ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଡ. ଦେବାନନ୍ଦ ବେଉରା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। ଅବଶ୍ୟ ସେ ସବୁ ପ୍ରାକୃତିକ ପ୍ରକ୍ରିୟାପ୍ରଣୋଦିତ ଥିଲା। ମାତ୍ର ଜୀବଜନ୍ତୁଙ୍କ ପ୍ରତି ଏବର ବିପଦଗୁଡାକ ମନୁଷ୍ୟ ପ୍ରାୟୋଜିତ। ସେଥିପାଇଁ ଆହ୍ବାନ ଆସିଛି ମଣିଷକୁ ଏକ ସୁରକ୍ଷିତ ଜୈବମଣ୍ଡଳ ପାଇଁ, ନଚେତ୍‌ ପୃଥିବୀ ଜୀବନ୍ତ ଗ୍ରହ ମାନ୍ୟତା ହରାଇ ବସିବ। ଆମ ପାଖରେ ପୃଥିବୀ ହିଁ ଏକମାତ୍ର ଗ୍ରହ ଅଛି ଯେଉଁଠି ଜୀବସତ୍ତାର ଅବସ୍ଥିତି ସମ୍ଭବ। ଏହାର ବିକଳ୍ପ ଉପଲବ୍‌ଧ ନ ଥିବାରୁ ଏହାକୁ ଏମିତି ପ୍ରତିକୂଳାତ୍ମକ କରା ନ ଯାଉ, ଯଦ୍ଦ୍ବାରା ଜୈବବିବିଧତା ଧ୍ୱଂସ ପାଇଯିବ। ଜୀବ ବିଲୁପ୍ତି ନିମନ୍ତେ ମଣିଷର ପ୍ରକୃତି ପରିପନ୍ଥୀ କାର୍ଯ୍ୟଧାରା ପ୍ରମୁଖ କାରଣ ସାଜିଛି, ଯାହାକୁ ଆଧୁନିକତା ବା ଉନ୍ନତି ଅବା ଜୀବନଶୈଳୀର ଉତ୍‌ଥିତ ସୋପାନ ବୋଲି ଧରି ନିଆଯାଉଛି।

ପୃଥିବୀ ସୃଷ୍ଟିର କିଛି କାଳ ପରେ ଜୀବ ସତ୍ତାର ଆବିର୍ଭାବ ହୁଏ, ଯାହା ପୃଥିବୀରେ ଜୈବମଣ୍ଡଳର ଆଦ୍ୟ ଅବସ୍ଥାନକୁ ଚରିତାର୍ଥ କରେ। ଜୀବର କ୍ରମବିକାଶ ସହିତ ବିବର୍ତ୍ତନ ଜୈବମଣ୍ଡଳରେ ବିବିଧତାର ସମ୍ଭାବନାକୁ ପରିପ୍ରକାଶ କରେ। ଅସ୍ତିତ୍ୱ, ଆକାର, ଆଚରଣ ଓ ବିଚରଣ ଆଧାରରେ ଜୀବ ପରିବେଶରେ ପରିସଂସ୍ଥା ସଂସ୍ଥାପନ କରନ୍ତି। ଜଳ ଓ ସ୍ଥଳ ଭାଗରେ ପରିବେଶୀୟ ଉପାଦାନକୁ ଆୟୁଧ କରି ବଞ୍ଚିବା, ବଂଶବୃଦ୍ଧି କରିବା ସହିତ ସଂଖ୍ୟାଧିକ ଜାତି ଓ ପ୍ରଜାତିରେ ପରିଣତ ହେବା ଜାରି ରୁହେ। ଫଳତଃ ପ୍ରାୟ ୪୦୦୦ ନିୟୁତ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଏକକୋଷୀ ଜୀବ ଭୂତାତ୍ତ୍ୱିକ ସମୟ ସାରଣୀର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବହୁକୋଷୀ ଅମେରୁଦଣ୍ଡୀ ଉଭୟଚର, ସରୀସୃପ ଓ ସ୍ତନ୍ୟପାୟୀ ପ୍ରାଣୀରେ ବିକଶିତ ହୁଅନ୍ତି। ପ୍ରାୟ ଏକଲକ୍ଷରୁ ଦେଢଲକ୍ଷ ବର୍ଷ ପୂର୍ବେ ହଲୋସିନ କାଳରେ ପୃଥିବୀପୃଷ୍ଠରେ ମଣିଷ ଜାତିର ସୃଷ୍ଟି ହୁଏ। କ୍ଷିପ୍ର ବିବର୍ତ୍ତିତ ହୋଇ ଆଦିମ ମାନବ ଆଜିର ଆଧୁନିକ ମାନବରେ ପରିଣତ ହେବା ସହିତ ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବର ମାନ୍ୟତା ଲାଭ କରିଛି। ମଣିଷର କ୍ରମବିକାଶକୁ ସାମାଜିକ, ସଭ୍ୟ, ସ୍ବାବଲମ୍ବୀ କରିବା ସହିତ ଶିକ୍ଷା, ଦୀକ୍ଷା, ଚିନ୍ତନ, ସଂସ୍କୃତି ତାକୁ ଆଧୁନିକତାର ମାନଦଣ୍ଡ ପ୍ରଦାନ କରିଛି। ବୈଜ୍ଞାନିକ ବିଶ୍ଳେଷଣ, ପ୍ରଯୌକ୍ତିକ ପ୍ରୟୋଗ ତଥା ବୈଷୟିକ ବିଜ୍ଞତା ଆଧାରରେ ମଣିଷ ଆଜି ପୃଥିବୀ ଉପରେ ରାଜତ୍ୱ କରୁଛି। ଆବଶ୍ୟକତାରେ ସର୍ବନିମ୍ନରୁ ସର୍ବଶ୍ରେଷ୍ଠକୁ ଯୋଡିବା ଅବସରରେ ପ୍ରାକୃତିକ ସମ୍ପଦ ଉପରେ ଜୁଲମ ବଢାଇଦେଇଛି। ଜୀବନଶୈଳୀରେ ଆରାମର ଅଭୀପ୍‌ସା ଏବଂ ଜୀବନ ଉପଭୋଗରେ ଉତ୍କୃଷ୍ଟ ଉପଚାର ପାଇଁ ମଣିଷର ନିରନ୍ତର ପ୍ରୟାସ ଜାରି ରହିଛି। ଫଳରେ ଶକ୍ତି, ଶିଳ୍ପ, ଖଣି ଖାଦାନ, ଭିତ୍ତିଭୂମି, ସହରୀକରଣରେ ସମ୍ପ୍ରସାରିତ କାର୍ଯ୍ୟକ୍ରମ ଅନବରତ ଲାଗିରହିଛି। ବ୍ୟକ୍ତି-ବ୍ୟକ୍ତି, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ମଧ୍ୟରେ ଆର୍ଥିକ ସ୍ଥିତି, ପ୍ରଯୌକ୍ତିକ ବିକାଶ, ଶିଳ୍ପାୟନ ତଥା ଜୀବନଧାରଣର ମାନରେ ଉନ୍ନତି ପାଇଁ ପ୍ରତିଯୋଗିତାର ଅନ୍ତ ନାହିଁ। ଏସବୁ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବଳି ପଡୁଛନ୍ତି ପରିବେଶ, ପରିସଂସ୍ଥା ଆଉ ମରି ହଜିଯାଉଛନ୍ତି ଜୈବମଣ୍ଡଳର ଅନେକ ଜାତି ଓ ପ୍ରଜାତି।

ଆଜି ମଣିଷର ତଥାକଥିତ ବିକାଶ ପରିଭାଷାରେ ଜୀବବିନାଶର ଧାରା ଲାଗିରହିଛି। ପୂର୍ବ ପାଞ୍ଚୋଟି ସମୂହ ବିଲୋପରେ ନବେ ପ୍ରତିଶତ ପର୍ଯ୍ୟନ୍ତ ଜୀବଜନ୍ତୁ ଲୋପ ପାଇଯାଇଥିଲେ, ଯାହାର ପୁନରାବୃତ୍ତି ବର୍ତ୍ତମାନର ଅଦୃଶ୍ୟମାନ ଷଷ୍ଠ ସମୂହ ବିଲୋପରେ ଘଟିଚାଲିଛି। ଏହା ମନୁଷ୍ୟକୃତ, ଯାହାର ଉପଚାର ମଣିଷ ପାଖରେ ହିଁ ଅଛି। ତେବେ ସେସବୁ ପ୍ରତି ଆମେ କେତେ ସଚେତନ ଏବଂ ଯତ୍ନଶୀଳ ତାହା ଆମ ପରିସରରୁ କ୍ରମାଗତ ଭାବେ ଉଭାନ ହୋଇଯାଉଥିବା ଜୀବଜନ୍ତୁଙ୍କ ଆକଳନରୁ ଅନୁମେୟ। ମଣିଷର ମତଲବୀ ଆଚରଣ ପରିଧିରେ କେତେ ଜୀବ ଅଛନ୍ତି, କେତେ ବିଲୁପ୍ତପ୍ରାୟ ତା’ର ହିସାବ ପ୍ରତିଫଳିତ ହେଉନି। ଜୀବନଟା ଏଠି ଖୁବ୍‌ ଦ୍ରୁତ ଗତିଶୀଳ। ବ୍ୟସ୍ତବହୁଳ ମଣିଷ ବାତାନୁକୂଳିତ ଆବଦ୍ଧ କୋଠରି କିମ୍ବା ଗାଡିରେ ରାତିଦିନ ଏକ କରି ଉନ୍ନତି କରିବ ବୋଲି ଦୌଡୁଛି। ଯାନ୍ତ୍ରିକ ଜୀବନକୁ ଅଭାବୀ ସମୟ ପରିବାର ପ୍ରତିବେଶୀଙ୍କ ପ୍ରସଙ୍ଗ ନଜରର ବାହାରେ। ଏମିତି ସ୍ଥିତିରେ ଜୈବମଣ୍ଡଳରେ ଜୀବକ୍ଷୟ କଥା ବୁଝୁଛି କିଏ? କ’ଣ ବା ଦରକାର? ବାଘ, ସିଂହ ଆଦି ଜଙ୍ଗଲୀ ଜୀବ ଯଦି ବିଲୁପ୍ତ ହୋଇଯାଆନ୍ତି ତେବେ ମଣିଷକୁ ଅସୁବିଧା କେଉଁଠି? ଖାଦ୍ୟ ଶୃଙ୍ଖଳର ହରିଣ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ନାହିଁ। ହେଲେ ବି କୃଷି ଖେତ ଆଉ ଉନ୍ମୁକ୍ତ ପଡିନି ଯେ ଖାଇ ଶେଷ କରିଦେବେ। ଏତେ ବଡ଼ ଜୀବ ହାତୀ ଜଙ୍ଗଲରେ ଖାଦ୍ୟ, ପାଣି ନ ପାଇ ଗାଁ ସହର ଭିତରେ ପଶି ନିଜର ଦାବିଦାରି ଜାହିର କରୁଛି। କେତେଦିନ ଏମିତି ବଞ୍ଚି ପାରିବ ସେ ମଣିଷ ସହିତ ସଂଗ୍ରାମ କରି। ତେଣୁ ସେମାନଙ୍କର ଜାତି-ପ୍ରଜାତି ଧୀରେ ଧୀରେ ହ୍ରାସପ୍ରାପ୍ତ ହେବାରେ ଲାଗିଛି। ଶାଗୁଣା, ଘରଚଟିଆ, ହଳଦୀବସନ୍ତ- ଏମିତି କେତେ କ’ଣ ଧୀରେ ଧୀରେ ଅଦୃଶ୍ୟ ହୋଇଗଲେଣି। ଏ ତ ଗଲା ବଡ଼ସାନ ପଶୁପକ୍ଷୀଙ୍କ କଥା। ଆମ ଦୃଷ୍ଟିଗୋଚର ହେଉ ନ ଥିବା ଅସଂଖ୍ୟ ଅଣୁଜୀବ  ଲୋପପାଇ ଚାଲିଛନ୍ତି। ପ୍ରଦୂଷିତ ପରିବେଶରେ ସେମାନଙ୍କର ବଂଶବୃଦ୍ଧି ହୋଇପାରୁନି।

ଆମ ପରିବେଶରେ ଅସୁରକ୍ଷିତ ଜୈବମଣ୍ଡଳ ବିଷୟରେ ଆମେ ବସ୍ତୁତଃ ଅଜ୍ଞ ଅବା ସଚେତନ ଥାଇ ମଧ୍ୟ ଉଦାସୀନ। ଏହାର ଅନେକ କାରଣ ଅଛି। ତେବେ ମଣିଷର ସଂକ୍ଷିପ୍ତ ଜୀବନ କାଳରେ ଏମାନଙ୍କ ଅନୁପସ୍ଥିତିର ପ୍ରତିକୂଳାତ୍ମକ ପ୍ରଭାବ ସେତେଟା ଦୃଶ୍ୟମାନ ହେଉନାହିଁ। ବସ୍ତୁବାଦୀ ଦୃଷ୍ଟିକୋଣରେ ଖାଲି ଲାଭକ୍ଷତିର ହିସାବ ଜୀବ ବିଲୁପ୍ତିର କୁପରିଣତିକୁ ମୂଲ୍ୟାୟନ କରିପାରିବ ନାହିଁ। ମାନସିକ ସ୍ତରରେ ଉତ୍ତମ ପରିବେଶର ପ୍ରଭାବ ଅତ୍ୟନ୍ତ ସୁଖଦାୟୀ। ମାଟି-ପାଣି-ପବନର ପରଶରେ ପୁଲକିତ ମନର ସ୍ଥିତି ବିଶ୍ଳେଷଣର ବାହାରେ। ସେହିପରି ଫୁଟିଥିବା ଫୁଲ, ପକ୍ଷୀର ରାବରେ ଭାବାବେଗ କିଛି ଅଲଗା। ନିର୍ଜନ ଦ୍ୱୀପର ରାଜାର ଅବସ୍ଥା ନିଶ୍ଚିତ ରୂପେ ଜୀବଶୂନ୍ୟ ପୃଥିବୀରେ ମଣିଷର ସ୍ଥିତି ସହିତ ତୁଳନୀୟ। ସମସ୍ତଙ୍କ ସମ୍ମେଳନରେ ପୃଥିବୀ ବ୍ରହ୍ମାଣ୍ଡରେ ବିଶେଷ ଗ୍ରହର ସ୍ଥାନ ନେଇପାରିଛି। ଏଠି ସବୁ ଜୀବଙ୍କର କିଛି ନା କିଛି ମୌଳିକ ଭୂମିକା ରହିଛି। ଜୀବରକ୍ଷାର କବଚ ଆଜି ମଣିଷ ପାଖରେ, ତାକୁ ପ୍ରୟୋଗ କରି ଜୀବକ୍ଷୟକୁ ରୋକିବାକୁ ପଡିବ। ଅନ୍ୟଥା ସମୟ ଚକ୍ରରେ ମଣିଷ ଜାତି ଏକଲାପଣର ଶିକାର ହୋଇ ସାମୂହିକ ବିଲୋପ ବା ପ୍ରଳୟରେ ବିଲୀନ ଯେ ନ ହେବ, ତାହା ଏବେଠୁ କହିହେବନି।

ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୋ-୯୮୬୧୨୧୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?