ଆକାଶ ଛିଣ୍ଡିପଡ଼ିଲା

ଉପେନ୍ଦ୍ର ବିଶ୍ୱାଳ
ଟିକି ଚଢ଼େଇଟିଏ, ଟିଟ୍ଟିଭ ପକ୍ଷୀ। ରାତିରେ ଶୋଇବାବେଳେ ବି ଗୋଟେ ଗୋଡ଼ ଉପରକୁ ଟେକି ଶୋଇରହେ, ଆକାଶଟି ଛିଣ୍ଡି ପଡ଼ିବା ଆଶଙ୍କାରେ। ଶଙ୍କାଗ୍ରସ୍ତ ମନଟି ସଦା ସନ୍ଦେହରେ ଥାଏ- କାଳେ ଖସି ପଡ଼ିଲା କି ଆଉ। ଦିନେ, ହଠାତ୍‌ ବଡ଼ ଶବ୍ଦଟିଏ ହେଲା। ସେଇଠୁ ‘ଆକାଶଟି ଛିଣ୍ଡି ପଡ଼ିଲା, ଆକାଶଟି ଛିଣ୍ଡି ପଡ଼ିଲା’ ଚିତ୍କାର ଛାଡ଼ି ଦୌଡ଼ିଲା, ପକ୍ଷୀରାଜ ଇଗଲକୁ ଜଣାଇବାକୁ। ତା’ ଦେଖାଦେଖି କାଠହଣା ପକ୍ଷୀଟି ବି ରଡ଼ି ଛାଡ଼ି ଦୌଡ଼ିଲା। ଦୁଇ ପକ୍ଷୀଙ୍କର ଉଦ୍‌ବିଗ୍ନ ଭାବ ଓ ଦୌଡ଼ ଦେଖି ବତକ ବି ଦୌଡ଼ିଲା, ତାଙ୍କ ସାଥିରେ ସତ ବୋଲି ମାନି। ବାଟରେ କୁଣ୍ଡାଖିଆ ପକ୍ଷୀ ଏମାନଙ୍କୁ ଦେଖି ଜାଣିବାକୁ ଚାହିଁଲା ବ୍ୟସ୍ତ ଓ ବିବ୍ରତ ହେବାର ରହସ୍ୟ। ତିନି ତୁଣ୍ଡରୁ ‘ଆକାଶଟି ଛିଣ୍ଡି ପଡ଼ିଲା’ ବୋଲି ଶୁଣି ସେ ବି ଛାନିଆ ହୋଇ ଦୌଡ଼ିଲା ଇଗଲକୁ ଅବଗତ କରାଇବାକୁ। ଏମାନଙ୍କର ସରଳପଣର ସୁଯୋଗ ନେଇ ଧୂର୍ତ୍ତ ଶୃଗାଳଟିଏ ଶିକାର ଉଦ୍ଦେଶ୍ୟରେ ଏମାନଙ୍କୁ ପଟେଇ ପାଛୋଟି ନେଲା, ପକ୍ଷୀରାଜ ଘରକୁ। ବଣସୀମାରେ ଗୋଟିଏ ବିଲର ହିଡ଼ରେ ଥିବା ଗାତଟିକୁ ଦେଖାଇ ”ଏଇଟା ହେଉଛି ପକ୍ଷୀରାଜ ଇଗଲଙ୍କର ଭୂତଳ ପ୍ରାସାଦ। ସୁଡ଼ଙ୍ଗ ଦେଇ ମୁଁ ପ୍ରଥମେ ପକ୍ଷୀରାଜଙ୍କ ପାଖକୁ ଯାଉଛି, ମୋ ପଛେ ପଛେ ତୁମେ ଜଣକ ପରେ ଜଣେ ଆସ“ କହି ଗାତ ଭିତରକୁ ପଶିଗଲା। ପ୍ରଥମେ ଟିଟ୍ଟିଭ ପକ୍ଷୀଟି ଅବିଳମ୍ବେ ଶିକାର ହେଲା। ପରେ ପରେ ବତକ ଓ କାଠହଣା ପକ୍ଷୀ ବି। କୁଣ୍ଡାଖିଆ ଶେଷରେ ଅତି ସନ୍ତର୍ପଣରେ ସତର୍କତାର ସହିତ ଭିତରକୁ ପଶୁଥିବାବେଳେ ଦୈବାତ୍‌ ବର୍ତ୍ତିଗଲା ଶୃଗାଳର ଶିକାରରୁ ଏବଂ ଏକମୁହଁା ହୋଇ ଦୌଡ଼ିଲା ପ୍ରାଣ ବିକଳରେ। କଥାଟିର ମର୍ମାର୍ଥ ହେଲା- ବିନା ବିଚାରରେ କୌଣସି କଥାକୁ ଅନ୍ଧଭାବେ ଗ୍ରହଣ କରିନେବାଟା ବୋକାମି। ଏଇ ଯେମିତି, ଆକାଶଟି ଛିଣ୍ଡି ପଡ଼ିଲା ବୋଲି ଟିଟ୍ଟିଭ ପକ୍ଷୀଟି ଭ୍ରମିତ ହେଲା ଓ ଅନ୍ୟମାନେ ବି ତା’ କଥାକୁ ଅନ୍ଧଭାବେ ଗ୍ରହଣ କରିନେଲେ, ବାସ୍ତବତାକୁ ନ ବୁଝି। ଦ୍ୱିତୀୟତଃ ଶୃଗାଳଟି ବହୁ ପରୀକ୍ଷିତ ଧୂର୍ତ୍ତ ବୋଲି ଜାଣି ବି ତା’ କଥାରେ ଭଳିଯିବା ଅର୍ଥ ଅନର୍ଥକୁ ଆମନ୍ତ୍ରଣ କରିବା।
ଏବେ ଆସିବା ଆଲୋଚ୍ୟ ପ୍ରସଙ୍ଗଟିକୁ। ଦେଶରେ କୋଟି କୋଟି ଟଙ୍କାର ଧନ-ଜୀବନ ହାନି ହେଲା, ଦିନ କେଇଟାରେ। ମନେ ହେଲା, ସତେ ଯେମିତି ଏହା ଘଟିଗଲା ଇସଲାମାବାଦର ଇସାରାରେ ଅବା ଚାଇନାର ଚାହିଁବା ଅନୁଯାୟୀ। ଭାରତର ଭାବମୂର୍ତ୍ତି ଭୂଲୁଣ୍ଠିତ ହେଲା, ଦେଶର ସୁନାମ ଉପରେ ଆଞ୍ଚ ଆସିଲା। ଜାତିସଂଘ ଏବଂ ଇସ୍‌ଲାମିକ ଦେଶଗୁଡ଼ିକର ସହାନୁଭୂତି ସାଉଁଟିବାକୁ ପାକିସ୍ତାନକୁ ସୁଯୋଗଟି ମିଳିଗଲା। କୋଟି କୋଟି ଟଙ୍କାର ଦେଶ ସମ୍ପତ୍ତି ଯେଉଁ ନଷ୍ଟ ହେଲା, ତା’ କ’ଣ ମୋଦିଙ୍କର ନା ଭାଜପାର? ଦେଶର କ୍ଷତି ଅର୍ଥ କ’ଣ ଆମର କ୍ଷତି ନୁହେଁ? ଏଇ କିଛିମାସ ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ, ଆମ ମୁହଁରୁ ଉଚ୍ଚାରିତ ଭାଷାକୁ ନେଇ। ପୁଣି ସେମିତି ପାକିସ୍ତାନକୁ ପ୍ରୋତ୍ସାହିତ କଲା ପରି ଭାଷା (ନାଗରିକ ସଂଶୋଧନ ପ୍ରସ୍ତାବକୁ ଜାତିସଂଘକୁ ନେବାକୁ) କହୁଛୁ। ଏହା କେଉଁ ପ୍ରକାର ରାଷ୍ଟ୍ରଭକ୍ତିର ଲକ୍ଷଣ? ସଂସଦର ଉଭୟ ସଦନରେ ପାରିତ ପ୍ରସ୍ତାବରେ ଏମିତି କ’ଣ ଥିଲା ଯେ ଆକାଶଟି ଛିଣ୍ଡି ପଡ଼ିଲା ବୋଲି ହୁରି ପଡ଼ିଲା। ତାକୁ ଠିକ୍‌ ତର୍ଜମା ନ କରି, ଆଗପଛ ବିଚାର ନ କରି ବିସ୍ଫୋରଣର ରୂପ ଦେବା କେତେଦୂର ଯୁକ୍ତିଯୁକ୍ତ। ବାମ ଓ ଦକ୍ଷିଣ ହସ୍ତ ଉଭୟଙ୍କର ଭୂମିକା ଭିନ୍ନ ଭିନ୍ନ। ଅଧିକ ସମ୍ମାନ ଓ ଗୁରୁତ୍ୱ ପାଉଥିବା ମନେ କରି ଡାହାଣ ହାତକୁ ବାମ ହାତ ଅସହିଷ୍ଣୁତାରେ କିଛି ବିପରୀତ ଭୂମିକା ନିର୍ବାହ କଲେ ଦେହକୁ କଷ୍ଟ ହେବ ହିଁ ହେବ। ପୋଡ଼ା-ଜଳା, ହିଂସାତ୍ମକ କାଣ୍ଡ ଭିଆଇବାଟା କଦାପି ମାନବୀୟ ଲକ୍ଷଣ ନୁହଁ। ସଂରଚନା କାର୍ଯ୍ୟ କରିବା ଯେମିତି ଦେବତ୍ୱ, ଧ୍ୱଂସାତ୍ମକ କ୍ରିୟାକଳାପ ବି ସେମିତି ଦାନବତ୍ୱ। ଆମେ କ’ଣ ଜଣେ ଜଣେ ସେଇ ଦାନବ ସମ୍ପ୍ରଦାୟର କି?
ବିଭାଜନ ବେଳାରୁ ଅଦ୍ୟାବଧି ଦଶନ୍ଧି ଦଶନ୍ଧି ଧରି ଲୁହଲହୁକୁ ପିଇ ଅତି ଦୟନୀୟ ଜୀବନ ନିର୍ବାହ କରୁଥିବା ଆଶ୍ରିତ ଓ ନିର୍ଯାତିତଙ୍କୁ ସମ୍ମାନର ସହିତ ଟିକେ ବଞ୍ଚତ୍ବାର ଅଧିକାର ଦେବାଟା କ’ଣ ମହାପାପ? ଅତୀତର ଭୁଲ୍‌ଗୁଡ଼ିକୁ ସୁଧାରିବାକୁ ପ୍ରୟାସ କରିବା କ’ଣ ଅନ୍ୟାୟ? ମୁସଲମାନମାନଙ୍କର ସ୍ବାର୍ଥ ଜଗିବାକୁ ଅନେକ ଇସ୍‌ଲାମିକ୍‌ ଦେଶ ଥିଲାବେଳେ, ରୋହିଙ୍ଗ୍ୟା ମୁସଲମାନଙ୍କ ପାଇଁ ଲୁହ ଢାଳୁଥିବା ବ୍ୟକ୍ତିମାନେ ନିର୍ଯାତିତ ଏଇ ଅଣମୁସଲମାନ ସଂଖ୍ୟାଲଘୁଙ୍କ ପ୍ରତି ଏତେ ଅବେବେକୀ କେମିତି? ପାକିସ୍ତାନର ପ୍ରବକ୍ତା ସାଜୁଥିବା ବ୍ୟକ୍ତିମାନେ କହିପାରିବେ କି ସ୍ବାଧୀନତାବେଳେ ପାକିସ୍ତାନରେ ଥିବା ପ୍ରାୟ ୧୫ ଭାଗ ହିନ୍ଦୁ ଆଜି କେମିତି ୧.୫ ଭାଗରେ ପହଞ୍ଚତ୍ଲେ। ଆମେରିକା ସମେତ ଅନେକ ମୁସ୍‌ଲିମ୍‌ ଦେଶ ଏପରି କି ଜାତିସଂଘର ବାରମ୍ବାର ତାଗିଦ୍‌ ଓ କଡ଼ା ଚେତାବନୀକୁ ଖ୍ୟାତିର ନ କରି ପାକିସ୍ତାନର ବନ୍ଧୁରାଷ୍ଟ୍ର ହୋଇ ବି ଚାଇନା ଗୋଟିଏ ପରେ ଗୋଟିଏ ଇସ୍‌ଲାମ ବିରୋଧୀ କଠୋର ପଦକ୍ଷେପମାନ ନେଇ ଚାଲିଛି। ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଏଠାରେ ପିଢ଼ି ପରେ ପିଢ଼ି ବାସ କରୁଥିବା ମୁସଲମାନ ଭାଇମାନଙ୍କୁ ଉସୁକାଉଥିବା ବ୍ୟକ୍ତିମାନେ କେବେ ଚାଇନା ଆଡ଼କୁ ନଜର ଦେଇଛନ୍ତି କି? ଏମାନେ କହିପାରିବେ କି ବିଶ୍ୱର ବୃହତ୍ତମ ଜନସଂଖ୍ୟାର ଭୂଖଣ୍ଡ ଚାଇନାରେ ଆଜି କେତୋଟି ମଦ୍ରାସା ଚାଲିଛି ଇସ୍‌ଲାମୀ ପାଠ୍ୟ ଖସଡ଼ା ପାଇଁ। ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଦେଶଟି ଆମ ଆଖିରେ ଆଙ୍ଗୁଠି ଗେଞ୍ଜି କହୁଛି- ମୋତେ ଟିକେ ଆଖି ପୂରାଇ ଦେଖ। ମୌଳବାଦରୁ ମୁକ୍ତ ରହୁଥିବା ଯୋଗୁ ମୁଁ କେମିତି ଆଗେଇ ଚାଲିଛି ଶାନ୍ତି ଓ ସମୃଦ୍ଧିର ପଥେ। ଇଣ୍ଡୋନେସିଆର ଏ ଇଙ୍ଗିତକୁ ନା ବୁଝୁଛି ପାକିସ୍ତାନ ନା ଆମ ଦେଶର ଛଦ୍ମ ଧର୍ମନିରପେକ୍ଷତାର ଧ୍ୱଜାଧାରୀମାନେ। ବିଡ଼ମ୍ବନାର ବିଷୟ ଯେ ଧୂର୍ତ୍ତ ରାଜନେତାମାନଙ୍କଠାରୁ ବାରମ୍ବାର ଭଣ୍ଡିତ, ଲଣ୍ଡିତ ହୋଇ ବି ଆମର ଚେତା ପଶୁନି ଅଦ୍ୟାବଧି। ଭାରତର କିଛି ରାଜନେତା ଓ ସମ୍ପୃକ୍ତ ଦଳଗୁଡ଼ିକ ମୁସଲମାନମାନଙ୍କୁ ଏ ଦେଶର ମହାର୍ଘ ମଣିଷ ବା ଭାଗ୍ୟବାନ ବାସିନ୍ଦା ବୋଲି ବିଚାରନ୍ତି ନାହିଁ। ବରଂ ଭୋଟ ପାଇଁ ଉଦ୍ଦିଷ୍ଟ ଏକ ସଂରକ୍ଷିତ ସମ୍ପ୍ରଦାୟ ବୋଲି ବିବେଚନା କରୁଥିବାର ମନେ ହୁଏ। ରାଜନୀତିର ରୋଟି ସେକିବାକୁ ବ୍ୟଗ୍ର ଏଇ ବ୍ୟକ୍ତିମାନେ ସାଧାରଣ ଲୋକଙ୍କୁ ଉସୁକାଇଥା’ନ୍ତି ବନ୍ଦ ଆଦି ନକାରାମତ୍କ କାମ କରିବାକୁ। ଆମେ ଏହା ସତ୍ତ୍ୱେ ସେମାନଙ୍କ କଥାରେ ଭଳିଯାଉ ବାରମ୍ବାର। ଆଉ, ସେତେବେଳେ ଚେତା ପଶେ ଯେତେବେଳେ ପୋଲିସ ନାନାଦି ଦଫା ଲଗାଇ ଆମ ବିରୋଧରେ ମକଦ୍ଦମା ଚଳାଏ। ବର୍ଷେ ତଳେ ଭଦ୍ରକରେ ସଂଘଟିତ ଦଙ୍ଗାରେ ଫସିଥିବା ବ୍ୟକ୍ତିମାନେ ଯେମିତି ଅଙ୍ଗେ ନିଭାଉଛନ୍ତି ଭୟଙ୍କର ଶଠତାର ଶିକାର ହୋଇ।
ବିଚିତ୍ର ସ୍ଥିତି ଏ ଭୂମିରେ। ସିବିଆଇ ଯଦି ପିଛା କଲା ବା ସ୍ବାର୍ଥପୂର୍ତ୍ତିରେ ବାଧା ଉପୁଜିଲା, କେନ୍ଦ୍ରବିରୋଧୀ ହେବାକୁ ବେଶି ସମୟ ଲାଗେନି ଏଠି। ପୁଲ୍‌ୱାମାଠାରେ ସଂଘଟିତ ନରସଂହାର ବିରୋଧରେ ଆମ ସେନାର କଡ଼ା ଜବାବକୁ ମଧ୍ୟ ଆମେ ନାପସନ୍ଦ କରୁ। ତିନି ତଲାକ୍‌ ପରି ବର୍ବର ବ୍ୟବସ୍ଥାର ଉଚ୍ଛେଦକୁ ବିରୋଧ କରୁ। କଶ୍ମୀର ଘାଟିର ଯାବତୀୟ ସମସ୍ୟାର ମୂଳାଧାର ଥିବା ୩୭୦ ଧାରାର ଉଚ୍ଛେଦକୁ ତୀବ୍ର ବିରୋଧ କରୁ। ଭାରତର ସରଳ ଜନସାଧାରଣ କେବେ ଜାଣିବାକୁ ପ୍ରୟାସ ବି କରନ୍ତି ନାହିଁ ସାମାନ୍ୟ ପ୍ରସଙ୍ଗକୁ ଆଳ କରି, ସେଥିରେ ପ୍ରେଟ୍ରୋଲ ଢାଳି ଅଗ୍ନିସଂଯୋଗ କରୁଥିବା ବ୍ୟକ୍ତିମାନଙ୍କର ଅସଲ ଚେହେରାକୁ। ନିଷିଦ୍ଧ ଉଗ୍ରବାଦୀ ସଂଗଠନ ‘ସିମି’ର ପ୍ରତିଷ୍ଠାତା ଜଣେ ସଦସ୍ୟକୁ ରାଜ୍ୟ ସଭାକୁ ପଠାଇ ପୁରସ୍କୃତ କରିବା କି ପ୍ରକାର ଦେଶଭକ୍ତି? ସାରଦା ଚିଟ୍‌ଫଣ୍ଡ ସହିତ ଆତଙ୍କବାଦୀ ସଂଗଠନଗୁଡ଼ିକର ସମ୍ବନ୍ଧ କ’ଣ? କାହିଁକି ବାଂଲାଦେଶ ସରକାର ଏ ସଂକ୍ରାନ୍ତରେ ଭାରତ ନିକଟରେ ତୀବ୍ର ପ୍ରତିବାଦ ଜଣାଇଥିଲା? ସିବିଆଇ କବଳରୁ ଜଣେ ପୋଲିସ ଅଫିସରଙ୍କୁ ନିଜ ପଣତ ତଳେ ଲୁଚାଇ ରଖିବାର ଉଦ୍ଦେଶ୍ୟ କ’ଣ? ଏହିପରି ଅନେକ ପ୍ରଶ୍ନର ଉତ୍ତର ଖୋଜି ବସିଲେ ଆମେ ପାଇପାରିବା ଏମାନଙ୍କର ପ୍ରକୃତ ପରିଚୟ। ଆମେ ରହୁ ବା ନ ରହୁ ଦେଶର ଗୌରବ ଗରିମା ଅକ୍ଷୁଣ୍ଣ ରହୁ। ଦେଶ ସୁରକ୍ଷିତ ରହୁ।
ମୋ- ୯୪୩୭୪୩୬୦୭୩, unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri