ଉଚ୍ଚଶିକ୍ଷାରେ ପ୍ରହେଳିକା

ଡ. ସୁବାସ ଚନ୍ଦ୍ର ପାତ୍ର

ଏବେ ଓଡ଼ିଶାର ଉଚ୍ଚଶିକ୍ଷା ଏକ ପ୍ରହେଳିକା ମଧ୍ୟ ଦେଇ ଗତି କରୁଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ପୂର୍ବକ ଏକ ଧୂମକୁଣ୍ଡଳୀ ସୃଷ୍ଟି କରି ଶିକ୍ଷାର ସ୍ଖଳନର ପ୍ରକୃତ କାରଣ ଖୋଜିବା ପରିବର୍ତ୍ତେ ଶିକ୍ଷାନୁଷ୍ଠାନ, ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ପାଇଁ ବିଭାଗ କେତେ ଦାୟୀ ତା’ର ଆତ୍ମ-ସମୀକ୍ଷା କରିବା ପରିବର୍ତ୍ତେ ଛାତ୍ରୀଛାତ୍ରମାନଙ୍କଠୁ ଶିକ୍ଷକମାନଙ୍କ ସମ୍ବନ୍ଧରେ ଯାହା ତାହା ତଥ୍ୟ ମାଗି, ବିନା ଅନୁସନ୍ଧାନରେ ତାହାକୁ ସର୍ବସାଧାରଣରେ ପ୍ରସାରଣ କରି ଶିକ୍ଷାସମାଜକୁ ନିନ୍ଦିତ କରିବାରେ ବିଭାଗ ବ୍ୟସ୍ତ।
ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ସ୍କୁଲ ତରଫରୁ ଦିଆଯାଉଥିବା ଡାଇରିରେ ଲେଖାଥାଏ ‘ଡୋ ନଟ୍‌ ସ୍ପିକ୍‌ ଇଲ୍‌ ଅଫ୍‌ ଦି ଟିଚର୍ସ ବିଫୋର ୟୋର ଚିଲ୍‌ଡ୍ରେନ।’ (ଆପଣଙ୍କ ପିଲାମାନଙ୍କ ଆଗରେ ସ୍କୁଲର ଶିକ୍ଷକମାନଙ୍କ ସମ୍ବନ୍ଧରେ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।) ଅଥଚ ଉଚ୍ଚଶିକ୍ଷା ବିଭାଗ ନିଜ ବିଭାଗର ଶିକ୍ଷକମାନଙ୍କୁ ନିଜେ ନିନ୍ଦିତ କରିବା ପାଇଁ ଶେଷରେ ଛାତ୍ରୀଛାତ୍ରଙ୍କୁ ବ୍ୟବହାର କରିବାକୁ ପଶ୍ଚାତ୍‌ପଦ ହେଲେ ନାହିଁ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗର କ୍ଲାଉଡ୍‌-ବେସ୍‌ଡ ଷ୍ଟୁଡେଣ୍ଟ ଫିଡ୍‌ବ୍ୟାକ୍‌ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ବିଜେବି କଲେଜ, ମହର୍ଷି କଲେଜ, ପୁରୀ ଏସ୍‌.ସି.ଏସ୍‌ କଲେଜ, ଭଦ୍ରଖ କଲେଜ ଭଳି କେତେକ ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଏହି ଫର୍ମାଟରେ ଶିକ୍ଷକଙ୍କ ଗୁଣ, ଚରିତ୍ର ଉପରେ ମନ୍ତବ୍ୟ ରଖିବା ସହ କଲେଜ ଭିତ୍ତିଭୂମିର ଅଭାବ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଅନ୍‌ଲାଇନ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ଛାତ୍ରୀଛାତ୍ରମାନଙ୍କଠୁ ଯେଉଁ ଫିଡ୍‌ବ୍ୟାକ୍‌ ମାଗିଛନ୍ତି, ତନ୍ମଧ୍ୟରେ ରହିଛି ଶିକ୍ଷକମାନେ ମଦ୍ୟପାନ କରି କଲେଜକୁ ଆସନ୍ତି କି? ଏ ବାବଦରେ କିଛି ଛାତ୍ରୀଛାତ୍ର ଓଡ଼ିଶାର କିଛି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ଯଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକଙ୍କ ଗୁଣ, ଚରିତ୍ର ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ବିଷୟରେ ସରକାରଙ୍କ ପାଖରେ କିଛି ଖବର ଥିଲା, ସରକାରଙ୍କ ପ୍ରତି ଜିଲାରେ ଅବସ୍ଥିତ ଗୁଇନ୍ଦା ସଂସ୍ଥା ଦ୍ୱାରା ଗୋପନରେ ତାହା ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କାହାର କିଛି କହିବାର ନଥିଲା। ମାତ୍ର ଗଣମାଧ୍ୟମରେ ସନ୍ଦିଗ୍ଧ ଶିକ୍ଷକମାନଙ୍କ ନାମ ପ୍ରକାଶ କରି ଅଧ୍ୟକ୍ଷ ବା ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏ ବିଷୟରେ ଅନୁସନ୍ଧାନ କରିବାକୁ କହିବାର ଅର୍ଥ କ’ଣ? ଯେଉଁମାନେ ଏ ବାବଦରେ ନିର୍ଦ୍ଦୋଷ, ସରକାର ସେମାନଙ୍କ ଅପହୃତ ସୁନାମ, ପାରିବାରିକ ଅଶାନ୍ତି, ଦୁଃଖ ବିଷୟରେ କ’ଣ ପଦକ୍ଷେପ ନେଇ ସେମାନଙ୍କୁ ପୂର୍ବାବସ୍ଥା ଫେରେଇ ଦେଇପାରିବେ?
ଦୁଃଖର କଥା, ସରକାରଙ୍କ ସମୟ ନିର୍ଦ୍ଧାରଣ। ଆଗକୁ ସେପ୍ଟେମ୍ବର ୫। ଗୁରୁଦିବସ। ଯେଉଁ ସମୟରେ ସାରା ଭାରତବର୍ଷ ଶିକ୍ଷକ ସମାଜକୁ ସମ୍ମାନିତ କରିବାକୁ ଆଗ୍ରହୀ ହେବେ, ଠିକ୍‌ ସେହି ସମୟରେ ଓଡି଼ଶାରେ ଆରମ୍ଭ ହୋଇଛି ଶିକ୍ଷକ-ଅପବାଦ ପର୍ବ। କାମ ନ ଥିବା ମଣିଷମାନେ ଯାହା କରନ୍ତି। ଏହିବର୍ଷ ପ୍ରଥମ କରି କେନ୍ଦ୍ର ଶିକ୍ଷା ବିଭାଗ, ସାରା ଭାରତବର୍ଷର ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷକମାନଙ୍କୁ ସମ୍ମାନିତ କରିବାର ବ୍ୟବସ୍ଥା କରିଛି, ଯାହା ସାଧାରଣତଃ ବିଦ୍ୟାଳୟସ୍ତରୀୟ ଶିକ୍ଷକମାନଙ୍କ ମଧ୍ୟରେ ସୀମିତ ଥିଲା। ଏ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ବିଭାଗ ତରଫରୁ ଏକ ନିର୍ଦ୍ଧାରିତ ଫର୍ମାଟ୍‌ରେ ଆବେଦନ କରିବାକୁ ନିବେଦନ କରାଯାଇଥିଲା, ଯାହାର ଶେଷ ତାରିଖ ଥିଲା ଜୁଲାଇ ୩୦। ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗର କୌଣସି ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟରୁ ଆବେଦନ କରିଥିବା ଶିକ୍ଷକ ତଥା ଶିକ୍ଷକସମାଜ ଏ ବାବଦରେ ଉତ୍ସୁକ ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ନିଜର କୌଣସି ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ କରିବା ପରିବର୍ତ୍ତେ ଦୁଇ ପାଞ୍ଚଜଣ ଶିକ୍ଷକଙ୍କ ନାମରେ ସମଗ୍ର ଶିକ୍ଷକସମାଜକୁ ଅପବାଦ ମଧ୍ୟକୁ ଠେଲି ଦେଇଛନ୍ତି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଶିକ୍ଷକମାନଙ୍କ ପାଠପଢ଼ା ସମ୍ବନ୍ଧୀୟ ଦକ୍ଷତା ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଆକଳନ ନିମନ୍ତେ ୟୁଜିସି ତରଫରୁ ଏକ ଫର୍ମାଟ୍‌ ପ୍ରଚଳିତ ରହିଛି, ଯାହା ଶେଷବର୍ଷର ଛାତ୍ରୀଛାତ୍ର ପୂରଣ କରି ଗୋପନରେ ବିଭାଗ ମୁଖ୍ୟ ଅବା ଅଧ୍ୟକ୍ଷକୁ ଦେଇପାରିବେ। ଆଜିର ପ୍ରଗତିଶୀଳ ବାତାବରଣରେ ଏମିତି ବି କୌଣସି ଛାତ୍ରୀ/ଛାତ୍ର ଶିକ୍ଷକମାନଙ୍କ ସମ୍ବନ୍ଧରେ ନିଜର ଦୃଢ଼ମତ ଅଧ୍ୟକ୍ଷ ବା ଗଣମାଧ୍ୟମକୁ ଖୋଲାଖୋଲି ଦେଇପାରୁଛନ୍ତି। ଅଥଚ ଉଚ୍ଚଶିକ୍ଷା ବିଭାଗ ଏ ଫର୍ମାଟ୍‌ ପାଇଲେ କେଉଁଠୁ? ଏହି ପ୍ରକାର ବ୍ୟବସ୍ଥା ସାରା ଭାରତବର୍ଷର କେଉଁ ପ୍ରଦେଶରେ ପ୍ରଚଳିତ ଅଛି କି? କଥା ହେଉଛି ଧ୍ୟାନ ବିକର୍ଷଣ କରିବାର ପ୍ରୟାସ। ଫର୍ମାଟ୍‌ରେ ଓଡ଼ିଶାର ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷାର ମୁଖ୍ୟ କାରଣ ବିଷୟରେ ପିଲାମାନଙ୍କୁ ପଚରା ଯାଇନାହିଁ – ଯେପରି କେଉଁ ବିଭାଗରେ କେତେ ଶିକ୍ଷକ ଅଛନ୍ତି? କଲେଜରେ ନିୟମିତ ଅଧ୍ୟକ୍ଷ ଅଛନ୍ତି କି? ଅତିଥି ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନରେ ଅସୁବିଧା ହେଉଛି କି? ପାଠାଗାର, ପରୀକ୍ଷାଗାରମାନଙ୍କରେ ସହାୟକ କର୍ମଚାରୀ ଅଛନ୍ତି କି? ଲାଇବ୍ରେରି ବା ପଠନାଗାରରେ ସବୁ ବହି ଉପଲବ୍ଧ କି? ସରକାରୀ କାର୍ଯ୍ୟନିର୍ଘଣ୍ଟ ବାହାରେ ପଠନାଗାର ଖୋଲିବା ଆବଶ୍ୟକ କି? ଅଗଷ୍ଟରୁ ପାଠପଢ଼ା ଆରମ୍ଭ ହେଉଥିଲା ବେଳେ ନଭେମ୍ବର ପର୍ଯ୍ୟନ୍ତ ଆଡ୍‌ମିଶନ ଚାଲିବା ଉଚିତ କି? ଇତ୍ୟାଦି। ଯେହେତୁ ଏସବୁ ବିଭାଗର ଦୁର୍ବଳତା ତଥା ଅପାରଗତାକୈନ୍ଦ୍ରିକ, ଏ ସବୁକୁ ବିଭାଗ ଭାରି ଚତୁରତାର ସହ ଆଡ଼େଇ ଯାଇଛି।
ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଶିକ୍ଷକମାନଙ୍କ ଚରିତ୍ର ପଞ୍ଜିକା ମୂଲ୍ୟାୟନ କରିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଯଦି ଏହା ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ଉଦ୍ଦିଷ୍ଟ, ପରିକଳ୍ପିତ ଫର୍ମାଟ୍‌ଟିକୁ ଉଚ୍ଚଶିକ୍ଷା ବିଭାଗ ୱେବ୍‌ସାଇଟ୍‌ରେ ସମସ୍ତଙ୍କ ମୁକ୍ତ ପଠନ ଓ ମତାମତ ପାଇଁ ଛାଡ଼ି ଦିଆଗଲା ନାହିଁ କାହିଁକି? ଏହାଦ୍ୱାରା ଶିକ୍ଷକ, ଅଭିଭାବକ, ଛାତ୍ରୀଛାତ୍ର, ପୁରାତନ ଛାତ୍ରୀଛାତ୍ର ଏହି ଫର୍ମାଟ୍‌ଟିକୁ କିପରି ଅଧିକ ତ୍ରୁଟିଶୂନ୍ୟ, ନିରପେକ୍ଷ, ଉଭୟପକ୍ଷ ପାଇଁ ଗ୍ରହଣୀୟ ହୋଇପାରିବ ତାହା ସେମାନେ ଜଣାଇ ପାରିଥା’ନ୍ତେ। ଗୋପନୀୟ ଭାବରେ ଏହି ପ୍ରକାର ଏକ ସମ୍ବେଦନଶୀଳ ଦସ୍ତାବିଜ୍‌ଟିକୁ ଜାରି କରାଗଲା କାହା ସ୍ବାର୍ଥରେ? ସେମାନେ ତ ଏ କାମ କରୁନାହାନ୍ତି?
ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟମାନ ପ୍ରଦେଶର ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କଠୁ ସର୍ବଭାରତୀୟ ମାନ୍ୟତାର ବହୁ ପଛରେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଛି ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଞ୍ଚଳିକ ନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ପଦାଧିକାରୀ। ସମସ୍ତେ ଥାଇ ଯଦି ପିଲାମାନଙ୍କୁ ଫିଡ୍‌ବ୍ୟାକ ମାଗିବାକୁ ପଡ଼ିଲା, ତା’ହେଲେ ଏହା ବିଭାଗର ନିଜସ୍ବ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି?
ଆଗକୁ ଗୁରୁଦିବସ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଯଦି ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଦାନ କରାଯାଉଥିବା ଶିକ୍ଷାର ଗୁଣବତ୍ତା ରକ୍ଷା କରିବାକୁ କିଛି ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି; ଉଭୟ ଶିକ୍ଷକମାନଙ୍କୁ ଗୌରବାନ୍ବିତ କରିବା ଏବଂ ଛାତ୍ରୀଛାତ୍ରମାନଙ୍କୁ ଅନୁପ୍ରାଣିତ କଲା ଭଳି କିଛି ପଦକ୍ଷେପ ନେବାକୁ ବସିଛନ୍ତି; ତାହା ପ୍ରକାଶ କରନ୍ତୁ। ଶିକ୍ଷକସମାଜକୁ ଅପମାନିତ କରି, ହତୋତ୍ସାହିତ କରି, ଅଯଥାରେ ଛାତ୍ର-ଶିକ୍ଷକମାନଙ୍କ ମଧ୍ୟରେ ବିଭେଦ ତଥା ବିଭାଜନର କାନ୍ଥ ଉଠେଇଲା ଭଳି ଆଲୋଚିତ କାର୍ଯ୍ୟକ୍ରମ ଗ୍ରହଣ କଲେ ଉଚ୍ଚଶିକ୍ଷା ଆହୁରି ବିପର୍ଯ୍ୟସ୍ତ ହେବ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର
ମୋ: ୯୪୩୭୩୭୬୨୧୯
e-mail : subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri