ପରା, ଅପରା ବିଦ୍ୟା

ଶ୍ରୀବତ୍ସ ନାୟକ

ଶିକ୍ଷାର୍ଥୀମାନଙ୍କର ମାନସିକ, ଭୌତିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ବିକାଶ କରିବା ଏବଂ ତତ୍‌ ସଙ୍ଗେ ସଙ୍ଗେ ଆର୍ଥିକ ପ୍ରଗତି ଓ ସାମାଜିକ ଉନ୍ନତି ମାଧ୍ୟମରେ ଏକ ସୁସ୍ଥ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ନିମନ୍ତେ ଭାରତବର୍ଷରେ ପ୍ରାଚୀନ କାଳରୁ ଏକ ସୁଦୃଢ଼, ସୁଚିନ୍ତିତ, ସୁସଂଗଠିତ ଓ ସୁସଂଯତ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହୋଇଆସୁଛି। ଏହି ଶିକ୍ଷା ବ୍ୟବସ୍ଥା ଦୁଇଟି ତତ୍ତ୍ୱ ଉପରେ ଆଧାରିତ ଥିଲା ଯଥା ପରା ବିଦ୍ୟା (ପରା ପ୍ରକୃତିରୁ ଜାତ) ଓ ଅପରା ବିଦ୍ୟା(ଅପରା ପ୍ରକୃତିରୁ ଜାତ)। ପରା ବିଦ୍ୟା ଚେତନତତ୍ତ୍ୱ (ଆଧ୍ୟାତ୍ମିକ ବିଦ୍ୟା, ବୁଦ୍ଧି, ମନ, ଚିତ୍ତ, ଆତ୍ମତତ୍ତ୍ୱ ଇତ୍ୟାଦି) ଉପରେ ଏବଂ ଅପରା ବିଦ୍ୟା(ଚିକିତ୍ସାଶାସ୍ତ୍ର, ଯୁଦ୍ଧଶାସ୍ତ୍ର, ବିଜ୍ଞାନ, ବାଣିଜ୍ୟ, ଗଣିତ ବିଦ୍ୟା, ଭୂତତ୍ତ୍ୱ ବିଦ୍ୟା, ପ୍ରାଣୀ ବିଦ୍ୟା, ଉଦ୍ଭିଦ ବିଦ୍ୟା, ବ୍ୟବହାରିକ ବିଦ୍ୟା, ଅର୍ଥଶାସ୍ତ୍ର, କୃଷି ଓ ଗୋପାଳନ ଇତ୍ୟାଦି) ଭୌତିକ ବିଦ୍ୟା ବା ଜଡତତ୍ତ୍ୱ ଉପରେ ପର୍ଯ୍ୟବସିତ। ଜଡ଼ବସ୍ତୁ ଭାବେ ରକ୍ତ, ମାଂସ, ହାଡ଼, ବାୟୁ, ପାଣି ସ୍ନାୟୁ, ମାଂସପେଶୀକୁ ନେଇ ମଣିଷ ଶରୀର ତିଆରି ହୋଇଥିବାବେଳେ, ତା’ ମଧ୍ୟରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଈଶ୍ୱରୀୟ ସତ୍ତା ଭାବେ ଚେତନାର ଇନ୍ଦ୍ରିୟ ଲୁକ୍କାୟିତ ଭାବେ ଅଛି। ଏହି ଜଡ଼ଶରୀର ଓ ଚେତନାର ସତ୍ତାର ସମିଶ୍ରଣରେ ଏକ ମନୁଷ୍ୟ ଜୀବନ ସମ୍ଭବପର ହୋଇଥାଏ। ଜଡ଼ ଶରୀର ପାଇଁ ଯେଉଁଭଳି ଜଡ ତତ୍ତ୍ୱର ଗୁରୁତ୍ୱ ରହିଛି ଅନୁରୂପ ଭାବେ ଚେତନାର ସତ୍ତା ନିମନ୍ତେ ଚେତନ ତତ୍ତ୍ୱର ଆବଶ୍ୟକ ରହିଛି। ତେଣୁ ଏକ ସୁସ୍ଥ ଓ ପୂର୍ଣ୍ଣାଙ୍ଗ ବ୍ୟକ୍ତି ନିମନ୍ତେ ଉଭୟ ବିଦ୍ୟା ଅପରିହାର୍ଯ୍ୟ। ପୁରାଣ ଶାସ୍ତ୍ର ଅନୁସାରେ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ରଙ୍କୁ ମହର୍ଷି ବଶିଷ୍ଠ ପରା ବିଦ୍ୟା ଶିକ୍ଷା ଦେଇଥିବାବେଳେ ମହର୍ଷି ବିଶ୍ୱାମିତ୍ର ଅପରା ବିଦ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଫଳରେ ଶ୍ରେଷ୍ଠ ପୁରୁଷର ଆଖ୍ୟା ବହନ କରିଥିଲେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର। ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ମାନବଜାତି ଅପରା ବିଦ୍ୟା ଅଧ୍ୟୟନ କରି ଉଗ୍ର ଆଧୁନିକତାର ଚରମ ସୀମାରେ ପହଞ୍ଚତ୍ସାରିଛି, ଅସମ୍ଭବ ମନେହେଉଥିବା କାର୍ଯ୍ୟକୁ ସମ୍ଭବପର କରିଛି, ବିଜ୍ଞାନର ଗ୍ରାହକ ବନିଯାଇ ଦିନକୁ ଦିନ ନୂତନତ୍ୱର ସନ୍ଧାନରେ ମତୁଆଲା ହେଉଛି, ମହାକାଶ ଉପରେ ଗବେଷଣା କରୁଛି, କୃଷି କ୍ଷେତ୍ରରେ ଜୈବିକ ସାର ଓ ବିହନର ପ୍ରୟୋଗକରି କମ୍‌ ସମୟରେ ଅଧିକ ଉତ୍ପାଦନକ୍ଷମ ହୋଇପାରିଛି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମାତ୍ରାଧିକ ପ୍ରୟୋଗ କରି ଶିଳ୍ପ, ସ୍ବାସ୍ଥ୍ୟ ଓ ଗମନାଗମନ ଆଦି କ୍ଷେତ୍ରରେ ସଫଳତାର ଶିଖର ଛୁଇଁଥିଲେ ମଧ୍ୟ ପରା ବିଦ୍ୟାର ଅଭାବ ଯୋଗୁ ଆମକୁ ଏକ ପୂର୍ଣ୍ଣାଙ୍ଗ ବିକଶିତ ମାନବ ରୂପେ ପରିଗଣିତ କରିବା ଶ୍ରେୟସ୍କର ନୁହେଁ। ପରା ବିଦ୍ୟାକୁ ଉପେକ୍ଷା କରି କେବଳ ଅପରା ବିଦ୍ୟା ଅଧ୍ୟୟନ କରିବା ଦ୍ୱାରା ଆମ ସମାଜରେ ଶିକ୍ଷିତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଥିଲେ ମଧ୍ୟ ଜ୍ଞାନୀଙ୍କ ସଂଖ୍ୟା ନଗଣ୍ୟ ହୋଇଯାଉଛି। ଫଳରେ ବିକାଶ ଆଳରେ ଆମେ କେତେ ବିନାଶ କରୁଛେ ତା’ର ଆତ୍ମସମୀକ୍ଷା କରୁନାହିଁ।
ଗୀତା ଶାସ୍ତ୍ର ଅନୁସାରେ ‘ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ ଅର୍ଥାତ୍‌ ଅଧ୍ୟାତ୍ମ ବିଦ୍ୟା କେବଳ ବିଦ୍ୟା ଏବଂ ଆଉ ସବୁ ଅବିଦ୍ୟା। ଏହି ଅଧ୍ୟାତ୍ମ ବିଦ୍ୟା ହିଁ ହେଉଛି ପରା ବିଦ୍ୟା। ଉପନିଷଦଗୁଡ଼ିକ ଏହାକୁ ଆତ୍ମବିଦ୍ୟା ଓ ବ୍ରହ୍ମ ବିଦ୍ୟା ବୋଲି ଆଖ୍ୟା ଦେଇଥିବାବେଳେ ମାର୍କସ ମୁଲର ଏହାକୁ ଗୁପ୍ତ ଶିକ୍ଷା ବା ଶ୍ରେଷ୍ଠ ବିଦ୍ୟା ଭାବେ ଅଭିହିତ କରିଛନ୍ତି। ଅତୀତରେ ପାରମ୍ପରିକ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଓ ଯୌଥ ପରିବାରରୁ ଏହି ପରା ବିଦ୍ୟାକୁ ଅଧ୍ୟୟନ କରିବା ବିଦ୍ୟାର୍ଥୀମାନଙ୍କର ନିତ୍ୟନିୟତ କର୍ମ ଥିଲା। ଏହାକୁ ଅଧ୍ୟୟନ କରିବା ଦ୍ୱାରା ଇନ୍ଦ୍ରିୟର ସଂଯମତା ଆସୁଥିଲା, ମନରୁ ଅକର୍ମ, କୁକର୍ମ, ଅଧର୍ମ, ଅବଗୁଣ, କାମ, କ୍ରୋଧ, ଈର୍ଷା, ଲୋଭ, ଅହଂକାର, ବୃଥା ଆସ୍ଫାଳନ, ଦ୍ୱେଷ, ମୋହ ଆଦି ବିକାର ଭାବ ଦୂରୀଭୂତ ହୋଇ ମାନବିକ ଭାବନା, ସହନଶୀଳତା, ନିଃସ୍ବାର୍ଥପରତା, ବିବେକୀ ଓ ସଂଯମୀ ଭାବ ପରିପ୍ରକାଶ ହେବା ଦ୍ୱାରା ବ୍ରହ୍ମଜ୍ଞାନ ପ୍ରାପ୍ତ ହେଉଥିଲା, ଫଳରେ ଏକ ବ୍ୟକ୍ତି ସର୍ବ କୁବନ୍ଧନରୁ ମୁକ୍ତ ହୋଇ ମୋକ୍ଷ ପ୍ରାପ୍ତି ହେଉଥିଲା। ଜୀବସତ୍ତା ବ୍ୟତୀତ ଯେଉଁ ସ୍ବତନ୍ତ୍ର ଇନ୍ଦ୍ରିୟ ଭାବେ ମନୁଷ୍ୟକୁ ଚେତନାର ଇନ୍ଦ୍ରିୟ ପ୍ରଦାନ କରି ବଶ୍ୱନିୟନ୍ତା ତାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ଭାବେ ମନୁଷ୍ୟକୁ ବିବେଚନା କରିଛନ୍ତି। ପରା ବିଦ୍ୟାକୁ ଅଧ୍ୟୟନ କରି ଏହି ଚେତନାର ଇନ୍ଦ୍ରିୟ ମାଧ୍ୟମରେ ମନୁଷ୍ୟ ଜୀବସତ୍ତା ସମ୍ପର୍କରେ ଧାରଣା ସୃଷ୍ଟିକରେ, ଭୁଲ୍‌ ଠିକ୍‌ର ବିଚାର କରେ, ଈଶ୍ୱରୀୟ ଶକ୍ତିକୁ ଅନୁଭବ କରେ, ଜୀବଜଗତର ସୁରକ୍ଷା କରେ, ସୃଷ୍ଟିର ରହସ୍ୟ ଉନ୍ମୋଚନ କରେ, ଆତ୍ମ ସମୀକ୍ଷା କରେ କିନ୍ତୁ ପରା ବିଦ୍ୟାର ଅଭାବ ଯୋଗୁ ମନୁଷ୍ୟ ଠାରେ ଏହାର ବିପରୀତ କାର୍ଯ୍ୟ ପ୍ରତିଫଳିତ ହୋଇଥାଏ। ପରା ବିଦ୍ୟା ଭଳି ଅପରା ମଧ୍ୟ ବିଦ୍ୟାର ଏକ ତତ୍ତ୍ୱ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ମଣିଷ ଜଡ଼ବସ୍ତୁ ଉପରେ ଆଧିପତ୍ୟ ବିସ୍ତାର କରିଥାଏ। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ଏହା ପ୍ରଦାନ କରାଯାଇଥାଏ। ଏହାକୁ ଆହରଣ କରି ମଣିଷ ତା’ର ଜୀବନ କାଳ ମଧ୍ୟରେ ଅନେକ ଅର୍ଥ, ସମ୍ମାନ, କ୍ଷମତା ପ୍ରାପ୍ତି ହୋଇଥାଏ ସତ କିନ୍ତୁ ତଥାପି ମଣିଷ ଆଜି ସୁଖ, ଶାନ୍ତିରେ ଜୀବନଯାପନ କରିପାରୁନାହିଁ। ସବୁ ପାଇ ମଧ୍ୟ ଅଭାବ। ସମସ୍ତେ ଥାଇ ମଧ୍ୟ ଏକଲା ଭାବେ ବଞ୍ଚତ୍ଛି। ସବୁ ଥାଇ ଆଜି ଅଶାନ୍ତିର ବାତାବରଣ ଭିତର ଗତି କରୁଛେ। ବାସ୍ତବତାକୁ ଅନୁଭବ ନ କରି କଳ୍ପନାତୀତ ହୋଇପଡିଛି। ବିଶ୍ବର ଅନେକ ବଳଶାଳୀ ଓ ବିତ୍ତଶାଳୀ ଦେଶ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ନ୍ୟୁକ୍ଲିଅର୍‌ ବମ୍‌, ଉନ୍ନତ ଯାନ୍ତ୍ରିକ ଯୁଦ୍ଧ ବିମାନ, ଲକ୍ଷାଧିକ ପଦାତିକ ବାହିନୀ ସତ୍ତ୍ୱେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଏକଦା ଏକ ସମୟ ଥିଲା କିଛି ନ ଥାଇ ମଧ୍ୟ ମଣିଷ ଖୁସି ଥିଲା କିନ୍ତୁ ଆଜି ସର୍ବସ୍ବ ହାସଲ କଲା ପରେ ମଧ୍ୟ ସବୁ ଥାଇ ବି ମଣିଷ ମନରେ ଅନେକ ଦୁଃଖ। ଏଥିରୁ ଜଣାଯାଏ ଯେ କେବଳ ଅପରା ବିଦ୍ୟା ଅଧ୍ୟୟନ କଲେ ହେବ ନାହିଁ ବରଂ ସମୟ ଆସିଛି ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ।
ଭାଗବତରେ ବର୍ଣ୍ଣିତ ଅଛି, ”ଅବିଦ୍ୟା ବଳେ ଜୀବ ବନ୍ଦୀ, ଜ୍ଞାନ ଉଦୟେ ସର୍ବସିଦ୍ଧି“। ଅର୍ଥାତ୍‌ ଅପରା ବିଦ୍ୟା ଦ୍ୱାରା ମନୁଷ୍ୟ ବନ୍ଧନ ଯୁକ୍ତ ହୋଇଥାଏ କିନ୍ତୁ ପରା ବିଦ୍ୟା ମାଧ୍ୟମରେ ଜ୍ଞାନ ଉଦୟ ହେଲେ ସର୍ବସିଦ୍ଧି ହୋଇଥାଏ। ତେଣୁ ଯଥାର୍ଥରେ କୁହାଯାଇଛି ଯେ ବିଦ୍ୟା ତ ତାହା ଯାହା ମଣିଷକୁ ମୁକ୍ତି ପ୍ରଦାନ କରିଥାଏ। ଭାରତର ଗରିମାମୟ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପରା ଓ ଅପରା ବିଦ୍ୟାର ତତ୍ତ୍ୱ ଅଛି ତାହାକୁ ନିଶ୍ଚିତ ଭାବେ ଅଧ୍ୟୟନ କଲେ ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣ ହୋଇପାରିବ ଏଥିରେ ସନ୍ଦେହ ନାହିଁ।
ଅଧ୍ୟାପକ,ବାଣିଜ୍ୟ ବିଭାଗ,
ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ,କଟକ
ମୋ: ୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri