ପୁରୀ ଅଫିସ, ୧୪ା୯: ବଦଳିଯିବ ପୁରୀର ଚେହେରା। ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ। ଭକ୍ତ, ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା କରାଯିବ। ଭିତ୍ତିଭୂମିର ବିକାଶ ସାଙ୍ଗକୁ କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରାଯିବ। ଶ୍ରୀକ୍ଷେତ୍ର ପାଇଁ ଏମିତି ଅନେକ ସ୍ବପ୍ନ ଦେଖିଛନ୍ତି ସରକାର। ଆଉ ଏହି ସ୍ବପ୍ନକୁ ସାକାର କରିବା ଲାଗି ପୁରୀ ପାଇଁ ପ୍ରଥମେ ୨୬୫ କୋଟି ଏବଂ ପରେ ୫୦୦ କୋଟି ଟଙ୍କା ମଧ୍ୟ ଘୋଷଣା କରିଛନ୍ତି। ତେବେ ଏହିସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାରେ ଜିଲାପାଳଙ୍କୁ ସହଯୋଗ କରିବା ପାଇଁ ଶୁକ୍ରବାର ପୁରୀରେ ୫ ଜଣ ଶିକ୍ଷାନବୀଶ ଆଇଏଏସ୍ ଅଫିସର ପହଞ୍ଚତ୍ଛନ୍ତି। ଏମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରହିବେ। ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଏହି ଅଫିସରମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସନ୍ଧ୍ୟାରେ ଏମାନେ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହି ଶିକ୍ଷାନବୀଶ ଆଇଏଏସ୍ ଅଫିସରମାନେ ହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଡ. ଶୁଭଙ୍କର ମହାପାତ୍ର, ଜେ.ସୋନାଲ ଓ ଭୁବନେଶ ଦେବଦାସ ପାଟିଲ।
ଦର୍ଶନ ପରେ ଗଣମାଧ୍ୟମକୁ ଡ. ଶୁଭଙ୍କର ମହାପାତ୍ର କହିଥିଲେ, ପୁରୀରୁ ପ୍ରଥମେ କାର୍ଯ୍ୟ ଆରମ୍ଭ କରିବା ନିଶ୍ଚିତ ଆମ ପାଇଁ ସୌଭାଗ୍ୟର ବିଷୟ। କାର୍ଯ୍ୟ ଆରମ୍ଭ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛୁ। ସବୁ କାମରେ ଭଗବାନ ଆମକୁ ସହାୟକ ହେବେ ଏହି ବିଶ୍ୱାସ ରହିଛି। ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଆମକୁ ପଠାଇଛନ୍ତି ଏହାକୁ ସଫଳତାର ସହ କରିବାକୁ ଚେଷ୍ଟା କରିବୁ ବୋଲି ମହାପାତ୍ର କହିଥିଲେ। ଏମାନଙ୍କ ସହ ଉପଜିଲାପାଳ ଭବତାରଣ ସାହୁ ମଧ୍ୟ ଉପସ୍ଥିତ ଥିଲେ।


