କୁଶଳୀ ମହିଳା ସମୃଦ୍ଧ ରାଷ୍ଟ୍ରର ପରିଚାୟକ

ଡ. ମହେନ୍ଦ୍ରନାଥ ପାଣ୍ଡେୟ
ମାର୍ଚ୍ଚ ୮ ହେଉଛି ଏକ ବିଶେଷ ଦିନ। ପ୍ରତିବର୍ଷ ଏହି ଦିନରେ ହିଁ ମହିଳାଙ୍କ ପ୍ରତି ଆଦର ଓ ସମ୍ମାନ ବ୍ୟକ୍ତ କରିବା ଲାଗି ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯାଇଥାଏ। ସମ୍ପ୍ରତି ଆମ ଦେଶର ମହିଳାମାନେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରୁଛନ୍ତି। ତେଣୁ ଆମେ ଏହି ବିଶେଷ ଦିନକୁ ମହିଳାମାନଙ୍କ ଉପଲବ୍ଧିର ଉତ୍ସବ ରୂପେ ମଧ୍ୟ ପାଳନ କରିପାରିବା। ମହିଳାଙ୍କ ମଧ୍ୟରେ ଅଦ୍ଭୁତ ସାହସ, ଅପରିମିତ ଶକ୍ତି, ଅସୀମ ଧୈର୍ଯ୍ୟ ଓ ଅତ୍ୟଧିକ କ୍ଷମତା ରହିଛି। କଠିନ ପରିଶ୍ରମ ମାଧ୍ୟମରେ ସବୁପ୍ରକାର ଆହ୍ବାନକୁ ସାମ୍‌ନା କରିବାରେ ମହିଳାମାନେ ପାରଙ୍ଗମ। ଏହି ଦିବସ ଉପଲକ୍ଷେ ନାରୀ ଶକ୍ତି ନିକଟରେ ନତମସ୍ତକ ହୋଇ ସ୍ତମ୍ଭ ଲେଖିବା ବ୍ୟକ୍ତିଗତ ଭାବେ ମୋ ପାଇଁ ଅତ୍ୟନ୍ତ ସୁଖଦ ଅନୁଭୂତି।
ଦେଶ ଓ ସମାଜର ଉତ୍ଥାନରେ ମହିଳାମାନେ ସବୁବେଳେ ଅଗ୍ରଣୀ ଯୋଗଦାନ ଦେଇଛନ୍ତି। ଭାରତର ସ୍ବାଧୀନତା ପାଇଁ ୧୮୫୭ର ସିପାହି ବିଦ୍ରୋହ ହେଉ କିମ୍ବା ୧୯୪୭ରେ ଶେଷ ହୋଇଥିବା ଦେଶର ସ୍ବାଧୀନତା ସଂଗ୍ରାମ, ମହିଳାମାନେ ସର୍ବଦା ଦେଶକୁ ଗୌରବାନ୍ବିତ କରିଛନ୍ତି। ଭାରତୀୟ ମହିଳାମାନେ ମାଟିରୁ ଆକାଶ ପର୍ଯ୍ୟନ୍ତ ସଫଳତାର ନୂତନ ସୋପାନରେ ସେମାନଙ୍କ ଭୂମିକା ତୁଲାଇପାରିଛନ୍ତି। ଦେଶର ବିକାଶ ଓ ସମାଜର ଉତ୍ଥାନ ଲାଗି ଆଜି ମଧ୍ୟ ମହିଳାମାନେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ନିର୍ବାହ କରୁଛନ୍ତି। ଶିକ୍ଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା, ମିଡିଆ, ଉଦ୍ୟୋଗ, ଆଇଟି, ବିଜ୍ଞାନ ଓ କାରିଗରି, ରାଜନୀତି ଏବଂ ସାମାଜିକ ସଂସ୍କାର ସମେତ ବିଭିନ୍ନ କ୍ଷେତ୍ରରେ ମହିଳାମାନେ କାର୍ଯ୍ୟ କରୁଛନ୍ତି।
କେବଳ ସେତିକି ନୁହେଁ, ଆଜିର ଦିନରେ ଭାରତୀୟ ମହିଳାମାନେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମହାନଗରରେ ରାଜନୀତିଠାରୁ ଆରମ୍ଭକରି କର୍ପୋରେଟ କ୍ଷେତ୍ର ପର୍ଯ୍ୟନ୍ତ ନିରନ୍ତର ଆଗକୁ ବଢ଼ି ଚାଲିଛନ୍ତି। ସେମାନେ କେବଳ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନାହାନ୍ତି, ବରଂ ସହରଠାରୁ ଦୂର ଗ୍ରାମୀଣ କ୍ଷେତ୍ରରେ ମଧ୍ୟ ନିରନ୍ତର ପ୍ରଗତି ହାସଲ କରିଚାଲିଛନ୍ତି। ଆଜି ସେମାନେ ପଞ୍ଚାୟତ ନିର୍ବାଚନରେ ନିଜର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ମାଧ୍ୟମରେ ସମାଜକୁ ଏକ ନୂଆ ରାହା ଦେଖାଉଛନ୍ତି। ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏବଂ ସେମାନଙ୍କ ସଚ୍ଚୋଟ ଓ ସ୍ପଷ୍ଟ ଉଦ୍ଦେଶ୍ୟ ହିଁ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାକୁ ମଜଭୁତ କରୁଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗି ଅତ୍ୟନ୍ତ ଜରୁରୀ। କର୍ପୋରେଟ ଜଗତରେ ମହିଳାମାନଙ୍କ ସ୍ଥିତି କ୍ରମଶଃ ଉପରକୁ ଉଠିଚାଲିଛି। ବୋର୍ଡ ଡାଇରେକ୍ଟରଠାରୁ ଆରମ୍ଭକରି ସିଇଓ ପଦବୀ ପର୍ଯ୍ୟନ୍ତ, ସବୁଥିରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଉଛି। ଆଇଟି କ୍ଷେତ୍ର ସହିତ ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସରେ ମଧ୍ୟ ମହିଳାମାନଙ୍କ ଆଧିପତ୍ୟ ବଢ଼ୁଛି। ଗତବର୍ଷ ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣରେ ୨ଜଣ ମହିଳା ସମ୍ପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଏଥିରୁ ଭାରତୀୟ ମହିଳାଙ୍କ ଅତୁଳନୀୟ ଯୋଗ୍ୟତା ଓ କ୍ଷମତା ପ୍ରତିଫଳିତ ହେଉଛି।
ଆମର ପ୍ରାଚୀନ ଗ୍ରନ୍ଥରେ ମଧ୍ୟ ନାରୀଶକ୍ତି ପ୍ରତି ସମ୍ମାନ ଓ ଆଦର ପ୍ରକଟ କରି କୁହାଯାଇଛି- ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ।’ ଅର୍ଥାତ୍‌ ଯେଉଁଠି ନାରୀ ପୂଜା ପାଆନ୍ତି ସେଠି ଦେବତା ଖୁସି ହୁଅନ୍ତି। ଏହା ସତ୍ୟ ଯେ, ଯଦି ଆମେ ନିଜ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଆଧୁନିକତା ସହିତ ଯୋଡ଼ି ଦେଶର ସମସ୍ତ ଗତିବିଧିରେ ମହିଳାମାନଙ୍କୁ ଆଗରେ ରଖିବା ତା’ହେଲେ ଆମେ ରାଷ୍ଟ୍ର ଓ ସମାଜର ପ୍ରତିଷ୍ଠାକୁ ଆଗେଇ ନେଇପାରିବା। ମହିଳା ଓ ପୁରୁଷ ଏକ ସଙ୍ଗେ ଆଗେଇଲେ ହିଁ ଦେଶ ଓ ସମାଜର ବିକାଶ ସମ୍ଭବ ହୋଇପାରିବ। ଏଥିପାଇଁ ଆମକୁ ଝିଅମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ସମର୍ପିତ କରିବାକୁ ହେବ।
ଆମ ଦେଶରେ ମହିଳାମାନଙ୍କ ସ୍ଥିତି ବିଭିନ୍ନ ସମୟ, ବିଭିନ୍ନ ବର୍ଗ, ସମୁଦାୟ ଓ ସମୂହରେ ଭିନ୍ନ ଭିନ୍ନ ରହିଆସିଛି। ସମୟ ବଦଳିବା ସହିତ ଦେଶର ମହିଳାମାନେ ସଶକ୍ତୀକରଣ ମାଧ୍ୟମରେ ଆଗକୁ ବଢ଼ୁଛନ୍ତି ଏବଂ ଅନେକ ପ୍ରକାର ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିଛନ୍ତି। ମୋ ବିଚାରରେ ମହିଳାମାନଙ୍କୁ ସଶକ୍ତ କରିବାକୁ ହେଲେ ସେମାନଙ୍କର ଦକ୍ଷତା ବିକାଶ ଅତି ଆବଶ୍ୟକ। ଜଣେ ଶିକ୍ଷିତ ଓ କୁଶଳୀ ମହିଳା ଗୋଟିଏ ପରିବାର ଓ ସମାଜକୁ ମଧ୍ୟ ଶିକ୍ଷିତ ଓ କୁଶଳୀ କରିପାରିଥାନ୍ତି। ଆମ ଦେଶର ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଶିକ୍ଷିତ, ଦକ୍ଷ ଓ ସମୃଦ୍ଧ ନ ହେବା ପର୍ଯ୍ୟନ୍ତ ଦେଶର ଆର୍ଥିକ ସମୃଦ୍ଧି ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଏ ଦେଶର ପ୍ରତ୍ୟେକ ଗଁା, ସହର ଓ ନଗରରେ ଥିବା ମହିଳାମାନେ ପ୍ରଗତି ହାସଲ କଲେ ସମଗ୍ର ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ।
ମହିଳା ସଶକ୍ତୀକରଣ ଲାଗି ଆମ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନା, ମହିଳା ଇ-ହାଟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ସଖୀ ଯୋଜନା, ଲାଡ୍‌ଲୀ ଯୋଜନା, ଡିଜିଟାଲ ଲାଡୋ, ପ୍ରତି ଘରେ ଶୌଚାଳୟ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆମ ସରକାର ମହିଳାଙ୍କ ପୁଷ୍ଟିସାଧନ ପାଇଁ ମଧ୍ୟ କାମ କରୁଛନ୍ତି। ଯଦି ଆମେ ମହିଳାମାନଙ୍କୁ ପୋଷଣଯୁକ୍ତ ଓ ସଶକ୍ତ କରିବା ତା’ହେଲେ ସେମାନେ ନିଜ ଶିଶୁମାନଙ୍କ ଲାଳନପାଳନ ଠିକ୍‌ଭାବେ କରିପାରିବେ। ଦେଶର ଆଗାମୀ ପିଢ଼ି ନିର୍ମାଣରେ ଏହା ଅତ୍ୟନ୍ତ ଜରୁରୀ।
ମୁଁ ଖୁସି ଯେ ମହିଳାମାନଙ୍କୁ କୁଶଳୀ କରିବା ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପରସ୍ପରର ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ସମସ୍ତ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱର ସହ ନିଜ ନିଜ ଭୂମିକା ନିର୍ବାହ କରୁଛନ୍ତି।
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀଭାବେ ମୋର ପ୍ରାଥମିକତା ହେଉଛି ବିଭିନ୍ନ କ୍ଷେତ୍ରରେ କୁଶଳୀ ହେବା ଲାଗି ଆଗ୍ରହୀ ଥିବା ଆମ ଦେଶର ମହିଳାମାନଙ୍କୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା। ସେମାନେ ନିଜ କୌଶଳ ମାଧ୍ୟମରେ ସ୍ବରୋଜଗାରକ୍ଷମ ଏବଂ ଉଦ୍ୟମୀ ହୋଇ ପ୍ରଗତି ହାସଲ କରନ୍ତୁ। ଆମେ ଆମର ଏହି ଉଦ୍ଦେଶ୍ୟ ପୂରଣରେ କେତେକାଂଶରେ ସଫଳ ମଧ୍ୟ ହୋଇଛୁ।
ଆମ ମନ୍ତ୍ରଣାଳୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କଥା ଆଲୋଚନା କଲେ, ପିଏମ୍‌କେଭିୱାଇ ୨.୦ ଯୋଜନା ଦ୍ୱାରା ଦେଶର ପାଖାପାଖି ୬୮.୧୨ ଲକ୍ଷ ମହିଳା ପ୍ରଶିକ୍ଷଣ ହାସଲ କରିଛନ୍ତି। ଜନଶିକ୍ଷଣ ସଂସ୍ଥାନ ଯୋଜନା ଅନ୍ତର୍ଗତ ୨୦୧୮-୨୦ ଅବଧିରେ ୪.୮ ଲକ୍ଷ ମହିଳା ପ୍ରଶିକ୍ଷଣ ଲାଭ କରିଥିବା ବେଳେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ୩୮.୭୨ ଲକ୍ଷ ମହିଳା ପ୍ରଶିକ୍ଷିତ ହୋଇପାରିଛନ୍ତି। ଆମ ଦେଶର ୧୮ଟି ଜାତୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନରେ ବିଶେଷକରି ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ଆଜି ଆମ ଦେଶର ମହିଳାମାନେ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ ଡିଜାଇନ, ପ୍ରଯୁକ୍ତି ଓ ବ୍ୟବସାୟ ପରିଚାଳନା ଆଦି ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଛନ୍ତି। ସେମାନେ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଥ୍ରୀ-ଡି ପ୍ରିଣ୍ଟିଂ ଆଦିରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ବ୍ୟୁଟି ଆଣ୍ଡ ୱେଲ୍‌ନେସ ଓ ସ୍ବାସ୍ଥ୍ୟସେବା ସହିତ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେରରେ ମଧ୍ୟ ଦେଶର ମହିଳାମାନେ ଆଗକୁ ବଢ଼ୁଛନ୍ତି।
ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ ମାଧ୍ୟମରେ ମହିଳାମାନଙ୍କ ନିଯୁକ୍ତି କୌଶଳ ଅଧିକ ସୁଦୃଢ଼ ହୋଇଛି। ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରରେ ସ୍ବାବଲମ୍ବୀ ଟେଲର, ବ୍ୟୁଟି ଥେରାପିଷ୍ଟ, କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ, ହେୟାର ଷ୍ଟାଇଲିଷ୍ଟ, ଯୋଗ ଟ୍ରେନର ପ୍ରମୁଖଙ୍କ ଲାଗି ପ୍ରଶିକ୍ଷଣ ସୁବିଧା କରାଯାଉଛି। ଆୟୁଷ୍ମାନ୍‌ ଭାରତ, ସ୍ବଚ୍ଛ ଭାରତ ମିଶନ ଓ ସ୍ମାର୍ଟ ସିଟି ମିଶନରେ ମଧ୍ୟ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସାମ୍ନାକୁ ଆସିବ। ଆମ ସରକାରଙ୍କ ସମସ୍ତ ପ୍ରୟାସ ମହିଳାମାନଙ୍କୁ ଏଭଳି ଜାତୀୟ ମିଶନରେ ଯୋଡ଼ିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିବ।
ଏକ ନୂତନ ଭାରତ ଗଠନ, ଦ୍ରୁତ ଓ ସାମଗ୍ରିକ ବିକାଶ ଏବଂ ସାମାଜିକ ସ୍ଥିରତା ହାସଲର ଲକ୍ଷ୍ୟ ମହିଳାମାନଙ୍କ ‘କୌଶଳ ବିକାଶ’ ଉପରେ ଅତ୍ୟଧିକ ନିର୍ଭରଶୀଳ। ସେଥିପାଇଁ ମହିଳାଙ୍କ ସର୍ବାଙ୍ଗୀଣ ବିକାଶକୁ ଆମେ ନିଜର ସଂକଳ୍ପ ଭାବେ ଗ୍ରହଣ କରି ଆଗେଇ ଚାଲିଛୁ। ଗତ କିଛିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏପରି ଯୋଜନା ପ୍ରସ୍ତୁତ କରିଛୁ ଯାହା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସୁରକ୍ଷିତ କରିପାରିଛି। ଆମର ଏପରି ଯୋଜନାଗୁଡ଼ିକ ଦ୍ୱାରା ମହିଳାମାନଙ୍କ ଉନ୍ନତି ହେବା ସହିତ ଦେଶର ଆର୍ଥିକ ବିକାଶ ମଧ୍ୟ ତ୍ୱରାନ୍ବିତ ହେବ।
(ମାର୍ଚ୍ଚ ୮ ବିଶ୍ୱ ମହିଳା ଦିବସ ଉପଲକ୍ଷେ ସ୍ବତନ୍ତ୍ର ଆଲେଖ୍ୟ)
(ଲେଖକ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri