ରାଜ୍ୟରେ ଖାଲିପଡ଼ିଛି ୪୦ରୁ ଅଧିକ ଆଇଏଏସ୍‌ ଅଫିସର ପଦବୀ: ଡେପୁଟେଶନରୁ ଫେରୁନାହାନ୍ତି ବାବୁ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କୌଣସି ସର୍ବଭାରତୀୟ ସେବା କ୍ଷେତ୍ରରେ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ରହିବାର ନିୟମ ରହିଛି। ସେହି ଅନୁଯାୟୀ ଏହି ଡେପୁଟେଶନର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ରହିଛି। ସାଧାରଣତଃ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥାଆନ୍ତି। ଏହି ଅବଧି ପରେ ଅତିରିକ୍ତ ୨ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଥାଏ। ଏହିପରି ମୋଟ୍‌ ୭ ବର୍ଷ ପରେ ଅଧିକାରୀମାନେ ନିଜ ରାଜ୍ୟ କ୍ୟାଡରକୁ ଫେରିବା କଥା। ହେଲେ ଓଡ଼ିଶା କ୍ୟାଡରରେ ରାଜ୍ୟକୁ ଫେରିବାର ଉତ୍ସାହ ଦେଖିବାକୁ ମିଳୁନାହିଁ।
ବିଭିନ୍ନ ସମୟରେ କେନ୍ଦ୍ରକୁ ଡେପୁଟେଶନରେ ଯାଉଥିବା ବାବୁମାନେ ଓଡ଼ିଶାରେ ପୁନଃ ଯୋଗ ନ ଦେଇ କେନ୍ଦ୍ର ସରକାରଙ୍କ ଅଧୀନ ପଦପଦବୀରେ ନିୟୋଜିତ ହୋଇ କାର୍ଯ୍ୟ ଜାରି ରଖୁଛନ୍ତି। ନିର୍ଦ୍ଧାରିତ ସମୟ ପରେ ସେମାନେ ଓଡ଼ିଶାକୁ ଫେରୁନାହାନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଆଇ. ଶ୍ରୀନିବାସ। ତାଙ୍କ ଚାକିରିକାଳ ଆସନ୍ତା ମେ’ରେ ସରୁଛି। ସେ ୧୨ ଜୁନ୍‌, ୨୦୧୪ଠାରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ତେଣୁ ତାଙ୍କର ଓଡ଼ିଶା ଫେରିବା ସମ୍ଭାବନା କମ୍‌ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ସେହିପରି ୧୯୮୪ ବ୍ୟାଚ୍‌ର ଡକ୍ଟର ଅରୁଣ କୁମାର ପଣ୍ଡା ୨୨ ସେପ୍ଟେମ୍ବର, ୨୦୧୦ରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ୨୨ ସେପ୍ଟେମ୍ବର, ୨୦୧୭ରେ ସେ ରାଜ୍ୟକୁ ଫେରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ପୂର୍ବପରି କେନ୍ଦ୍ରୀୟ ଡେପୁଟେଶନରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ସଚିବ ରୂପେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଏପ୍ରିଲରେ ତାଙ୍କର ଚାକିରିକାଳ ସରିବାକୁ ଯାଉଛି। ସମାନ ବ୍ୟାଚ୍‌ର ଅଫିସର ଅଶୋକ ମହାଦେଓ ରାଓ ଦଲୱାଇ ୩୦ ଏପ୍ରିଲ, ୨୦୧୦ରୁ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ୨ ବର୍ଷ ପୂର୍ବେ ସେହି ପଦରେ ଥାଇ ସେ ଅବସର ଗ୍ରହଣ କରିଛନ୍ତି। ୧୯୮୫ ବ୍ୟାଚ୍‌ର ୟୁ.ପି. ସିଂହ ୨୫ ଏପ୍ରିଲ, ୨୦୧୧ରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ସେ ୨୬ ଏପ୍ରିଲ, ୨୦୧୬ରେ ଓଡ଼ିଶା ଫେରିବେ ବୋଲି ଆଶା କରାଯାଉଥିଲା। ଇତି ମଧ୍ୟରେ ସର୍ବାଧିକ ୭ ବର୍ଷ ସ୍ଥଳେ ପ୍ରାୟ ୯ ବର୍ଷ ରହିବା ପରେ ମଧ୍ୟ ସେ ରାଜ୍ୟକୁ ଫେରିନାହାନ୍ତି। ଅନୁରୂପଭାବେ ଏହି ଅଧିକାରୀମାନେ ଫେରିବା ନେଇ କୌଣସି ପ୍ରଶାସନିକ ଆଭାସ ମିଳୁନାହିଁ। ସମାନ ବ୍ୟାଚ୍‌ର ଏସ୍‌.ଏନ୍‌. ତ୍ରିପାଠୀ ୧୫ ଏପ୍ରିଲ ୨୦୧୩ରୁ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ଗତ ଏପ୍ରିଲରେ ତାଙ୍କର ଫେରିବାର ଥିଲା, ମାତ୍ର ସେ ମଧ୍ୟ ଉପରୋକ୍ତ ଅଫିସରମାନଙ୍କ ପରି କେନ୍ଦ୍ରୀୟ ଡେପୁଟେଶନରେ କାର୍ଯ୍ୟ କରୁଛନ୍ତି। ୧୯୯୧ ବ୍ୟାଚ୍‌ର ସତ୍ୟବ୍ରତ ସାହୁ ଗତ ମେ’ରେ ଡେପୁଟେଶନରୁ ଫେରିଥାନ୍ତେ, ଅଥଚ ସେ ମଧ୍ୟ ପୂର୍ବପରି କାର୍ଯ୍ୟ ଜାରି ରଖିଛନ୍ତି। ୨୦୦୨ ବ୍ୟାଚ୍‌ର ଦେବଯାନୀ ଚକ୍ରବର୍ତ୍ତୀ ୨୬ ଫେବୃୟାରୀ, ୨୦୧୮ ରେ ଫେରିବାର ଥିଲା, ମାତ୍ର ସେ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନ ମୋହ ଛାଡି ନାହାନ୍ତି। ଅପରପକ୍ଷରେ ୨୦୧୯ରେ ୧୯୯୮ ବ୍ୟାଚ୍‌ ଅଧିକାରୀ ଏସ୍‌.କେ. ବଶିଷ୍ଠ ରାଜ୍ୟକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ସେପରି କୌଣସି ଘଟଣା ଘଟିଲା ନାହିଁ। ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅରବିନ୍ଦ ପାଢ଼ୀଙ୍କ ଡେପୁଟେଶନ ଇତିମଧ୍ୟରେ ବୃଦ୍ଧି ପାଇଛି। ନିକଟରେ ୧୯୯୦ ବ୍ୟାଚ୍‌ର ନୀତେନ୍‌ ଚନ୍ଦ୍ର ଏବଂ ଗୁଡେ ଶ୍ରୀନିବାସ କେନ୍ଦ୍ରକୁ ଯାଇଛନ୍ତି। ୨୦୧୯ରେ ଟି.କେ. ପାଣ୍ଡେ, ସୁରେନ୍ଦ୍ର ମୀନା, ରାଜେଶ ବର୍ମା, ଚନ୍ଦ୍ରଶେଖର କୁମାର ପ୍ରମୁଖ ଡେପୁଟେଶନରେ ଯାଇଛନ୍ତି। ୨୦୧୮ରୁ ଏଯାବତ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ରାଜ୍ୟକୁ ଫେରୁଥିବାର ଏତେଟା ଲକ୍ଷ୍ୟ କରାଯାଇନାହିଁ। ପୂର୍ବରୁ ଆଇଏଏସ୍‌ ଅଫିସର ବିନୋଦ କୁମାର ନିଲମ୍ବିତ ହୋଇସାରିଛନ୍ତି। ନିକଟରେ ବିଜୟ କେତନ ଉପାଧ୍ୟାୟଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ବତ୍ତର୍ର୍ମାନ ରାଜ୍ୟରେ ୪୦ରୁ ଅଧିକ ଆଇଏଏସ୍‌ ପଦବୀ ଖାଲି ପଡିଛି। ଅପରପକ୍ଷରେ କେନ୍ଦ୍ରୀୟ ଡେପୁଟେଶନରୁ ଅଧିକାରୀ ନ ଫେରିବା ଏବଂ ଏପରି ସ୍ଥଳେ ପୁଣି ଡେପୁଟେସନ ପାଇଁ ଅଧିକ ଅଧିକାରୀଙ୍କୁ ଅନୁମତି ଦିଆଯିବା ଦୀର୍ଘ ସମୟ ପାଇଁ ପଦବୀ ଖାଲି ରହିବାର ପ୍ରମୁଖ କାରଣ ହେଉଥିବା ସମୀକ୍ଷକମାନେ ମତ ଦେଇଛନ୍ତି।
ଅପରପକ୍ଷରେ ଉଷା ପାଢ଼ୀ ଜୁଲାଇ, ୨୦୨୦ରେ ଓଡ଼ିଶା ଫେରିବେ ବୋଲି ଆଶା କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ୨୦୦୩ ବ୍ୟାଚ୍‌ର ଅଶ୍ୱାଥି ଏସ୍‌ ଏବଂ ୧୯୮୮ ବ୍ୟାଚ୍‌ର ପରାଗ ଗୁପ୍ତା ଚଳିତ ବର୍ଷ ରାଜ୍ୟକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି। ଅନୁରୂପ ଭାବେ ଆନ୍ତଃ ରାଜ୍ୟ ଡେପୁଟେଶନରେ ଥିବା ୨୦୦୦ ବ୍ୟାଚ୍‌ର ମନୀଷ କୁମାର ବର୍ମା ଏବଂ ୨୦୦୯ ବ୍ୟାଚ୍‌ର ଗୌରୀ ପରାସର ଯୋଶୀ ଆସନ୍ତା ଏପ୍ରିଲରେ ଓଡ଼ିଶା ଫେରିପାରନ୍ତି ବୋଲି ଜଣାପଡ଼ିଛି। ୧୯୮୭ ବ୍ୟାଚ୍‌ର ନିକୁଞ୍ଜ କିଶୋର ସୁନ୍ଦରାୟ, ୨୦୦୧ ବ୍ୟାଚ୍‌ର ସନ୍ଥନ୍‌ ଗୋପାଲନ୍‌ ଆର୍‌ ୭ ଅକ୍ଟୋବର ୨୦୨୨ରେ ରାଜ୍ୟକୁ ଫେରିବେ। ଅନ୍ୟମାନଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍‌ର ମନୋଜ ଆହୁଜା ଏବଂ ଆରତି ଆହୁଜା ଯଥାକ୍ରମେ ୨ ନଭେମ୍ବର ୨୦୨୨, ୧୬ ଜୁଲାଇ ୨୦୨୨ରେ ରାଜ୍ୟକୁ ଫେରିବେ। ୧୯୯୧ ବ୍ୟାଚ୍‌ର ସଞ୍ଜୟ ରସ୍ତୋଗୀ ୨୯ ନଭେମ୍ବର ୨୦୨୨ରେ ରାଜ୍ୟକୁ କେନ୍ଦ୍ରୀୟ ଡେପୁଟେଶନରୁ ଫେରିବେ ବୋଲି ଆଶା କରାଯାଉଛି। ହେଲେ ଅଧିକାରୀମାନେ ପ୍ରାଥମିକ ଭାବେ ୫ ବର୍ଷ ଡେପୁଟେଶନ ପରେ ୨ ଅତିରିକ୍ତ ବର୍ଷରେ ରହିବାକୁ ପସନ୍ଦ କରୁଛନ୍ତି। ଏହାପରେ ମଧ୍ୟ ଡେପୁଟେଶନ ଅବଧି ବୃଦ୍ଧିର ସୁଯୋଗ ରହୁଥିବାରୁ ଡେପୁଟେଶନରୁ ଫେରୁ ନ ଥିବା ଜନୈକ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ମତ ରଖିଛନ୍ତି। ଏହି ପ୍ରସଙ୍ଗ ଉପରେ ମତ ରଖି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି ଯେ, ଅଧିକାଂଶ ଅଫିସର କେନ୍ଦ୍ରୀୟ ପଦବୀରେ ରହିବାକୁ ପସନ୍ଦ କରୁଛନ୍ତି। ରାଜ୍ୟକୁ ଫେରିବା ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନେ ନ ଫେରିବା ଦ୍ୱାରା କେତେକ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱରେ ରହିବାକୁ ପଡୁଛି। ଅପରପକ୍ଷରେ ଜାତୀୟସ୍ତରର କାର୍ଯ୍ୟଦକ୍ଷତା ଏବଂ ଅଧିକ ଅଭିଜ୍ଞତା ପାଇଁ ଡେପୁଟେଶନର ମଧ୍ୟ ଆବଶ୍ୟକତା ରହିଥିବା ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri