ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ:ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ, ୧୩।୧୧:କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଙ୍ଗଳବାର ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପ୍ରଥମ ଦିନରେ ବାଲିଯାତ୍ରା ପଡିଆକୁ ଚାହିଁଲେ ଲୋକ ମାଳମାଳ। ବିଶେଷକରି ସନ୍ଧ୍ୟାରେ ମାତ୍ରେ ଭିଡ଼ ଅଧିକ ହୋଇଥିଲା। ଫଳରେ ଆଗକୁ ଯିବା ଭାରି ମୁସ୍କିଲ ହୋଇଥିଲା। କୋଳାହଳରେ ଫାଟି ପଡ଼ୁଥିଲା କାନ। ଲୋକମାନେ ଚଟ୍‌ପଟି ଖାଦ୍ୟ ଖାଇବା ସାଙ୍ଗକୁ ଦୋଳିରେ ବସି ବାଲିଯାତ୍ରାର ମଜ୍ଜା ନେଇଥିଲେ। ଏଥିସହ ବାଲିଯାତ୍ରାର ଉପର ଓ ତଳପଡିଆରେ ଖୋଲିଥିବା ଷ୍ଟଲରୁ ବିଭିନ୍ନ ଜିନିଷ କିଣାକିଣି କରିଥିଲେ। ବାଲିଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଚୋରି, ଡକାୟତିକୁ ରୋକିବା ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଡ଼ିଆରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୨୦୦ ଜଣ ଅଫିସର ନିୟୋଜିତ ହୋଇଛନ୍ତି। କଟକ ଡିସିପି ଅଖିଳେଶ୍ୱର ସିଂ ବାଲିଯାତ୍ରା ପଡ଼ିଆରେ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଏଥିସହ ପଡ଼ିଆରେ ପୋଲିସ ଆଉଟ ପୋଷ୍ଟ ନିର୍ମାଣ କରାଯାଇଛି। ପର୍ଯ୍ୟଟକ, ବ୍ୟବସାୟୀମାନେ ଯେ କୌଣସି ସମସ୍ୟା ସମ୍ମୁଖୀନ ହେଲେ ପୋଲିସର ସହାୟତା ନେଇପାରିବେ। ପଡିଆରେ ୬ଟି ୱାଚ ଟାୱାର ନିର୍ମାଣ କରାଯାଇଛି। ଚୋରି, ଡକାୟତିକୁ ରୋକିବା ଲାଗି ବାଲିଯାତ୍ରା ଉପର ପଡ଼ିଆରେ ୫ ଓ ତଳ ପଡ଼ିଆରେ ୯ଟି ୱାଚ୍‌ ଟିମ୍‌ ସଜାଗ ରହିଛନ୍ତି। ଏଥିସହ ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି। ବାଲିଯାତ୍ରାରେ ଛୋଟ ପିଲାମାନେ ହଜିଯିବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ନେଇ ଆସିଥିବା ଅଭିଭାବକ ଏଥିପ୍ରତି ଧ୍ୟାନ ଦେବାକୁ ଡିସିପି କହିଛନ୍ତି। ସେହିପରି ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସିଏମ୍‌ସି ଷ୍ଟଲ୍‌ରେ ପରିମଳ ବ୍ୟବସ୍ଥା
କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଏକ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଛି। ଏଠାରେ ସ୍ବେରେଜ ଓ ପରିମଳ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ଅବଗତ କରାଯାଇଛି। ସିଏମ୍‌ସି ପକ୍ଷରୁ ସ୍ବଚ୍ଛ ଭାରତ ମିଶନ, ଜୈବ ବିଘଟନ କ୍ଷମ ‘ଓଦା ବର୍ଜ୍ୟବସ୍ତୁ କେନ୍ଦ୍ର’, ଶୁଖିଲା ବର୍ଜ୍ୟବସ୍ତୁ ଆଦାୟ ଓ ତାହାର ପୁନଃ ପରିଚାଳନା କେନ୍ଦ୍ର, ପୌରାଞ୍ଚଳର ନର୍ଦ୍ଦମା ସଫେଇ କାର୍ଯ୍ୟକ୍ରମ ଆଦି ବିଷୟରେ ଲୋକେ ଅବଗତ ହୋଇଥିଲେ।
ଟିକସ ପଇଠ ପାଇଁ ସଚେତନ
ସିଏମ୍‌ସି ପକ୍ଷରୁ ଏମ୍‌ପିଓଏସ୍‌ ମେଶିନ ଦ୍ୱାରା ବିଭିନ୍ନ ଟିକସ ପଇଠ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଏକ ଷ୍ଟଲ ଖୋଲିଥିଲା। ଏହା ଜରିଆରେ ମ୍ୟୁନିସିପାଲିଟିରେ ହୋଲଡିଂ ଟିକସ, ଫୁଡ ଲାଇସେନ୍ସ ପେମେଣ୍ଟ ଭଳି ବିଭିନ୍ନ ଅର୍ଥ ଦେଣନେଣ ପ୍ରକ୍ରିୟା ଇ-ପେମେଣ୍ଟ ମାଧ୍ୟମରେ କରାଯିବ। ଯାହା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା।
ବାଲିଯାତ୍ରାରେ ଶିମିଳିପାଳ ମହୁ
ମା’ ଶାରଳା ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ବିକ୍ରି ହେଉଥିବା ଶିମିଳିପାଳର ଦେଶୀ ମହୁର ଅଧିକ ଚାହିଦା ରହିଛି। ବଜାରରେ ଏହା ପର୍ଯ୍ୟାପ୍ତ ପରିମାଣର ମିଳୁ ନ ଥିବାରୁ ଲୋକମାନେ ଏଠାରେ ଏହି ମହୁକୁ ନେବା ପାଇଁ ବେଶ୍‌ ପସନ୍ଦ କରୁଛନ୍ତି। ଏହି ମହୁ ୫୦୦ ଗ୍ରାମକୁ ୨୨୦ ଟଙ୍କା ରହିଛି। ପାଖାପାଖି ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ହୋଇଛି। ସେହିପରି ହାତ ତିଆରି ହଳଦୀ, ଜିରା, ଜୁଆଣି ଲୋକମାନେ କିଣୁଛନ୍ତି ବୋଲି ଷ୍ଟଲ୍‌ ମାଲିକ ପ୍ରମୋଦ କୁମାର ଭଇସାଲ କହିଛନ୍ତି।
ଘରକରଣା ସାମଗ୍ରୀ ଷ୍ଟଲରେ ମହିଳାଙ୍କ ଲାଇନ୍‌
କାଇଁଶ ଗଛରୁ ପ୍ରସ୍ତୁତ ହୋଇଥିବା ଘରକରଣା ସାମଗ୍ରୀ ନେବା ପାଇଁ ମହିଳାମାନଙ୍କର ଲମ୍ବା ଲାଇନ ଲାଗିଥିଲା। ବିଶେଷକରି ଫୁଲ ଚାଙ୍ଗୁଡ଼ି ଓ ଡାଲା ପେଡ଼ିର ଚାହିଦା ଅଧିକ ଥିଲା। ଏହାର ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦ ବର୍ଷ ଧରି ବାଲିଯାତ୍ରାରେ ବ୍ୟବସାୟ କରୁଛି। ଗଁାରୁ କାଇଁଶ ସଂଗ୍ରହ କରି ବିଭିନ୍ନ ରୂପ ଦେଇଥାଉ। କେବଳ ଓଡ଼ିଶା ନୁହେଁ ବାହାରକୁ ମଧ୍ୟ ଏହି ସାମଗ୍ରୀ ରପ୍ତାନୀ କରିଥାଉ। ବାଲିଯାତ୍ରା ଆସିଲେ ବେଶ୍‌ ଦି ପଇସା ରୋଜଗାର ହୋଇଥାଏ ବୋଲି କେନ୍ଦ୍ରାପଡ଼ାର ବ୍ୟବସାୟୀ ମାଗୁଣି ଚରଣ ସ୍ବାଇଁ କହିଛନ୍ତି।
ଛୋଟ ପିଲାଙ୍କ ସାମଗ୍ରୀ ବିକ୍ରି ସ୍ଥଳରେ ଭିଡ଼
ବାଲିଯାତ୍ରା ପଡ଼ିଆରେ ବୁଲା ବ୍ୟବସାୟୀଙ୍କ ଚାହିଦା ବଢିବାରେ ଲାଗିଛି। ଛୋଟ ପିଲାମାନଙ୍କ ନିମନ୍ତେ ସେମାନେ ବିଭିନ୍ନ ପ୍ରକାର ପେଁକାଳି, ବ୍ୟାଣ୍ଡ, କଣ୍ଢେଇ ଆଦି ବିକ୍ରି କରିବାକୁ ଆଣିଥାନ୍ତି। ଛୋଟ ପିଲାଙ୍କ ସାମଗ୍ରୀ ବିକ୍ରି ସ୍ଥଳରେ ଭିଡ଼ ଦେଖିବାକୁ ମିଳିଥିଲା। ଏ ନେଇ ବିହାରରୁ ଆସିଥିବା ବ୍ୟବସାୟୀ କହିଛନ୍ତି, ମୁଁ ୧୦ ବର୍ଷ ହେଲା ବାଲିଯାତ୍ରାରେ ପିଲାଙ୍କ ଖେଳଣା ବିକୁଛି। ଖେଳଣାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଦିଲ୍ଲୀରୁ ଆସିଥିବା ଆସିଫ ଅଲି କହିଛନ୍ତି, ୫ ବର୍ଷ ହେଲା ବାଲିଯାତ୍ରାରେ ପିଲାଙ୍କ ନିମନ୍ତେ ବ୍ୟାଣ୍ଡ ବାଜା ବିକ୍ରି କରିଆସୁଛୁ। ଗତ ବର୍ଷଠାରୁ ଏହି ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛୁ।
ଷ୍ଟଲ୍‌ରେ କଏଦୀଙ୍କ ହାତ ତିଆରି ସାମଗ୍ରୀ
ବାଲିଯାତ୍ରା ପଡ଼ିଆରେ ଏକ ନିଆରା ଷ୍ଟଲ୍‌ ଦେଖିବାକୁ ମିଳିଥିଲା। ଯେଉଁଥିରେ ଓଡ଼ିଶାର ବିଭିନ୍ନ ଜେଲ୍‌ରେ କାର୍ଯ୍ୟ କରୁଥିବା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗାମୁଛା, ଦରି, ଆସନ, ସବାଇ ଘାସରେ ତିଆରି ବିଭିନ୍ନ ସାମଗ୍ରୀ, ପରିବା ଷ୍ଟାଣ୍ଡ, ବ୍ୟାଗ, ରୁମାଲ, ସୋରିଷ ତେଲ, ଫିନାଇଲ ଭଳି ସାମଗ୍ରୀ ବିକ୍ରି କରାଯାଉଥିଲା। ଗାମୁଛାର ଦାମ ୧୦୦ଟଙ୍କାରୁ ଆରମ୍ଭ କରି ୧୩୦, ଦରି ୬୭୦ ଟଙ୍କାରୁ ୭୨୦୦ ଟଙ୍କାରେ ବିକ୍ରି ହେଉଥିବା ତପନ ପଟ୍ଟନାୟକ କହିଛନ୍ତି। ଏଥିରୁ ଆୟ ହେଉଥିବା ଅର୍ଥ ସରକାରୀ ତହବିଲକୁ ଯିବ ବୋଲି ସେ କହିଛନ୍ତି।
ପ୍ରଥମ ଦିନରେ ବୋଟିଂ ହେଲାନି
ବାଲିଯାତ୍ରା ପଡିଆରେ ପର୍ଯ୍ୟଟକଙ୍କ ନିମନ୍ତେ ଅସ୍ଥାୟୀ ପୋଖରୀ କରାଯାଇ ବୋଟିଂ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଥମ ଦିନରେ ବୋଟିଂର ମଜା ଉଠାଇପାରି ନ ଥିଲେ ପର୍ଯ୍ୟଟକ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri