ନୂଆଦିଲ୍ଲୀ,୩୦-୯: ଲଗାତର ଭାବେ ଗତ ୨ ମାସ ଧରି ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର (ଏଫ୍ପିଆଇ) ମାନେ ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ସେପ୍ଟେମ୍ବରରେ ଏଥିରେ ସୁଧାର ଆସିଛି। ବିଦେଶୀ ନିବେଶମାନେ ସେପ୍ଟେମ୍ବର ମାସରେ ୭,୭୧୪ କୋଟି ଟଙ୍କାର ନେଟ୍ ନିବେଶ କରିଛନ୍ତି। ସରକାରଙ୍କ ଆର୍ଥତ୍କ ସଂସ୍କାର ପରେ ପୁଞ୍ଜି ବଜାରକୁ ଏଭଳି ନିବେଶ ଆସିଥିବା ଜଣାପଡ଼ିଛି। ସରକାର ଗତ ସପ୍ତାହରେ କର୍ପୋରେଟଗୁଡିକ ଉପରୁ ଟିକସ ହ୍ରାସ କରିଥିଲେ। ସେହିଭଳି ପୁଞ୍ଜି ବଜାରର ସିକ୍ୟୁରିଟି ଏବଂ ଡେରିଭେଟିଭ୍ସ ବିକ୍ରିରୁ ବିଦେଶି ନିବେଶକମାନଙ୍କ କ୍ୟାପିଟାଲ ଗେନ୍ସ ଉପରେ ସରଚାର୍ଜ ଲାଗୁ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାବାଦ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ମଧ୍ୟ ବିଦେଶୀ ନିବେଶକଙ୍କ ଲାଗି କଓ୍ବୋଇସି ନିୟମକୁ କୋହଳ କରିଛି। ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୭,୮୪୯ କୋଟି ଟଙ୍କା ନେଟ୍ ନିବେଶ କରିଥିବା ବେଳେ ୧୩୫ କୋଟି ଟଙ୍କା ଉଠାଣ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟରେ ସେମାନେ ୫,୨୨୦ କୋଟି ଏବଂ ଜୁଲାଇରେ ୨,୯୮୫ କୋଟି ଟଙ୍କା କାଢି ନେଇଥିଲେ। ଏଫ୍ପିଆଇକୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଫ୍ପିଆଇଙ୍କ ଲାଗି ନିୟମ କୋହଳ ଯୋଗୁ ଏହାର ପ୍ରଭାବ ବଜାର ଉପରେ ସକରାତ୍ମକ ରହିବ ବୋଲି ଜିଓଜିତ ଫାଇନାସିଆଲ ସର୍ଭିସେସର ମୁଖ୍ୟ ନିବେଶ ବିଶେଷଜ୍ଞ ଭି.କେ. ବିଜୟ କୁମାର କହିଛନ୍ତି।


