Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଦୃଷ୍ଟିକୋଣରୁ ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏଥର କାତାର ରାଜଧାନୀ ଦୋହାରେ ଅନୁଷ୍ଠିତ ହୋଇଛି। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣରେ ପୁଣି ଥରେ ଆମେରିକାର ଆଧିପତ୍ୟ ଦେଖିବାକୁ ମିଳିଛି। କେବଳ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟ ଖେଳାଯାଉଥିବାରୁ ଏହି କ୍ରୀଡ଼ା ମହାକୁମ୍ଭରେ ସଫଳତା ପାଇବା ନିଶ୍ଚିତ ଭାବେ କଷ୍ଟକର। ଆମେରିକା ୧୪ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ସହ ମୋଟ ୨୯ଟି ପଦକ ହାସଲ କରି ପଦକ ତାଲିକାର ଶୀର୍ଷରେ ରହିଛି। ସେହିପରି ଆଫ୍ରିକୀୟ ଦେଶ କେନିଆ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ମୋଟ ୧୧ ପଦକ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ କେନ୍ଦ୍ରୀୟ ଆମେରିକୀୟ ଦେଶ ଜାମାଇକା ୩ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୪ ବ୍ରୋଞ୍ଜ୍‌ ପଦକ ସହ ମୋଟ ୧୨ଟି ପଦକ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅଲିମ୍ପିକ୍ସରେ ଜବରଦସ୍ତ ସଫଳତା ହାସଲ କରୁଥିବା ଚାଇନା ଏଥର ଚତୁର୍ଥ ସ୍ଥାନରେ ରହିଛି। ଚାଇନା ୩ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ଜିତି ମୋଟ ୯ଟି ପଦକ ପାଇଛି। ଅନ୍ୟତମ ଆଫ୍ରିକୀୟ ଦେଶ ଇଥିଓପିଆ ୨ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‌ ପଦକ ସହ ମୋଟ ୮ଟି ପଦକ ପାଇ ପଞ୍ଚମ ସ୍ଥାନରେ ରହିଛି। ସବୁଥର ଭଳି ଭାରତ ଏଥର ମଧ୍ୟ ବିନା ପଦକରେ ଘରକୁ ଫେରିଛି। ଯଦିଓ କେତୋଟି ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରିଥିଲେ। ୨୦୯ଟି ଦେଶର ୧୯୭୨ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ୧୦୫୪ ପୁରୁଷ ଓ ୯୧୮ଜଣ ମହିଳା ଆଥଲେଟ ସାମିଲ ଥିଲେ। ୨୪ଟି ପୁରୁଷ ଓ ମହିଳା ଇଭେଣ୍ଟ ଓ ଗୋଟିଏ ମିକ୍ସ ଇଭେଣ୍ଟରେ ଆଥଲେଟମାନେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ। ଏହି ଚାମ୍ପିୟନଶିପର ପ୍ରଦର୍ଶନ ସର୍ବକାଳୀନ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛି। ଗତ ୨୦୧୭ ଚାମ୍ପିୟନଶିପ୍‌କୁ ଏହା ପଛରେ ପକାଇଛି। ଏଥର ୩ଟି ବିଶ୍ୱ ରେକର୍ଡ ସହ ୬ଟି ଚାମ୍ପିୟନଶିପ୍‌ ରେକର୍ଡ ଭଙ୍ଗ ହୋଇଛି। ମୋଟ ୪୩ଟି ଦେଶ ପଦକ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ୬୮ଟି ଦେଶରୁ ଅତିକମ୍‌ରେ ଜଣେ ଲେଖାଏ ଆଥଲେଟ୍‌ ଶ୍ରେଷ୍ଠ ୮ଟି ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌) ସ୍କୋରିଂ ତାଲିକା ଅନୁସାରେ ଶ୍ରେଷ୍ଠ ପୁରୁଷ ଆଥଲେଟ ବିବେଚିତ ହୋଇଛନ୍ତି ଆମେରିକୀୟ ଶଟ୍‌ପୁଟର ଜୋଶେଫ୍‌ ମାଥିଆସ କୋଭାକ୍ସ। ସେ ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଶ୍ରେଷ୍ଠ ମହିଳା ଆଥଲେଟ ବିବେଚିତ ହୋଇଛନ୍ତି ଜର୍ମାନୀ ଲଙ୍ଗ ଜମ୍ପର ମାଲାଇକା ମିହାମ୍ବୋ। ଏଥର ବିଶ୍ୱ ଚାମ୍ପିୟନଶିପ୍‌ରେ ସବୁଠାରୁ ଚର୍ଚ୍ଚିତ ଆଥଲେଟ ଥିଲେ ଅମେରିକୀୟ ଧାବକ ଖ୍ରୀଷ୍ଟିଆନ କୋଲମେନ। ସେ ୧୦୦ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୯.୭୬ ସେକେଣ୍ଡ ନେଇ ଏହି ସଫଳତା ପାଇଥିଲେ। ଅନ୍ୟତମ ଆମେରିକୀୟ ଧାବକ ଜଷ୍ଟିନ୍‌ ଗାଟଲିନ ୯. ୮୯ ସେକେଣ୍ଡ ସମୟ ନେଇ ରୌପ୍ୟ ଓ କାନାଡ଼ାର ଆନ୍ଦ୍ରେ ଡି ଗ୍ରାସି ୯.୯୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ମହିଳା ୧୦୦ ମି. ଦୌଡ଼ରେ ଜାମାଇକାର ସେଲି- ଆନ- ଫ୍ରାଜର- ପ୍ରାଇସ୍‌ ୧୦.୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ।ରେକର୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ବିଶ୍ୱ ଚାମ୍ପିୟନଶିପ୍‌ରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହୋଇଛି। ୩ ବିଶ୍ୱରେକର୍ଡ, ୬ ଚାମ୍ପିୟନଶିପ୍‌ ରେକର୍ଡ ସମେତ ଗୋଟିଏ ୨୦ ବର୍ଷରୁ କମ୍‌ ବିଶ୍ୱ ରେକର୍ଡ, ୨୧ଟି ଏରିଆ ରେକର୍ଡ, ୮୬ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଛି। ଆମେରିକୀୟ ଧାବିକା ଆଲିସନ ଫେଲିକ୍ସ ମୋଷ୍ଟ ଡେକୋରେଟ୍‌ ଆଥଲେଟ୍‌ ବିବେଚିତ ହୋଇଛନ୍ତି। ମହିଳା ଓ ମିକ୍ସଡ ୪ ଗୁଣା ୪୦୦ ରିଲେ ରେସ୍‌ରେ ସେ କ୍ୟାରିୟରରେ ମୋଟ ୧୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଏଥର ବିଶ୍ୱ ଚାମ୍ପିୟନଶିପ୍‌ରେ କେତେକ ତାରକା ଆଥଲେଟ ଅନୁପସ୍ଥିତ ରହିଥିଲେ। ଆଘାତ ସମସ୍ୟା ଏହାର ମୁଖ୍ୟ କାରଣ ଥିଲା। ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଜର୍ମାନୀର ଲିସା ମେୟର, ଲଉରା ମୁଲେର ଓ ମାରି ଲେରେନ୍ସ ଜଙ୍ଗ୍‌ଫ୍ଲେଇସ୍କ, ଗ୍ରିଗର ଟ୍ରାବେର। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବେଲଜିୟମର ୨, ଇଟାଲୀ, ପୋଲାଣ୍ଡ ଓ ଲାଟଭିଆର ଜଣେ ଲେଖାଏ ଆଥଲେଟ ଅନୁପସ୍ଥିତ ଥିଲେ। ଭାରତର ୪୦୦ମିଟର ଧାବିକା ହିମା ଦାସ ମଧ୍ୟ ଅନୁପସ୍ଥିତ ଥିଲେ।
ଭାରତୀୟ ଆଥଲେଟମାନେ ପଦକ ଜିତିବେ ବୋଲି ଆଶା କରାଯାଉ ନ ଥିଲା। ତାହା ମଧ୍ୟ ହୋଇଛି। ଭାରତ ମିକ୍ସଡ ୪ ଗୁଣା ୪୦୦ ରିଲେ ଟିମ୍‌ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରି ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ବାକି ଆଥଲେଟମାନେ ବିଫଳ ହୋଇଥିଲେ। ପ୍ରଥମ ତଥା ଏକମାତ୍ର ଭାରତୀୟ ଭାବେ ମହିଳା ଲଙ୍ଗ୍‌ ଜମ୍ପର ଅଞ୍ଜୁ ବବି ଜର୍ଜ ୨୦୦୩ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri