ଦାନା ଯୋଗାଉଛି ଖଲିପତ୍ର

ଯୋଡ଼ା, ୧୪।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସାଧାରଣତଃ ଖଣିଖାଦାନ ତଥା ଜଙ୍ଗଲଭରା ଅଞ୍ଚଳ। ଏଠାକାର ଅଧିବାସୀ ପୂର୍ବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି, ବିକି ନିଜର ଜୀବିକା ନିର୍ବାହ କରୁଥିଲେ। ଖଣି ଅଞ୍ଚଳ ହୋଇଥିବାରୁ ଲୋକଙ୍କ ପାଖରେ କୃଷିକାର୍ଯ୍ୟ ପାଇଁ ସେପରି ଜମି ଉପଲବ୍ଧ ନାହିଁ। ଯୋଡ଼ା ପୌରପାଳିକାର ୨ନଂ. ଓ୍ବାର୍ଡ ତଥା ବନେଇକଳା ଭୂୟାଁ ବସ୍ତିରେ ରହୁଥିବା ୧୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ ଖାଲିପେଟକୁ ଦାନା ଦେଉଛି ଏହି ଖଲିପତ୍ର ା ଖଲିପତ୍ର ତିଆରି କରିବା ଏବଂ ଦାନ୍ତକାଠି ସଂଗ୍ରହ କରିବା ଏମାନଙ୍କର ମୁଖ୍ୟ ବୃତ୍ତି। ଏହି କାର୍ଯ୍ୟକୁ ଦୀର୍ଘ ୬ ପୁରୁଷ ଧରି କରିଆସୁଥିବା ବସ୍ତିର ମହିଳା ଉପାସୀ ନାଏକ, ନିରାଶ ନାଏକ, ମାଣିକ ନାଏକ, ପଞ୍ଚମୀ ନାଏକ, ଲିଚୁ ନାଏକ, ସୁଲୋଚନା ନାଏକ, ଦମୟନ୍ତୀ ନାଏକ ଓ ସଞ୍ଜୁ ନାଏକ ପ୍ରମୁଖ କହିଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ଦିନ ବଡ଼ିଭୋର୍‌ରୁ ଉଠି ସେମାନେ ଶାଳପତ୍ର ଓ ଦାନ୍ତକାଠି ସଂଗ୍ରହ ପାଇଁ ବସ୍ତିଠାରୁ ୬ କି.ମି. ଦୂର ଘଞ୍ଚ ଜଙ୍ଗଲକୁ ଚାଲି ଚାଲି ଯାଇଥାନ୍ତି। ପରେ ଘରକୁ ଫେରି ଶାଳପତ୍ରକୁ ବାଉଁଶ କାଠି ମାଧ୍ୟମରେ ସିଲେଇ କରି ଖଲି ଓ ଚଉପଦି ପ୍ରସ୍ତୁତ କରିଥାନ୍ତି। ଶାଳପତ୍ର ସିଲେଇ ପାଇଁ ଆବଶ୍ୟକ ବାଉଁଶ କାଠି ସେମାନେ ଅନ୍ୟ ସ୍ଥାନରୁ କିଣି ଆଣିଥାନ୍ତି ବୋଲି ଭୂୟାଁ ବସ୍ତିର ମହିଳା ଉପାସୀ ନାଏକ କହିଛନ୍ତି। ସେହିପରି ନିରାଶ ନାଏକ କହିଛନ୍ତି ଯେ, ବସ୍ତିର ମହିଳାମାନେ ପ୍ରତିଦିନ ଜଣକା ୪୦ରୁ ୫୦ଟି ଖଲି ଚଉପଦି ପ୍ରସ୍ତୁତ କରି ଗ୍ରାହକଙ୍କୁ ୧ ଶହ ଖଲିକୁ ୬୦ରୁ ୭୦ ଟଙ୍କା ଓ ଦାନ୍ତକାଠି ବିଡ଼ା ୧୦ ଟଙ୍କାରେ ବିକ୍ରି କରିଥାନ୍ତି। ଏହାସତ୍ତ୍ୱେ ଗ୍ରାହକମାନେ ସେମାନଙ୍କ ସହିତ ମୂଲଚାଲ କରୁଥିବାରୁ ଏହା ସେମାନଙ୍କୁ ବ୍ୟଥିତ କରିଥାଏ। ଖଲିର ଚାହିଦା ଥିବା ସତ୍ତ୍ୱେ ପ୍ରୋତ୍ସାହନ ଅଭାବ ହେତୁ ଏହାକୁ ଠିକ୍‌ ଭାବେ ବଜାର ପରିଚାଳନା କରାଯାଇପାରୁନାହିଁ। ଖଲି ଓ ଚଉପଦିର ଚାହିଦା ସ୍ଥାନୀୟ ବଜାରରେ କମ୍‌ ଥିବାରୁ ଗୁଜରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଖଣିଖାଦାନ ଲାଗି ବ୍ୟାପକ ଗଛ କଟାଯାଉଥିବାରୁ ଶାଳପତ୍ରର ଅଭାବ ଯୋଗୁ ସେମାନଙ୍କୁ ଏଥିପାଇଁ ଅଧିକ ଦୂର ଯିବାକୁ ପଡୁଛି ା ଏହା ଦ୍ୱାରା ସେମାନଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡୁଛି। ବର୍ତ୍ତମାନ ମେଶିନ ସିଲେଇ ଓ ପ୍ଲାଷ୍ଟିକ୍‌ ନିର୍ମିତ ଖଲି ଚଉପଦିର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକେ ଶାଳପତ୍ର ଖଲି ଚଉପଦିକୁ କ୍ରୟ କରୁନାହାନ୍ତି। ଫଳରେ ହାତତିଆରି ଖଲି ଚଉପଦିର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ା ତଥାପି ଭାଗ୍ୟକୁ ଆଦରି ନିଜ କୌଳିକ ବୃତ୍ତିକୁ ଛାଡ଼ିପାରି ନ ଥିବା ସେମାନେ କୋହଭରା କଣ୍ଠରେ କହିଛନ୍ତି।
ବିପିଏଲ୍‌ କାର୍ଡ ଥିବାରୁ ଚାଉଳ ଗଣ୍ଡେ ମିଳିଯାଉଛି। ହେଲେ ତେଲଲୁଣ ଓ ପରିବା ପାଇଁ ପଇସା ଅଣ୍ଟୁ ନାହିଁ ବୋଲି ସେମାନେ କହିଛନ୍ତି। ଦେଶୀ ଜିନିଷ ବ୍ୟବହାର ପାଇଁ ସରକାର ପ୍ରଚାର ପ୍ରସାର କରୁଥିବା ବେଳେ ଏବେ ବି ପରିବେଶକୁ ପ୍ରଦୂଷିତ କରୁଥିବା ତଥା ନଷ୍ଟ ହୋଇପାରୁ ନ ଥିବା ପ୍ଲାଷ୍ଟିକ ଓ ଥର୍ମୋକୁଲ ଖଲି, କାଗଜ ପଟି ଖଲିର ବହୁଳ ବ୍ୟବହାର ହେଉଛି। ଯୋଡ଼ାର ପୂର୍ବତନ ଶିକ୍ଷକ ତଥା ବୁଦ୍ଧିଜୀବୀ ସୋମନାଥ ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପ୍ରାୟ ୪୦ ବର୍ଷ ଧରି ସେ ଏହି ଖଲିପତ୍ର ସିଲେଇ କରି ବ୍ୟବସାୟ କରୁଥିବା ଭୂୟାଁ ବସ୍ତିକୁ ଯାଆନ୍ତି ଏବଂ ବିଭିନ୍ନ ସମୟରେ ସେଠାରୁ ଖଲିପତ୍ର କ୍ରୟ କରନ୍ତି। ଖଲିପତ୍ରର ଚାହିଦା ଯୋଡ଼ା ଏବଂ ଆଖପାଖ ଅଞ୍ଚଳରେ ଥିବା ସତ୍ତ୍ୱେ ଏମାନଙ୍କ ବ୍ୟବସାୟକୁ ପ୍ଲାଷ୍ଟିକ ନଷ୍ଟ କରିଦେଇଛି। ଏଣୁ ଯଦି ପ୍ରଶାସନିକସ୍ତରରେ ଏମାନଙ୍କୁ ପ୍ରୋତ୍ସାହନ ଦିଆଯାଆନ୍ତା ତେବେ ଗରିବ ମହିଳାମାନେ ଏହି ବ୍ୟବସାୟରୁ କିଛି ଅଧିକ ଆୟ କରିପାରନ୍ତେ ବୋଲି ସେ କହିଥିଲେ। ଯୁବ ସଂଗଠକ ତଥା ବିଜେଡି ଦଳ ଯୁବମୋର୍ଚ୍ଚାର ସଭାପତି ମାନସ ଦାସ କହନ୍ତି, ପିଲାବେଳୁ ଏହି ଖଲି ଚଉପଦିରେ ଆମେ ଖାଇଆସୁଥିଲୁ। କାଳକ୍ରମେ ଏହାର ସ୍ଥାନ ପ୍ଲାଷ୍ଟିକ୍‌, ଥର୍ମୋକୁଲ ନେବା ଫଳରେ ବ୍ୟବସାୟ କମିଲା। ପ୍ରଶାସନିକ ପ୍ରୋତ୍ସାହନ ମିଳିଲେ ଏମାନେ ଏହି କୌଳିକ ବୃତ୍ତିକୁ ବ୍ୟାପକ କରିପାରନ୍ତେ। ତେଣେ ଖଣିଖାଦନ ପାଇଁ ଶାଳଗଛ କମୁଛି। ଶାଳପତ୍ର ମିଳୁ ନ ଥିବାରୁ ଏମାନଙ୍କୁ ବହୁ ଦୂର ଅତିକ୍ରମ କରିବାକୁ ପଡୁଛି ା ଏ ସଂକ୍ରାନ୍ତରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ଏଣିକି ପୌରପାଳିକାରେ ହେଉଥିବା ସଭାସମିତିରେ ଏହି ହାତତିଆରି ଖଲିପତ୍ରର ବ୍ୟବହାର କରାଯିବ ଏବଂ ଏମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ପ୍ରୋତ୍ସାହନ ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri