ପରିବା: ସରକାରଙ୍କ ତଥ୍ୟ ନାହିଁ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଓଡ଼ିଶାରେ ଯେତିକି ପରିବା ଉତ୍ପାଦନ ହେଉଛି, ତା’ଠାରୁ ବହୁତ ଅଧିକ ପନିପରିବା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି। କହିବାକୁ ଗଲେ ପ୍ରାୟତଃ ସମସ୍ତ ପରିବା ବାହାର ରାଜ୍ୟରୁ ହିଁ ଆସୁଛି। ବଡ଼ବଡ଼ ହାଟ ଏବଂ ପରିବା ମାର୍କେଟରେ ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ଆସି ଲାଗୁଥିବା ପରିବା ବୋଝେଇ ଟ୍ରକ ଦେଖିଲେ ଏହା ସ୍ପଷ୍ଟ ବୁଝାପଡ଼େ। ରାଜ୍ୟର ଜନସଂଖ୍ୟା ଅନୁଯାୟୀ ମୁଣ୍ଡ ପିଛା ପରିବାର ଆବଶ୍ୟକତା ଯେତିକି ରହିଛି, ତା’ଠାରୁ ବହୁତ ଅଧିକ ଓଡ଼ିଶାରେ ଉତ୍ପାଦନ ହେଉଛି ବୋଲି ସରକାର ତଥ୍ୟ ରଖିଛନ୍ତି। ତଥାପି ବାହାର ରାଜ୍ୟରୁ ଦୈନିକ ଅନେକ ଶହ ମେଟ୍ରିକ ଟନ୍‌ ପରିବା ଆମଦାନୀ କାହିଁକି ହେଉଛି ତାହା କୌଣସି ସରକାରୀ ସ୍ତରରେ ଜଣାନାହିଁ।
୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ ଲୋକ ସଂଖ୍ୟା ୪କୋଟି ୫୯ଲକ୍ଷ ବୋଲି ହିସାବ କରାଯାଉଛି। ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିକାରୀମାନେ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ତଥ୍ୟ ଅନୁଯାୟୀ ଦର୍ଶାଇଛନ୍ତି, ରାଜ୍ୟରେ ଜଣେ ବ୍ୟକ୍ତିର ମୁଣ୍ଡ ପିଛା ଦୈନିକ ୩୦୦ ଗ୍ରାମ୍‌ ପରିବା ଆବଶ୍ୟକ। ସେଥିପାଇଁ ଓଡ଼ିଶାରେ ବର୍ଷକୁ ମୋଟ ୪୪.୪୪ ଲକ୍ଷ ମେଟ୍ରିକ ଟନ୍‌ ପରିବାର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟରେ ୯୦.୩୭ ଲକ୍ଷ ମେଟ୍ରିକ ଟନ୍‌ ପରିବା ଉତ୍ପାଦନ କରାଯାଉଛି, ଯେଉଁଥିରୁ ୯.୨୧ ଲକ୍ଷ ମେଟ୍ରିକ ଟନ୍‌ ପରିବା ନଷ୍ଟ ହୋଇ ୮୧.୧୬ ଲକ୍ଷ ମେଟ୍ରିକ ଟନ୍‌ ରହୁଛି। ତେଣୁ ରାଜ୍ୟରେ ପାଖାପାଖି ୧୦ ପ୍ରତିଶତ ପରିବା ନଷ୍ଟ ହୋଇଯାଉଛି। ଅର୍ଥାତ୍‌ ରାଜ୍ୟରେ ଆବଶ୍ୟକତାଠାରୁ ୩୬.୭୨ ଲକ୍ଷ ମେଟ୍ରିକ ଟନ୍‌ ପରିବା ବଳକା ରହୁଛି ବୋଲି ସରକାର ତଥ୍ୟ ରଖିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ସର୍ବମୋଟ ୧୭.୨୦ ମେଟ୍ରିକ ଟନ୍‌ ଛତୁ ଚାଷ ହେଉଥିବା ବେଳେ ଭେଣ୍ଡି ୫୬୬.୦୯ ମେଟ୍ରିକ ଟନ୍‌, ପିଆଜ ୩୭୩.୮୯ ମେଟ୍ରିକ୍‌ ଟନ୍‌, ପୋଟଳ ୨୪.୨୮ ମେଟ୍ରିକ ଟନ୍‌, ଆଳୁ ୨୯୪.୧୮ ମେଟ୍ରିକ୍‌ ଟନ୍‌, ମୂଳା ୧୩୬.୫୨ ମେଟ୍ରିକ୍‌ ଟନ୍‌, ଶାଗ ୨୩୫.୦୪ ମେଟ୍ରିକ୍‌ ଟନ୍‌, କନ୍ଦମୂଳ ୩୭୮.୩୩ ମେଟ୍ରିକ୍‌ ଟନ୍‌, ଟମାଟୋ ୧୩୧୨.୦୮ ମେଟ୍ରିକ୍‌ ଟନ୍‌, କଲରା ୧୦୬.୫୮ ମେଟ୍ରିକ ଟନ୍‌, ବାଇଗଣ ୨୦୦୯.୪୦ ମେଟ୍ରିକ୍‌ ଟନ୍‌, ବନ୍ଧାକୋବି ୧୦୫୮.୭୮ମେଟ୍ରିକ୍‌ ଟନ୍‌, କ୍ୟାପସିକମ୍‌ ୭.୦୦ ମେଟ୍ରିକ ଟନ୍‌, ଫୁଲକୋବି ୬୧୭.୩୩ ମେଟ୍ରିକ ଟନ୍‌, କଖାରୁ ୪୫୮.୨୯ ମେଟ୍ରିକ ଟନ୍‌ ଇତ୍ୟାଦି ପରିବା ଉତ୍ପାଦନ କରାଯାଉଛି। ଅର୍ଥାତ୍‌ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ସବୁଠାରୁ ଅଧିକ ବାଇଗଣ ଉତ୍ପାଦନ ହେଉଛି। ଏହାପରେ ଟମାଟୋ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଉତ୍ପାଦନ ହେଉଥିବା ପରିବା। ଏହାଛଡା ବନ୍ଧାକୋବି, ଫୁଲକୋବି, ଭେଣ୍ଡି ଏବଂ କଖାରୁ ଆଦି ରାଜ୍ୟରେ ଅଧିକ ଉତ୍ପାଦନ ଥିଲେ ମଧ୍ୟ ତାକୁ ପ୍ରକ୍ରିୟାକରଣ କରିବାର କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପଟେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପ୍ରତିଦିନ ଶହଶହ ଟ୍ରକ ମାଧ୍ୟମରେ ବାହ୍ୟ ରାଜ୍ୟରୁ ବିଭିନ୍ନ ପ୍ରକାର ପରିବା ବୁହାହୋଇ ଆସୁଥିବାର ସମସ୍ତେ ଦେଖୁଛନ୍ତି। ଧରିତ୍ରୀ ପକ୍ଷରୁ ଏହାର ତଥ୍ୟ ଜାଣିବା ପାଇଁ ଉଦ୍ୟମ କରାଯାଇ ଜଣାପଡ଼ିଲା ଯେ, ରାଜ୍ୟ ସରକାରଙ୍କ ପାଖରେ ଏନେଇ ନିର୍ଦ୍ଦିଷ୍ଟ କୌଣସି ତଥ୍ୟ ନାହିଁ। କିନ୍ତୁ ଜଣେ ସରକାରୀ ଅଧିକାରୀଙ୍କ କହିବା କଥା, ଟମାଟୋ ଏକ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟରେ ଅଧିକ ଉତ୍ପାଦନ ହେଉଛି। ବର୍ଷଓ୍ବାରି ଟମାଟୋ ଏହିଭଳି ଉତ୍ପାଦନ ହେଉନାହିଁ। ସେହିପରି ରାଜ୍ୟରେ କୋବି ଅଧିକା ଉତ୍ପାଦନ ହେଉଥିଲେ ମଧ୍ୟ ଟମାଟୋ ଭଳି ଅବସ୍ଥା। ନିର୍ଦ୍ଦିଷ୍ଟ ଋତୁରେ ଏହିସବୁ ଫସଲ ରାଜ୍ୟରେ ଅଧିକ ହେଉଛି। ବର୍ଷସାରା କିପରି ଚାଷୀ ସବୁ ପ୍ରକାର ପରିବା ଚାଷ କରିବେ ସେନେଇ ସରକାରୀସ୍ତରରେ ସେମାନଙ୍କୁ ମଧ୍ୟ ବୁଝାଯାଇ ପାରୁନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ମୋଟ ୬୬୩.୫୨ ହେକ୍ଟର ଜମିରେ ପରିବା ଚାଷ କରାଯାଉଥିବା ଜଣାପଡିଛି। ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟରେ ପରିବା ଚାଷ ପାଇଁ ସେପରି କିଛି ବଡ଼ଧରଣର ବ୍ୟବସ୍ଥା ରଖିନାହାନ୍ତି। କେବଳ ସଙ୍କର ଜାତୀୟ ପରିବା ଉତ୍ପାଦନ ପାଇଁ ହେକ୍ଟର ପିଛା ମାତ୍ର ୨୦ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ରଖିଛନ୍ତି।
ଅନ୍ୟପଟେ ବିଭିନ୍ନ ପ୍ରକାର ପରିବା ଉତ୍ପାଦନରେ ଆମ ରାଜ୍ୟ ଦେଶରେ କେତେ ନମ୍ବର ସ୍ଥାନରେ ରହିଛି, ସେନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ସେହିପରି ବାଇଗଣ ଏବଂ ବନ୍ଧାକୋବି ଉତ୍ପାଦନରେ ଓଡ଼ିଶା ଦେଶରେ ଦୁଇ ନମ୍ବର ସ୍ଥାନରେ ରହିଥିବା ବେଳେ ଫୁଲକୋବି ଉତ୍ପାଦନରେ ୬ ନମ୍ବର, ଟମାଟୋ ଉତ୍ପାଦନରେ ୫ ନମ୍ବର ସ୍ଥାନରେ ରହିଛି। ରାଜ୍ୟରେ ପରିବା ଚାଷ ଏତେ ଭଲ ହେଉଥିବା କଥା କୃଷି ନିର୍ଦ୍ଦେଶାଳୟ ତଥ୍ୟ ଦର୍ଶାଉଥିଲେ ମଧ୍ୟ ବାହାର ରାଜ୍ୟରୁ ଦୈନିକ କେତେ ପରିବା ଆମଦାନୀ ହେଉଛି ସେନେଇ ସରକାର ତଥ୍ୟ ରଖି ନ ଥିବା କହୁଛନ୍ତି।
ଭାଜପା ସଦସ୍ୟ ମୋହନ ଚରଣ ମାଝି ପଚାରିଥିବା ତାରକା ପ୍ରଶ୍ନ ସଂଖ୍ୟା ୨୭୨ର ଲିଖିତ ଉତ୍ତରରେ ସମବାୟ ମନ୍ତ୍ରୀ ୧୭ା୭ା୧୯ରେ କହିଛନ୍ତି, ରାଜ୍ୟରେ ଆଳୁର ଚାହିଦା ୧୨.୭୦ ଲକ୍ଷ ମେଟ୍ରିକ ଟନ୍‌ ରହିଛି। କିନ୍ତୁ ବର୍ଷକରେ ଉତ୍ପାଦନ ହେଉଛି ୨.୯୪ ଲକ୍ଷ ମେଟ୍ରିକ ଟନ୍‌। ପଶ୍ଚିମବଙ୍ଗରୁ ଆଳୁ ଅଣାଯାଉଛି। ଉତ୍ତରରେ ଆହୁରି କୁହାଯାଇଛି ଯେ, ପିଆଜର ଚାହିଦା ରାଜ୍ୟରେ ବର୍ଷକୁ ୩.୪୧ ମେଟ୍ରିକ ଟନ୍‌ ଥିବା ବେଳେ ଉତ୍ପାଦନ ହେଉଛି ୩.୭୪ ମେଟ୍ରିକ ଟନ୍‌। ପ୍ରାୟତଃ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ନାଟକରୁ ପିଆଜ ଆମଦାନୀ କରାଯାଉଥିବା ଜଣାପଡିଛି। ଜାତୀୟ ସର୍ବେକ୍ଷଣ ସଂସ୍ଥା (ଏନ୍‌ଏସ୍‌ଏସ୍‌) ଏହାର ଆକଳନ କରିଥାଏ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ବାସ୍ତବରେ ଏହା ଏନ୍‌ଏସଏସ କରିଥାଏ। ଏନ୍‌ଏସ୍‌ଏସ୍‌ କେଉଁପରି ତଥ୍ୟ ରଖୁଛି ତାହାର କୌଣସି ସନ୍ଧାନ ମିଳିପାରିନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼େ।
ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ବଜେଟ୍‌ରେ କୃଷି ନିମନ୍ତେ ଏକ ସ୍ବତନ୍ତ୍ର ବଜେଟ ଓଡ଼ିଶା ପ୍ରସ୍ତୁତ କରୁଛି ବୋଲି କହି ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ସରକାର ବୋଧହୁଏ କେବଳ ଧାନକୁ କୃଷି ଭାବେ ହିସାବକୁ ନେଉଛନ୍ତି। ଏହା ଫଳରେ ପରିବା ଉତ୍ପାଦନ ସମ୍ପୂର୍ଣ୍ଣଭାବେ ଅବହେଳିତ ହୋଇ ପଡିରହିଛି। କୃଷି ପାଇଁ ଏଥର ମୋଟ ୮୮୭୪ କୋଟି ୫୨ଲକ୍ଷ ୩୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। କୃଷି ବଜେଟରେ ସରକାର ପନିପରିବା ଚାଷ ପାଇଁ ବିଭିନ୍ନ ଯୋଜନାରେ ବହୁତ କମ୍‌ ଅର୍ଥ ବରାଦ କରିଥିବା ଜଣାପଡିଛି। ଏନ୍‌ଏଚ୍‌ଏମ୍‌(ନ୍ୟାଶନାଲ ହର୍ଟିକଲଚର୍‌ ମିଶନ) ପାଇଁ ୧୧୫୩୪.୪୩ଲକ୍ଷ ଟଙ୍କା ସରକାର ଅନୁମୋଦନ କରିଛନ୍ତି। ସେଥିରୁ ସଙ୍କର ଜାତୀୟ ପରିବା ଚାଷ ଲାଗି ୭ ହଜାର ହେକ୍ଟର ଜମି ପାଇଁ ୧୪୦୦.୦୦ ଲକ୍ଷ ଟଙ୍କା ବ୍ୟୟ ବରାଦ ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିଓ୍ବାଇ)ରେ ଚାଷ ପାଇଁ ବର୍ତ୍ତମାନ ବଜେଟ୍‌ରେ ଅର୍ଥ ବରାଦ ରହିଛି ନା ନାହିଁ, ସେନେଇ କୌଣସି ସୂଚନା ନ ଥିବା ସରକାରୀ ଅଧିକାରୀଙ୍କ ଠାରୁ ଜଣାପଡିଛି। ସେହିପରି ନନ୍‌ ମିଶନ ଯୋଜନାରେ ମୋଟ ୯୬ଲକ୍ଷ ଟଙ୍କାର ବ୍ୟୟ ବରାଦ ରଖାଯାଇଛି। ଅର୍ଥାତ୍‌ ସରକାର ଏଥର ବଜେଟରେ ପରିବା ଚାଷ ପାଇଁ ପାଖାପାଖି ୧୧୬ କୋଟି ଟଙ୍କା ରଖିଛନ୍ତି।
ପରିବା ବଜାର ସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ସରକାରୀ ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ ଦିଆଯାଉଛି। ଟମାଟୋ, ଭେଣ୍ଡି, ଆଳୁ, ବାଇଗଣ, ପିଆଜ, ପୋଟଳ, କାଙ୍କଣ, ବନ୍ଧାକୋବି, ଫୁଲକୋବି, ସଜନା ଛୁଇଁ ଆଦି ସବୁ ବାହାରୁ ଆସୁଛି। ଯଦି ସରକାରୀ ତଥ୍ୟ ଅନୁସାରେ ଉତ୍ପାଦନ ଅନୁଯାୟୀ ଆମ ରାଜ୍ୟରେ ପରିବା ବଳୁଛି ତେବେ ବାହାର ରାଜ୍ୟରୁ କାହିଁକି ଆମଦାନୀ କରିବାର ଆବଶ୍ୟକ ପଡୁଛି, ସରକାର ତା’ର ନିର୍ଦ୍ଦିଷ୍ଟ ଉତ୍ତର ରଖନ୍ତୁ। ପରିବା ଉତ୍ପାଦନ ସମ୍ପର୍କରେ ସରକାରୀ ଅଧିକାରୀମାନେ ଘରେ ବସି ଭୁଲ୍‌ ହିସାବ ଦେଉଛନ୍ତି, ନ ହେଲେ ତଳସ୍ତରକୁ ଯାଇ ତଥ୍ୟ ଆଣୁନାହାନ୍ତି। କଖାରୁ, ଆଳୁ ପଶ୍ଚିମବଙ୍ଗରୁ ଆସୁଛି। ଆଳୁ ମିଶନ ପୂରାପୂରି ଫେଲ୍‌ ମାରିଛି। କେବଳ ସିଜିନ୍‌ ସମୟରେ କୋବି, ଟମାଟୋ ବାହାରକୁ ଆମର ରାଜ୍ୟରୁ ଯାଉଛି ବୋଲି ସେ କହିଛନ୍ତି।
ଶେଷରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧୬ କୋଟି ଟଙ୍କା କେଉଁଠାରେ ବିନିଯୋଗ ହେଉଛି ତାହା ଜାଣିବା ସମ୍ଭବପର ହେଉନାହିଁ। ଅପରପକ୍ଷରେ ବାସ୍ତବ ପରିସ୍ଥିତିକୁ ଦେଖିଲେ ସବୁଦିନ ବାହ୍ୟ ରାଜ୍ୟକୁ ଓଡ଼ିଶାର ଅର୍ଥ ପଳାଇଯାଉଛି। ଗୋଟିଏ ପଟେ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଅନ୍ୟପଟେ ସରକାରୀ ରାଜକୋଷରୁ ଅର୍ଥର ଅପବ୍ୟବହାର ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri