ଭୋଟରଙ୍କୁ ହଇରାଣ ନ କରି ନିର୍ବାଚନ ସମ୍ଭବ

ସହଦେବ ସାହୁ

ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ମୁଖ୍ୟ ସ୍ମାର୍ଟ ସିଟି ମର୍ଯ୍ୟାଦା ପାଇଥିବା ଭୁବନେଶ୍ୱର ଭଳି ମହାନଗରରେ ଅପରାହ୍ନ ୪ଟା ଯାଏ ୪୦% ପାଖାପାଖି ଭୋଟ ପଡିଥିବା ଶୁଣି ନଗରବାସୀ ବ୍ୟଥିତ ହୋଇରହିଥିବା ବେଳେ ରାତି ହେଲାବେଳକୁ ସେମାନେ ଖବର ପାଇଲେ ଯେ ପୋଲିଂ ବନ୍ଦ ହେବାର ନିର୍ଦ୍ଧାରିତ ସମୟ ବେଳକୁ କେତେକ କେନ୍ଦ୍ରରେ ଏତେ ଭୋଟର ପୋଲିଂ ବୁଥ୍‌ ପରିସରରେ ପଶିଯାଇଥିଲେ ଯେ ସମସ୍ତେ ଭୋଟ ଦେଇସାରିବା ବେଳକୁ ରାତି ୮ଟା ହୋଇଗଲା ଏବଂ ଜୟଦେବ ଭଳି ନିର୍ବାଚନମଣ୍ଡଳୀରେ ଭୋଟ ହାର ୮୦%ରୁ ବେଶି ହୋଇଗଲା। ଜନରବ ହେଲା, ଭୋଟ ବିକାକିଣା ଏବଂ ଭୋଟରଙ୍କ ପରିବହନ ହୋଇଥାଇ ପାରେ। ବିପରୀତ ଖବର ଆସିଲା ଯେ ବୟସଭାରାକ୍ରାନ୍ତ ଭୋଟରମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବା ସହି ନ ପାରି ଘରକୁ ଫେରିଛନ୍ତି। ପ୍ରଚଣ୍ଡ ଖରାରେ ବାହାରିବା ଓ ତତଲା ପବନରେ ଭୋଟଦେବା ଅପେକ୍ଷାରେ ଛିଡା ରହିବା ଚିନ୍ତା ବି କେତେକଙ୍କ ଭୋଟ ଦେବାର ସ୍ପୃହାକୁ ହ୍ରାସ କରିଛି, ତେଣୁ ମଧ୍ୟାହ୍ନ ସୁଦ୍ଧା ଭୋଟ ହାର କମ୍‌ ଥିଲା। କେତେକ କେନ୍ଦ୍ରରେ ଇଭିଏମ୍‌ ଅକାମୀ ହେବା ପୋଲିଂକୁ ବହୁତ ବିଳମ୍ବ କଲା। ପୋଲିଂ ଅଧିକାରୀମାନଙ୍କ ଢିଲାମି ବା ପକ୍ଷପାତିତା ଲୋକମାନଙ୍କୁ ଚିଡାଇଦେଲା। ‘ଦଳ ତ ପ୍ରତିନିଧି ବାଛି ସାରିଛି, ସେ ପୁଣି ମୋ ନିର୍ବାଚନମଣ୍ଡଳୀର ଅଧିବାସୀ ନ ହୋଇଥାଇପାରେ, ତା’ ଉପରେ ଖାଲି ରବରଷ୍ଟାମ୍ପ ମାରିବା କଥା: ଏ କ’ଣ ମୋର ପ୍ରତିନିଧି? ପୁଣି, ପ୍ରତିନିଧି ଜଣକ ଯଦି ତା’ ଦଳର କଥା (ହ୍ବିପ୍‌) ନ ମାନେ, ତାକୁ କେବଳ ଦଳରୁ ବହିଷ୍କାର କରି ଦଳମୁଖ୍ୟ ଚୁପ୍‌ ରହି ନ ପାରନ୍ତି, ତା’ ବିରୋଧରେ ବାଚସ୍ପତିଙ୍କୁ ରିପୋର୍ଟ ପଠାଇ ଏମ୍‌ଏଲ୍‌ଏ/ଏମ୍‌ପି ପଦ ପାଇଁ ଅଯୋଗ୍ୟ ଘୋଷଣା କରାଇ ନେଇ ପାରନ୍ତି: ତା’ ମାନେ ମୋ ଭୋଟ୍‌ର କିଛି ମୂଲ୍ୟ ନାହିଁ।’ ଏମ୍‌ଏଲ୍‌ଏ/ଏମ୍‌ପି ମାନଙ୍କୁ ଦଳର ଅଧସ୍ତନ କର୍ମଚାରୀ ଭଳି ଦେଖାଯାଉଛି। ପ୍ରତିନିଧିମୂଳକ ଗଣତନ୍ତ୍ରକୁ ଏଭଳି ବିକୃତ କରି ଦଳତନ୍ତ୍ର କରିଥିବା ରାଜନୈତିକ ଦଳର ନେତାମାନେ ଲୋକଙ୍କୁ ନିର୍ବାଚନ ପ୍ରତି ନିସ୍ପୃହ, ଏପରିକି ବିମୁଖ କରୁଛନ୍ତି। ଲୋକେ ଭାବୁଛନ୍ତି ଆମେ କ’ଣ ଗୋଟିଏ ଗୋଟିଏ ରବର ଷ୍ଟାମ୍ପ? ଏ ପରିସ୍ଥିତି ଦଳର କର୍ମୀମାନଙ୍କୁ ଭୋଟର ଯୋଗାଡ କରିବାରେ ଲଗାଇବାକୁ ଦଳପତିଙ୍କୁ ବାଧ୍ୟ କରୁଛି, ଭୋଟ ଏକ ସଉଦା ହୋଇଗଲାଣି। ଲୋକଙ୍କର ସେବା କରିବା ପାଇଁ ଉତ୍ସର୍ଗୀକୃତ ବୋଲି କହୁଥିବା ଦଳ ଦଳର ସ୍ବାର୍ଥକୁ ଦେଶର ସ୍ବାର୍ଥ ଉପରେ ରଖିଲେଣି, ଦଳର ନେତାଏ ଦଳକୁ ଏକ କମ୍ପାନୀ (କର୍ପୋରେଟ୍‌ ହାଉସ୍‌) ଭଳି ଗଢିଲେଣି, ‘ଲାଭ’ ଓ ‘ଲୋଭ’ ହିଁ ମୂଳମନ୍ତ୍ର ହୋଇପଡିଲାଣି, ଜନତାର ସେବା ଏକ ଆଳ! ପ୍ରାଚୀନ ଗ୍ରୀକ୍‌ ନଗରମାନଙ୍କରେ ଡାଇରେକ୍ଟ ଡେମୋକ୍ରାସି ବା ପ୍ରାଚୀନ ଭାରତର ଆମ୍ରପଲ୍ଲୀ ସମୟର ବୈଶାଳୀ ଭଳି ଜନପଦରେ ଯେଭଳି ପ୍ରତ୍ୟକ୍ଷ ରିପବ୍ଲିକ୍‌ ଥିଲା, ଆଜିକାଲିର ଜନବହୁଳ ବିଶାଳକାୟ ଦେଶଗୁଡ଼ିକରେ ସେପରି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଅସମ୍ଭବ। ଆମ ସମ୍ବିଧାନର ମୁଖବନ୍ଧ(ପ୍ରିଆମ୍ବ୍ଲ)ରେ ଡିମୋକ୍ରାଟିକ୍‌ ରିପବ୍ଲିକ୍‌ ବୋଲି ଯାହା ଉଲ୍ଲେଖ ଅଛି ତାହା ପ୍ରତିନିଧିମୂଳକ ଗଣତନ୍ତ୍ର। ସମ ମତର ପ୍ରତିନିଧିମାନେ ମିଶି ଦଳ ଗଢିଥାନ୍ତି, ଯେଉଁ ଦଳ ବା ଦଳଦ୍ୱାରା ପରିଚାଳିତ କେତେକ ଦଳର ମିଳିତ ସାମ୍ମୁଖ୍ୟ ବିଧାନସଭାରେ ବା ଲୋକ ସଭାରେ ଅର୍ଦ୍ଧାଧିକ ସଦସ୍ୟଙ୍କ ସମ୍ମତି ପାଏ ସେ ଦଳ ସରକାର ଗଠନ କରେ। ଦଳରୁ ମନ୍ତ୍ରୀମାନଙ୍କୁ ବଛାଯାଉଥିବାରୁ ସମ୍ପୃକ୍ତ ଦଳର ସଦସ୍ୟମାନେ ଭାବିନିଅନ୍ତି ଯେ ସେମାନେ ସରକାରକୁ କଣ୍ଟ୍ରୋଲ କରୁଛନ୍ତି, ସେହି ମାନସିକତାରୁ ଗଣତନ୍ତ୍ର ଦଳତନ୍ତ୍ରରେ ପରିଣତ ହୋଇଯାଏ। ବିଧାୟକମାନେ ଏପରି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ନିର୍ବାଚନରେ କିପରି ସବୁ ଭୋଟର ଭାଗନେବେ ତାହା ଚିନ୍ତାର ବିଷୟ ହୋଇପଡିଛି।
ଏକାଥରକେ ପୁଳାଏ ଭୋଟ କାଗଜ ଗଳେଇଦେବା (ରିଗିଂ) ରୋକିବା ଲାଗି ଓ ଭୋଟ କାଗଜ ଗଣନାରେ ଲାଗୁଥିବା ଦୀର୍ଘ ସମୟକୁ କମାଇବା ଲାଗି ନିର୍ବାଚନ କମିଶନ ଟେକ୍ନୋଲୋଜି ଲଗାଇଲେ, ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ) ଚାଲୁକଲେ, ମେଶିନରେ ଭୁଲ୍‌ ସମ୍ଭାବନା ରୋକିବା ପାଇଁ ଭିଭିପିଏଟି ଯନ୍ତ୍ର ରଖିଲେ ଯାହା ଭୋଟ ବୋତାମ ଟିପିବା କ୍ଷଣି କାହାକୁ ଭୋଟ ଦେଉଛ ତା’ ଦେଖାଇଲା। ତଥାପି ଯେଉଁ ଦଳ ହାରୁଛି ସେ ମେଶିନ ଉପରେ ଦୋଷାରୋପ କରୁଛି, ପୂର୍ବ ନିର୍ବାଚନରେ ସେହି ଦଳ ଜିତିଥିଲେ ବି। ଆମର ଇଲେକ୍ଟ୍ରୋନିକ ଜ୍ଞାନ ଏତେ ଉନ୍ନତ ହେଲାଣି ଯେ ଆମେ ଚନ୍ଦ୍ରର ଅନ୍ଧକାର ଫାଳରେ ଚନ୍ଦ୍ରଯାନକୁ ଓହ୍ଲାଇ ପାରୁଛୁ। ଏତେ ଦୂର କଥା ଛାଡନ୍ତୁ, ଆମେ ଘରେ ବସି ମାଇଲ ମାଇଲ ଦୂରର ଯାତ୍ରା ପାଇଁ ରେଳ ଓ ବିମାନ ଟିକେଟ କରିପାରୁଛୁ। ବ୍ୟାଙ୍କରେ ଦେଣନେଣ ଓ ଟଙ୍କାପଇସା କାରବାର କରିପାରୁଛୁ। ମୋବାଇଲ୍‌ର ଓଟିପି ଜରିଆରେ ଦୋହରା ଯାଞ୍ଚ ହେଉଛି। ଭୁଲ୍‌ ଭଟକା ଯାହା ଘଟୁଛି ତାହା ଆମ ଲୋଭ ଯୋଗୁ। (ଠକମାନେ ଲୋଭ ଦେଖାଇ ଆମକୁ ତାଙ୍କ କବ୍‌ଜାରେ ପକାଇଦେଉଛନ୍ତି ବୋଲି ଆମେ ମାନୁନାହୁଁ, ବ୍ୟାଙ୍କର ଦୋଷ ଦେଉଛୁ।) ତା’ ହେଲେ ଆମେ କାହିଁକି ଘରେ ବସି ଗୋପନତା ରକ୍ଷା କରି ଆଧାର କାର୍ଡ ଯାଞ୍ଚ ପରେ ଓଟିପି ମାଧ୍ୟମରେ ଭୋଟ ନ ଦେଇପାରିବା? ପ୍ରତ୍ୟେକ ଭୋଟରର ତ ଏପିକ୍‌ (ଇଲେକ୍ଟର୍‌ସ ଫଟୋ ଆଇଡେଣ୍ଟିଟି କାର୍ଡ) ଅଛି, ତହିଁରେ ଲଗ୍‌ ଇନ୍‌ କରି ଭୋଟ ଦେଇହେବ। ମୋବାଇଲ୍‌ର ଓଟିପି ଦ୍ୱାରା ଯାଞ୍ଚ କରିହେବ। ଅତି ଦୁର୍ଗମ ସ୍ଥାନରେ ବି ଚଳନ୍ତା ଗାଡିରେ ବା ବସ୍‌ରେ ଅଥବା ହାଟ ଓ ମଣ୍ଡିରେ ଇଲେକ୍ଟ୍ରୋନିକ୍‌ ସୁବିଧା ଯୋଗାଇହେବ। ତା’ହେଲେ ଭୋଟରଙ୍କ ମତକୁ ସଉଦା ଭଳି କିଣିବାର ସୁବିଧା ରାଜନୈତିକ ଦଳଗୁଡ଼ିକୁ ମିଳନ୍ତା ନାହିଁ। ଯାହା ଘରେ କମ୍ପ୍ୟୁଟର ଅଛି ସେ କାହିଁକି ଘର ଭିତରେ ଥାଇ କମ୍ପ୍ୟୁଟରରେ ବୋତାମ ଟିପି ପାରିବ ନାହିଁ! ଯେତେବେଳେ କ୍ଲାଉଡ୍‌ (ଆକାଶ)ରେ ତଥ୍ୟ ରଖିଲୁଣି, ଭୋଟ ତଥ୍ୟ ରଖିବା ଲାଗି ରିମ୍‌ ରିମ୍‌ ବା ଗଦା ଗଦା କାଗଜ କିଣିବାକୁ ପଡିବ ନାହିଁ ତ ପରିବେଶ ସୁସ୍ଥ ରହିବା ପାଇଁ ଗଛକଟା ସେହି ପରିମାଣରେ ବନ୍ଦ ହେବ। ନିର୍ବାଚନରେ ହାରିଗଲେ ଇଭିଏମ୍‌ର ଦୋଷ ଦେବାର ଆଳ ମିଳିବ ନାହିଁ। ଏବେ ନିର୍ବାଚନ କାମ ସରକାରଙ୍କ ଦ୍ୱାରା ନିଯୁକ୍ତ ଆଇଏଏସ୍‌ ବା ରିଟାୟାର୍ଡ ଆଇଏଏସ୍‌ ଅଧିକାରୀଙ୍କୁ ଦିଆଯାଉଛି। ରାଜ୍ୟରେ ଚିଫ୍‌ ଇଲେକ୍ସନ୍‌ ଅଫିସର ଓ କେନ୍ଦ୍ରରେ ଇଲେକ୍ସନ କମିଶନର ଶାସକ ଦଳର କର୍ମଚାରୀ ନ ହୋଇ ରାଜ୍ୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ କେନ୍ଦ୍ରରେ ସୁପ୍ରିମ୍‌କୋର୍ଟର ବିଚାରପତିଙ୍କୁ ସେ ଦାୟିତ୍ୱ ଦିଆଯାଉ। ପୋଲିଂ ଅଫିସର ଓ ପୋଲିଂ କେନ୍ଦ୍ର ଦରକାର ନ ହେଉଥିବାରୁ ନିର୍ବାଚନ ଆୟୋଜନ ମାସ ମାସ ଧରି ବିଭିନ୍ନ ପର୍ଯ୍ୟାୟରେ ହେବା ଦରକାର ପଡିବ ନାହିଁ – ତାରିଖ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ସାରା ନିର୍ବାଚନ ସରିଯିବ। ପ୍ରତି ରାଜ୍ୟ ବା ୟୁନିଅନ୍‌ ଟେରିଟୋରି ଗୋଟିଏ ମାତ୍ର ଭୋଟ କଣ୍ଟ୍ରୋଲ କେନ୍ଦ୍ର ହେବ, ନିର୍ବାଚନ ପରିଚାଳନା କରୁଥିବା ବିଚାରପତିମାନେ ଆବଶ୍ୟକ ସଂଖ୍ୟାର କମ୍ପ୍ୟୁଟର ବିଶେଷଜ୍ଞଙ୍କୁ ନିଯୁକ୍ତ କରି ଇଲେକ୍ଟ୍ରୋନିକ୍‌ ଭୋଟିଂରେ ସମ୍ଭାବ୍ୟ ସମସ୍ୟାସବୁର ସମାଧାନ କରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବେ। ଶାସକ ଦଳ ମେଶିନ ହେରଫେର କରିସାରିଛି ବୋଲି କେହି କହିବେ ନାହିଁ। ଗୋଟିଏ ମତ ବା ଭୋଟ ଦେବାକୁ ଯାଇ ଭୋଟରର ପୂରା ଦିନଟିଏ ନଷ୍ଟ ହେବ ନାହିଁ। ଯଦି ଘରେ ବସି ଭୋଟ ଦେଇ ପାରିବା ତେବେ ନିର୍ବାଚନୀ ପ୍ରଚାର ଦରକାର ହେବ ନାହିଁ, ଭୋଟ ପ୍ରଚାର ତ ନ ଥିବ, ତେବେ ଆଜିକାଲିର ଭୋଟ ସମୟରେ ହିଂସା କାଣ୍ଡ ଘଟିବାର ଅବସର ବି ନ ଥିବ। ଅଯଥା ଅଜସ୍ର ଅର୍ଥ ଖର୍ଚ୍ଚ ଯୋଗ ମିଳିବ ନାହିଁ, ତେଣୁ ଆଦର୍ଶ ଆଚରଣବିଧି ଖୁବ୍‌ ସଂକ୍ଷିପ୍ତ ହେବ। ଜନସମାଜରେ ଅନୈତିକ ଅବହାୱା ବ୍ୟାପିବ ନାହିଁ, ଭ୍ରଷ୍ଟାଚାର ବଢ଼ିବ ନାହିଁ। ଡିଜିଟାଲ ଭୋଟିଂ ସୁରୁଖୁରୁ ଭୋଟିଂ, ସ୍ବଚ୍ଛତାର ଭୋଟିଂ ଓ ମିତବ୍ୟୟୀ ଭୋଟିଂ, ସ୍ବଳ୍ପ ସମୟର ଭୋଟିଂ ଓ ଅହିଂସାତମ ଭୋଟିଂ ହେବ। ସବୁଠାରୁ ବଡ଼କଥା – ନୋଟା ସଂଖ୍ୟା ବଢି ଦଳତନ୍ତ୍ରୀ ମନୋଭାବକୁ କମାଇବ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଭିତରେ ଭାରତୀୟ ବ୍ୟବସ୍ଥା ଏକ ଆଦର୍ଶ ସୃଷ୍ଟି କରିବ।
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri