ଦଳର ବଳ

ଆକାର ପଟେଲ
ଆପଣ www.bjp.orgରେ ଲଗ୍‌ଅନ୍‌ କଲେ ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ ‘ଓ୍ବେଲ୍‌କମ୍‌ ଟୁ ଦ ଓ୍ବେବ୍‌ସାଇଟ୍‌ ଅଫ୍‌ ଦ ଓ୍ବାର୍ଲଡ୍‌ସ ଲାର୍ଜେଷ୍ଟ ପାର୍ଟି’। ଭାଜପାର ୧୦ କୋଟି ସଦସ୍ୟ ଅଛନ୍ତି। ପ୍ରତି ୧୦ ବୟସ୍କ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ଜଣେ ହେଉଛନ୍ତି ଭାଜପାର ସଦସ୍ୟ। ଏହା ଏକ ଚମକାଇ ଦେଲା ଭଳି ପରିସଂଖ୍ୟାନ। ଏନ୍‌ଡିଏ ୨୦୧୪ ନିର୍ବାଚନରେ ପ୍ରାୟ ୧୬ କୋଟି ଭୋଟ ପାଇଥିଲା, ଯେଉଁଥିରୁ ଅଧିକାଂଶ ଭାଜପାର ଅଂଶ।
ଏବେ ଦେଖିବା ପୃଥିବୀର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ୯ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଅଛନ୍ତି, କିନ୍ତୁ ଏହାର ସଦସ୍ୟତା ଗ୍ରହଣ କରିବା ଏତେ ସହଜ ନୁହେଁ। ୧୯୨୧ରେ ଏହାର ମାତ୍ର ୫୭ ଜଣ ସଦସ୍ୟ ଥିଲେ। ୨୦୧୪ରେ ୨.୨ କୋଟି ଲୋକ ସିପିସିର ସଦସ୍ୟ ହେବା ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଲକ୍ଷ ଲୋକଙ୍କୁ ଗ୍ରହଣ କରାଯାଇଥିଲା। ସଦସ୍ୟତା ପାଇଁ ଆବେଦନ କଲେ ନାମ ନଥିଭୁକ୍ତ ହେବା ପାଇଁ ବର୍ଷେ ଲାଗିଯାଏ। ଆବେଦନପତ୍ରରେ ଲେଖିବାକୁ ପଡ଼େ ବ୍ୟକ୍ତି ସିପିସିର ସଦସ୍ୟ ହେବା ପାଇଁ କାହିଁକି ଚାହୁଁଛି ଏବଂ ତା’ପରେ ଆବେଦନକାରୀକୁ ଏକ ପରୀକ୍ଷା ଦେବାକୁ ପଡ଼େ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପୁଣି ଏକ ଯାଞ୍ଚ କରାଯାଏ। ତା’ପରେ ଦଳର ଦୁଇଜଣ ସଦସ୍ୟଙ୍କର ସୁପାରିସ ବି ଦରକାର ପଡ଼େ। ଏତକ ପୂରଣ ହେଲା ପରେ ପ୍ରୋବେଶନରେ ତାଙ୍କୁ ସଦସ୍ୟଭାବେ ଗ୍ରହଣ କରାଯାଏ।
ଭାଜପାରେ ସଦସ୍ୟତା ପାଇଁ ଏତେସବୁ କଟକଣା ଓ ପରୀକ୍ଷା ନିରୀକ୍ଷା ନ ଥିଲେ ମଧ୍ୟ ମାଗଣାରେ ତାହା ମିଳେ ନାହିଁ। ସଦସ୍ୟତା ପାଇଁ ୫ ଟଙ୍କା ଫିସ୍‌ ଦେବାକୁ ପଡ଼େ ଏବଂ ତା’ପରେ ସର୍ବନିମ୍ନ ୧୦୦ ଟଙ୍କା ସ୍ବେଚ୍ଛାକୃତ ଦାନ ବ୍ୟବସ୍ଥା ବି ଅଛି। ଯଦି ଭାଜପା ପାଇଁ ସଦସ୍ୟର ସଂଜ୍ଞା ଏଇଆ ତା’ହେଲେ କେବଳ ସାଧାରଣ ଲୋକଙ୍କଠାରୁ ଏହା ୧୦୦୦ କୋଟି ଟଙ୍କା ସଂଗ୍ରହ କରିଛି। ଏହାଛଡ଼ା ଆଜୀବନ ସହଯୋଗ ନିଧି ଭାବରେ ଦଳ ସଦସ୍ୟମାନଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ଦାନ କରିବାକୁ ନିବେଦନ କରିଥାଏ। ଆହୁରି ଏକ କୌତୂହଳଜନକ କଥା ହେଲା ଭାଜପାର ସମ୍ବିଧାନ ଅନୁସାରେ ପ୍ରତ୍ୟେକ ସଦସ୍ୟଙ୍କୁ ନିମ୍ନପ୍ରକାରେ ଶପଥ ଗ୍ରହଣ କରିବାକୁ ପଡ଼ିଥାଏ: ମୁଁ ଦଳର ଧର୍ମନିରପେକ୍ଷ ରାଷ୍ଟ୍ର ଚିନ୍ତାଧାରାକୁ ଗ୍ରହଣ କରୁଛି ଯାହା କୌଣସି ନିର୍ଦ୍ଦିଷ୍ଟ ଧର୍ମର ପୃଷ୍ଠପୋଷକତା କରେ ନାହିଁ। ଆହୁରି ମଜା କଥା ହେଲା, ଭାଜପାର ସମ୍ବିଧାନର ପ୍ରାରମ୍ଭରେ ଅଛି ଯେ ଏହା ଭାରତର ସମ୍ବିଧାନ ତଥା ଏହାର ସମାଜବାଦ, ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ନୀତି ଓ ଆଦର୍ଶକୁ ସମ୍ମାନ ଦିଏ। ଅମିତ ଶାହଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏକ ନମ୍ବରକୁ ମିସ୍‌ଡ କଲ୍‌ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଭାଜପା ବିଭିନ୍ନ ସହରରେ ଲଗାଇଥିବା ବଡ଼ ବଡ଼ ହୋର୍ଡିଂରେ ଏହି ନମ୍ବରକୁ ବିଜ୍ଞାପିତ କରିଛି। ଯେଉଁମାନେ ଉକ୍ତ ନମ୍ବରକୁ ମିସ୍‌ଡ କଲ୍‌ କରନ୍ତି, ଭାଜପା ଏକ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ଅନୁଦାନ ଦେବା ବା ଏହାର ସ୍ବେଚ୍ଛାସେବା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁରୋଧ କରେ। ଯେଉଁମାନେ ନିଜର ସମୟ ବା ଅର୍ଥ ଦିଅନ୍ତି, ସେମାନଙ୍କୁ ବାର୍ତ୍ତା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।
ଭାଜପା ଏପରି ନେତୃତ୍ୱ ଦ୍ୱାରା ପରିଚାଳିତ, ଯିଏ ମଧ୍ୟବିତ୍ତ ବର୍ଗଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ତେଣୁ ଏହି ଧାରାରେ ଦଳ ନିଜର ସଦସ୍ୟ ଓ ସ୍ବେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି କରିପାରୁଛି। ଏହା ସହ ଦଳ ବିଶ୍ୱର ବୃହତ୍ତମ ବେସରକାରୀ ସଂଗଠନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଉପରେ ମଧ୍ୟ ନିର୍ଭର କରୁଛି। ସାରା ଭାରତରେ ୫୫,୦୦୦ରୁ ଊର୍ଦ୍ଧ୍ୱ ଆର୍‌ଏସ୍‌ଏସ୍‌ ଶାଖା ରହିଛି। ୬୦୦୦ ପୂର୍ଣ୍ଣକାଳୀନ ପ୍ରଚାରକ ଅଛନ୍ତି, ଯେଉଁମାନଙ୍କୁ ଏବେ ନିର୍ବାଚନ ଦାୟିତ୍ୱରେ ରଖାଯାଇଛି ଏବଂ ଲୋକଙ୍କୁ କିପରି ସଂଗଠିତ କରିବାକୁ ହେବ ତା’ ଉପରେ ବର୍ଷ ବର୍ଷ ଧରି ସେମାନଙ୍କୁ ତାଲିମ ଦିଆଯାଇଛି। ମୋଟ ଉପରେ କହିବାକୁ ଗଲେ ଭାଜପା ହେଉଛି ଲୋକ, ନେଟ୍‌ଓ୍ବର୍କ ଓ ଟଙ୍କା ଦୃଷ୍ଟିରୁ ସାରା ବିଶ୍ୱରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ରାଜନୈତିକ ସଂଯନ୍ତ୍ର।
ଅପରପେକ୍ଷ କଂଗ୍ରେସ ନିଜ ଦଳର ପୁନର୍ଗଠନ କରି ଭାଜପା ପରି ଏକ ଶକ୍ତିଶାଳୀ ସଂଗଠନ ଗଢ଼ିବାକୁ ଲକ୍ଷ୍ୟ ରଖିଆସିଛି। ତେବେ ରାହୁଲ ଗାନ୍ଧୀ ୧୫ ବର୍ଷ ହେଲା ଦଳରେ କାମ କରି ଆସିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ। ମହାତ୍ମା ଗାନ୍ଧୀ ଭାରତକୁ ଆସିବାର ପ୍ରଥମ ୧୫ ବର୍ଷ ଭିତରେ ଚମ୍ପାରଣ, ଖେଦା, ଖିଲାଫତ, ଅସହଯୋଗ ଆନ୍ଦୋଳନ ଓ ଦାଣ୍ଡି ଲୁଣମରା ଅଭିଯାନ ପରି ଅନେକ କାର୍ଯ୍ୟ କରିଥିଲେ। କଂଗ୍ରେସଠାରୁ ଅନୁରୂପ ତୃଣମୂଳ କାର୍ଯ୍ୟକ୍ରମ ଆମେ ଦେଖିବାକୁ ପାଉନାହୁଁ। ସମାଜକୁ ଗତିଶୀଳ କରିବା ପାଇଁ କଂଗ୍ରେସର ଏପରି କିଛି ଦୃଷ୍ଟିକୋଣ ଥିବାର ଆମେ ଦେଖୁନାହୁଁ। ତୃଣମୂଳ ସ୍ତରରେ ଏହାର ସେମିତି କିଛି କାର୍ଯ୍ୟକ୍ରମ ନାହିଁ। ସେବା ଦଳ ନାମରେ କଂଗ୍ରେସର ଏକ ସ୍ବେଚ୍ଛାସେବୀ ବାହିନୀ ଅଛି, ଯାହା ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠାର ବର୍ଷକ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା। ସ୍ବାଧୀନତା ପୂର୍ବରୁ ଆନ୍ଦୋଳନରେ ଯୋଗ ଦେଉଥିବା ଲୋକଙ୍କୁ ସାହାଯ୍ୟ କରିବା ଏହାର କାର୍ଯ୍ୟ ଥିଲା। କିନ୍ତୁ ସ୍ବାଧୀନତା ପରେ ଆର୍‌ଏସ୍‌ଏସ୍‌ର ଉନ୍ନତି ଘଟିଥିବା ବେଳେ ଏହା ଏକ ପ୍ରକାର ଅଚଳ ହୋଇଗଲା। ସଦସ୍ୟତା ବିଶେଷ କରି ଅର୍ଥ ପଇଠ କରି ବହୁ ସଂଖ୍ୟାରେ ସଦସ୍ୟ ହେବା ପ୍ରକୃତରେ ଦଳର ଲୋକପ୍ରିୟତାର ସୂଚକ। କଂଗ୍ରେସ ନିଜର କାର୍ଯ୍ୟକଳାପ ଓ ଦେଶ ପ୍ରତି ଦୃଷ୍ଟିକୋଣ ଆଧାରରେ ଯୁବବର୍ଗକୁ ଅନୁପ୍ରାଣିତ କରି ବହୁସଂଖ୍ୟାରେ ଦଳର ସଦସ୍ୟ କରିବା ପାଇଁ ଚେଷ୍ଟା କରିବା ଉଚିତ କାରଣ ସଦସ୍ୟମାନେ ହେଉଛନ୍ତି ଦଳର ବଳ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri