ଗୋଟିଏ ଡଙ୍ଗାରେ ସମସ୍ତେ

ସମସ୍ତ ବିଶ୍ୱବାସୀ ବର୍ତ୍ତମାନ ଗୋଟିଏ ଡଙ୍ଗାରେ ବସିଛନ୍ତି। ନଦୀର ଅଥଳ ପାଣି, ପ୍ରଖର ସ୍ରୋତକୁ ପାରିକରି ନାଆ ସୁରୁଖୁରୁରେ କୂଳରେ ଲାଗିଲେ ସମସ୍ତେ ନିରାପଦରେ ଓହ୍ଲାଇବେ। ସ୍ରୋତରେ ଥିବା ନାଆର ଯାତ୍ରା ଭୀତତସ୍ତ ହୋଇ ଏପଟସେପଟ ହେଲେ ଡଙ୍ଗା ବୁଡ଼ିଯିବାର ଭୟ ଅଛି। ଏହି ନୌକାକୁ ଚଳାଉଥିବା ନାଉରୀ ଖୁବ୍‌ ସତର୍କତାର ସହିତ ଜୀବନକୁ ବାଜି ଲଗାଇ ଚଳାଉଛନ୍ତି। ଏମାନେ ହେଲେ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ସାମାଜିକ କର୍ମୀ। ଡଙ୍ଗାର ଲଙ୍ଗର ଧରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କରୋନା ବା କୋଭିଡ୍‌-୧୯ ଭାଇରସ୍‌ ପ୍ରଥମେ ଚାଇନାରେ ଉତ୍ପତ୍ତି ବୋଲି ଜଣାପଡ଼ିଥିଲା। ସେମାନେ ଯଦିଓ ସେତେବେଳେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ପରିଚାଳନା କରିଥାନ୍ତେ, ଏହା ମହାମାରୀର ଭୟାବହ ରୂପ ଧାରଣ କରି ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ନ ଥା’ନ୍ତା। ଏବେ ଚାଇନା ଓ ଆମେରିକା ପରସ୍ପର କାଦୁଅ ଫିଙ୍ଗାରେ ବ୍ୟସ୍ତ। ଚାଇନା କହେ ଆମେରିକାରେ ଏହାର ଉତ୍ପତ୍ତିସ୍ଥଳୀ। ଅତୀତରେ ଯେତେସବୁ ମାରାତ୍ମକ ଭୂତାଣୁ ଜୀବନହାନି ଘଟାଇଛି ସେସବୁ ବାହାର ଦେଶରୁ ସୃଷ୍ଟି ହୋଇଛି। ୨୦୦୩ରେ ଏସ୍‌ଏଆର୍‌ଏସ୍‌ ଭୂତାଣୁ, ୨୦୦୯ରେ ସ୍ବାଇନ୍‌ ଫ୍ଲୁ ଭୂତାଣୁ, ୨୦୦୪ରେ ଇବୋଲାରୁ ବର୍ତ୍ତମାନର କରୋନା ଭୂତାଣୁ ଅଧିକ ଆତଙ୍କ ସୃଷ୍ଟି କରିଛି। କାରଣ ସମଗ୍ର ବିଶ୍ୱରେ ଏହା କାୟା ବିସ୍ତାର କରିଛି ଓ ଏହାର ପ୍ରତିଷେଧକ ଟିକା କିମ୍ବା ଔଷଧ ବାହାରି ନାହିଁ। ତଥାପି ଡାକ୍ତରଙ୍କ ଚେଷ୍ଟା ଫଳରେ ୯୦ ହଜାରରୁ ଊର୍ଦ୍ଧ୍ୱ ଆରୋଗ୍ୟଲାଭ କଲେଣି। ଇଟାଲୀ ଚାଇନାକୁ ଟପିଗଲାଣି। ୨୦ ତାରିଖ ସୁଦ୍ଧା ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୦୦ ଟପିଥିଲା ବେଳେ ମୃତ୍ୟୁସଂଖ୍ୟା ୩୪୦୫, ଚାଇନାରେ ମୃତ୍ୟୁ ସଂଖ୍ୟା ୩୨୪୫। ଏହାବ୍ୟତୀତ ଇରାନ, ସ୍ପେନ୍‌, ଜର୍ମାନୀରେ ସ୍ଥିତି ସଙ୍ଗିନ। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୭,୭୬୪ ଥିବା ବେଳେ ମୃତ୍ୟୁ ସଂଖ୍ୟା ୯୮୩୪ । ଦୁଇଟି ବିଶ୍ୱଯୁଦ୍ଧଠାରୁ ଅଧିକ ଭୟଙ୍କର।
ଆଶ୍ୱସ୍ତିକର ବିଷୟ ଭାରତ ଅଳ୍ପ ବିଳମ୍ବରେ ହେଉ ପଛେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ସଂକ୍ରମଣ ରୋକିବାରେ ଲାଗିଛି। ସମସ୍ତ ରାଜ୍ୟ ମଧ୍ୟରେ ଓଡ଼ିଶା ସର୍ବାଗ୍ରେ। ବର୍ତ୍ତମାନ ଭାରତରେ ଏହା ଦ୍ୱିତୀୟ ଷ୍ଟେଜ୍‌ରେ ଅଛି। ୨୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କଲେଣି। ଏଠାରେ ପ୍ରଶ୍ନଉଠେ ଔଷଧ, ଟିକା ବାହାରି ନ ଥିବା ବେଳେ ଏମାନେ ଆରୋଗ୍ୟଲାଭ କଲେ କେମିତି? ଏହା ବିଷୟରେ ଏକ ରୋଚକ ତଥ୍ୟ ଆସିଛି ସବାଇ ମାନସିଂ ହସ୍ପିଟାଲର ଡାକ୍ତରଙ୍କ ନିକଟରୁ। ସେଠାରେ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତ ରୋଗୀ ୩ ଦିନ ଓ ୫ ଦିନରେ ଆରୋଗ୍ୟ ହୋଇଛନ୍ତି। ଏଥିପାଇଁ ସେମାନେ ଏଚ୍‌ଆଇଭି, ସ୍ବାଇନ୍‌ ଫ୍ଲୁ ଓ ମ୍ୟାଲେରିଆ ବଟିକା ରୋଗୀଙ୍କୁ ଦେଇଥିଲେ। ଆଶ୍ୱସ୍ତିର ବିଷୟ ଏହି କି ଏକ ସର୍ଭେରୁ ଜଣାପଡ଼ିଛି ଭାରତରେ ସମୂହ ସଂକ୍ରମଣ ହୋଇନାହିଁ। ବର୍ତ୍ତମାନ ଏହି ଘଡ଼ିସନ୍ଧି ସମୟରେ ନିଜେ ବଞ୍ଚତ୍ବା ଓ ଅନ୍ୟକୁ ବଞ୍ଚାଇବା ପ୍ରଥମ କାମ। ସଚେତନ ରହିଲେ ଆମେ ନିରାପଦ ରହିପାରିବା। ବରିଷ୍ଠ ନାଗରିକ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ଶିଶୁ ୧୦ ବର୍ଷରୁ କମ୍‌ ଏମାନଙ୍କ ଶରୀରରେ ଇମ୍ୟୁନିଟ୍‌ ଶକ୍ତି କମ୍‌ ଥିବାରୁ ଆକ୍ରାନ୍ତ ହେବାର ଅଧିକ ଦେଖାଯାଉଛି। ଏମାନଙ୍କୁ ସର୍ବଦା ନିରାପଦସ୍ଥଳୀରେ ରଖାଯିବା ଉଚିତ। ଯେଉଁ ବ୍ୟାଧି ପାଇଁ ଔଷଧ ନାହିଁ, ସେଠାରେ ଆତ୍ମବିଶ୍ୱାସ କାର୍ଯ୍ୟକରେ। ସକାରାତ୍ମକ ମନୋଭାବ ମଣିଷକୁ ମଜଭୁତ କରେ। ସତର୍କତା ଅବଲମ୍ବନ ସର୍ବାଦୌ ଆମ ସମସ୍ତଙ୍କର କର୍ତ୍ତବ୍ୟ। ସଂକ୍ରମିତ ରୋଗୀ ସହିତ ମିଳାମିଶା କଲେ, ଶରୀର ସ୍ପର୍ଶ କଲେ, ଦୂରତା ରକ୍ଷା ନ କଲେ, ଏକତ୍ର ଭୋଜନ, ଶୟନ କଲେ, ରୋଗୀର ସାମଗ୍ରୀକୁ ଛୁଇବା କିମ୍ବା ବ୍ୟବହାର କଲେ ଏହା ସଂକ୍ରମିତ ହୋଇଥାଏ। ମୁହଁରେ ମାସ୍କ ଲଗାଇ ବାହାରକୁ ଯିବା, ହାତକୁ ବାରମ୍ବାର ସାବୁନ୍‌ରେ ୨୦ ସେକେଣ୍ଡ ଯାଏ ସଫା କରିବା ଉଚିତ। ଗୁଜବକୁ ଆଦୌ ବିଶ୍ୱାସ କରିବା ଉଚିତ ନୁହେଁ।
ପିଲାଙ୍କୁ ହାଡ଼ଫୁଟି ହେଲେ, ମା’ମାନେ ତାଙ୍କୁ ୧୪ ଦିନ ପାଇଁ ଅଲଗା ରଖନ୍ତି। କାହା ସହିତ ମିଳାମିଶା ବାରଣ କରାଯାଏ। ସ୍ନାନପୂର୍ଣ୍ଣିମାରେ ପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନପରେ ଜରରେ ପଡ଼ନ୍ତି। ୧୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଅଣସରରେ ରଖି ଗୁପ୍ତ ଚିକିତ୍ସା କରାଯାଏ। ସେହିପରି ଯେଉଁମାନେ ନିକଟରେ ବିଦେଶରୁ ଫେରିଛନ୍ତି ସେମାନେ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରହିବେ। ଭାରତରେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ଓ ଓଡ଼ିଶାରେ ୨୬୨୬ରୁ ଊର୍ଦ୍ଧ୍ୱ। ଏମାନଙ୍କ ରହିବା ପାଇଁ ୬୩୨ଟି କୋଠାଘରକୁ ଚିହ୍ନଟ କରାଯାଇଛି। ସହରାଞ୍ଚଳରେ ୨୬୧ଟି କୋଠାଘର ଚିହ୍ନଟ ହୋଇଛି। ଏହାଛଡ଼ା ଭୁବନେଶ୍ୱରରେ ତିନିଟି ହୋଟେଲରେ ସୁବିଧା ଉପଲବ୍ଧ। ଆମେରିକାରୁ ଫେରି ଗଜପତି ମହାରାଜା, ମହାରାଣୀ ଓ ପରିବାରବର୍ଗ ସଂଗରୋଧରେ ରହିଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବିଦେଶରୁ ଫେରିଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ୨୨ ତାରିଖରେ ‘ଜନତା କର୍ଫୁ’ ସଫଳ ହୋଇଛି। ଆର୍ଥିକ ମାନଦଣ୍ଡ ଦୋହଲିଲାଣି। ସ୍କୁଲ, କଲେଜ, ଯାତ୍ରା, କ୍ରୀଡ଼ା, ମଲ, ସିନେମା ହଲ୍‌ ସମସ୍ତ ଜନଗହଳି ଉପରେ ରୋକ୍‌। ଦିନମଜୁରିଆ, ଶ୍ରମିକମାନେ ପ୍ରମାଦ ଗଣିଲେଣି।
ମଣିଷ ସମାଜ ପାଇଁ ନାନା ସଙ୍କଟ ତଥା ଦୈବଦୁର୍ପିପାକ ଲାଗିରହିଛି। ଏହାର ମୁକାବିଲା କରି ମଣିଷ ତିଷ୍ଠି ଆସିଛି। ଚାଇନାର ଉତ୍ପତ୍ତିସ୍ଥଳ ଉହାନ ଏବେ ଏକ ପ୍ରକାର ବିପଦମୁକ୍ତ। ତେଣୁ ସରକାରଙ୍କ ନିୟମ ତଥା ସଚେତନତାରେ ରହି ଓ ଅନ୍ୟମାନଙ୍କୁ ସଚେତନ କରାଇ ଏଭଳି କଠିନ ସମୟର ମୁକାବିଲା କରିବା।

ଅଭିମନ୍ୟୁ ଧଳ
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri