ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ

ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ ଏବଂ କିଛି ଲୋକଙ୍କ ପ୍ରୟାସ ଭିନ୍ନକ୍ଷମ ସଂରକ୍ଷଣକୁ ଆଇନ ସ୍ବୀକୃତ କରାଇଲେ। ପ୍ରତିଟି ପିଲା ବା ବ୍ୟକ୍ତିବିଶେଷର ସ୍ବତନ୍ତ୍ର କ୍ଷମତାକୁ ଚିହ୍ନି, ତାକୁ ବିକଶିତ କରି ଦୁନିଆ ସମ୍ମୁଖକୁ ଆଣିବାକୁ ଇଚ୍ଛାଶକ୍ତିକୁ ଅଧିକ କରିବାକୁ ପଡ଼େ ଅନୁଷ୍ଠାନ ଓ ମାତାପିତା ବା ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ। ତା’ହେଲେ ଯାଇ ଦିବ୍ୟାଙ୍ଗ ବ୍ୟକ୍ତିର କ୍ଷମତା ଦୃଶ୍ୟମାନ ହୁଏ।
ଆମ ଦେଶରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦିବ୍ୟାଙ୍ଗଙ୍କ ପାଇଁ ୩% ସଂରକ୍ଷଣ ବ୍ୟବସ୍ଥା ଥିଲାବେଳେ ଉଚ୍ଚଶିକ୍ଷା ଓ କର୍ମନିଯୁକ୍ତି କ୍ଷେତ୍ରରେ ୫%ର ବ୍ୟବସ୍ଥା ଅଛି। ମାତ୍ର ଦୁର୍ଭାଗ୍ୟ,ଏହାର ସଦୁପଯୋଗ ହେଉନାହିଁ ଓ ବିଭାଗୀୟ କର୍ମଚାରୀ ସମ୍ପୂର୍ଣ୍ଣ ବୀତସ୍ପୃହ। ଦିବ୍ୟାଙ୍ଗ ନିଯୁକ୍ତିମେଳାର ଆୟୋଜନ ହେଉଛି। କମ୍ପାନୀର ମାନବ ସମ୍ବଳ ଅଧିକାରୀମାନେ ନିଜର ଇନ୍‌କ୍ଲୁସିଭ୍‌ ଏମ୍ପ୍ଲୟର କାର୍ଡ ଝୁଲାଇ, ମିଡିଆ ସାମ୍‌ନାରେ ଭାଷଣ ଦେଇ କର୍ପୋରେଟ୍‌ ସାମାଜିକ ଦାୟିତ୍ୱର କୋଟା ପୂରଣ ହୋଇଗଲା ବୋଲି ଭାବନ୍ତି।
ଏବେ ଦିବ୍ୟାଙ୍ଗତାର ପରିସରକୁ ବ୍ୟାପକ କରାଯାଇଛି। ଏହାଦ୍ୱାରା ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ସଂରକ୍ଷଣର ଲାଭ ଉଠାଇପାରିବେ। କିନ୍ତୁ ଦୁଃଖର ବିଷୟ ଯେ, କେତେକ ସକ୍ଷମ ବ୍ୟକ୍ତି ହସ୍ପିଟାଲ ଓ କିଛି ନୀତିବିହୀନ କର୍ମଚାରୀଙ୍କୁ ଅର୍ଥଲାଳସା ଦେଇ ଭିନ୍ନକ୍ଷମ ସାର୍ଟିଫିକେଟ ହାସଲ କରନ୍ତି ଓ ବିଭିନ୍ନ ଯୋଜନାର ଲାଭ ଉଠାନ୍ତି। ପ୍ରକୃତ ଦିବ୍ୟାଙ୍ଗମାନେ ଏ ଦୁଆର ସେ ଦୁଆର ହୁଅନ୍ତି।
ସରକାରୀ ଯୋଜନାରେ କର୍ମନିଯୁକ୍ତି ପର୍ଯ୍ୟାପ୍ତ ନୁହେଁ। ଦେଶରେ ବଢ଼ିଚାଲିଥିବା ବେକାରି ହାର ହିଁ ଏହାର ପ୍ରମାଣ। ଆମ ଜନସଂଖ୍ୟାର ସିଂହଭାଗ ପ୍ରାୟ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି, ଯେଉଁଠି କର୍ମନିରାପତ୍ତା ପ୍ରାୟ ସାରୁପତ୍ରରେ ଜଳ ଭଳି। ତଥାକଥିତ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗମାନେ ନିଜର କମ୍‌ ନିରାପତ୍ତାକୁ ନେଇ ବିବ୍ରତ ହୋଇପଡ଼ନ୍ତି। ନିଜର ସମସ୍ତ ଆବଶ୍ୟକତାକୁ ନେଇ ଦୈନନ୍ଦିନ ଜୀବନରେ ସଂଘର୍ଷ କରୁଥିବା ଦିବ୍ୟାଙ୍ଗ କେତେ ମାନସିକ ଚାପ ମଧ୍ୟରେ ରହୁଥିବେ, ତାହା ସହଜରେ ଅନୁମେୟ। ସରକାରୀ, ବେସରକାରୀ ତଥା ସୁରକ୍ଷିତ ନିଯୁକ୍ତି ଦିବ୍ୟାଙ୍ଗଙ୍କ ପାଇଁ ପ୍ରଥମ ଆବଶ୍ୟକ।
ଭାରତରେ ଦିବ୍ୟାଙ୍ଗଙ୍କୁଅଣଦେଖା କରାଯିବା ଉଚିତ୍‌ ନୁହେଁ। ଦିବ୍ୟାଙ୍ଗ ନିଯୁକ୍ତି ଅର୍ଥନୀତିର ମୋଟ ଘରୋଇ ଉତ୍ପାଦ(ଜିଡିପି) ବଢ଼ାଇବାରେ ଯୋଗଦାନର ସମ୍ଭାବନା ରହିଛି। ଏପରି ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଥିବା ହାତଗଣତି କମ୍ପାନୀଗୁଡ଼ିକର ଅଭିଜ୍ଞତାରୁ ଏହା ପ୍ରମାଣିତ ହୋଇସାରିଛି ଯେ ଦିବ୍ୟାଙ୍ଗ ନିଯୁକ୍ତି ସକାରାତ୍ମକ ଆର୍ଥିକ ପ୍ରଭାବ ପ୍ରଦାନକରେ। ଅନୁସନ୍ଧାନ ମୁତାବକ, ଦିବ୍ୟାଙ୍ଗ ନିଯୁକ୍ତିରୁ ଉଭୟ ଦିବ୍ୟାଙ୍ଗ ଓ ନିଯୁକ୍ତିଦାତା ଲାଭ ପାଇଥାନ୍ତି। ଦିବ୍ୟାଙ୍ଗ କର୍ମଚାରୀମାନେ ସାଧାରଣତଃ ନିଯୁକ୍ତିଦାତା ପ୍ରତି ବିଶ୍ୱସ୍ତ ଥାଆନ୍ତି। ସେମାନେ ନିଜର କାର୍ଯ୍ୟକୁଶଳତାକୁ ପ୍ରମାଣ କରିବା ପାଇଁ ଅଧିକ ତତ୍ପର ହୋଇଥାନ୍ତି। ସାଧାରଣ ଲୋକେ ନିଜର ପେସାଗତ ଜୀବନକୁ ନେଇ ଅସନ୍ତୁଷ୍ଟ ଥିବାବେଳେ ଦିବ୍ୟାଙ୍ଗମାନେ ନିଜ କାମରେ ସନ୍ତୁଷ୍ଟ ଥିବାର ଉଦାହରଣ ମିଳେ। ତାଙ୍କ ଭିତରେ ଅଧିକ ସ୍ଥିରତା ଓ ସୃଜନଶୀଳତା ଥାଏ। ଦିବ୍ୟାଙ୍ଗଙ୍କ ଅନୁପସ୍ଥିତିର ନିମ୍ନହାର, ନିଯୁକ୍ତିଦାତା ପ୍ରତି ବିଶ୍ୱସ୍ତତା, ଅଧିକ ସକାରାତ୍ମକ କାର୍ଯ୍ୟ ପରିବେଶ ସହ ଉଚ୍ଚ ଉତ୍ପାଦନ ତଥା ଉଦ୍ଭାବନ ସ୍ତର ସୃଷ୍ଟି କରିଥାଏ। ଫଳରେ ନିଯୁକ୍ତି ଏବଂ ପ୍ରଶିକ୍ଷଣଜନିତ ବ୍ୟୟ ହ୍ରାସ ପାଇଥାଏ ଓ କମ୍ପାନୀର ଉଚ୍ଚ ବଜାର ଅଂଶ ଏବଂ ଅଂଶଧନକାରୀଙ୍କ ମୂଲ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ, ଦିବ୍ୟାଙ୍ଗଙ୍କ ନିଯୁକ୍ତି ବିଷୟରେ ଅଧିକ ଜାଣିବା :
ପ୍ରଥମରେ ଦିବ୍ୟାଙ୍ଗମାନେ ଦକ୍ଷ କର୍ମଚାରୀ ହୋଇପାରିବେ। କିଛି କାମ ଅଛି, ଯାହା ଦିବ୍ୟାଙ୍ଗଙ୍କ ପାଇଁ ଉପଯୁକ୍ତ। ଉଦାହରଣ ସ୍ବରୂପ, ଜଣେ ଡାଉନ୍ସ ସିଣ୍ଡ୍ରମ କିମ୍ବା ଅଟିଜମ୍‌ ଆକ୍ରାନ୍ତ ବ୍ୟକ୍ତି ଏକ ଅଧିକ ଏକାଗ୍ରତାପୂର୍ଣ୍ଣ କାମକୁ ସୁଚାରୁରୂପେ କରନ୍ତି। ଜଣେ ଶ୍ରବଣବାଧିତ ଦୃଶ୍ୟମାନ ତ୍ରୁଟି ସହଜରେ ଧରିପାରିବେ ଓ ଦୃଷ୍ଟିବାଧିତ ସୁଗନ୍ଧ ଏବଂ ସ୍ବାଦ ପରୀକ୍ଷାରେ ବିଶେଷଜ୍ଞ ହୋଇପାରିବେ।
ଦ୍ୱିତୀୟରେ, ଦିବ୍ୟାଙ୍ଗ ତାଲିମ ଉପରେ ବାସ୍ତବରେ ବହୁତ କମ୍‌ ଖର୍ଚ୍ଚ ହୁଏ ଏବଂ ସେମାନଙ୍କୁ ନିୟୋଜିତ କରିବାର ଦୀର୍ଘମିଆଦୀ ଲାଭ ବହୁତ ଅଧିକ।
ତୃତୀୟରେ, ନିଯୁକ୍ତି ସେମାନଙ୍କୁ ବିତ୍ତୀୟ ସ୍ବାଧୀନତା ଦିଏ । ସେମାନଙ୍କ ପରିବାର ମଧ୍ୟ ଆର୍ଥିକଦୃଷ୍ଟିରୁ ଲାଭବାନ୍‌ ହୁଅନ୍ତି ଏବଂ ସେମାନଙ୍କୁ ବୋଝ ଭାବେ ଦେଖନ୍ତି ନାହିଁ।
ଚତୁର୍ଥରେ, ସହକର୍ମୀମାନେ ସେମାନଙ୍କ ଆବଶ୍ୟକତା ବିଷୟରେ ସମ୍ବେଦନଶୀଳ ହୁଅନ୍ତି। ପ୍ରଥମେ ହୁଏତ ଅନ୍ୟ କର୍ମଚାରୀଙ୍କୁ ଅତିରିକ୍ତ କିଛି କରିବାକୁ ପଡ଼େ (ଯେପରି ସାଙ୍କେତିକ ଭାଷା), କିନ୍ତୁ ଶେଷରେ ତାହା ସେମାନଙ୍କର ବାୟୋଡାଟାକୁ ଉନ୍ନତ କରେ।
ପଞ୍ଚମରେ, ଦିବ୍ୟାଙ୍ଗମାନେ ପ୍ରାୟତଃ ଅଧିକ ବିଶ୍ୱସ୍ତ ଏବଂ ପରିଶ୍ରମୀ। ଏହା କମ୍ପାନୀ ପାଇଁ ଏକ ଉତ୍ତମ ପ୍ରତିଛବି ସୃଷ୍ଟିକରେ।
ଷଷ୍ଠରେ, ଭାରତୀୟ ପ୍ରସଙ୍ଗରେ ଅକ୍ଷମତା ସମାନତା ସୂଚକାଙ୍କ ପରି ଏକ ସୂଚକାଙ୍କର ଆବଶ୍ୟକତା ଅଛି। ଏହା ସେମାନଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ଦେବ ।
ସପ୍ତମରେ, କର୍ପୋରେଟ୍‌ ସାମାଜିକ ଦାୟିତ୍ୱର ଏକ ଅଂଶଭାବରେ ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ପ୍ରଦାନ କରିବା କମ୍ପାନୀ, ସମ୍ପ୍ରଦାୟ ଏବଂ ଅର୍ଥନୀତି ତଥା ସମାଜ ପାଇଁ ଲାଭଦାୟକ ହେବ।
ଜନଗଣନା ତଥ୍ୟ, ବିଶେଷକରି ବିଭିନ୍ନ ଅକ୍ଷମତା ସ୍ଥିତି ଉପରେ ନିଯୁକ୍ତି ତଥ୍ୟ ସଂରକ୍ଷଣ, ନୀତି ଏବଂ ବଜେଟ ଆବଣ୍ଟନ ଇତ୍ୟାଦିକୁ ସରକାର ସଂଶୋଧନ ଓ କାର୍ଯ୍ୟକ୍ଷମ କରିବା ଉଚିତ୍‌। ଦିବ୍ୟାଙ୍ଗଙ୍କୁ ନିୟୋଜିତ କରୁଥିବା କମ୍ପାନୀଗୁଡ଼ିକୁ ସରକାର ପ୍ରୋତ୍ସାହନ ଯୋଗାଇବା ଉଚିତ୍‌।
ମୋ: ୮୩୧୦୭୮୧୫୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?