କମ୍ପାନୀ ହାତରେ ଚାଷ

ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଥିବାରୁ ଦେଶର ପ୍ରତ୍ୟେକ ରାଜନୈତିକ ଦଳ କୃଷକଙ୍କ ପାଇଁ ଦରଦ ଦେଖାଉଛନ୍ତି। ଋଣଛାଡ଼ଠାରୁ ଆରମ୍ଭ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରାଯାଉଛି। କିନ୍ତୁ କୃଷକ ତା’ କାର୍ଯ୍ୟ ମାଧ୍ୟମରେ କିଭଳି ସଶକ୍ତ ହୋଇପାରିବ ସେହି ଦିଗରେ ଦୀର୍ଘମିଆଦୀ ପଦକ୍ଷେପ ନିଆଯାଉ ନାହିଁ। ଜଳସେଚନ, ବିହନ ଓ ଶୀତଳଭଣ୍ଡାରର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଆଦି ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲୁଥିବା ବେଳେ ଏବେ ଖାଦ୍ୟ ଓ ପାନୀୟ ନିର୍ମାତା ପେପ୍ସିକୋ କୃଷକଙ୍କ ସକାଶେ ଅଡୁଆ ସୃଷ୍ଟି କରିଛି।   ପେପ୍ସିକୋ କହିଛି ଯେ, କମ୍ପାନୀ ବ୍ୟବହାର କରୁଥିବା ସ୍ବତନ୍ତ୍ର କିସମର ଆଳୁ ଗୁଜରାଟର ସବରକଣ୍ଠା ଓ ଆରାବଳିର କେତେକ କୃଷକ ଚାଷ କରୁଛନ୍ତି। ଏହାକୁ ଚାଷ କରିବା ପାଇଁ ସ୍ବତନ୍ତ୍ର ଅଧିକାର ସେମାନେ ପାଇ ନ ଥିବାରୁ ୯ ଜଣ ଚାଷୀଙ୍କ ବିରୋଧରେ ପେପ୍ସିକୋ ମାମଲା ରୁଜୁ କରିବା ସହ ସେମାନଙ୍କଠାରୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦାବି କରିଛି।

ଆଳୁର ଏଫ୍‌ସି୫ କିସମ ଚିପ୍ସ ପାଇଁ ଉତ୍ତମ ବିହନ ହୋଇଥିବାରୁ ପେପ୍ସିକୋ ନିର୍ଦ୍ଦିଷ୍ଟ କେତେକ ଚାଷୀ ସହ ଚୁକ୍ତି କରିଛି।  ଉତ୍ପାଦକୁ ନିଜେ କିଣି ତା’ କାରଖାନାରେ ଆଳୁ ଚିପ୍ସ ତିଆରି କରୁଛି। ପ୍ରଶ୍ନ ଉଠୁଛି ଏକଚାଟିଆ ଅଧିକାର ହାସଲ କରିଥିବା କମ୍ପାନୀ ଆଳୁର ଏହି ସ୍ବତନ୍ତ୍ର କିସମ ବିହନ ଖୋଲା ବଜାରକୁ ଆସିଲା କିଭଳି। ଦ୍ୱିତୀୟତଃ ପେପ୍ସିକୋ ଏହି କିସମ ଆଳୁ ବିହନର ଅଧିକାର ପାଇବା ନେଇ ଖୋଳତାଡ଼ ହେବା ଦରକାର। ଭାରତରେ ଅଧିକାଂଶ କୃଷକଙ୍କ ଆର୍ଥିକ ସ୍ଥିତି ସାଧାରଣରେ ସ୍ବଚ୍ଛଳ ନୁହେଁ। ଆମେରିକୀୟ କମ୍ପାନୀ ପେପ୍ସିକୋ ଆଳୁ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଭାରତୀୟ ଚାଷୀଙ୍କଠାରୁ କ୍ଷତିପୂରଣ ଦାବି କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଚାଷୀ ସଙ୍ଗଠନ ମୁହଁ ଖୋଲିଲେଣି। ବିଗତ ବର୍ଷଗୁଡ଼ିକରେ ଦେଖାଦେଇଛି ଯେ, ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି)ଗୁଡ଼ିକ ଭାରତରେ  ବୃହତ୍‌ ବଜାର ଥିବାରୁ କୃଷି ଖେତ ଉପରେ ନଜର ପକାଇ ଆସିଛନ୍ତି। ଜେନେଟିକାଲି ମୋଡିଫାଏଡ୍‌ (ଜିଏମ୍‌) ମଞ୍ଜିକୁ ଏମ୍‌ଏନ୍‌ସିଗୁଡ଼ିକ ଏଠାରେ ପ୍ରୟୋଗ କରିଚାଲିଛନ୍ତି। ଫଳରେ ପାରମ୍ପରିକ ବିହନ କ୍ଷତିର ସମ୍ମୁଖୀନ ହେଉଛି। ଏମିତି ଦେଖିଲେ ଭାରତରେ ଉପଲବ୍‌ଧ ପାରମ୍ପରିକ ଓ ଜିଏମ୍‌ ବିହନର କିସମକୁ ନେଇ କୌଣସି ସ୍ପଷ୍ଟତା ନାହିଁ । ଭାରତ ସରକାରଙ୍କ ପାଖରେ ଏଗୁଡ଼ିକର ବିଭାଗୀକରଣ ନେଇ ସ୍ବତନ୍ତ୍ର ତଥ୍ୟ ସାଧାରଣରେ ମିଳେ ନାହିଁ। ଏସବୁ କାରଣରୁ ସାଧାରଣ ଚାଷୀ ସକାଶେ ବିହନର କିସମ ଓ ପେଟେଣ୍ଟ ବିଷୟରେ ଭଲ ଭାବେ ଜାଣି ଚାଷ କରିବା ଏକ ଦୁରୂହ ବ୍ୟାପାର। ଏପରି କ୍ଷେତ୍ରରେ ପେପ୍ସିକୋର ପେଟେଣ୍ଟ ଭଳି ବିବାଦ ଭାରତରେ ବଢ଼ିଚାଲିବ।  ସବୁଠାରୁ ବଡ଼ କଥା ହେଲା ଏ ଦେଶରେ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ବୁଝିଗଲେଣି ଯେ ସାଧାରଣ ଭାରତୀୟ ଚାଷୀ ସୁଯୋଗ ପାଇଲେ ଯେକୌଣସି ଉତ୍ପାଦ କରିପାରିବ। ପେପ୍ସିକୋ ଉକ୍ତ ଚାଷୀଙ୍କ ଉପରେ ମକଦ୍ଦମା ଦାଏର କରିବା ପଛରେ ସେହିଭଳି ଏକ ମନ୍ଦ ଉଦ୍ଦେଶ୍ୟ ଜନ୍ମ ସଂକେତ। ଏହା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରୁ ବୁଝିବାକୁ ହେବ ଯେ ଚାଷୀଙ୍କୁ ଦମନ କରିବା ଲାଗି ସବୁ ଫନ୍ଦିଫିକର କରାଯାଉଛି। ଚାଷୀ କେଉଁ ଧାନ, ଗହମ, ମକା ବା ପନିପରିବା ଚାଷ କରିବ ତାହାର ପେଟେଣ୍ଟ କର୍ପୋରେଟ ସଂସ୍ଥା ହାତରେ ରହିଗଲେ କୃଷକଙ୍କୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ।  ଏମିତି ଦେଖିଲେ ନିକଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବାଠାରୁ ଆରମ୍ଭ କରି ନ୍ୟାୟିକ ବ୍ୟବସ୍ଥା ସର୍ବନିମ୍ନ ସ୍ତରରେ ଥିବା ଚାଷୀ ଦମନ କାର୍ଯ୍ୟକ୍ରମରେ ଲିପ୍ତ ହୋଇଗଲାଣି।

ପେପ୍ସିକୋ ଘଟଣାରେ ଅଦ୍ୟାବଧି ଉକ୍ତ ଚାଷୀଙ୍କ ସପକ୍ଷରେ କେନ୍ଦ୍ର ସରକାର ମୁହଁ ଖୋଲି ନ ଥିବା ଦେଖିବାକୁ ମିଳିଛି। ବିରୋଧୀଦଳଗୁଡ଼ିକ କେବଳ ସୋସିଆଲ ମିଡିଆ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଇତିମଧ୍ୟରେ ଗୁଜରାଟ ସରକାର ଚାଷୀଙ୍କ ସମର୍ଥନରେ ବାହାରିବା ଏବଂ କେତେକ ଚାଷୀ ସଙ୍ଗଠନ ପେପ୍ସିକୋ ନିଷ୍ପତ୍ତିକୁ ବିରୋଧ କରିବାରୁ କମ୍ପାନୀ ସାମାନ୍ୟ ନରମଭାବ ପ୍ରଦର୍ଶନ କରିଛି। ସବରକଣ୍ଠାର ୪ ଜଣ ଚାଷୀଙ୍କୁ କମ୍ପାନୀ ଦ୍ୱାରା ପଞ୍ଜୀକୃତ ସ୍ବତନ୍ତ୍ର କିସମ ଆଳୁ ଚାଷ କରିବା ପରେ ତାହାକୁ କେବଳ ପେପ୍ସିକୋକୁ ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଛି।  ଏହି ପ୍ରକାରର ଉପରଠାଉରିଆ ଅନୁକମ୍ପା ଦେଖାଇ ପେପ୍ସିକୋ ଚାଷୀଙ୍କୁ ନିୟନ୍ତ୍ରଣ କରିବାକୁ ଆଗେଇ ଆସିଛି। ଆଗକୁ ଏଭଳି ଅନେକ କର୍ପୋରେଟ ସଂସ୍ଥା କୃଷି ଖେତକୁ ମାଡ଼ିବସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri