‘ବିକାଶ’ ଲାଗି ଜିଦି

କିଛିବର୍ଷ ଧରି ଭାରତରେ ‘ବିକାଶ’ ଏକ ଚର୍ଚ୍ଚିତ ଶବ୍ଦ ରହିଆସିଛି। ଯେଉଁଠାରେ ଅସଙ୍ଗତି ଦେଖାଦେଉଛି ବା ସମାଲୋଚନା କଲା ଭଳି ପରିସ୍ଥିତି ଉପୁଜୁଛି, ସେଠାରେ ‘ବିକାଶ’ ନାମରେ ସବୁକିଛି ଅତିକ୍ରମ କରାଯିବା ଲାଗି ପ୍ରୟାସ ହେଉଛି। ଏବେ ପ୍ରଶ୍ନ ହେଲାଣି କାହା ପାଇଁ ହେଉଛି ବିକାଶ। ଏହା ମଣିଷ ସକାଶେ ହେଉଛି ନା କଳକାରଖାନା, ଗାଡ଼ିମୋଟର, ରାସ୍ତାଘାଟ ଭଳି ଭିତ୍ତିଭୂମି ତିଆରି ପାଇଁ ଉଦ୍ଦିଷ୍ଟ। ଏହାର ସନ୍ତୋଷଜନକ ଉତ୍ତର କାହାରିକୁ ମିଳିପାରୁ ନାହିଁ। ଫଳରେ ସମସ୍ତେ ଏକ ଦ୍ୱନ୍ଦ୍ୱ ଭିତର ଦେଇ ଗତି କରୁଛନ୍ତି।
ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ଆରେ ଅଞ୍ଚଳରେ ଏବେ ଏକ ବିଷମ ପରିସ୍ଥିତି ଉପୁଜିଛି। ଉତ୍ତର ମୁମ୍ବାଇର ଆରେ ହେଉଛି ସବୁଜିମାଭର୍ତ୍ତି ଏକ ଅଞ୍ଚଳ। ମୁମ୍ବାଇ ମେଟ୍ରୋ ରେଲ୍‌ କର୍ପୋରେଶନ (ଏମ୍‌ଏମ୍‌ଆର୍‌ସି) ବିକାଶମୂଳକ ପ୍ରକଳ୍ପ ଭାବେ କାର୍‌ ଶେଡ୍‌ ବା କାର୍‌ ରହଣିସ୍ଥଳ ନିର୍ମାଣ ନେଇ ସେଠାରେ ଥିବା ୨,୬୦୦ ଗଛ କାଟିବାକୁ ନିଷ୍ପତ୍ତି ନେଇଛି। ଏହାକୁ ବିରୋଧ କରି କରାଯାଇଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେବା ପରେ ଏମ୍‌ଏମ୍‌ଆର୍‌ସି ଅଦ୍ୟାବଧି ୧,୫୦୦ରୁ ଊର୍ଦ୍ଧ୍ୱ ଗଛ କାଟି ସାରିଲାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ୧୪୪ ଧାରା ଜାରି କରିଛି। ପ୍ରତିବାଦକାରୀ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରିବାରୁ ପୋଲିସ ୨୯ ଜଣଙ୍କୁ ଗିରଫ କରି ଛାଡ଼ିଦେଇଛି। ଚଳିତ ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡ଼ିକ ଏହାକୁ ପ୍ରସଙ୍ଗ କରିସାରିଲେଣି। ଏହି ପ୍ରସଙ୍ଗ କାହା ପାଇଁ ଲାଭଦାୟକ ହେବ ତାହା ପଛ କଥା। ଯେଉଁଭଳି ଭାବେ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ଖାରଜ କଲେ ଓ ତତ୍‌କ୍ଷଣାତ୍‌ ପ୍ରଶାସନ ତତ୍ପର ହୋଇ ଗଛଗୁଡ଼ିକୁ କାଟି ପଦା କରିଦେଲା, ସେଥିରୁ ଗୋଟିଏ କଥା ବୁଝି ହେଉଛି ଯେ ସିଂହାସନରେ ବସିଥିବା ବ୍ୟକ୍ତିଙ୍କୁ ‘ବିକାଶ’ ନିଶା ଘାରିଛି। ଏଥିସହିତ ଏହା ମଧ୍ୟ ସ୍ପଷ୍ଟ ବୁଝାପଡ଼ୁଛି ଯେ, ନ୍ୟାୟାଳୟରେ ବିଚାରପତିମାନେ କ୍ଷମତାସୀନ ରାଜନୈତିକ ଦଳକୁ କୌଣସି ଭାବେ ଚିଡ଼ାଇବାକୁ ଇଚ୍ଛା କରୁନାହାନ୍ତି। ଫଳସ୍ବରୂପ ଜନସାଧାରଣଙ୍କ ମତ ମଳିନ ପଡ଼ିଯାଉଛି। କାର୍‌ ଶେଡ୍‌ ନିର୍ମାଣ ଦ୍ୱାରା ଏମ୍‌ଏମ୍‌ଆର୍‌ସି ଉପକୃତ ହୋଇପାରେ। କିନ୍ତୁ ଏଥିପାଇଁ ଅସଂଖ୍ୟ ଗଛକୁ ନଷ୍ଟ କରିଦିଆଯିବା ଦ୍ୱାରା ପ୍ରକୃତିର କ୍ରୋଧ କେତେ ଯେ ବଢ଼ିଯିବ, ତାହାକୁ ଉପର ସ୍ତରରେ ବସିଥିବା ବ୍ୟକ୍ତିମାନେ ହୃଦୟଙ୍ଗମ କରିପାରୁନାହାନ୍ତି। ଏମ୍‌ଏମ୍‌ଆର୍‌ସି କହିଛି ଯେ, ଯେତିକି ଗଛ କଟାଯାଉଛି, ତାହାର ୫ ଗୁଣା ଲଗାଯିବ। ଏଭଳି ବାହୁସ୍ଫୋଟ ମାରିବାରେ କର୍ତ୍ତୃପକ୍ଷଙ୍କୁ ରୋକାଯାଇପାରେ ନାହିଁ। ମାତ୍ର ଗଛଟିଏ କାଟିଦେବା ଯେତିକି ସହଜ ହୋଇଥାଏ, ଚାରାଟିଏ ବଢ଼ାଇ ଗଛ କରିବା ଅତ୍ୟନ୍ତ କଠିନ ବ୍ୟାପାର ଓ ସମୟସାପେକ୍ଷ। ପରିବେଶ ଚିନ୍ତା ବିଶ୍ୱବ୍ୟାପୀ ଲୋକଙ୍କୁ ଘାରୁଥିବା ବେଳେ ଆରେର ସ୍ଥାନୀୟ ପ୍ରଶାସନକୁ ଏହା ବ୍ୟଥିତ ନ କରିବା ଦୁଃଖର ବିଷୟ।
ସମସ୍ତେ ଜାଣନ୍ତି, ମୁମ୍ବାଇ ବିଗତ କିଛି ବର୍ଷ ହେବ ବର୍ଷାଋତୁରେ ପ୍ରବଳ ବୃଷ୍ଟିପାତ ଯୋଗୁ ଘୋର ଦୁର୍ଦ୍ଦିନର ସମ୍ମୁଖୀନ ହେଉଛି। ୨୦୧୯ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ଯୋଗୁ ଉକ୍ତ ମହାନଗର ନିଗମ ଅବସ୍ଥା ଯେଭଳି ରୂପ ଧାରଣ କରିଥିଲା, ତାହା ଭୁକ୍ତଭୋଗୀଙ୍କୁ ଜଣା। ଦୂରରେ ଥିଲେ ମଧ୍ୟ ଗଣମାଧ୍ୟମରୁ ମୁମ୍ବାଇ ଲୋକଙ୍କ ଦୁର୍ଦ୍ଦଶା ଆମେ ହୃଦୟଙ୍ଗମ କରିପାରୁଛେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଅସ୍ବାଭାବିକ ବୃଷ୍ଟିପାତ ଲାଗି ଜଳବାୟୁ ପରିବର୍ତ୍ତନକୁ ଏକ କାରଣ ଭାବେ ଦର୍ଶାଇଛି। ଏଥିସହିତ ମୁମ୍ବାଇର ଅଧିକାଂଶ ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷା ଓ ବନ୍ୟାପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଲୋକଙ୍କ ଘରଦ୍ୱାରରେ ପାଣି ପଶିଯିବା ସହିତ ଧନଜୀବନ ହାନି କରୁଛି। ଏଠାରେ ମନେପଡ଼େ ଜୁନ୍‌ ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରକୃତି ରଚିଥିବା ତାଣ୍ଡବ ବିଷୟ । ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁ ସେହି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ପରେ ଜଣାପଡ଼ିଥିଲା ଯେ, ଅସଂଖ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ପର୍ଯ୍ୟଟନର ବିକାଶ ଲାଗି ରାସ୍ତା ନିର୍ମାଣ ଯୋଗୁ ବ୍ୟାପକ ଗଛ କଟା ହୋଇଥିଲା। ଫଳରେ ପାଣିର ସ୍ରୋତକୁ ଅଟକାଇବା ଓ ମାଟିକୁ ଜାବୁଡ଼ି ଧରିବା ଲାଗି ଗଛ ଯେଉଁ ଭୂମିକା ନିଭାଇଥାଏ, ତାହାର ଅଭାବ ଦେଖାଦେଲା। ଏବେ ଆରେ ଅଞ୍ଚଳରେ ଗଛ କାଟି ବିକାଶମୂଳକ ପ୍ରକଳ୍ପ କରିବାକୁ ଚାହୁଁଥିବା ସଂସ୍ଥା ଓ କର୍ତ୍ତୃପକ୍ଷ ଉତ୍ତରାଖଣ୍ଡ ପ୍ରଳୟରୁ ଶିକ୍ଷା ଗ୍ରହଣ କରିବା ଉଚିତ ଥିଲା।
ଏଭଳି ପରିପ୍ରେକ୍ଷୀରେ ଓଡ଼ିଶାର ଢେଙ୍କାନାଳ ଜିଲା ବଳରାମପୁର ଅଞ୍ଚଳରେ ଏକ ମଦ କାରଖାନା ନିର୍ମାଣ ଲାଗି ୨୦୧୮ ନଭେମ୍ବରରେ ଅନେକ ଗଛ କାଟିବାର ଉଦ୍ୟମ ହୋଇଥିଲା। ସେଥିରୁ କେତେକ ଗଛ ମଧ୍ୟ କଟା ସରିଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ ସେହି କାର୍ଯ୍ୟକୁ ବନ୍ଦ କରି ଦିଆଯାଇପାରିଲା। ମଦ କାରଖାନା ସ୍ଥାପନ ଅଧିକ ଗୁରୁତ୍ୱ ଧାରଣ କରେ ନା ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ପରିବେଶ ସୁରକ୍ଷା ବେଶି ଜରୁରୀ, ସେ ସମ୍ପର୍କରେ ପ୍ରଶ୍ନ ଉଠିଥିଲା।
ବର୍ଷା ଯୋଗୁ ମୁମ୍ବାଇ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଥିବାରୁ ସେଠାରେ ପରିବେଶ ସୁରକ୍ଷା ଦିଗରେ ଅଧିକ ପଦକ୍ଷେପ ନିଆଯିବା ଜରୁରୀ ହୋଇପଡ଼ିଲାଣି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏମିତି ଦେଖିଲେ ଅସ୍ବାଭାବିକ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ମହାନଗର ନିଗମ ନିଜକୁ ପ୍ରସ୍ତୁତ କରିପାରିନାହିଁ। ଏହି ସମସ୍ୟା କେବଳ ମୁମ୍ବାଇରେ ସୀମିତ ନୁହେଁ, ଓଡ଼ିଶା ସମେତ ଭାରତର ସବୁ ରାଜ୍ୟରେ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଧ୍ୱଂସ କରିବା ପାଇଁ ‘ବିକାଶ’ର ଆଳ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଯାଉଛି। ସରକାରୀ କ୍ଷମତା, ପୋଲିସ କଳ ପ୍ରୟୋଗ କରି ଜନସାଧାରଣଙ୍କ ମତକୁ ଦମନ କରାଯିବା ଅତ୍ୟନ୍ତ ଅଗଣତାନ୍ତ୍ରିକ। ମୁମ୍ବାଇ ଅଧୀନ ଆରେ ଅଞ୍ଚଳର ଜନସାଧାରଣଙ୍କ ବିରୋଧ ସତ୍ତ୍ୱେ ଗଛକଟା ପ୍ରମାଣ କରିଦେଉଛି ଯେ, ଭାରତ ଏବେ କେବଳ ନାମକୁମାତ୍ର ଗଣତାନ୍ତ୍ରିକ ଦେଶ। ଭୋଟ ବେଳେ ବିଭିନ୍ନ ଉପାୟରେ ସମର୍ଥନ ହାତେଇ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ ପଦକ୍ଷେପ ନେଉଥିବା ରାଜନେତାମାନେ ଦେଶର ପ୍ରବଳ ଦୀର୍ଘମିଆଦୀ କ୍ଷତି ପହଞ୍ଚାଉଛନ୍ତି। ଏପରି ସ୍ଥଳେ ମଣିଷ ଦ୍ୱାରା କରାଯାଉଥିବା କ୍ଷତି ଭରଣା କରିବା ଆଦୌ ସମ୍ଭବ ହେବ ନାହିଁ। ଜିଦିରେ ‘ବିକାଶ’ ହୋଇପାରେ, କିନ୍ତୁ ପ୍ରକୃତି ରୋଷ କଲେ ତାହା କ୍ଷଣସ୍ଥାୟୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri