ପାର୍ବଣରେ ପ୍ରଦୂଷଣ

ସଂସ୍କୃତି, ପରମ୍ପରାକୁ ସମ୍ମାନ ଦେବା ସହ ଖୁସି ମନେଇବାର ଅନ୍ୟନାମ ହେଉଛି ପୂଜା ପାର୍ବଣ। କିନ୍ତୁ ଏବେ ସାଜସଜ୍ଜା, ରଙ୍ଗ ଆଉ ଭସାଣିକୁ ନେଇ ଯେଉଁ ପ୍ରତିଯୋଗିତା ଚାଲିଛି, ସେଥିରେ ଆମେ କେବଳ ମାରାତ୍ମକ ପରିବେଶ ପ୍ରଦୂଷଣର ଶିକାର ହିଁ ହେଉଛୁ…

ଶେଷ ହେଲା ଦୂର୍ଗା ପୂଜା। ପରେ ପରେ ଆସିବ ଦୀପାବଳୀ ଓ କାଳୀପୂଜା, ଲକ୍ଷ୍ମୀପୂଜା, କାର୍ତ୍ତିକେୟ ପୂଜା ଏବଂ ସରସ୍ବତୀ ପୂଜା। ପର୍ବପର୍ବାଣି ପାଳନ କରିବାର ଅନ୍ତରାଳରେ ମୁଖ୍ୟତଃ ଥାଏ ଆମ ପରଂପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା। କିନ୍ତୁ ବର୍ତ୍ତମାନ ଏହା ପ୍ରତିଯୋଗିତା ସହିତ ବାଣ, ବାଜା, ନଗ୍ନନୃତ୍ୟ ଏବଂ ମଦ୍ୟପାନର ଏକ ଅଂଗ ପାଲଟି ଗଲାଣି। ଯାହାର ପରିଣାମ ସଦୃଶ ଆମେ ବିଭିନ୍ନ ପ୍ରକାର ପ୍ରଦୂଷଣର ଶିକାର ହେବାରେ ଲାଗିଛେ।


ଜଳ ପ୍ରଦୂଷଣ: ଦେବାଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଯେଉଁ ବିବିଧ ରଂଗ ବ୍ୟବହାର ହୁଏ, ତହିଁରୁ ଅଧିକାଂଶ କୃତ୍ରିମ। ସେଗୁଡ଼ିକରେ ଥାଏ ପାରଦ, ଦସ୍ତା, ସୀସା, କଡ୍‌ମିୟମ, ଆର୍ସେନିକ, କ୍ରୋମିୟମ୍‌ ଆଦି ଭାରି ଧାତୁ। ଏଗୁଡ଼ିକ ଆମ ପାଇଁ ବିଭିନ୍ନ ରୂପେ ବିଷାକ୍ତ ଏବଂ ପ୍ରତ୍ୟେକ କର୍କଟ ରୋଗକାରୀ। ବିଶେଷକରି ଲାଲ୍‌, ସବୁଜ, ନୀଳ, ନାରଙ୍ଗୀ ଓ ହଳଦିଆ ରଙ୍ଗରେ ଏଗୁଡ଼ିକ ଥାଆନ୍ତି। ଏଣୁ ଏହି ମୂର୍ତ୍ତିଗୁଡ଼ିକୁ ଜଳାଶୟରେ ବିସର୍ଜନ କରିଦେଲେ ତାହା ଉତ୍କଟ ଜଳ ପ୍ରଦୂଷଣ କରାଏ।
ଅନ୍ୟପକ୍ଷରେ, ଏଗୁଡ଼ିକୁ ତିଆରି କରିବାରେ ମୁଖ୍ୟତଃ ବ୍ୟବହୃତ ହୋଇଥାଏ ‘ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌’ ନାମକ ପଦାର୍ଥ। ଦୁଇଟି ‘କାଲ୍‌ସିୟମ୍‌ ସଲ୍‌ଫେଟ୍‌’ ଅଣୁ ସହିତ ଗୋଟିଏ ଜଳ ଅଣୁ ଅନୁବନ୍ଧିତ ହୋଇ ଏ ରସାୟନ ଗଠିତ ହୋଇଥାଏ। ପୁନଶ୍ଚ କେତେକ ସ୍ଥଳେ ସେଥି ସହିତ ମିଶା ଯାଇଥାଏ ପ୍ଲାଷ୍ଟିକ ଗୁଣ୍ଡ ଓ ସିମେଣ୍ଟ। ଏଗୁଡ଼ିକ ଜଳରେ ଦ୍ରବଣୀୟ ନୁହନ୍ତି କି ଜୈବ ବିଘଟନକ୍ଷମ ନୁହନ୍ତି। ଏଣୁ ତାହା କେବଳ ସୂକ୍ଷ୍ମ କଣିକାରେ ପରିଣତ ହୁଅନ୍ତେ ଏବଂ ଜଳ ସହିତ ମିଶି ମାଛ ଆଦି ଜଳଜ ଜୀବ ଏବଂ ଉଦ୍ଭିଦମାନଙ୍କ ଶରୀରକୁ ପ୍ରବେଶ କରି ସେମାନଙ୍କ ଉପରେ ଘାତକ ପ୍ରଭାବ ପକାନ୍ତି। ଅନ୍ୟ ପକ୍ଷରେ ତାଙ୍କଠାରୁ ତାହା ଆମ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିବାର ମଧ୍ୟ ସମ୍ଭାବନା ରହିଛି। ପୁନଶ୍ଚ ଏହି ପଦାର୍ଥଗୁଡ଼ିକର କିଛି ଭାଗ ଜଳାଶ୍ରୟ ତଳେ ବସିଯାଏ। ତଦ୍ଦ୍ବାରା ସେଠାରେ ଜୈବିକ ଜୀବନ ପ୍ରଭାବିତ ହୁଏ।
ଅବଶ୍ୟ ଆଜିକାଲି ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌ ତଥା ଅଣଜୈବ ବିଘଟନକ୍ଷମ ପଦାର୍ଥରେ ମୂର୍ତ୍ତି ନିର୍ମାଣ ଓ କୃତ୍ରିମ ରଙ୍ଗରେ ତାହା ରଂଜିତ କରିବା ଉପରେ କେତେକ କଟକଣା ଜାରି କରାଯାଇଛି। ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର ଓ କର୍ନାଟକ ଭଳି ରାଜ୍ୟ ଏଥିରେ ନେତୃତ୍ୱ ନେଇଛନ୍ତି। ତଥାପି ଶସ୍ତାରେ ମୂର୍ତ୍ତି ଯୋଗାଇବା ଲାଗି ଅନେକ ଏହା ମାନୁନାହାନ୍ତି। ଅତଏବ ତାହା ଜଳ ପ୍ରଦୂଷଣ ସହିତ ଜଳୀୟ ପରିସଂସ୍ଥାର ଅବକ୍ଷୟ ଘଟାଇ ଚାଲିଛି। କିଛି ବର୍ଷ ତଳେ ମୁମ୍ବାଇର ଆଖପାଖ ଅଞ୍ଚଳରେ ଥିବା ହ୍ରଦଗୁଡ଼ିକରେ ଏବଂ ଚଳିତ ବର୍ଷ ଭୋପାଳଠାରେ ଗଣେଶ ମୂର୍ତ୍ତି ବିସର୍ଜନ ହେତୁ ସୃଷ୍ଟି ହୋଇଥିବା ଭୟାବହ ପରିଣାମ ଏହାର ପ୍ରକୃଷ୍ଟ ଉଦାହରଣ। ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି କାରଣରୁ ଏଗୁଡ଼ିକର ଜଳରେ ତାପଧାରଣ କ୍ଷମତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ, ତାହାର ଅମ୍ଳତା, ଜୈବିକ ଅମ୍ଳଜାନ ଆବଶ୍ୟକତା, ସମୁଦାୟ ଦ୍ରବୀଭୂତ କଠିନ ପଦାର୍ଥ ଆଦି ବିପଜ୍ଜନକ ଭାବେ ବୃଦ୍ଧି ପାଇଲା ବେଳେ ଦ୍ରବୀଭୂତ ଅମ୍ଳଜାନ ହ୍ରାସ ପାଇଯାଇଥିଲା। ଅତଏବ ତହିଁରୁ ଲୋପ ପାଇଯାଇଥିଲା ଜଳଜ ଜୀବନ। ଅହମଦାବାଦର ସାବରମତୀ, ଦିଲ୍ଲୀର ଯମୁନା ଆଦି ନଦୀରେ ମଧ୍ୟ ପୂଜାପାର୍ବଣ ପରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଣୁ ଦେଶର ଅନ୍ୟ ସମସ୍ତ ସ୍ଥାନରେ ଏହା ଯେ ଅଳ୍ପ-ବହୁତ ଘଟୁଥିବ ଏଥିରେ ସଂଦେହର ଅବକାଶ ନାହିଁ।
ବାୟୁ ପ୍ରଦୂଷଣ: ପୂଜାପାର୍ବଣ ଅବସରରେ ସାଧାରଣତଃ ଆମେ ବାଣ ଫୁଟାଇଥାଉ। ବିଶେଷକରି ଦୀପାବଳୀ ବା କାଳୀପୂଜାରେ ଏହା ଅଧିକ ଭାବେ ହୁଏ। ଏଗୁଡ଼ିକରେ ଥାଏ ଅଙ୍ଗାରକ, ଆଲୁମିନିୟମ ଗୁଣ୍ଡ, ଗନ୍ଧକ, ଫସ୍‌ଫରସ, ପଟାସିୟମ ନାଇଟ୍ରେଟ, ବେରିୟମ ଇତ୍ୟାଦି ଉପାଦାନ। ପୁନଶ୍ଚ ଏଥିରୁ ଉତ୍ପନ୍ନ ଶିଖାକୁ ନାନା ରଙ୍ଗ ପ୍ରଦାନ କରିବାକୁ ସେଥିସହିତ ଯୋଗ କରାଯାଏ ସୋଡିୟମ, ତମ୍ବା, ମାଗ୍ନେସିୟମ, କାଲସିୟମ ଆଦିର ଧାତବ ଲବଣ। ଏଣୁ ଏହା ଫୁଟିଲେ ତହିଁରୁ ନିର୍ଗତ ହୁଏ ଅଙ୍ଗାରକାମ୍ଳ, କାର୍ବୋନ ମନୋକ୍‌ସାଇଡ୍‌, ଗନ୍ଧକ ଓ ଯବକ୍ଷାରଜାନର ଅକ୍‌ସାଇଡ୍‌ ସହିତ ଅଙ୍ଗାରକ, ଗନ୍ଧକ ତଥା ବିବିଧ ଧାତବ ପଦାର୍ଥ। ଯାହାର ସ୍ବାସ୍ଥ୍ୟ ପରିବେଶ ପ୍ରଭାବ ଅତି ବ୍ୟାପକ। ଉଦାହରଣ ସ୍ବରୂପ, ଅଙ୍ଗାରକାମ୍ଳ ହେଉଛି ଏକ ନମ୍ବର ସବୁଜଗୃହ ବାଷ୍ପ। ଏହା ବିଶ୍ୱତାପନ ପାଇଁ ଦାୟୀ। ସେହିପରି ଗନ୍ଧକ ଓ ଯବକ୍ଷାରଜାନର ଅକ୍‌ସାଇଡ୍‌ ସମୂହ ଅମ୍ଳ ବୃଷ୍ଟି କରାନ୍ତି। ପୁନଶ୍ଚ ଏହି ବାଷ୍ପ ଦ୍ୱାରା ଆମ ଫୁସ୍‌ଫୁସ୍‌ ସମେତ ସମଗ୍ର ଶ୍ୱାସକ୍ରିୟା ବ୍ୟବସ୍ଥାକୁ କ୍ଷତି ପହଞ୍ଚାନ୍ତି। ଅନ୍ୟପକ୍ଷରେ, କାର୍ବନ ମନୋକ୍‌ସାଇଡ୍‌ ଏକ ବିଷାକ୍ତ ବାଷ୍ପ, ଯାହାକି ଆମ ରକ୍ତରେ ଥିବା ହିମୋଗ୍ଲୋବିନର ଅମ୍ଳଜାନ ବହନ କରିବା ଗୁଣକୁ ନଷ୍ଟ କରିଦିଏ। ଫଳରେ ଆମ ମସ୍ତିଷ୍କଠାରୁ ଆରମ୍ଭ କରି ଅଧିକାଂଶ ଅତ୍ୟାବଶ୍ୟକ ଅଙ୍ଗପ୍ରତ୍ୟଙ୍ଗ ଏଥିରୁ ବଞ୍ଚିତ ହୁଅନ୍ତି। ସେହିପରି ବାୟୁରେ ଭାସମାନ ସୂକ୍ଷ୍ମ କଣିକାଗୁଡ଼ିକ ମଧ୍ୟରୁ ଅନେକ ବିଷାକ୍ତ ହେଲାବେଳେ ସେସବୁ ଆମ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ତାହା ଶ୍ୱାସରୋଗଠାରୁ ଆରମ୍ଭ କରି ହୃଦ୍‌ରୋଗ ଯାଏ ଅନେକ ରୋଗର କାରଣ ଅଟନ୍ତି। ଅନ୍ୟାନ୍ୟ ଜୀବଙ୍କ ଉପରେ ମଧ୍ୟ ଏଗୁଡ଼ିକର ଏତାଦୃଶ ପ୍ରଭାବ ରହିଛି। ପର୍ବପର୍ବାଣି ପାଳନ ଅବସରରେ ଆମେ ଯେତିକି ଅଧିକ ବାଣ ଫୁଟାଇବା ଏ ସମସ୍ୟା ସେତେ ଅଧିକ ହେବ। ଉଦାହରଣ ସ୍ବରୂପ, ବିଗତ ବର୍ଷ ଦୀପାବଳୀ ପରେ ବାୟୁପ୍ରଦୂଷଣ ଲାଗି ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିଥିବା ଆମ ରାଜଧାନୀ ଦିଲ୍ଲୀରେ ଏହାର ସୂଚକାଙ୍କ ଥିଲା ସାଧାରଣ ମାତ୍ରାର ପ୍ରାୟ ୩.୫ ଗୁଣ ଅଧିକ। ପୁନଶ୍ଚ, ତା’ପର ଦିନଠାରୁ କିଛି ଦିନ ଧରି ସେଠାରେ ଡାକ୍ତରଖାନାମାନଙ୍କରେ ବଢ଼ିଯାଇଥିଲା ଶ୍ୱାସରୋଗୀମାନଙ୍କ ସଂଖ୍ୟା। ଆମ ଦେଶର ଅନ୍ୟାନ୍ୟ ବହୁ ପ୍ରମୁଖ ସହର ଓ ନଗରମାନଙ୍କ ଅବସ୍ଥା ମଧ୍ୟ ଥିଲା ତଦନୁରୂପ।
ଧ୍ୱନି ପ୍ରଦୂଷଣ: ଫଟକା ବାଣଗୁଡ଼ିକରୁ ବିବିଧ ବାୟୁ ପ୍ରଦୂଷକ ସଙ୍ଗେ ସଙ୍ଗେ ନିର୍ଗତ ହୋଇଥାଏ ୮୦-୯୦ରୁ ଆରମ୍ଭ କରି ୧୨୦-୧୪୦ ଡେସିବେଲ୍‌ ପର୍ଯ୍ୟନ୍ତ ଉଚ୍ଚ ଧ୍ୱନି। ଏହା ବ୍ୟତୀତ ପୂଜାର୍ଚ୍ଚନା ବେଳେ ଆମେ ସାଧାରଣତଃ ବ୍ୟବହାର କରୁଛେ ଉଚ୍ଚ ଧ୍ୱନି ସଂପନ୍ନ ବିବିଧ ବାଦ୍ୟ ଏବଂ ଡାକବାଜି ଯନ୍ତ୍ର। ଏହି ବାଦ୍ୟଗୁଡ଼ିକରୁ ୯୦ରୁ ୧୪୦ ଏବଂ ଡାକବାଜି ଯନ୍ତ୍ରରୁ ୧୦୦ରୁ ୧୩୦ ଡେସିବେଲ୍‌ ଧ୍ୱନି ସୃଷ୍ଟି ହୋଇଥାଏ। ସାଧାରଣ ଭାବେ ଆମର ଏହାର ସହ୍ୟ କରିବା ସୀମା ହେଲା ୫୦ରୁ ୬୦ ଡେସିବେଲ୍‌। ତହିଁରୁ ଉଚ୍ଚତର ଧ୍ୱନି ଆମ ସ୍ମୃତି ଓ ଶ୍ରବଣ ଶକ୍ତି ହ୍ରାସ, ମୁଣ୍ଡବ୍ୟଥା ଆଦିର କାରଣ ହେଲା ବେଳେ ତାହା ଅଧିକ ହେଲେ ସ୍ତର ଅନୁସାରେ ଛାତିରେ ଯନ୍ତ୍ରଣା, ଚର୍ମରେ ଜ୍ୱଳନ, ପାକସ୍ଥଳୀରେ ଘା, ହୃତ୍‌ସ୍ପନ୍ଦନ ହାର ବୃଦ୍ଧି, ହୃଦ୍‌ରୋଗୀମାନଙ୍କ ଯନ୍ତ୍ରଣା ଆରମ୍ଭ ତଥା ଆମ ଚୟାପୟନରେ ବିଶୃଙ୍ଖଳା ଆଦି ସୃଷ୍ଟି କରେ। ଆଜିକାଲି ସହଜେ ତ’ ଗାଡ଼ି ମୋଟର, କଳକାରଖାନା, ଉଡାଜାହାଜ ଆଦି ଧ୍ୱନି ପ୍ରଦୂଷଣ ଘଟାଇ ଚାଲିଛନ୍ତି, ସେଥିସହିତ ଏହାର ଯୋଗଦାନ ପରିବେଶକୁ ଅଧିକ ବିଷମ କରୁଛି।

ପରିବେଶ ସହାୟକ ପର୍ବପର୍ବାଣି ପାଳନ କରନ୍ତୁ
୧. ମୂର୍ତ୍ତି ତିଆରିରେ ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌, ଥର୍ମୋକୁଲ, ପ୍ଲାଷ୍ଟିକ ଭଳି ଜୈବବିଘଟନକ୍ଷମ ହୋଇ ନ ଥିବା ପଦାର୍ଥ ବଦଳରେ ଛଣ, ମାଟି, କପଡ଼ା, ତୁଳା, ଝୋଟ ଆଦିର ଉପଯୋଗ କରନ୍ତୁ। ବିସର୍ଜନ ସମୟରେ ଏହାକୁ ମାଟିରେ ପୋତିଦେଲେ ତାହା ସହଜରେ ବିଘଟିତ ହୋଇଯିବ ଏବଂ ସେଥିରୁ କମ୍ପୋଷ୍ଟ ମଧ୍ୟ ମିଳିପାରିବ।
୨. ମୂର୍ତ୍ତିର ଆକାର ଛୋଟ କରନ୍ତୁ। ପୁନଶ୍ଚ ଘରେ ଘରେ ତାହା ପୂଜା କରିବା ଅପେକ୍ଷା ସାମାଜିକ ଭାବେ ଏକାଠି କରନ୍ତୁ। ତା’ହେଲେ କମ୍‌ ସଂଖ୍ୟକ ମୂର୍ତ୍ତି ଦରକାର ହେବ।
୩. ପୂଜାସ୍ଥଳକୁ ଆଲୋକରେ ଅତ୍ୟଧିକ ସଜ୍ଜିତ କରନ୍ତୁ ନାହିଁ ଏବଂ ଏଥିପାଇଁ ‘ସିଏଫ୍‌ଏଲ୍‌’ ବଲ୍‌ବ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶକ୍ତି ସଞ୍ଚିତ ହେବ।
୪. ମୂର୍ତ୍ତିରେ କୃତ୍ରିମ ରଙ୍ଗ ନ ଦେଇ ହଳଦୀ, ମେହେନ୍ଦି ଆଦି ପ୍ରାକୃତିକ ରଙ୍ଗ ଦିଅନ୍ତୁ।
୫. ସାଜସଜ୍ଜାରେ ଜୈବବିଘଟନକ୍ଷମ ହୋଇ ନ ଥିବା ପ୍ଲାଷ୍ଟିକ, ଜରିଫୁଲ ଭଳି ପଦାର୍ଥ ବଦଳରେ କାଗଜ, ଝୋଟ, ତାଳପତ୍ର, ପ୍ରାକୃତିକ ଫୁଲ ଆଦି ବ୍ୟବହାର କରନ୍ତୁ।
୬. ଉଚ୍ଚଧ୍ୱନଜ୍‌ିକାରୀ ଡ୍ରମ, ବାଣ, ଡାକବାଜିଯନ୍ତ୍ର ବଦଳରେ ମୃଦଙ୍ଗ, ତାବଲା ଆଦି ବ୍ୟବହାର କରନ୍ତୁ।
୭. ନଦୀନାଳ, ପୁଷ୍କରିଣୀ ବା ହ୍ରଦ ମଧ୍ୟରେ ମୂର୍ତ୍ତି ବିସର୍ଜନ ନ କରି କୃତ୍ରିମ ପୁଷ୍କରିଣୀମାନ ଖୋଳି ସେଥିରେ ତାହା କରନ୍ତୁ।
୮. କାଠ, ପଥର ଇତ୍ୟାଦି ପଦାର୍ଥରେ ମୂର୍ତ୍ତି ନିର୍ମାଣ କରନ୍ତୁ ଏବଂ ତାହାକୁ ମନ୍ତ୍ର ପାଣି ସିଞ୍ଚି ବିସର୍ଜନ କରି ପରବର୍ତ୍ତୀ ବର୍ଷମାନଙ୍କ ପାଇଁ ରଖନ୍ତୁ।
୯. ଅନ୍ୟଙ୍କୁ ଏସବୁ କରିବାର ଉପଯୋଗିତା ସମ୍ପର୍କରେ ସଚେତନ କରନ୍ତୁ।
କ’ଣ ପାଇଁ ସମସ୍ୟା
୧. ଅମ୍ଳବୃଷ୍ଟି- ଗନ୍ଧକ, ଯବକ୍ଷାରଜାନ ଆଦି କେତେକ ଅଧାତୁର ଅକ୍‌ସାଇଡ୍‌ଗୁଡ଼ିକ ଅମ୍ଳଗୁଣଯୁକ୍ତ। ଏହି ବାଷ୍ପମାନେ ବାୟୁମଣ୍ଡଳରେ ଥିବା ଜଳରେ ଦ୍ରବୀଭୂତ ହୋଇ ଅମ୍ଳ ସୃଷ୍ଟି କରନ୍ତି ଏବଂ ବର୍ଷାଜଳରେ ମିଶି ଅମ୍ଳବୃଷ୍ଟି କରନ୍ତି। ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦଙ୍କ ପାଇଁ ଏହା କ୍ଷତିକାରକ।
୨. ଜୈବିକ ଅମ୍ଳଜାନ ଆବଶ୍ୟକତା- ଦୂଷିତ ଜଳରେ ଥିବା ଜୈବିକ ଆବର୍ଜନାକୁ ଜାରଣ ପ୍ରକ୍ରିୟାରେ ବିଘଟିତ କରିବା ପାଇଁ ଆବଶ୍ୟକ ଅମ୍ଳଜାନର ପରିମାଣ। ଜଳ ଯେତେ ଦୂଷିତ ଏ ଆବଶ୍ୟକତା ସେତେ ବେଶି।
୩- ଦ୍ରବୀଭୂତ ଅମ୍ଳଜାନ- ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନକୁ ମାଛ ଭଳି ଜଳଜ ଜୀବମାନେ ଶ୍ୱାସକ୍ରିୟାରେ ବ୍ୟବହାର କରନ୍ତି। ଜଳ ଦୂଷିତ ହୋଇଗଲେ ସେଥିରୁ ଏହା କମିଯାଏ।
୪- ଜୈବ ବିଘଟନକ୍ଷମ ପଦାର୍ଥ- ଯେଉଁସବୁ ପଦାର୍ଥ ପରିବେଶରେ ଥିବା ବୀଜାଣୁ ଦ୍ୱାରା ଅଥବା ଅନ୍ୟାନ୍ୟ ଜୈବିକ ମାଧ୍ୟମରେ ବିଘଟିତ ହୋଇଯାଏ।
୫- ଡେସିବେଲ୍‌- ଧ୍ୱନିର ତୀବ୍ରତାର ମାପ। ଆମେ ଶୁଣିପାରୁଥିବା ସର୍ବନିମ୍ନ ଧ୍ୱନି ୦ (ଶୂନ୍‌) ଡେସିବେଲ୍‌। ବାଣ, ବାଜା ଓ ଡାକବାଜି ଯନ୍ତ୍ରର ଏହା ୧୨୦ ପାଖାପାଖି।
ପରମ୍ପରା ଆମର ଗୌରବ। ପୂଜାପାର୍ବଣ ଆମ ଆଧ୍ୟାତ୍ମିକ ଚେତନାକୁ ଉଦ୍ଦୀପିତ କରିବା ଲାଗି ଅଭିପ୍ରେତ। ଏ ଚେତନା ସାମୂହିକଭାବେ ସମଗ୍ର ଜୀବଜଗତର ଏବଂ ନିର୍ଦ୍ଦିଷ୍ଟଭାବେ ମାନବଜାତିର କଲ୍ୟାଣ ଲାଗି ପ୍ରେରଣା ଦେଇଥାଏ। ଏଣୁ ସମୟ ସହିତ ତାଳଦେଇ ଏସବୁ ପରିମାର୍ଜିତ ହେବା ଦରକାର। ଅତଏବେ ଆମେ ସେ ସବୁକୁ ସମୟୋପଯୋଗୀ ତଥା କଲ୍ୟାଣକାରୀ ମାର୍ଗରେ ପାଳନ କରିବା ସମ୍ଭବ ହେବ। ବିବିଧ ମାନବକୃତ କାର୍ଯ୍ୟକଳାପ ଫଳରେ ଏବେ ପରିବେଶ ଓ ପରିସଂସ୍ଥାର ଦ୍ରୁତ ଅବକ୍ଷୟ ଘଟି ଚାଲିଛି। ଏହି ଧାରାକୁ ରୋକିବା ଆମ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ବଡ଼ ସୁଖର କଥା ଯେ, ଆମ ସରକାର ଉଚ୍ଚଧ୍ୱନିକାରୀ ଡିଜେବାଦ୍ୟ ଏବଂ ଅଧିକ ପ୍ରଦୂଷଣକାରୀ ବିବିଧ ଚାଇନାବାଣ ଉପରେ କଟକଣା ଲଗାଇଛନ୍ତି। ଚାଲନ୍ତୁ ନିଜକୁ ଦାୟିତ୍ୱବାନର ପରିଚୟ ଦେଇ ଆମେ ତାହା ପାଳନ କରିବା ସହିତ ଏହି ଉତ୍ସବଗୁଡ଼ିକୁ ପରିବେଶ ସହାୟକ କରିବା ଦିଗରେ ଅନ୍ୟାନ୍ୟ ଉଚିତ ପଦକ୍ଷେପ ନେବା। ତାହା ହିଁ କେବଳ ଆମର ଏ ପର୍ବପର୍ବାଣି ପାଳନ କରିବାର ଅସଲ ଉଦ୍ଦେଶ୍ୟ ପୂରଣ କରିପାରିବ।
-ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର,
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?