ନଦୀ ସଂଯୋଗୀକରଣ: ସମସ୍ୟା ନା ସମାଧାନ

ସବ୍ୟସାଚୀ ଅମିତାଭ
ବର୍ତ୍ତମାନ ସମୟରେ ସାରା ଦେଶରେ ଜଳ ସମସ୍ୟା ଯେପରି ଉତ୍କଟ ରୂପ ଧାରଣ କଲାଣି, ଆଗାମୀ ଦିନରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଜଳ ସମସ୍ୟାକୁ ସାମଗ୍ରିକ ଭାବେ ୨ଟି ଭାଗରେ ବିଭକ୍ତ କରାଯାଇପାରେ- ୧. ଚାଷ ପାଇଁ ଜଳସେଚନ, ୨. ପାନୀୟ ଜଳ ଯୋଗାଣ। ଏହି ଦୁଇଟି ଦିଗରେ ସମାଧାନର ବାଟ କ’ଣ ତାହା ଏବେଠାରୁ ଖୋଜି ବାହାର କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ପ୍ରତୀକ୍ଷିତ ନଦୀ ସଂଯୋଗୀକରଣ ପରିଯୋଜନା ଜଳ ସଙ୍କଟ ସମାଧାନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି ବିଚାର କରାଯାଉଛି। ତେବେ ଏହି ପରିଯୋଜନାକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ସହମତି ହୋଇପାରି ନ ଥିବାରୁ ଏହା ଏଯାଏ ସାକାର ହୋଇପାରିନି। ଦେଶର ସମସ୍ତ ନଦୀକୁ ଯୋଡ଼ିବାର ପରିଯୋଜନାକୁ ଆଗକୁ ନେବା ପାଇଁ ହେଲେ ସବୁ ରାଜ୍ୟ ମଧ୍ୟରେ ଆଲୋଚନା ହେବା ଅତି ଜରୁରୀ ବୋଲି ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ ମତବ୍ୟକ୍ତ କରିଛନ୍ତି।
ଦେଶର ୩୧ଟି ନଦୀକୁ ଯୋଡ଼ିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯଦି ସବୁ ରାଜ୍ୟର ସହଯୋଗ ମିଳେ, ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଏହି ବହୁପ୍ରତୀକ୍ଷିତ ଯୋଜନା ସାମ୍‌ନାକୁ ଆସିପାରିବ ବୋଲି ଅନୁମାନ କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଦେଶର କେଉଁଠି ବନ୍ୟା ହେଉଥିଲା ବେଳେ ଆଉ କେଉଁଠି ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ ନଦୀ ସଂଯୋଗୀକରଣ ସତରେ କ’ଣ ପାଣି ସମସ୍ୟାକୁ ଦୂର କରିପାରିବ?
ନଦୀଗୁଡ଼ିକୁ ପରସ୍ପର ସହ ଯୋଡ଼ିବାର ବିଚାର ୧୬୧ ବର୍ଷର ପୁରୁଣା। ୧୮୫୮ରେ ବ୍ରିଟିଶ ଇଞ୍ଜିନିୟର ଆର୍ଥର ଟମାସ୍‌ କୋଟନବ ନଦୀକୁ ଯୋଡ଼ିବା ପ୍ରସ୍ତାବ ଦେଇଥିଲେ। ତାଙ୍କର ଯୁକ୍ତି ଥିଲା ଏହାଦ୍ୱାରା ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ବନ୍ଦର ସୁବିଧା ମିଳିପାରିବ ଏବଂ ଦକ୍ଷିଣପୂର୍ବ ଭାରତରେ ବାରମ୍ବାର ଦେଖାଯାଉଥିବା ମରୁଡ଼ି ପରିସ୍ଥିତି ଦୂର ହୋଇପାରିବ। କେନ୍ଦ୍ର ସରକାର ନିକଟରେ କୋଶୀ-ମେଚୀ ନଦୀକୁ ଯୋଡ଼ିବା ପାଇଁ ୪୯୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ନଦୀକୁ ଯୋଡ଼ିବା ଯୋଜନା ଦେଶର ଦ୍ୱିତୀୟ ବୃହତ୍ତମ ପ୍ରକଳ୍ପ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟପ୍ରଦେଶର କେନ-ବେତବାକୁ ଯୋଡ଼ିବାର କାମ ବି ଜୋରରେ ଚାଲିଛି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ସଦ୍ୟତମ ବୟାନ ପରେ ପୁଣି ଥରେ ନଦୀ ସଂଯୋଗ ଅଭିଯାନ ଚର୍ଚ୍ଚାର ପରିସରକୁ ଆସିଛି। ସରକାର ନଦୀ ସଂଯୋଗୀକରଣ ପରିଯୋଜନାରେ ୩୦ଟି ନଦୀକୁ ଯୋଡ଼ିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୧୫ ହଜାର କିଲୋମିଟର ଲମ୍ବ ନୂଆ କେନାଲ ଖୋଳାଯିବ, ଯେଉଁଥିରେ ୧୭୪ ଘନ କି.ମି. ପାଣି ସଂରକ୍ଷିତ ରଖାଯାଇପାରିବ। ଏଥିପାଇଁ ୩ ହଜାର ଷ୍ଟୋରେଜ ଡ୍ୟାମ୍‌ର ନେଟ୍‌ୱର୍କ ବନାଇବା ଯୋଜନା ରହିଛି। ଏହା ଭିତରେ ରହିଛି ୪ଟି ପ୍ରମୁଖ ଲିଙ୍କ୍‌ ଓ ହିମାଳୟ ଉପତ୍ୟକାର ୧୪ଟି ନଦୀର ସଂଯୋଗୀକରଣ। ଏହି ଲିଙ୍କ୍‌ଗୁଡିକ ହେଲା, କେନ-ବେତବା ଲିଙ୍କ୍‌, ଦାମନଗଙ୍ଗା-ପିନଜଲ ଲିଙ୍କ୍‌, ପାର-ତାପି-ନର୍ମଦା ଲିଙ୍କ୍‌, ମହାନଦୀ-ଗୋଦାବରୀ ଲିଙ୍କ୍‌। ଏହିସବୁ ନଦୀ ସଂଯୋଗୀକରଣ ପାଇଁ ସର୍ଭେ ଓ ଆନୁଷଙ୍ଗିକ ଡିପିଆର ରିପୋର୍ଟ ପ୍ରସ୍ତୁତ ସରିଛି। ତେବେ କେରଳ, ତେଲଙ୍ଗାନା, ଓଡ଼ିଶା ଏବଂ କର୍ନାଟକ ସରକାରଙ୍କ ବିରୋଧ ଓ ଆପତ୍ତି କାରଣରୁ ନଦୀ ସଂଯୋଗୀକରଣ କାମ ଆଗକୁ ବଢ଼ିପାରୁନି।
ମହାନଦୀ-ଗୋଦାବରୀ ସଂଯୋଗୀକରଣରେ ମହାନଦୀ, ଗୋଦାବରୀ, କ୍ରିଷ୍ଣା, ପିନାର-ପଲାର-କାବେରୀ, ଭାଇଗାଇ ଓ ଗୁଣ୍ଡାର ଆଦି ୯ଟି ସଂଯୋଗ ପ୍ରଣାଳୀ ରହିଛି। ମଣିଭଦ୍ରା ନଦୀବନ୍ଧରେ ଭାରିମାତ୍ରାରେ ଜଳ ଭର୍ତ୍ତି ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି ସଂଯୋଗୀକରଣ ପାଇଁ ରାଜି ହୋଇ ନ ଥିଲେ। ପରେ ଓଡ଼ିଶା ସରକାରଙ୍କ ସୁପାରିସକ୍ରମେ ଜାତୀୟ ଜଳ ବିକାଶ ସଂସ୍ଥା ଦ୍ୱାରା ପ୍ରାଥମିକ ସଂଶୋଧିତ ରିପୋର୍ଟ ପ୍ରସ୍ତାବକୁ ଚୂଡାନ୍ତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ତେବେ ମଣିଭଦ୍ରା ଡ୍ୟାମ୍‌ରେ ଜଳ ବଢ଼ିଲେ ବୌଦ୍ଧ ଜିଲାର ହରଭଙ୍ଗାର ଅନେକ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଥିବାରୁ ରାଜ୍ୟ ଏ ଯାଏ ନଦୀ ସଂଯୋଗୀକରଣକୁ ଗ୍ରୀନ୍‌ ସିଗ୍‌ନାଲ ଦେଇନାହାନ୍ତି।
ଅଶୀ ଦଶକରୁ ନଦୀ ସଂଯୋଗୀକରଣକୁ ନେଇ ଚର୍ଚ୍ଚା ହେଉଥିଲେ ବି ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଏନେଇ କିଛିଟା ଉଦ୍ୟମ ଆରମ୍ଭ ହୋଇଥିଲା। ହେଲେ ଏହା ପରର ଉପା ସରକାର ନଦୀ ସଂଯୋଗୀକରଣ ଯୋଜନାକୁ ଗୁରୁତ୍ୱ ନ ଦେବାରୁ ପ୍ରସ୍ତାବଟି ଶୀତଳଭଣ୍ଡାରରେ ପଡ଼ିଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାଳି ସରକାରରେ ନଦୀ ସଂଯୋଗୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜ୍ୟ ସରକାରଙ୍କ ଅସହମତି ତଥା ଅଦାଲତି ପେଞ୍ଚ ମଧ୍ୟରେ ଏହି ପରିଯୋଜନାଟି ଫସି ରହିଛି। ଫେବୃୟାରୀ ୨୦୧୨ରେ ଏକ ନିଷ୍ପତ୍ତିରେ ପୂର୍ବତନ ପ୍ରଧାନ ବିଚାରପତି ଏସ୍‌.ଏଚ୍‌. କପାଡିଆ ଏବଂ ସ୍ବତନ୍ତ୍ର କୁମାରଙ୍କ ଖଣ୍ଡପୀଠ କହିଥିଲେ ଯେ, ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରାଷ୍ଟ୍ର ହିତ। ନଦୀ ସଂଯୋଗ ପାଇଁ ସେ ଏକ ବିଶେଷ କମିଟି ଗଠନର ଆଦେଶ ଦେଇଥିଲେ। ଏହାପରେ ନରେନ୍ଦ୍ର ମୋଦି ସରକାର ସେପ୍ଟେମ୍ବର ୨୩, ୨୦୧୪ରେ ଜଳ ସଂଶୋଧନ, ନଦୀ ବିକାଶ ଏବଂ ଗଙ୍ଗା ସଫେଇ ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଶେଷ କମିଟି ଗଠନ କରିଥିଲେ।
ନଦୀ ସଂଯୋଗୀକରଣ ହୋଇପାରିଲେ ସବୁ ନଦୀରେ ଜଳଧାରଣରେ ଏକ ସମତୁଲତା ରକ୍ଷା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ତଥା କୃଷକମାନେ ଉପକୃତ ହେବେ ବୋଲି ପରିଯୋଜନାକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ କହନ୍ତି। ତେବେ ରାଜ୍ୟଗୁଡ଼ିକର ବିରୋଧକୁ ମଧ୍ୟ ନଜରଅନ୍ଦାଜ କରାଯାଇ ହେବନି। ନଦୀର ପ୍ରାକୃତିକ ପ୍ରଭାବ ସହ ଖେଳିବା ଦେଶ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ। ତେଣୁ ଲିଙ୍କିଙ୍ଗ୍‌ ଅଫ୍‌ ରିଭର ସ୍ଥାନରେ ସରକାରଙ୍କୁ ଲିଙ୍କିଙ୍ଗ୍‌ ଅଫ୍‌ ହାର୍ଟ ମାନସିକତା ନେଇ ଆଗକୁ ବଢ଼ିବାକୁ ପଡ଼ିବ। ଅର୍ଥାତ୍‌ ବୁଝି ବିଚାରି ସବୁଦିଗକୁ ଦୃଷ୍ଟିରେ ରଖି ନଦୀକୁ ଯୋଡ଼ିବାକୁ ପଡ଼ିବ। ବର୍ଷାରେ ବୋହିଯାଉଥିବା ପାଣିକୁ ରୋକିବାକୁ ହେବ। ନଦୀକୁ ଯୋଡ଼ିବା ଦ୍ୱାରା ମରୁଡ଼ି କିମ୍ବା ବନ୍ୟାରୁ ଆମେ ନିଜକୁ ମୁକୁଳାଇପାରିବା ନାହିଁ। ନଦୀର ଜଳଧାରା ଏକ ଇକୋ ସିଷ୍ଟମ୍‌। ଏପରି ସ୍ଥିତିରେ ଯଦି ନଦୀ ଜଳକୁ ଜବରଦସ୍ତ ଅନ୍ୟ ଆଡକୁ ମୋଡାଯାଏ ତେବେ ଇକୋ ସିଷ୍ଟମ୍‌ ଉପରେ ପ୍ରଭାବ ପଡ଼ିବ। ନଦୀକୁ ନେଇ ଜୀବଜନ୍ତୁ, ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଚାଲିଛି। ତେଣୁ ନଦୀକୁ ଯୋଡ଼ିବା ପୂର୍ବରୁ ଏହାଦ୍ୱାରା ଆର୍ଥିକ, ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ଗଭୀର ଅଧ୍ୟୟନ କରାଯିବା ଦରକାର। ତେବେ ଯାଇ ନଦୀ ସଂଯୋଗୀକରଣ ଦେଶ ପାଇଁ ହିତକର ସାବ୍ୟସ୍ତ ହୋଇପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri