ଆନ୍ଥ୍ରାକ୍ସ ଆଳରେ ଚାପି ଦିଆଯାଉଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ମରିଛନ୍ତି। କେବଳ ଚଳିତବର୍ଷ ଅଗଷ୍ଟ ୨୩ ସୁଦ୍ଧା ୩୬ ହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଦୁର୍ଘଟଣା, ଶିକାର ଓ ରୋଗ ଆଦି ହାତୀ ମୃତ୍ୟୁର କାରଣ ବୋଲି ଅଧିକାଂଶ ସମୟରେ ବନ ବିଭାଗ ରିପୋର୍ଟ ଦେଉଥିବାବେଳେ ଅନେକ କ୍ଷେତ୍ରରେ ଆନ୍ଥ୍ରାକ୍ସ ରୋଗ ବା ପ୍ରାକୃତିକ ମୃତ୍ୟୁ ଦର୍ଶାଇ ଦୋଷ ଖସାଉଛନ୍ତି ବିଭାଗୀୟ ଉଚ୍ଚ ଅଧିକାରୀ। ହାତୀ ମୃତ୍ୟୁର ପ୍ରକୃତ କାରଣକୁ ଯୋଜନାବଦ୍ଧ ଭାବେ ଘୋଡ଼ାଇ ଦିଆଯାଉଛି।
ବନ ବିଭାଗ ତଥ୍ୟ ଅନୁସାରେ, ଗତ ୩ବର୍ଷରେ ଆନ୍ଥ୍ରାକ୍ସରେ ୨୦ ହାତୀଙ୍କ ମୃତ୍ୟୁ ଘଟିଛି। ହେଲେ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ଚମକାଇ ଦେବାଭଳି ତଥ୍ୟ ଦେଇଛି। ସୂଚନା ଅଧିକାର ଆଇନ ବଳରେ ଓଡ଼ିଶା ବନ୍ୟାପ୍ରାଣୀ ସମିତି ସମ୍ପାଦକ ଡ. ବିଶ୍ୱଜିତ୍‌ ମହାନ୍ତିଙ୍କୁ ପ୍ରତିଷ୍ଠାନଠାରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୭ ଏପ୍ରିଲ ୧ରୁ ୨୦୨୦ ଜୁନ୍‌ ୨୫ ମଧ୍ୟରେ ଉକ୍ତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନକୁ ବନ ବିଭାଗ ୨୦ ହାତୀର ନମୁନା ଆନ୍ଥ୍ରାକ୍ସ ପରୀକ୍ଷା ପାଇଁ ପଠାଇଥିଲା। ସେଥିରୁ ମାତ୍ର ୨ଟି ନମୁନା ପଜିଟିଭ୍‌ ଆସିଥିଲା। ବାକି ନମୁନା ନେଗେଟିଭ୍‌ ରହିଥିଲା ଅର୍ଥାତ୍‌ ୧୮ ହାତୀଙ୍କ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ନୁହେଁ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏସବୁ ହାତୀ ମୃତ୍ୟୁ ଫାଇଲ୍‌ ଆନ୍ଥ୍ରାକ୍ସ ଆଳରେ ବନ୍ଦ କରିଦିଆଯାଇଥିବା ବିଶ୍ୱଜିତ୍‌ କହିଛନ୍ତି। ପ୍ରାଥମିକ ସ୍ତରରେ ଯେଉଁ ପ୍ରାଣୀ ଚିକିତ୍ସିକମାନେ ଉକ୍ତ ୧୮ ହାତୀଙ୍କୁ ଆନ୍ଥ୍ର୍ରାକ୍ସରେ ମରିଥିବା ରିପୋର୍ଟ ଦେଇଥିଲେ, ସେମାନେ ଏବେ ସନ୍ଦେହ ଘେରକୁ ଆସୁଛନ୍ତି। ସେମାନେ ସତରେ କୌଣସି ଲକ୍ଷଣ ଦେଖିଥିଲେ ନା ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଏଭଳି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି, ତାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିଶ୍ୱଜିତ୍‌।
ତେବେ ଏହି ଆର୍‌ଟିଆଇ ତଥ୍ୟ ଶିମିଳିପାଳ ହାତୀ ମୃତ୍ୟୁ କେଳେଙ୍କାରୀକୁ ମଧ୍ୟ ପଦାକୁ ଆଣିଛି। ଶିମିଳିପାଳରେ ସର୍ବାଧିକ ୯ଟି ହାତୀ ଆନ୍ଥ୍ରାକ୍ସରେ ମରିଥିବା ବନ ବିଭାଗ ରିପୋର୍ଟ ଦେଇଥିଲା। କିନ୍ତୁ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ତଥ୍ୟରେ ୯ରୁ ୯ଟି ନମୁନା ଆନ୍ଥ୍ରାକ୍ସ ନେଗେଟିଭ୍‌ ରହିଛି। ଶିମିଳିପାଳରେ ବର୍ଷସାରା ଶିକାରୀଙ୍କ ଉପଦ୍ରବ ଓ ମାଫିଆଙ୍କ ରାଜୁତି ଚାଲିଥିବାରୁ ଏଭଳି ରିପୋର୍ଟ ପ୍ରସ୍ତୁତି କରାଯାଉଥିବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି।
ସବୁଠାରୁ ଉଦ୍‌ବେଗଜନକ ଘଟଣା ହେଲା, ଗତ ୧୦ମାସରେ ୪ଟି ଘଟଣାରେ ଆନ୍ଥ୍ରାକ୍ସ ସନ୍ଦେହରେ ହାତୀ ମୃତଦେହକୁ ପୋଡ଼ାଯାଇଛି ବା ଗଭୀର ଗାତରେ ପୋତାଯାଇଛି। ୨୦୧୯ ଅକ୍ଟୋବର ୨୩ରେ ରେଢ଼ାଖୋଲ, ୨୦୨୦ ଜାନୁୟାରୀ ୧୯ରେ ରେଢ଼ାଖୋଲ, ଫେବୃୟାରୀ ୧୯ରେ କେନ୍ଦୁଝର ଓ ଜୁନ୍‌ ୨୦ରେ ଅନୁଗୋଳ ଛେଣ୍ଡିପଦାରେ ଏଭଳି ହୋଇଥିଲା। ହେଲେ ସେହି ୪ ମୃତ ହାତୀର ନମୁନା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ କିମ୍ବା ଓୟୁଏଟିକୁ ପଠାଯାଇନାହିଁ। ଡିଏଫ୍‌ଓ ଓ ପ୍ରାଣୀ ଚିକିତ୍ସକ ନମୁନାକୁ କାହିଁକି ଏଠାକୁ ପଠାଇବାକୁ ଉଚିତ ମଣିଲେନି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଆନ୍ଥ୍ରାକ୍ସ ନେଗେଟିଭ୍‌ ଆସିଥିବା ସମସ୍ତ ୧୮ ହାତୀ ମୃତ୍ୟୁର ପୁନଃ ତଦନ୍ତ ପାଇଁ ବିଶ୍ୱଜିତ୍‌ ଦାବି କରିଛନ୍ତି। ସେ କହିଛନ୍ତି, ଯଦି ଠିକ୍‌ ତଦନ୍ତ ହୋଇଥାନ୍ତା, ତେବେ ଶିକାର ପାଇଁ ଏହିସବୁ ହାତୀଙ୍କ ମୃତ୍ୟୁ ଘଟିଥିବା ଧରାପଡ଼ିଯାଇଥାନ୍ତା। କିନ୍ତୁ ତାହାକୁ ପ୍ରାକୃତିକ ମୃତ୍ୟୁ ବୋଲି କହିଦେଲେ। ଯାହାକୁ ଆନ୍ଥ୍ରାକ୍ସ ବୋଲି ସନ୍ଦେହ କରୁଛନ୍ତି, ତା’ର ଶବ ବ୍ୟବଚ୍ଛେଦ ହେଉନାହିଁ। ଯେଉଁମାନେ ଆନ୍ଥ୍ରାକ୍ସ ବୋଲି ରିପୋର୍ଟ ଦେଉଛନ୍ତି, ସେମାନେ କେଉଁ ଆଧାରରେ ଏପରି କରୁଛନ୍ତି? ଗୋଟେ ରୋଗକୁ ଚିହ୍ନିବା ପାଇଁ କିଛି ଲକ୍ଷଣ ଥିବ। ଶବ ବ୍ୟବଚ୍ଛେଦ ନ କରି କାହିଁକି ଏଭଳି ମନଇଚ୍ଛା ରିପୋର୍ଟ ଦେଉଛନ୍ତି, ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ୨୦ ହାତୀ ମୃତ୍ୟୁରୁ ବନ ବିଭାଗ ୯୦% ଭୁଲ୍‌ ରିପୋର୍ଟ ଦେବା ଆଶ୍ଚର୍ଯ୍ୟର କଥା। ବର୍ତ୍ତମାନ ସେସବୁ ହାତୀର ମୃତ ଶରୀର ନାହିଁ। କେବଳ ଫଟୋ ରହିଛି। ତେଣୁ କେସ୍‌ ରେଜିଷ୍ଟର କରି ସେହି ଫଟୋ ଆଧାରରେ ତଦନ୍ତ ହେବା ଉଚିତ ବୋଲି ବିଶ୍ୱଜିତ କହିଛନ୍ତି।
ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ଆନ୍ଥ୍ରାକ୍ସରେ ମୃତ୍ୟୁ ହୋଇନି ଅର୍ଥ ଅନ୍ୟ କୌଣସି କାରଣରୁ ହୋଇଥିବ। କିନ୍ତୁ ଶିକାର ପାଇଁ ମରିଥିଲେ ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଥାନ୍ତା। ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଭୁଲ୍‌ ରିପୋର୍ଟ ଦେବାରେ କିଛି ଲାଭ ନାହିଁ। ତେବେ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଆନ୍ଥ୍ରାକ୍ସ କ’ଣ, ଏହା କିପରି ବ୍ୟାପେ
ଆନ୍ଥ୍ରାକ୍ସ ଏକ ଗୁରୁତର ସଂକ୍ରାମକ ରୋଗ, ଯାହାକି ବାସିଲସ୍‌ ଆନ୍ଥ୍ରାସିସ୍‌ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ। ଏହି ବ୍ୟାକ୍ଟେରିଆ ପ୍ରାକୃତିକ ଅବସ୍ଥାରେ ମାଟିରେ ମିଳିଥାଏ। ଏହା ଉଭୟ ଗୃହପାଳିତ ଓ ବନ୍ୟପ୍ରାଣୀଙ୍କୁ ସଂକ୍ରମିତ ହୋଇଥାଏ। ସଂକ୍ରମିତ ପ୍ରାଣୀ କିମ୍ବା ସେମାନଙ୍କ ମାଂସ ବା ଅନ୍ୟ କିଛି ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସି ଏହା ମଣିଷକୁ ମଧ୍ୟ ବ୍ୟାପିଥାଏ। ଯେଉଁଠି ପ୍ରାଣୀଙ୍କ ଦେହରେ ଆନ୍ଥ୍ରାକ୍ସ ଦେଖାଯାଏ, ସେହି ଅଞ୍ଚଳରେ ପ୍ରାଣୀଙ୍କର ପର୍ଯ୍ୟାୟକ୍ରମେ ସାମୂହିକ ଟିକାଦାନ ଆବଶ୍ୟକ ହୋଇଥାଏ। ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ଯଦି ଅନ୍ୟ କେଉଁ ତୃଣଭୋଜି ପ୍ରାଣୀ ଯଥା ହରିଣ, ଗାଈ, ମେଣ୍ଢା, ଛେଳି ଆଦି ଆନ୍ଥ୍ରାକ୍ସରେ ସଂକ୍ରମିତ ହୋଇଥାନ୍ତି, ତେବେ ତୃଣରୁ ହିଁ ତାହା ହାତୀକୁ ସଂକ୍ରମିତ ହୋଇଥାଏ। ଏହାପରେ ହାତୀଙ୍କ ଆଖି, ନାକ, କାନ, ପାଟି, ମଳଦ୍ୱାର, ଯୌନାଙ୍ଗ ଓ ଶୁଣ୍ଢରୁ ରକ୍ତସ୍ରାବ ହୋଇଥାଏ। ମରିଯିବା ପରେ ମୃତଦେହ ବହୁତ ଫୁଲିଯିବା ସହ ଦ୍ରୁତଗତିରେ ଡିକମ୍ପୋଜ ହୋଇଥାଏ।

 

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri