କରୋନାକୁ ଭେଟିବା ପରେ…

ଶ୍ରୀ ସନ୍ନ୍ୟାସୀ

ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ। ସମ୍ମୁଖରେ ହଠାତ୍‌ ଆବିର୍ଭୂତ ହୋଇଗଲା କିମ୍ଭୂତକିମାକାର କଦର୍ଯ୍ୟ ଜନ୍ତୁଟିଏ। କଳା ମଚମଚ ବିକଟାଳ ଚେହେରା। ଜନ୍ତୁଟି ଧୀରେ ଧୀରେ ମୋ ଆଡକୁ ମାଡ଼ି ଆସୁଥିବା ବେଳେ ଭୟରେ ମୁଣ୍ଡ ଉପରେ ରଖାଯାଇଥିବା ଭାଗବତ ବହିକୁ ବିକଳରେ ଧରିପକାଇଲି। କାହିଁକି କେଜାଣି ରାଣ ଦେଲାପରି ଜନ୍ତୁଟି ମୋଠୁ ଦୁଇହାତ ଦୂରକୁ ଘୁଞ୍ଚିଯାଇ ବିକଟ ଅଟହାସ୍ୟ କରିବାକୁ ଲାଗିଲା। ପଚାରିଲି, କିଏ ତୁମେ?। ‘ମୁଁ କରୋନା’। କରୋନା! ଚମକି ପଡ଼ିଲି ମୁଁ।
ହେଲେ ମୁଁ ତ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ମାନି ଘରେ ରହୁଛି। ତା ବାଦ୍‌ ବି ତୁମେ ଏଠି । ଏପରି ପ୍ରଶ୍ନରେ ବିଷଣ୍ଣ ଦେଖାଗଲା କରୋନା। କହିଲା, ମୁଁ ତୁମର କିଛି କ୍ଷତି କରିବାକୁ ଆସିନି। କେବଳ ମୋ ଦୁଃଖ କଥା କହିବାକୁ ଆସିଛି। ମୋ ଦୁଃଖକୁ ଲେଖା ମାଧ୍ୟମରେ ସମାଜକୁ ଜଣାଇବ ବୋଲି ମୋର ଆଶା। ମୁଁ କହିଲି, ହଉ କୁହ କ’ଣ ତୁମର ଦୁଃଖ?
କରୋନା କହିଲା। ଶୁଣ, ମୁଁ ଚାଇନାରେ ସୃଷ୍ଟି ହେବା ଦିନଠାରୁ ପୃଥିବୀରେ କେବଳ ମୋ ଦୁର୍ଗୁଣ ଚର୍ଚ୍ଚା ଚାଲିଛି। କୋଉଦିନ କେତେ ଆକ୍ରାନ୍ତ ହେଲେ, କେତେ ଲୋକଙ୍କୁ ମୁଁ ମାରିଲି- ଏହାକୁ ମୋ ଫଟୋ ସହ ବଡ଼ବଡ଼ ଅକ୍ଷରରେ ଛପା ହେଉଛି। ସାରାଂଶ ଗୋଟିଏ- ମୁଁ କୁଆଡେ ଏବେ ପୃଥିବୀର ସବୁଠାରୁ ବଡ଼ ବିପଦ। ମୋଠାରୁ ମାନବ କିପରି ଦୂରେଇ ରହିବ, ମୋର ନିଧନ କିପରି ହେବ- ଏହି ଚିନ୍ତା କରାଯାଉଛି। କିନ୍ତୁ ମୁଁ ଯେଉଁ ମହତ କାମ କରୁଛି ସେଆଡକୁ କାହାର ଆଖି ଯାଉନି।
ଦୈନନ୍ଦିନ ହଜାର ହଜାର ମୁଣ୍ଡ ନେଇ, ବିଶ୍ୱବାସୀଙ୍କୁ ଘର କୋଣକୁ ଠେଲି ଦେଇ ବହୁ ଲୋକଙ୍କ ବୃତ୍ତିରେ ବାଧକ ସାଜି କୋଟି କୋଟି ବେକାର ସୃଷ୍ଟି କରି ଏବଂ ପ୍ରତ୍ୟେକ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଧୂଳିସାତ କରି ହାହାକାର ସୃଷ୍ଟି କରୁଥିବା ତୁମେ ପୁଣି ମହତ କାମ କରୁଛ? ଏକଥା ଶୁଣିଲେ ଯେ କେହି ବି ହସିବ। ଏପରି ପ୍ରଶ୍ନରେ ଉତ୍ତେଜିତ ହୋଇ କରୋନା କହିଲା-ମୂର୍ଖ! ଈଶ୍ୱର ପ୍ରଦତ୍ତ ଏ ସୁନ୍ଦର ସୃଷ୍ଟିକୁ ପ୍ରତି ମୁହୂର୍ତ୍ତରେ ନଷ୍ଟ କରିସାରିବା ପରେ ତୁମମାନଙ୍କର ବୁଦ୍ଧି ବି ଭ୍ରଷ୍ଟ ହୋଇଯାଇଛି। ଦିନକୁ ଦିନ କଳକାରଖାନା, ଯାନବାହନ ବଢ଼ାଇ ପୃଥିବୀର ବାୟୁମଣ୍ଡଳକୁ ବେଶ୍‌ ପ୍ରଦୂଷିତ କରିସାରିଛ ତୁମେମାନେ। ଗଛ ଲଗାଅ, ଯାନବାହନରେ ରୋକ୍‌ ଲଗାଅ। ନଚେତ୍‌ ପୃଥିବୀର ତାପମାତ୍ର ବଢ଼ିଯିବ, ଗ୍ଲାସିୟର ତରଳିଯିବ, ପୃଥିବୀରେ ଜଳପ୍ରଳୟ ଘଟିବ-ବୈଜ୍ଞାନିକମାନଙ୍କ ଏହି ସମସ୍ତ ସତର୍କବାଣୀକୁ ଶୁଣି ନ ଶୁଣିଲା ପରି ରହିଛ ତୁମେମାନେ। ତୁମମାନଙ୍କ ଆଚରଣ ଏବଂ ବ୍ୟଭିଚାରରେ ପ୍ରକୃତି ମା’ ଏବେ ଅଣନିଃଶ୍ୱାସୀ। ତା’ ଦୁଃଖକୁ ସହି ନ ପାରି ମୁଁ ଏବେ ମଣିଷଙ୍କ ଶ୍ୱାସନଳୀକୁ ରୋଧ କରି ତଣ୍ଟିଚିପି ମାରୁଛି। ତୁମେ କୁହ ମୋ ଭୟରେ ଦେଶରେ ତାଲାବନ୍ଦ ହେଲା। ବାୟୁମଣ୍ଡଳର ପ୍ରଦୂଷଣ କମିଛି କି ନାହିଁ? ବିଗତ ତିନି ଦଶନ୍ଧି ଭିତରେ କେବେ ବି ଦେଖାଯାଉ ନ ଥିବା ପଞ୍ଜାବର ଜଳନ୍ଧରଠାରୁ ହିମାଳୟ, ଉତ୍ତର ପ୍ରଦେଶର ସାହାରନପୁରରୁ ଗଙ୍ଗୋତ୍ରି ଅବା ବିହାରର ସିଙ୍ଘ ବାହିନୀଠାରୁ ହିମାଦ୍ରୀ-ବର୍ତ୍ତମାନ କିନ୍ତୁ ଏ ସବୁ ସ୍ପଷ୍ଟ ଦେଖାଗଲାଣି। ଯେଉଁ କାମଟି ବିଶ୍ୱବାସୀଙ୍କ ଦ୍ୱାରା ହୋଇପାରୁ ନ ଥିଲା, ମୁଁ ଏହି ମାସକ ଭିତରେ ତାହା କରି ଦେଖାଇଛି। ମୋତେ ଡରି ଏବେ ସବୁଲୋକ ଘରେ ରହିବା ପରଠାରୁ ପରିବେଶରେ ପରିବର୍ତ୍ତନ ଆସିଛି ନା ନାହିଁ ଦେଖ। ଗଙ୍ଗା ପାଣି ଏବେ ସ୍ଫଷ୍ଟିକ ପରି ସ୍ବଚ୍ଛ ଏବଂ ପାନୀୟଯୋଗ୍ୟ। ବନ୍ୟ ପଶୁପକ୍ଷୀମାନେ ଏବେ ଆନନ୍ଦରେ ବାହାରେ ବୁଲୁଛନ୍ତି। ହରିଦ୍ୱାରର ଗଙ୍ଗାନଦୀରେ ବନ୍ୟ ହସ୍ତୀମାନେ ଏବେ ବେଶ୍‌ ଆରାମରେ ଜଳକ୍ରୀଡ଼ା କରୁଛନ୍ତି। ପୂର୍ବରୁ ଆଦୌ ଦେଖାଯାଉ ନ ଥିବା ଶାଳିଆପତନି ବେଶ୍‌ ନିର୍ଭୟରେ ବୁଲୁଛି କେରଳର କାଲିକଟ ରାସ୍ତାରେ। ମୁମ୍ବାଇ ମେରାଇନ୍‌ ଡ୍ରାଇଭ୍‌ର ଡଲଫିନ୍‌ ହେଉ ଅବା ଋଷିକୁଲ୍ୟା ମୁହାଣର ଅଲିଭ୍‌ ରିଡ୍‌ଲେ, ନଏଡା ଜିଆଇପି ମଲ୍‌ ବାହାରେ ବୁଲୁଥିବା ନୀଳଗାଈ ହେଉ ଅବା ଚଣ୍ଡିଗଡ଼ର ଜେବ୍ରା କ୍ରସିଂ ପାର ହେଉଥିବା ଶମ୍ବରଙ୍କ ଦଳ ହେଉ- ସମସ୍ତେ ଏବେ କେବଳ ମୋ ସକାଶେ ଖୁସି ମନାଇ ପ୍ରକୃତିକୁ ଭରପୂର ଉପଭୋଗ କରୁଛନ୍ତି। ଏହାର ବାହାଦୁରି ମୋ ଖାତାକୁ ଆସିବ ନା ନାହିଁ?
କରୋନା ଏବେ ପ୍ରଶ୍ନିଳ ଢଙ୍ଗରେ ପଚାରିଲା-ସତ୍ୟ ଯୁଗକୁ ତୁମେ ଦେଖିଛ? ‘ନା, ଉତ୍ତର ଦେଲି’। ବର୍ତ୍ତମାନ ମୋ ସକାଶେ ସତ୍ୟ ଯୁଗର ସାମାନ୍ୟ ଝଲକ ଦେଖିବାକୁ ମିଳୁଛି କି ନାହିଁ ଦେଖ। ଚୋରି, ଡକାୟତି, ରାହାଜାନି ଏବେ ନାହିଁ କହିଲେ ଚଳେ। ମଠ-ମନ୍ଦିର-ମସ୍‌ଜିଦ୍‌, ଯାହାକୁ ନେଇ ନିଜ ନିଜ ଭିତରେ ମଣିଷମାନେ ବାଡିଆପିଟା ହେଉଥିଲେ ସେଥିରେ ଏବେ ତାଲା ପଡିଛି। ଘର ପାଲଟିଛି ମନ୍ଦିର, ଯାହା ବାସ୍ତବିକ ହେବା କଥା। ପୂର୍ବରୁ ଚିହ୍ନୁ ନ ଥିବା ପାଖ ପଡ଼ିଶାଙ୍କୁ ଚିହ୍ନୁଛନ୍ତି। ଏବେ ନା ଅଛି ଭଲ ଖାଇବାର ଲୋଭ ନା ଅଛି ସୁନା ରୁପା ବା ଭଲ ଡ୍ରେସ୍‌ ପିନ୍ଧି ନିଜକୁ ସଜାଇ ହେବାର ମୋହ। କଡ଼ା ନାସ୍ତିକଟିଏ ବି ଏବେ ମୋ ଭୟରେ ସଭିଙ୍କ ଅଜାଣତରେ ଈଶ୍ୱରଙ୍କୁ ମୁଣ୍ଡିଆଟେ ମାରିବାକୁ ବାଧ୍ୟ ହେଉଛି। ହ୍ବାଇଟ୍‌ହାଉସ୍‌ରେ କି ସହଜରେ ବେଦପାଠ ହୁଅନ୍ତା। କରୋନା ମାଡ଼ରେ ଆଣ୍ଠୁଗଣ୍ଠି ଛିଡିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ‘ବେଦ’ର ଶରଣ ପଶିଛନ୍ତି। ହରିଶ ବ୍ରହ୍ମଭଟ୍ଟ ନାମକ ଏକ ସଂସ୍କୃତ ପଣ୍ଡିତଙ୍କୁ ନିମନ୍ତ୍ରଣ କରି ଏଇ ନିକଟରେ ଯଜୁର୍ବେଦର ଶାନ୍ତି ପାଠ ଶ୍ରବଣ କରିଛନ୍ତି। ମୁଁ ନ ଥିଲେ ଆମେରିକା ସମେତ ବିଶ୍ୱର ୫୫ଟି ରାଷ୍ଟ୍ର ଭାରତ ପାଖରେ ହାଇଡ୍ରୋକ୍ଲୋରୋକୁଇନ୍‌ ବଟିକା ପାଇଁ ହାତ ପତାଉ ନ ଥାନ୍ତେ କି ଚାଇନାରୁ ଗଣ୍ଠିଲିପତ୍ର ଧରି ଭାରତକୁ ଚାଲି ଆସିବା ପାଇଁ ଶତାଧିକ ନାମୀଦାମୀ କମ୍ପାନୀ ଏବେ ମସୁଧା କରୁ ନ ଥାନ୍ତେ।
ଏଇ ପରିସ୍ଥିତିରେ ବିଶ୍ୱରୁ କୋଟିଏ କି ଦି’କୋଟି ଲୋକଙ୍କ ଜୀବନ ବଦଳରେ ଯଦି ତୁମମାନଙ୍କୁ ସ୍ବଚ୍ଛ ବାୟୁମଣ୍ଡଳଯୁକ୍ତ ପୃଥିବୀ, ସୁନ୍ଦର ପର୍ଯ୍ୟାବରଣ ଏବଂ ଶୁଦ୍ଧ ଚେତନାର ଅଧିକାରୀ ଥିବା ବହେ ଲୋକ ପ୍ରାପ୍ତ ହୁଅନ୍ତି ତେବେ ଏଥିରେ ଦୁଃଖ କରିବାରେ କ’ଣ ଅଛି? କରୋନାର ଉଲ୍ଲସିତ ଅଟ୍ଟହାସ୍ୟରେ ମୋ ନିଦଟା ଭାଙ୍ଗିଗଲା। ସେତେବେଳକୁ ଭୋର ୫ଟା; ମୋ ପ୍ରାର୍ଥନାର ସମୟ। ପ୍ରାର୍ଥନା ପରେ ଏବେ ମୁଁ ଭାବୁଛି କୋଭିଡ୍‌-୧୯କୁ ନେଇ ବର୍ତ୍ତମାନ ଯେଉଁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି, ତାହା ପ୍ରକୃତରେ କରୋନାର କୃପା ନା କୋପ??
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯
Email: srisanyasi123@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri