ବୋଉର ପୃଥିବୀ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ବୋଉ ସହିତ କଥାବାର୍ତ୍ତା ହେଲା ବେଳେ ଥରେ ତାକୁ କହିଲି, ”ତୁ କାହିଁକି ସବୁକଥା ପାଇଁ ଏତେ ବ୍ୟସ୍ତ ହଉ? ‘ଅମକର ଅସୁବିଧା’, ‘ସିଏ ଭାରି କଷ୍ଟରେ ଅଛି’, ‘ତା’ ଘରେ ଗୁଡ଼ାଏ ପାରିବାରିକ ସମସ୍ୟା’ ଏଭଳି କେତେ କ’ଣ!“
‘ସମୟ ଆସିଲେ ଯାହା ଭାଗ୍ୟରେ ଯାହା ଥିବ, ସେ ବଳେ କରିଯିବନି? ତୁ ଚିନ୍ତା କଲେ କି ରାତି ଅନିଦ୍ରା ହେଲେ କିଛି ସମାଧାନ ହୋଇଯିବ କି; ବରଂ ତୋର ଦେହ ଖରାପ ହେବା ସାର।’ ବୋଉର ପୁଣି ଉତ୍ତର, ”ନାଇଁ ଯେ, କ’ଣ ଆଉ କରିବି! ଦୁନିଆ ରହିଲେ କି ଭାସିଗଲେ ମୋର କି ଯାଏ ଆସେ… ମୋର ଦୁନିଆ, ମୋ ପୃଥିବୀ ତ ମୋର ପିଲାମାନେ, ମୋ ପରିବାର, ମୋ ଚାରି ପାଖରେ ଘୂରି ବୁଲୁଥିବା ମୋର ଆତ୍ମୀୟ ଓ ଅନ୍ତରଙ୍ଗ ମଣିଷମାନେ! ସେମାନେ କେମିତି ଭଲରେ ରହିବେ, ତାଙ୍କ କଥା ଶୁଣିବା, ବୁଝିବା ମୋର ଦାୟିତ୍ୱ ଓ କର୍ତ୍ତବ୍ୟ। ଯଦିଓ ମୁଁ ତାଙ୍କ ପାଇଁ କିଛି କରି ନ ପାରେ, ତାଙ୍କ ପାଖରେ ଛିଡା ହୋଇ, ତାଙ୍କୁ ଟିକେ ସମୟ ଦେଇ ସେମାନଙ୍କୁ ଆପଣାର ତ କରିପାରିବି!“
ପାଠକ ବନ୍ଧୁ! ଏ ଥିଲା ପ୍ରତିଟି ବୋଉର ମନ ଗହନ କଥା। ବୋଉମାନଙ୍କର ଏ ବିଶାଳ ପୃଥିବୀର ଘଟଣା, ଖବର ବିଷୟରେ ଜାଣିବାର ସ୍ପୃହା ନ ଥାଏ। କେଉଁ ଦେଶ କାହାକୁ ଆକ୍ରମଣ କଲା, କିଏ ଋଣ ଭାରରେ ବୁଡ଼ିଗଲା, କେଉଁଠି ଅପରାଧ, ଅନାଚାର, ଦୁର୍ନୀତି, ଦାରିଦ୍ର୍ୟ ବଢ଼ିଲା ସେସବୁ ତଥ୍ୟ ଓ ସଂଖ୍ୟା ବିଷୟରେ ଜାଣିଲେ ସେମାନଙ୍କର କି ଲାଭ? ବରଂ ପିଲାମାନଙ୍କ ସଂସାରରେ ହସ ଖୁସି ଅଛି କି ନାହିଁ, ସ୍ବଚ୍ଛନ୍ଦରେ ଚଳିବା ପାଇଁ ଆର୍ଥିକ ସାମର୍ଥ୍ୟ ଅଛି କି ନାହିଁ, ପିଲାଙ୍କର ପିଲାମାନେ ଠିକ୍‌ ବାଟରେ ଯାଉଛନ୍ତି କି ନାହିଁ, ସେମାନେ ଭବିଷ୍ୟତରେ କ’ଣ କରିବେ ସେ ଦିଗରେ ଯତ୍ନଶୀଳ ଅଛନ୍ତି କି ନାହିଁ ଏହା ହିଁ ତା’ର ଚିନ୍ତା। ଝିଅ ତା’ ଶାଶୁଘରେ ଶାନ୍ତିରେ ଚଳୁଛି ତ, ପୁଅକୁ ଦରମା ନିଅଣ୍ଟ ପଡୁନି ତ, ନାତିନାତୁଣୀ ଆସିଲେ କ’ଣ ଭଲ ମନ୍ଦ ଖାଇବେ, ଏଇସବୁ ଯୋଜନା ଓ ପ୍ରସ୍ତୁତିରେ ହିଁ ତାର ମାଆ, ଶାଶୁ, ଆଈ ଓ ଜେଜେମା ରୂପକ ଜୀବନଟି କଟିଯାଏ।
ସମସ୍ତେ ଭାବନ୍ତି ଏସବୁ ବିଷୟରେ ଚିନ୍ତା ବା ଆଲୋଚନା କଲେ ବୋଉର କ’ଣ ଲାଭ? ହେଲେ ବୋଉମାନେ କ’ଣ କେବେ ନିଜ ଲାଭ କଥା ଚିନ୍ତା କରନ୍ତି? ସେମାନେ ତ ସେଇ ସୀମିତ ସଂସାର ଭିତରେ ବ୍ୟସ୍ତ। ସେମାନେ ଜ୍ଞାନୀ, ଗୁଣୀ, ବୁଦ୍ଧିଜୀବୀ ନୁହନ୍ତି ଯେ ଦେଶ, ରାଜ୍ୟ ବା କୌଣସି ଅଞ୍ଚଳର ସମସ୍ୟା ବିଷୟରେ କଥୋପକଥନ କରିବେ କିମ୍ବା ସେଇ ସମସ୍ୟାଗୁଡ଼ିକର ସମାଧାନ ବିଷୟରେ ନିଜର ମତ ରଖିବେ। ଜୀବନ କାଳ ଭିତରେ ନିଜର ସୁଖୀ ଓ ଭରପୂର ପରିବାର ପାଇଁ ଭାବିବା ହିଁ ସେମାନଙ୍କର ଗୋଟିଏମାତ୍ର କାମ।
ବିବାହ କରି ଶାଶୁଘରେ ପ୍ରବେଶ କଲା ଦିନଠୁ ସ୍ବାମୀ ଘରକୁ ନିଜ ଘର ମନେକରି ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର, ବନ୍ଧୁବାନ୍ଧବ, କୁଣିଆ ମୈତ୍ର ସମସ୍ତଙ୍କୁ ନିଜର କରିନେବା, ଘର ସମ୍ଭାଳିବା, ବଂଶରକ୍ଷା କରିବା, ସନ୍ତାନମାନଙ୍କର ଉତ୍ତମ ପାଳନ ପୋଷଣ କରି ସେମାନଙ୍କୁ ଜୀବନ ଜିଇବାର କଳା ଶିକ୍ଷା ଦେବା, ଉଚିତ ବ୍ୟବହାର, ସଣ୍ଠଣା ଶିକ୍ଷା ଦେଇ ଜୀବନ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବା; ଏସବୁ ପ୍ରତି ବୋଉଙ୍କ ପାଇଁ ଗୋଟିଏ ବିରାଟ ବଡ଼ ଦାୟିତ୍ୱର କାର୍ଯ୍ୟ। ବୋଉମାନେ ଏହା କରିବାରେ ନିଜର ପୂରା ଜୀବନ ବିତେଇ ଦିଅନ୍ତି।
ଆଉ ଗୋଟିଏ ବଡ଼ ଚିନ୍ତାର ବିଷୟ ସୃଷ୍ଟି ହୁଏ ଯେ, ବୋଉ ତା’ ପିଲାମାନଙ୍କ ଭିତରେ ପାତରଅନ୍ତର କରେ। କାହାକୁ ଅଧିକ ଭଲ ପାଏ, କିଏ ଅଧିକ ସୁଖୀ ରହୁ ବୋଲି ତା’ ପଟିଆ ହୋଇ କଥା ହୁଏ କିମ୍ବା କାହାର ଭୁଲକୁ ଦେଖି ଅଣଦେଖାକରେ? ମାତ୍ର ସତ ହେଉଛି, ବୋଉ ତା’ ପ୍ରତି ପିଲାର ଗୁଣ, ଦୋଷ, ଦୁର୍ବଳତା ବିଷୟରେ ଠିକ ଜାଣେ। ଯିଏ ବେଶୀ ଧୈର୍ଯ୍ୟବାନ୍‌ ତାକୁ ସିଧାସଳଖ ଉତ୍ତର ଦିଏ, ଯିଏ ଟିକେ ଦୁର୍ବଳ ତାକୁ ଟିକେ ଅଧିକା ଗେଲ କରେ, ସାହାଯ୍ୟ କରେ, ଜାଣେ ସେମାନଙ୍କୁ ଟିକେ ସହଯୋଗ ଦରକାର। ସବୁ ପଛରେ ଉଦ୍ଦେଶ୍ୟ କିନ୍ତୁ ଗୋଟିଏ ଯେ ତାର ସବୁ ପିଲା ମିଳିମିଶି ଏକାଠି ଚଳନ୍ତୁ। ସୁଖଦୁଃଖରେ ପରସ୍ପର ପାଇଁ ଠିଆ ହୁଅନ୍ତୁ। ଭିତରେ କିଛି କମ ରହିଥିଲେ ବି ଦୁନିଆ ଆଗରେ ନିଜ ଦୋଷ ଦୁର୍ବଳତା ଧରା ପଡ଼େନାହିଁ। ଏହାହିଁ ମାଆଟିଏର ହୃଦୟର ଗଭୀରତମ ପ୍ରଦେଶରୁ ଏକମାତ୍ର ଇଚ୍ଛା।
ତଥାପି ଏତେସବୁ କଲା ପରେ କିଛି ବୋଉଙ୍କ ଶେଷ ଜୀବନ ବିତେ ନିଃସଙ୍ଗ ଭାବରେ ବା ଜରାଶ୍ରମରେ। ସନ୍ତାନମାନଙ୍କ ସବୁକଥା ବୁଝିବା, ଶୁଣିବା କେବେ ପିଲାଙ୍କ ମନରେ ବିରକ୍ତି ଭରିଦିଏ ତାହା ବୋଉ ବି ଜାଣିପାରେନି। ଯେଉଁ ବୋଉକୁ ନ ପଚାରିଲେ, ତା’ର ମତ ନ ହେଲେ ପିଲାଏ କିଛି କରୁ ନ ଥିଲେ, ଶେଷବେଳକୁ ସେଇ ବୋଉକୁ ଜଣେଇବା କି ଅନୁମତି ନେବା ବି ଜରୁରୀ ମନେହୁଏ ନାହିଁ। ବୋଧେ ଏୟା ହିଁ କାଳର କରାଳ ଗତି, ଯାହା ଅଧିକାଂଶ ବୋଉମାନଙ୍କୁ ମାନିନେବାକୁ ପଡ଼େ, ଭାଗ୍ୟ ବୋଲି ଆଦରି ନେବାକୁ ହୁଏ। ଅନ୍ତରରେ ଦୁଃଖର କୋହ ସତ୍ତ୍ୱେ ତୁଣ୍ଡରେ ପିଲାଙ୍କ ପାଇଁ ଆଶୀର୍ବାଦ ଓ କେବଳ ଆଶୀର୍ବାଦ ହିଁ ବାହାରେ। ବାରମ୍ବାର ହାତଟେକି ସେ ଗୁହାରି କରୁଥାଏ ଯେ ତାର ପରିବାର, ତା’ ପିଲାମାନେ ସୁଖରେ ରହନ୍ତୁ। ସତରେ! ବୋଉର ସଂକୁଚିତ ପୃଥିବୀରେ ତା’ ପିଲାମାନେ ହିଁ ଆଲୋଚନାର ପ୍ରଥମ ଓ ଶେଷ ବିଷୟ ହୋଇ ରହିଥା’ନ୍ତି।
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri