ବାପା କେବେ କାନ୍ଦନ୍ତିନି

ଡ. ନରେନ୍ଦ୍ର ସେଠୀ

ସବୁ ପିଲାଙ୍କୁ ବାପା ସୁପର ହିରୋ ଲାଗନ୍ତି। ଯାତର ମହଙ୍ଗା ଖେଳନା, ସେକେଣ୍ଡହାଣ୍ଡ ସାଇକେଲ, ହୋଲିର ପିଚକାରି, ଜନ୍ମ ଦିନର ଜାମା ସବୁ ବାପା ଯୋଗାଡ଼ କରିପାରନ୍ତି, କିଛି ବି ତାଙ୍କ ଅପହଞ୍ଚ ଇଲାକାରେ ଅସମ୍ଭବ ନ ଥାଏ। ଆମ ସମସ୍ତଙ୍କ ପାଇଁ ବାପାମାନେ ସବୁ ସମସ୍ୟାର ସମାଧାନ, ଅଡୁଆ ସୂତା ପରି ପ୍ରତୀତ ହେଉଥିବା ସବୁ ପରିସ୍ଥିତିର ଦିବ୍ୟଜ୍ଞାନ। ବାପା ଆମ ସମସ୍ତଙ୍କ ଜୀବନରେ ପିଲାଦିନେ ଭରି ଦିଅନ୍ତି ସୁରକ୍ଷା ବଳୟର ଅନୁଭବ ଓ କିଶୋରରେ ଅନୁଭବ କରାନ୍ତି ଯେ ସେଇ ହିଁ ଅନୁସରଣ କରିବା ଯୋଗ୍ୟ ଏକମାତ୍ର ମଣିଷ। ବାପା ତାଙ୍କ ଦୈନଦିନ ବ୍ୟବହାରରେ ଓ କଥାବାର୍ତ୍ତାରେ ଶିଖେଇ ଦିଅନ୍ତି ନୈତିକ ମୂଲ୍ୟବୋଧ, ସାମାଜିକ ସଂସ୍କାର ଓ ସମାଜ ପ୍ରତି ଆମର ଉତ୍ତର ଦାୟିତ୍ୱ। ତାଙ୍କର ପ୍ରତିଟି କଥା ଆମକୁ ଆନ୍ଦୋଳିତ, ଉତ୍ସାହିତ ଓ ପ୍ରେରଣା ଦେଇଥାଏ। ବାପାଙ୍କ ପରିସ୍ଥିତି, ଜୀବନଶୈଳୀ ଓ ଉପଦେଶ ସବୁ ପିଲାଙ୍କୁ ପ୍ରଭାବିତ କରି ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। ସେଇଥିପାଇଁ ଆମେ ସମସ୍ତେ ବାପାଙ୍କ କଳା, କୌଶଳ, ଚାଲିଚଳନ ଓ ଭାବଭଙ୍ଗୀକୁ ନକଲ କରିବାରେ ହେଳା କରି ନ ଥାଉ। ଯେଉଁଥିପାଇଁ ସବୁ ପୁଅଙ୍କର ବାପା ସବୁଠୁ ବଡ଼ ହିରୋ ଓ ଝିଅର ପ୍ରଥମ ଭଲ ପାଇବା। ଆମ ସମସ୍ତଙ୍କ ପାଇଁ ବାପା ଏକ ପୂର୍ଣ୍ଣ ମଣିଷ ଓ ମର୍ଯ୍ୟାଦା ପୁରୁଷ। ବାପା ହିଁ ଏକମାତ୍ର ମଣିଷ, ଯିଏ ଆମ ଭୁଲ୍‌କୁ ଦେଖି ମଧ୍ୟ ହୃଦୟତାର ସହିତ ଖୁସିରେ ନ ଦେଖିବାର ଅଭିନୟ କରିପାରନ୍ତି। ଯେହେତୁ ସେତୁବନ୍ଧ ପରି ଛାତିପାତି ଆମ ଜୀବନରେ ମାଡି ଆସୁଥିବା ସବୁ ଝଡ଼ଝଞ୍ଜାକୁ ସେ ଆଗ ସାମ୍ନା କରନ୍ତି, ସେଇଥିପାଇଁ ଜୀବନରେ ଭରସା କରିବା ଭଳି ଏକମାତ୍ର ମଣିଷ ବାପା। ସେ ସବୁବେଳେ ତାଙ୍କର ଗମ୍ଭୀର ପଟକୁ ଦୁନିଆକୁ ଦର୍ଶାଇ ନିଜର ସବୁ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ଓ ଦାୟିତ୍ୱବୋଧକୁ ଲୁଚେଇ ରଖନ୍ତି। ସେଇଥିପାଇଁ ବାପା ମାନେ କାନ୍ଦନ୍ତିନି।
ବାପା ଘରେ ଥିଲେ ସୁରକ୍ଷା ଥାଏ, ଆଡ଼ିବନ୍ଧ ଭାଙ୍ଗି ବଢ଼ି ପାଣି ମାଡ଼ି ଆସିବାର ଭୟ ନ ଥାଏ। ଆମେ ସୁନିଶ୍ଚିତ ହୋଇଯାଏ ଯେ ବାପା ଅଛନ୍ତି ଡର କାହାକୁ? ସାଧାରଣତଃ ପିଲାମାନେ ଅତ୍ୟନ୍ତ ସ୍ପର୍ଶକାତର ଓ ସବୁ ଜିନିଷକୁ ନିରୀକ୍ଷଣ କରିବାର ଗୁଣର ଅଧିକାରୀ ହୋଇଥିବାରୁ ବାପାଙ୍କ ସହିତ ହେଉଥିବା ନିତିଦିନିଆ ବ୍ୟବହାରରୁ ସେ ଭବିଷ୍ୟତରେ ସମାଜରେ ଏକ ପରିପକ୍ୱ ମଣିଷ ହୋଇ କିପରି ବ୍ୟବହାର କରିବ ତା’ର ବ୍ଲୁ ପ୍ରିଣ୍ଟ୍‌ ଏଇଠୁ ଆକଳନ କରିଥାଏ। ତେବେ ବର୍ତ୍ତମାନ ସମୟ ବଦଳିଛି ପିଲା ଓ ବାପା ମାନେ ମଧ୍ୟ ସମୟ ସହିତ ତାଳ ଦେଇ ବଦଳିଛନ୍ତି। ୨୦୧୬ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ୬୩ ପ୍ରତିଶତ ବାପାମାନେ ପିଲାମାନଙ୍କ ସହିତ ଯଥେଷ୍ଟ ସମୟ ଅତିବାହିତ କରିପାରୁ ନାହାନ୍ତି। ଏଥିରୁ ଆହୁରି ଜଣାପଡ଼ିଛି ଯେ ବାପାଙ୍କ ସହିତ ବଢ଼ିଥିବା ପିଲା ଅଧ୍ୟୟନରେ ୩୯% ଅଧିକ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ଥାଏ। ଏହି ବଦଳିଥିବା ସମୟ ସହିତ ସାମାଜିକ ଗଣମାଧ୍ୟମର ଫଟୋରେ, ମାତୃ ଦିବସ, ଜନ୍ମଦିନ ଇତ୍ୟାଦିରେ ପିଲାମାନେ ହଠାତ୍‌ ବୋଉକୁ ଅଧିକ ପ୍ରାଧାନ୍ୟତା ଦେଇ ଜୀବନର ସବୁ ଶ୍ରେୟକୁ ତା’ ମୁଣ୍ଡରେ ଅଜାଡ଼ି ଦେବାର ଉଦାହରଣ ଦେଖାଯାଉଛି। ଏକଥା ସତ ଯେ ଆମ ଜୀବନରେ ବୋଉ ସଂସାରର ଏକ ବିଶାଳ ବିଶ୍ୱବିଦ୍ୟାଳୟ, ଯୋଉଠୁ ଆମେ ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଶିଖିବା ସହିତ ଜହ୍ନମାମୁ ଜରିଆରେ ଆକାଶ ସହିତ ପରିଚିତ ହୋଇଥାଏ। ମାତ୍ର ଏହା ମଧ୍ୟ ସତ୍ୟ ଯେ ଏହି ବିଶ୍ୱବିଦ୍ୟାଳୟର ସବୁଠୁ ବଡ଼ ଓ ଜ୍ଞାନୀ ଅଧ୍ୟାପକ ହେଲେ ବାପା। ସମୟ ସହିତ ଆମ ଜୀବନରେ ବାପାମାନଙ୍କର ଗୁରୁତ୍ୱ ବଦଳି ଯିବା ଚିନ୍ତାର ବିଷୟ ନିଶ୍ଚିତ। ଯଦିଓ ଆମ ସାହିତ୍ୟରେ ବାପା ଓ ତାଙ୍କ ଚପଲ, କୁର୍ତ୍ତା, କଲମ, ଚୌକି ଏବଂ ଧୋତିକୁ ନେଇ ଅନେକ ଗପ କାହାଣୀ ଓ ପୁସ୍ତକ ଲିଖିନ, ତେବେ ପ୍ରକୃତରେ ବାସ୍ତବ ଜୀବନରେ ଅନେକ ବାପା ତାଙ୍କ ହକ୍‌ଦାର, ଆଦର, ସତ୍କାର ଓ ସମ୍ମାନ ପାଇପାରୁ ନାହାନ୍ତି। ତଥାପି ବାପାମାନେ କେବେ ବଦଳିବେନି। ସେମାନଙ୍କର ଶ୍ରେଣୀ ଅଲଗା ହେଇପାରେ, ମାତ୍ର ପ୍ରଜାତି ଗୋଟିଏ; ଯାହାର ଗୁଣ ଖାଲି ନିଜେ ନିଜକୁ ତ୍ୟାଗ କରିବା। ସେ ସବୁ ତ୍ୟାଗ କରି ପରିବାର ଆଗରେ ଜଣେ ବୋକା, ନିକମା ଓ ଅକର୍ମଣ୍ୟ ବ୍ୟକ୍ତିର ଆଖ୍ୟା ପାଆନ୍ତ।
ବାପା କେବେ କହନ୍ତିନି କ’ଣ ତାଙ୍କର ଇଚ୍ଛା। ଲହୁ ଲୁହାଣ କରନ୍ତି ଜୀବନକୁ ପୁଅ, ଝିଅ ଓ ପରିବାରର ଇଚ୍ଛା ପୂରଣ କରିବାକୁ। ତଥାପି ପରିବାର ଆଗରେ ସେ ଜଣେ ନିହାତି ଅଳସୁଆ ଓ ବୋକା ମଣିଷ ରୂପରେ ଆଖ୍ୟା ଅର୍ଜନ କରନ୍ତ। ବାପାଙ୍କର ଧୀରେ ଧୀରେ ବଳ ବୟସ ସରି ସରି ଆସେ। ଦେହପା ଭଲ ରହେନ। ବାପା ଜଣେ ବିରକ୍ତିକର ବୁଢ଼ା ହୋଇ ସମସ୍ତଙ୍କୁ ହଇରାଣ କରନ୍ତି। ପିଲାଙ୍କ ପରି ଅଯଥା ଜିଦି କରନ୍ତି, ରାଗନ୍ତ। ବୟସ ସହିତ ପରିବାରରେ ବାପା ଜଣେ ଗୁରୁତ୍ୱହୀନ ମଣିଷ ହୋଇ ବଡ଼ ବଡ଼ ନିଷ୍ପତ୍ତିଠାରୁ ଅଲଗା କରିଦେବା ଫଳରେ ନିଜ ପ୍ରତିଷ୍ଠିତ ସାମ୍ରାଜ୍ୟରେ ନିଜେ ଜଣେ ପାଳିତ ପ୍ରଜା ପାଲଟି ଯାଆନ୍ତି। ତେଣୁ ବୁଢ଼ା ବାପାଙ୍କ ଜିଦି, ରାଗ ଓ ଅଭିମାନକୁ ଆମ ବଢ଼ିଲା ପିଲାମାନେ ଯିଏ କି ତାଙ୍କ ସାମ୍ରାଜ୍ୟକୁ ମାଡ଼ିବସୁ ନିଶ୍ଚୟ ବରଦାସ୍ତ କରିବା ଦରକାର ଠିକ ଯେମିତି ବାପା ଆମକୁ ପିଲାଦିନେ ସମ୍ଭାଳୁ ଥିଲେ। କିନ୍ତୁ ବାପାଙ୍କୁ ଅବହେଳା କରିବାର ସବୁ ଚେଷ୍ଟା ଓ ପ୍ରୟାସ ଆମେ ପିଲାମାନେ କରିଥାଉ। ଶେଷରେ କେଉଁ ଏକ ଡାକ୍ତରଖାନାର ଆଇସିୟୁ ୱାର୍ଡର ଛାତକୁ ଅନେଇ ବାପା ହେଜନ୍ତି। ଆଉ ଉପାୟ ନ ଥାଏ। ବାପା ଆଖି ବୁଜନ୍ତି। ପୁଅ, ଝିଅ ବୋଉର ଫଟୋକୁ ବଡ଼ କରି ଟାଙ୍ଗନ୍ତି ଡ୍ରଇଂ ରୁମ୍‌ରେ। ବାପାଙ୍କ ଛୋଟିଆ ଫଟୋରେ କୃତ୍ରିମ ଫୁଲ ମାଳ ମଇଳା ହୋଇଯାଏ।
ବାପା ଦଶାପୂର୍ଣ୍ଣ ହୁଏ। ସେଇଥିପାଇଁ କିଏ ଜଣେ ମହାପୁରୁଷ କହିଥିଲେ, ଜଣେ ଲୋକକୁ ବାପା ହେବା ପାଇଁ ପୂରା ଜୀବନ ଖର୍ଚ୍ଚ କରିବାକୁ ହୁଏ। ତଥାପି କିଛି ବାପାଙ୍କୁ ବୃଦ୍ଧାଶ୍ରମରେ ଅନ୍ତିମ ସମୟ ଏକା ଏକା କାଟିବାକୁ ପଡ଼େ। ତଥାପି ବାପାମାନେ କେବେ କାନ୍ଦନ୍ତିନି। ରକ୍ତ ମାସରେ ଗଢ଼ା ମଣିଷଟି ସବୁ କଷ୍ଟ, ଯାତନା, ବିପଦ, ଝଡ଼ ଝଞ୍ଜାକୁ କେମିତି ସାମ୍ନା କରି ଚୁପ ରହିଯାଏ, ତାହା ସୃଷ୍ଟିର ଏକ ବିସ୍ମୟ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri