ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ ନେବା ଦରକାର ପଡୁନି। କେତେକ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମନାକଲେ ମଧ୍ୟ ଗ୍ରାହକ ବାଧ୍ୟ କରୁଛନ୍ତି ପଲିଥିନରେ ସାମଗ୍ରୀ ଦେବାକୁ। ବ୍ୟବସାୟ ଦୃଷ୍ଟିରୁ ଦୋକାନୀ ବାଧ୍ୟ ହେଉଛି ପଲିଥିନ ଖଣ୍ଡେ ଦେବାକୁ। ଖଣ୍ଡପଡା ଏନ୍ଏସି ସମେତ ଖଳିସାହି, କଣ୍ଟିଲୋ, ବାଣପୁର, ସିଧାମୂଳା, କୋସକା, ଢୋଲମରା, କୁମ୍ଭାରପଡା, ବନମାଳୀପୁର, ଜଗନ୍ନାଥପ୍ରସାଦ ଆଦି ପଞ୍ଚାୟତ ଅଞ୍ଚଳରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ପଲିଥିନର ବହୁଳ ବ୍ୟବହାର କରାଯାଉଥିବା ପରିଲକ୍ଷିତ ହେଉଛି।ଅନେକ ପରିବା ଅବା ତେଜରାତି ଦୋକାନ ମାଲିକମାନେ ପଲିଥିନରେ ସାମଗ୍ରୀ ଦେଲେ ଅଧିକ ଅର୍ଥ ଦେବାକୁ ପଡିବ ବୋଲି କହୁଥିଲେ ମଧ୍ୟ ଗ୍ରାହକ ସହମତି ପ୍ରକାଶ କରୁଛନ୍ତି। ପଲିଥିନର ଅତ୍ୟଧିକ ବ୍ୟବହାର ଯୋଗୁ ଆଉ କେହି କାଗଜ ଠୁଙ୍ଗା ପ୍ରସ୍ତୁତ କରୁ ନ ଥିବା ଜଣାଯାଇଛି। ପୂର୍ବରୁ ପଲିଥିନ ପ୍ରଚଳନ ନ ଥିବାବେଳେ କେତେକ ଲୋକ କାଗଜ ଠୁଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ଏହି ପରିବାର ଅନ୍ୟ ପନ୍ଥା ଆପଣାଇଲେଣି। ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ରୁ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ହେଲେ ଏହାକୁ ବିଭିନ୍ନ ସ୍ଥାନରେ ଖୋଲା ଉଲ୍ଲଂଘନ କରାଯାଉଛି। ଏଥିପ୍ରତି ଜିଲା ପ୍ରଶାସନର ମଧ୍ୟ ନଜର ରହୁ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ଓ ବ୍ୟବସାୟୀଙ୍କୁ ଜେଲ ଏବଂ ଜରିମାନା କରିବା ନିୟମ ଥିବାବେଳେ ଏହା ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି। ବିପୁଳ ପରିମାଣର ପଲିଥିନ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ଗାଁଠାରୁ ସହର ଏବଂ ପର୍ଯ୍ୟଟନସ୍ଥଳୀଗୁଡିକରେ କୁଢ କୁଢ ପଲିଥିନ ପଡି ରହିଥିବା ଦେଖିବାକୁ ମିଳୁଛି। ବିଶେଷକରି ସହର କିମ୍ବା ଗାଁ ଗହଳିର ବିଭିନ୍ନ ସ୍ଥାନରେ ପଡିଥିବା ଆବର୍ଜନା ମଧ୍ୟରେ ପ୍ରାୟ ୬୦ ପ୍ରତିଶତ କେବଳ ପଲିଥିନ ବୋଲି ଜଣାପଡିଛି। ନାଳ ନର୍ଦ୍ଦମାଠାରୁ ଆରମ୍ଭ କରି ଡଷ୍ଟବିନରେ କୁଢ କୁଢ ପଲିଥିନଯୁକ୍ତ ଆବର୍ଜନା। ସେହିପରି ବାହାରେ ପଡୁଥିବା ପଲିଥିନକୁ ସମ୍ପ୍ରତି ଗୋରୁ ଖାଇ ରୋଗାକ୍ରାନ୍ତ ହୋଇ ପଡୁଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ପଲିଥିନ ବ୍ୟବହାର ବନ୍ଦ କରିପାରିଲେ ପରିବେଶ ସୁରକ୍ଷିତ ରହିବା ସହ ଏଥିଯୋଗୁ ସୃଷ୍ଟି ହେଉଥିବା ଅସ୍ବାସ୍ଥ୍ୟକର ପରିବେଶରୁ ମୁକ୍ତି ମିଳିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।


