିଷମାନଙ୍କ ଏଇ ‘ଲାଜ ଲାଗିବା’ ଡରଟି ପାଇଁ ସମାଜଟା ସତେ ଯେମିତି ଅସନ୍ତୁଳିତ ହୋଇଯାଏ। ଏଇ ଡରଟା ନିରନ୍ତର ବଡ଼ଠୁ ସାନ ଜୋରଜବରଦସ୍ତ ଦବାଇ ଦିଆଯାଏ ପିଢିକୁ ପିଢି। ଯେମିତି ଏଇ ଗୋଚ୍ଛାୟତ ଦମ୍ପତି। ମଣିଷ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ନେଇ ଜନ୍ମ ହୋଇଥିଲେ ବି ତା’ ଯୋଗ୍ୟତା ଓ କ୍ଷମତାକୁ ଟାଳି ଦିଆଯାଏ। ନିଜ ଅନିଚ୍ଛା ସତ୍ତ୍ବେ ପିଲାଟିକୁ ସେହି ବିଷୟ ପଢିବାକୁ ପଡେ, ଯାହା ତା’ ଉପରେ ଲଦିଦିଆଯାଏ। ଯୁଗକୁ ଆଖି ଆଗରେ ରଖି ଡାକ୍ତର ଇଞ୍ଜିନିୟର ହେବା ପାଇଁ ଠେଲିଦିଆଯାଏ, ହେଉ ପଛେ ସେ ନୃତ୍ୟ ସଙ୍ଗୀତ ଆଦି କଳାପ୍ରିୟ।
ନାରୀ ସ୍ବାଧୀନତାକୁ କଏଦ କରି ନିଜ ପୁରୁଷପଣିଆର ପରାକାଷ୍ଠା ଦେଖାଇବାରେ ଲାଜ ଲାଗେନି, କିନ୍ତୁ ମୁକ୍ତ ଚିନ୍ତାଧାରା ସହ ସ୍ତ୍ରୀ ଦି’ ପଇସା କମାଇ ରୋଜଗାରକ୍ଷମ ହୋଇଗଲେ ଲାଜ ଲାଗେ। କାରଣ ସେମାନେ ଭୟ କରନ୍ତି ଏହାଦ୍ବାରା ବଂଶ ମର୍ଯ୍ୟାଦା ନତୁବା ପୁରୁଷତ୍ୱରେ ଦାଗ ଲାଗିଯିବ। ନିଷ୍ପାପ କନ୍ୟାଭ୍ରୂଣଟିର ହତ୍ୟା କରିବାରେ ଲାଜ ଲାଗେନି, କିନ୍ତୁ ବାପାମାଆଙ୍କ କୋକେଇଠୁ ନେଇ ଶବସତ୍କାର ପର୍ଯ୍ୟନ୍ତ କର୍ମ ଝିଅ କଲେ ସମାଜ ଆଗରେ ନିନ୍ଦନୀୟ ହେବାକୁ ପଡ଼େ।
ସମାଜରେ ଏମିତି ବି ଲୋକ ଅଛନ୍ତି, ଠିକ୍‌ ଯେମିତି ‘ଅଣ୍ଟିରେ ନ ଥାଇ ଧନ ପୁଅ ବାହାକରି ମନ।’ ପେଟକାଟି ପଛେ ଓଦାକନା ଦେଇ ଶୋଇବେ, ହେଲେ ଆଉ କାହାଘର ସୋଫାସେଟ୍‌, ଏୟାର କଣ୍ଡିସନର ଦେଖି ଲୋନ୍‌ କରି ବାକିକରି ହେଉ ପଛେ କିଣିବା ପରେ ଯାଇ ଥୟ। କ’ଣ ନା, ସମସ୍ତଙ୍କ ସହ ପାଦ ମିଳେଇ ନ ଚାଲିଲେ ଶୁଦ୍ଧ ଭାଷାରେ ‘ଲାଜ ଲାଗିବ’। କିନ୍ତୁ ବିଡ଼ମ୍ବନା ଏହା ଯେ, ଯେଉଁ ବିଷୟଗୁଡିକ ପାଇଁ ଲାଜ ଲାଗିବା କଥା, ତା’ ଉପରେ କେବେ ଲାଜ ଲାଗେନି। ଅନୁଭବରୁ ଠଉରେଇଥିବା ଉଦାହରଣ ସ୍ବରୂପ, ଭିକାରିଟିଏ ଖରାତରାରେ ଆସି ଦାଣ୍ଡମୁହଁରେ ଭିକ ମାଗୁଥିବା ବେଳେ କିଛି ଲୋକ ଏକ ଟଙ୍କା କିମ୍ବା ଚାରିଅଣା ଆଠଅଣାଠୁ ବେଶି ନ ଦେଇ ଜଲ୍‌ଦି ବିଦା କରିଦିଅନ୍ତି। ପିନ୍ଧିବାକୁ ଲୁଗାଟିଏ କି ଭାତପାଣି ଟିକେ ମାଗିଲେ ଗରଗର ହୋଇ ତାଟିକବାଟ ଦେଇଦିଅନ୍ତି, ନ ହେଲେ ଚାଖଣ୍ଡେ ଦୂରରୁ ଫିଙ୍ଗି ଦିଅନ୍ତି ଛୁଇଁଦେଲେ ନିଜ ଜାତିଗୋତ୍ର ହରାଇବା ଭୟରେ। ତେବେ ଏଇଭଳି ଆବୋରି ବସିଥିବା ବ୍ୟକ୍ତିତ୍ୱ ପାଇଁ ଆମକୁ ଲାଜ ଲାଗେନି। କିନ୍ତୁ ଭୋଜିଭାତ, ଅନ୍ୟାନ୍ୟ ପର୍ବରେ ପାଟଶାଢି, ଗହଣାଗାଣ୍ଠି ନ ଥିଲେ ନିହାତି ଲାଜ ଲାଗେ। ସମାଜର ହିତ ସାଧନ ତଥା ଅସହାୟ ଗରିବଙ୍କ ଉନ୍ନତି ପାଇଁ ଅର୍ଥଦାନ ନ କଲେ ଲାଜ ଲାଗେନି, କିନ୍ତୁ ଦୁର୍ନୀତି କରି ପଇସା ଖାଇ ଦୁଇ ମହଲାଟେ ନ ବାଡେଇ ପାରିଲେ ଲାଜ ଲାଗେ। ଜାତିଭେଦ, ଧର୍ମଭେଦ ଉପରେ ଏକପାଖିଆ ନ୍ୟାୟ କରି ନିଜକୁ ଉଚ୍ଚଗୋଷ୍ଠୀର କହି ଡିଣ୍ଡିମ ପିଟିବାରେ ଲାଜ ଲାଗେନି, କିନ୍ତୁ ମନ୍ଦିର ଯାଇ ହଜାର ହଜାର ଦାନଦକ୍ଷିଣା ଦେଇ ଚିତାକାଟି ନିଜକୁ ଧାର୍ମିକ ଉପସ୍ଥାପନ ନ କଲେ ଆମକୁ ଲାଜ ଲାଗେ।
ତେବେ କଥାର ସାରାଂଶ ଏହା ଯେ, ଏହି ଲାଜ ଲାଗିବା ଓ ନ ଲାଗିବା ପରି ଦୁଇଟି ସ୍ତମ୍ଭର ନିୟମ ଓ ସର୍ତ୍ତାବଳୀ ସମାଜ ଯୁଗ ଯୁଗ ଧରି ନିଜେ ଭରିଆସିଛି। ଏସବୁର ବର୍ଗୀକରଣ ନ କରି ସମାନତା ଆଧାରରେ ଆମେ ଯଦି ପ୍ରତିଟି ବିଷୟକୁ ସହଜରେ ଗ୍ରହଣ କରିପାରନ୍ତେ, ତେବେ ନା ଆମକୁ ଅନ୍ୟ ହିସାବରେ ବଞ୍ଚିବାକୁ ପଡ଼ନ୍ତା ନା ଅଯଥା କ୍ଳେଶ ରୁହନ୍ତା।

itu.cute96@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri