ପରିବେଶ ପାଇଁ ତିନି ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ

ମାନେକା ଗାନ୍ଧୀ

ଜିଲା ବନ ଅଧିକାରୀ ଏବଂ ରେଞ୍ଜରମାନଙ୍କୁ ପରିବେଶ ବିଜ୍ଞାନ (ଇକୋଲୋଜି) ଉପରେ ତାଲିମ ଦିଆଯାଇ ନାହିଁ। ସେମାନେ ଉଦ୍ଭିଦ କିମ୍ବା ପ୍ରାଣୀ ବିଷୟରେ ଜାଣନ୍ତି ନାହିଁ। ବାସ୍ତବରେ ଏ ସମସ୍ତ ସେବା ବନ୍ଦ କରିଦେବା ଉଚିତ କାରଣ ସେମାନେ ଯାହା କରନ୍ତି ତାହା ଏକ ଅଶିକ୍ଷିତ ପ୍ରକାରର ପୋଲିସିଂ ଏବଂ ଅଧିକାଂଶ କ୍ଷେତ୍ରରେ ସେମାନେ ସେତିକି ବି କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ ଅନେକେ ହେଉଛନ୍ତି ଫସଲ ଖାଉଥିବା ବାଡ଼। ସେମାନେ ନିଜ ପଦବୀକୁ ବେଆଇନ ଭାବରେ ଗଛ କାଟିବା ପାଇଁ ବ୍ୟବହାର କରନ୍ତି ଏବଂ ଅନେକେ ପ୍ରାଣୀ ହତ୍ୟାକାରୀ ମାଫିଆଙ୍କ ସହିତ ସମ୍ପର୍କ ରଖିଥାନ୍ତି। ଜଙ୍ଗଲ ବିଭାଗର ସମସ୍ତ ଅମଲାତନ୍ତ୍ର ସାଧାରଣବାଦୀ: ଆଜି ଯଦି ସେମାନେ ଇସ୍ପାତ ସଚିବ କାଲି ଜଙ୍ଗଲ ଓ ବନ୍ୟଜନ୍ତୁ ବିଭାଗର ମୁଖ୍ୟ। ମୁଖ୍ୟ ବନ୍ୟପ୍ରାଣୀ ୱାଡେନ୍‌ମାନେ ଏହି ଚାକିରି ପ୍ରତି ଆକର୍ଷିତ ହୋଇ ଆସନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପରାମର୍ଶ ଦେଇଛନ୍ତି ଯେ, ଆମେ ସମସ୍ତ ବାଘକୁ ଜଙ୍ଗଲରୁ ବାହାର କରି ପ୍ରାଣୀ ଉଦ୍ୟାନ ବା ଚିଡ଼ିଆଖାନାରେ ରଖିବା। ଅନ୍ୟଜଣେ ଚନ୍ଦ୍ରପୁରରେ ସମସ୍ତ ବନ୍ୟ ଘୁଷୁରିଙ୍କୁ ଗୁଳି ମାରି ଭୋକିଲା ବାଘଙ୍କ ବିରୋଧରେ ହତ୍ୟା ୱାରେଣ୍ଟ ବାହାର କରିଥିଲେ। କେରଳ ଓ ତାମିଲନାଡୁର ଜଙ୍ଗଲ ବାବୁମାନେ ହାତୀ ପରି ପ୍ରାଣୀକୁ ମନ୍ଦିର ଦ୍ୱାରା ପିଟିପିଟି ହତ୍ୟା କରାଯିବାରେ କିଛି ଭୁଲ୍‌ ଅଛି ବୋଲି ଭାବନ୍ତି ନାହିଁ। ଜଙ୍ଗଲ ଏବଂ ବନ୍ୟଜନ୍ତୁ ପ୍ରତିଷ୍ଠାନର ପ୍ରଶିକ୍ଷକମାନେ ଏହିଭଳି ତଥାକଥିତ ଜ୍ଞାନୀମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ତେଣୁ ସେମାନେ ଯାହା ଜାଣିଛନ୍ତି (କିଛି ଜାଣନ୍ତି ନାହିଁ) ସେଇଆ ଶିଖାନ୍ତି। ଏହି ସେବା ଦ୍ୱାରା ନିହତ ପ୍ରାଣୀମାନଙ୍କ ସଂଖ୍ୟା ବୋଧହୁଏ ଶିକାରୀମାନେ କରୁଥିବା କ୍ଷତି ସହିତ ସମାନ ହେବ। ଦୁର୍ଭାଗ୍ୟବଶତଃ ଯେହେତୁ ଅଧିକାଂଶ ଜଙ୍ଗଲମନ୍ତ୍ରୀ ଏ କ୍ଷେତ୍ରରେ ଅଜ୍ଞ, ସେମାନେ ଯାହା ବି କରନ୍ତି ତାହା କେବଳ ଜଙ୍ଗଲ, ପରିବେଶ ଓ ପ୍ରାଣୀମାନଙ୍କ ଦୁଃଖର କାରଣ ହୋଇଥାଏ। ମୁଁ ଏପର୍ଯ୍ୟନ୍ତ ଏପରି ଜଣେ ବି ମନ୍ତ୍ରୀଙ୍କୁ ଭେଟି ନାହିଁ, ଯିଏ କି ହାତୀ କରିଡର (ହାତୀଙ୍କ ଚଲାପଥ) ମାନେ କ’ଣ ବୁଝିଛନ୍ତି। ‘ସବୁଠାରୁ ବିଶ୍ୱସ୍ତ’ ରାଜନେତା ସାଧାରଣତଃ ଜଙ୍ଗଲ ମନ୍ତ୍ରୀ ହୁଅନ୍ତି- କାରଣ ସେ ଜଙ୍ଗଲ ମଝିରେ ଏକ ସିମେଣ୍ଟ କାରଖାନା କିମ୍ବା ଏକ ପଞ୍ଚତାରକା ହୋଟେଲ ଭଳି କୌଣସି ‘ବିକାଶମୂଳକ’ ପ୍ରକଳ୍ପର ପ୍ରତିରୋଧ କରନ୍ତି ନାହିଁ। ସେମାନଙ୍କ ମତରେ ଏକ ପ୍ରାକୃତିକ ଜଙ୍ଗଲକୁ ଉଜାଡ଼ି ତା’ ସ୍ଥାନରେ ଗୋଟିଏ ପ୍ରକାର ବୃକ୍ଷରୋପଣ କରାଯାଇପାରିବ ଏବଂ ଜଙ୍ଗଲରେ ଥିବା ପ୍ରାଣୀମାନଙ୍କୁ ପ୍ରାଣୀ ଉଦ୍ୟାନ ବା ଚିଡ଼ିଆଖାନାରେ ରଖାଯାଇପାରିବ।
ଏହି ରାଜନେତା, ଅମଲାତନ୍ତ୍ର ଓ ଜଙ୍ଗଲ ସେବା ‘ଟାଇମପାସର୍‌’ମାନଙ୍କର ପ୍ରିୟ ଲକ୍ଷ୍ୟ ହେଉଛି ବନ୍ୟ ଘୁଷୁରି, ନୀଳଗାଈ ଓ ରିସସ୍‌ ମାଙ୍କଡ। କିନ୍ତୁ ଏ ତିନୋଟି ପ୍ରାଣୀଙ୍କୁ ଜଙ୍ଗଲରୁ ଲୋପ କରିଦେଲେ କ’ଣ ହେବ, ଜାଣନ୍ତି କି?
ଜଙ୍ଗଲ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ ହେଉଛି ବନ୍ୟ ଘୁଷୁରି। ସେ ଏକ ପ୍ରମୁଖ ବୀଜବିକ୍ଷେପକାରୀ। ସେ ହେଉଛି ଏକମାତ୍ର ପ୍ରଜାତି, ଯାହା ବ୍ରାକେନ୍‌ ନାମକ ବଡ଼ ବଡ଼ ଫର୍ନ (ଅପୁଷ୍ପକ ଉଦ୍ଭିଦ ବିଶେଷ)କୁ ଖାଏ। ବନ୍ୟ ଘୁଷୁରି ନ ଥିଲେ ବ୍ରାକେନ୍‌ ଦ୍ୱାରା ଜଙ୍ଗଲ ଏପରି ଆଚ୍ଛାଦିତ ହୋଇଯାନ୍ତା ଯେ, ଆଉ କୌଣସି ମଞ୍ଜିରୁ ଗଛ ଉଠିବା ଓ ବଢ଼ିବା ସମ୍ଭବ ହୁଅନ୍ତା ନାହିଁ। ଇକୋସିଷ୍ଟମ୍‌ (ମୃତ୍ତିକା, ଜଳ, ଉଦ୍ଭିଦ, କବକ ଏବଂ ଜୀବଜନ୍ତୁ) ଉପରେ ବନ୍ୟ ଘୁଷୁରିର ପ୍ରଭାବକୁ ନେଇ ସମସ୍ତ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ପ୍ରଜାତି ପରିବେଶର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ଥଳ ତଥା ଜଳ ଇକୋସିଷ୍ଟମ୍‌ର ବୈଶିଷ୍ଟ୍ୟ ଓ ବିକାଶରେ ଏହାର ବିଶେଷ ଅବଦାନ ରହିଛି। ସେ ମଧ୍ୟ ବାଘ, ସିଂହଙ୍କ ପରି ବଡ଼ ମାଂସାଶୀ ପ୍ରାଣୀଙ୍କ ପାଇଁ ଏକ ପ୍ରମୁଖ ଖାଦ୍ୟ ଉତ୍ସ। ଏହି ସମସ୍ତ କଥାକୁ ଅଣଦେଖା କରାଯାଉଛି ଏବଂ ବନ୍ୟ ଘୁଷୁରିକୁ ଅଦରକାରୀ ପ୍ରାଣୀ ଭାବରେ ବିବେଚନା କରାଯାଉଛି। କୃଷକମାନେ ତାକୁ ମାରି ମାଂସ ଖାଉଛନ୍ତି। ଯେତେବେଳେ ସମସ୍ତ ବନ୍ୟ ଘୁଷୁରି ଶିକାର ଦ୍ୱାରା ନିପାତ ହୋଇଯିବେ, ସେତେବେଳେ ଜଙ୍ଗଲ ଏବଂ ସେଥିରେ ଥିବା ସମସ୍ତ ବାଘ ମଧ୍ୟ ବିଲୁପ୍ତ ହୋଇଯିବେ। ଜଙ୍ଗଲ ମନ୍ତ୍ରୀ ତଥା ବାବୁମାନେ ଏହି ପ୍ରାଣୀର ମହତ୍ତ୍ୱ ମୂଲ୍ୟାଙ୍କନ କରିବାର ସମୟ ଆସିଛି।
ନୀଳଗାଈ ହେଉଛି ବୃହତ୍ତମ ଏସୀୟ ଆଣ୍ଟିଲୋପ୍‌, ଯାହା ହିମାଳୟଠାରୁ ଦକ୍ଷିଣରେ କର୍ନାଟକ ରାଜ୍ୟ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି। ନୀଳଗାଈ ଘାସ, ପତ୍ର, ଫୁଲ, ଫଳ ଖାଏ ଏବଂ ଦୀର୍ଘ ସମୟ ଧରି ପାଣି ବିନା ବଞ୍ଚିପାରେ। ସେମାନେ ଏପରି କି ଭାରତର ଶୁଷ୍କ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲରେ କାଠପରି ଟାଣୁଆ ଟିସୁଯୁକ୍ତ ଗଛ ଖାଆନ୍ତି। ଗୋମହିଷାଦି ପ୍ରାଣୀ ଘାସପତ୍ର ଖାଇ ପଦା କରିଦେଲେ ବା ଘାସପତ୍ର ଖାଇବାକୁ ନ ମିଳିଲେ ନୀଳଗାଈ ଏହାକୁ ସହ୍ୟ କରିପାରେ କାରଣ ସେମାନେ ଗଛର ଉଚ୍ଚ ଶାଖାରୁ ପତ୍ର ଆଦି ଖାଇପାରନ୍ତି ଏବଂ ଭୂପୃଷ୍ଠସ୍ଥ ଉଦ୍ଭିଦ ଉପରେ ନିର୍ଭର କରନ୍ତି ନାହିଁ।
ଯେତେବେଳେ ଏକ ପ୍ରଜାତି ବିପନ୍ନ ବା ବିଲୁପ୍ତ ହୋଇଯାଏ, ସେତେବେଳେ ଏହା ଖାଦ୍ୟ ଶୃଙ୍ଖଳରେ ଥିବା ଚେକ୍‌ ଆଣ୍ଡ୍‌ ବାଲାନ୍ସ ବ୍ୟବସ୍ଥାକୁ ନଷ୍ଟ କରିଦିଏ। ଯଦି ନୀଳଗାଈ ରହିବ ନାହିଁ, ସେମାନେ ଯେଉଁ ତୃଣଭୂମିରେ ଚରନ୍ତି ତାହା ବହୁତ ବୃଦ୍ଧି ପାଇବ। ୧୯୯୪ ମସିହାରେ ହୋଇଥିବା ଏକ ଅଧ୍ୟୟନରୁ ଯମୁନା ନଦୀ ଉପତ୍ୟକାରେ ପରିବେଶ ଉପରେ ନୀଳଗାଈର ଅବଦାନ କ’ଣ ତାହା ଜଣାପଡ଼ିଥିଲା। ଗ୍ରୀଷ୍ମ ଋତୁରେ ଆଣ୍ଟିଲୋପ୍‌ର ମଳଗୁଡ଼ିକରେ ପ୍ରାୟ ୧.୬ ପ୍ରତିଶତ ନାଇଟ୍ରୋଜେନ୍‌ ରହିଥାଏ, ଯାହା ମାଟିର ଗୁଣବତ୍ତା ୩୦ ସେଣ୍ଟିମିଟର ଗଭୀରତା ପର୍ଯ୍ୟନ୍ତ ବଢ଼ାଇଦେଇଥାଏ। ସେମାନଙ୍କ ମଳରେ ଥିବା ମଞ୍ଜିଗୁଡ଼ିକ ସହଜରେ ଗଜା ହୋଇଥାଏ ଏବଂ ଏହା ବନୀକରଣରେ ସାହାଯ୍ୟ କରେ।
ହିମାଚଳ ପ୍ରଦେଶ ପରି ରାଜ୍ୟଗୁଡ଼ିକ ମାଙ୍କଡ଼ମାନଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠୁର ଏବଂ ସେମାନେ ଗତ ଦଶବର୍ଷ ମଧ୍ୟରେ ହଜାର ହଜାର ମାଙ୍କଡ଼ଙ୍କୁ ହତ୍ୟା କରିଛନ୍ତି। ଖାଦ୍ୟ ଶୃଙ୍ଖଳରେ ମାଙ୍କଡମାନେ ହେଉଛନ୍ତି ଶିକାର, ଶିକାରୀ ଏବଂ ପାରସ୍ପରିକବାଦୀ ପ୍ରଜାତି ଏବଂ ସେମାନେ ଇକୋସିଷ୍ଟମ୍‌ର ଗଠନ, କାର୍ଯ୍ୟ ଓ ସ୍ଥିରତାକୁ ପ୍ରଭାବିତ କରନ୍ତି। ସେମାନଙ୍କର ବିବର୍ତ୍ତନ, ଫିଡିଂ ଇକୋଲୋଜି ଏବଂ ଭୌଗୋଳିକ ଆବଣ୍ଟନ ସପୁଷ୍ପକ ଉଦ୍ଭିଦ, ଔଷଧୀୟ ଉଦ୍ଭିଦ, ବୁଦାଜାତୀୟ ଉଦ୍ଭିଦ, ଘାସ ଏବଂ ଅଧିକାଂଶ ଗଛର ବିବିଧତା ସହିତ ଘନିଷ୍ଠ ଭାବରେ ଜଡିତ, ଯାହା ଅନେକ ପ୍ରାଣୀ ଓ ମଣିଷଙ୍କ ପାଇଁ ଖାଦ୍ୟର ମୂଳ ଉତ୍ସ। ମାଙ୍କଡ଼ମାନେ ଅତ୍ୟଧିକ ଫଳାହାରୀ। ସେମାନେ ଫଳ ଖାଇ ଜଙ୍ଗଲ ସାରା ଏଣେ ତେଣେ ମଞ୍ଜି ପକାଇଥାନ୍ତି। ସମାନେ ଯଦି ଏପରି ଭାବେ ବୀଜବିକ୍ଷେପ କରୁ ନ ଥାନ୍ତେ, ତେବେ ଉଦ୍ଭିଦ ସଂଖ୍ୟା ଓ ସେମାନଙ୍କର ଜିନୀୟ ବିବିଧତା ରହନ୍ତା ନାହିଁ। ଉଦାହରଣସ୍ବରୂପ ଉତ୍ତର ଥାଇଲାଣ୍ଡରେ ବ୍ୟାପକ ଗିବନ୍‌ ଶିକାର ଯୋଗୁ ଲାପ୍ସୀ ଗଛର ସଂଖ୍ୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା କାରଣ ଏହି ଗଛର ବଂଶବୃଦ୍ଧି ଗିବନ୍‌ଙ୍କ ଦ୍ୱାରା ବୀଜବିକ୍ଷେପ ଉପରେ ନିର୍ଭର କରେ। ଫେବୃୟାରୀରେ ଓରିକ୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, କଙ୍ଗୋରେ ଅନେକ ଗଛ ଓ ଉଦ୍ଭିଦ ପ୍ରଜାତି ବୀଜବିକ୍ଷେପ ପାଇଁ କେବଳ ମାଙ୍କଡ ଉପରେ ନିର୍ଭର କରନ୍ତି। ଯଦି ମାଙ୍କଡ଼ ବଂଶ ବୁଡ଼ିଯାଏ, ତେବେ ଅନେକ ଉଦ୍ଭିଦ ମଧ୍ୟ ଲୋପ ପାଇଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।
ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ ଫର ଇଭଲ୍ୟୁଶନାରୀ ଆନ୍ଥ୍ରୋପୋଲୋଜିର ଜୈବ ବିଜ୍ଞାନୀ ଡେଭିଡ୍‌ ବିଉନେଙ୍କ ଦ୍ୱାରା ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ମାଙ୍କଡ଼ମାନେ ପ୍ରତିଦିନ ପ୍ରାୟ ୩.୫ ଘଣ୍ଟା ଖାଇଥାନ୍ତି ଏବଂ ଖାଇବା ସ୍ଥାନରୁ ମଳତ୍ୟାଗ କରିବା ଭିତରେ ୧.୨ କିଲୋମିଟର ଦୂର ଯାତ୍ରା କରନ୍ତି। ମାଙ୍କଡ଼ର ଏଠାରେ ଦୁଇଟି ମୁଖ୍ୟ ଭୂମିକା ରହିଛି। ଅନେକ ମଞ୍ଜି ଅଛି ଯାହାକୁ କୌଣସି ପ୍ରାଣୀ ଖାଇଲେ ତାହା ପେଟ ଭିତରେ ହଜମ ହୁଏ ନାହିଁ। କିନ୍ତୁ ପେଟରେ ଥିବା ଏସିଡ୍‌ ଦ୍ୱାରା ତାହା ଉପର କଠିନ ବାହ୍ୟ ଆବରଣଟି ଦୁର୍ବଳ ହୋଇଯାଏ। ପ୍ରାଣୀଟି ମଳତ୍ୟାଗ କଲେ ମଳବାଟେ ସେହି ମଞ୍ଜି ବାହାରି ମାଟିରେ ପଡ଼ିଲେ ଅନୁକୂଳ ପରିସ୍ଥିତିରେ ସେଥିରୁ ଅଙ୍କୁରୋଦ୍‌ଗମ ହୁଏ। ପ୍ରାଣୀର ପେଟ ଭିତରକୁ ଯାଇ ମଞ୍ଜିର ଖୋଳପାଟି ଦୁର୍ବଳ ହୋଇ ନ ଥିଲେ ତାହା ମାଟିରେ ପଡ଼ିଲେ ବି ପରିବେଶରୁ ଜଳ ଓ ଖାଦ୍ୟସାର ଆଦି ଅବଶୋଷଣ କରିପାରି ନ ଥାନ୍ତା କି ଗଜା ହୋଇ ନ ଥାନ୍ତା।
ଦ୍ୱିତୀୟତଃ ଅନେକ ମଞ୍ଜି ସେହି ଗଛର ମୂଳରେ ପଡ଼ିଲେ ଗଜା ହୋଇ ବଢ଼ିପାରିବ ନାହିଁ। ତେଣୁ ବୀଜବିକ୍ଷେପ ବା ମଞ୍ଜି ଗଛର ମୂଳରୁ ଦୂର ସ୍ଥାନରେ ଯାଇ ପଡ଼ିବାର ଆବଶ୍ୟକତା ରହିଛି। ମାଙ୍କଡ଼ ଏହି ଦୁଇଟି କାମ କରେ, ଅର୍ଥାତ୍‌ ଫଳକୁ ଖାଇବା ଭିତରେ ମଞ୍ଜିକୁ ଏଣେତେଣେ ପକାଇ ବୀଜବିକ୍ଷେପ କରେ, ପୁଣି ଫଳ ଖାଇ ପେଟ ଭିତରେ ମଞ୍ଜିକୁ ଅଙ୍କୁରୋଦ୍‌ଗମକ୍ଷମ କରିବା ସହ ସେହି ମଞ୍ଜିକୁ ଦୂର ସ୍ଥାନରେ ପକାଇ ବୃକ୍ଷବଂଶ ବୃଦ୍ଧିରେ ସାହାଯ୍ୟ କରେ। ଦୁର୍ଭାଗ୍ୟବଶତଃ ମାଙ୍କଡ଼ମାନେ କ୍ରମାଗତ ଭାବରେ ଶିକାର ଏବଂ ସରକାରୀ ହତ୍ୟାର ସମ୍ମୁଖୀନ ହେଉଛନ୍ତି। ମାଙ୍କଡ଼ ବଂଶ ଲୋପ ପାଇଲେ ଅନେକ ଉଦ୍ଭିଦ ପ୍ରଜାତି ଲୋପ ପାଇଯିବ ଏବଂ ପରିବେଶ ଉପରେ ଏହାର ବ୍ୟାପକ କୁପ୍ରଭାବ ପଡ଼ିବ। ଏହି ଅବସ୍ଥାକୁ କୁହାଯାଉଛି ‘empty forest syndrome’- ଜଙ୍ଗଲ ଥାଇପାରେ, କିନ୍ତୁ ଏହାର ଜୈବବିବିଧତା ସ୍ତର ନଷ୍ଟ ହୋଇଯିବ। ଭାରତରେ ସେପରି ଅନେକ ଜଙ୍ଗଲ ଅଛି, ଯଥା- ବୃନ୍ଦାବନ, ଯେଉଁଠାରେ ମାଙ୍କଡ଼ମାନେ ଅଦୃଶ୍ୟ ହୋଇଯାଇଛନ୍ତି ଏବଂ ଅନ୍ୟାନ୍ୟ ଜୀବନ ମଧ୍ୟ।

ଇମେଲ୍‌:gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri