Posted inଖେଳ

ଆଇସିସି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ସାଉଥାମ୍ପଟନ,୪।୬ (ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୩୦ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ନେଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଆଘାତ ସମସ୍ୟା ଜର୍ଜରିତ ଦକ୍ଷିଣ ଆଫ୍ରିକା ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା କରାଯାଉଛି। ଭାରତୀୟ ଅଧିନାୟକ କୋହଲି ତାଙ୍କ ଆନ୍ତର୍ଜାତିକ କ୍ୟାରିୟରର ଏକ ନୂଆ ସୋପାନରେ ପାଦ ଦେବାକୁ ଯାଉଛନ୍ତି। କୋହଲି ଚଳିତ ପିଢିର ସବୁଠାରୁ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ବିବେଚିତ ହେଉଛନ୍ତି। ତେବେ ଏହି ମେଗା ଇଭେଣ୍ଟରେ ସେ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ଜଣେ ଅଧିନାୟକ ହିସାବରେ ପରୀକ୍ଷାର ସମ୍ମୁଖୀନ ହେବେ।
ଭାରତୀୟ ଦଳରେ କୋହଲିଙ୍କ ସମେତ ଏକାଧିକ ମ୍ୟାଚ୍‌ ଓ୍ବିନର ରହିଛନ୍ତି। ତେବେ ୨୦୧୧ ବଶ୍ୱକପ୍‌ ଦଳ ଭଳି ଏହି ଦଳ ପାଖରେ ସେ ଯାଦୁ ଅଭାବ ଥିବା ପରିଲକ୍ଷିତ ହେଉଛି। ବିଶ୍ୱକପ୍‌ର ଏହି ସଂସ୍କରଣରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଗୌତମ ଗମ୍ଭୀର, ଜାହିର ଖାଁ ଓ ହରଭଜନ ସିଂଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ରହିଥିଲେ। କେବଳ ସେତିକି ନୁହେଁ ମୁନାଫ ପଟେଲ, ଆଶିଷ ନେହରା, ସୁରେଶ ରାଇନା ଓ ସେତେବେଳର ଯୁବ କୋହଲି ଦଳରେ ସାମିଲ ଥିଲେ। କୋହଲିଙ୍କ ନେତୃତ୍ୱରେ, ଧୋନୀଙ୍କ ଦିଶାନିର୍ଦ୍ଦେଶ ଓ କୋଚ ରବି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ଏହି ବିଶ୍ୱକପ୍‌ ଦଳ ଗଠନ ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରେ ବିଶ୍ୱକପ୍‌ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ବାକି ସବୁ ଦଳ ଦୁଇଟି ମ୍ୟାଚ୍‌ ଖେଳିସାରିଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ତେଣୁ ଭାରତୀୟ ଖେଳାଳିମାନେ ଆବଶ୍ୟକ ବିଶ୍ରାମ ନେଇଛନ୍ତି।
ଗ୍ରୁପ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମେ ଇଂଲଣ୍ଡ ଓ ପରେ ବାଂଲାଦେଶଠାରୁ ପରାସ୍ତ ହେବା ପରେ ଦଳର ଆତ୍ମବିଶ୍ୱାସରେ ଅବନତି ହୋଇଥିବ। ପୁଣି ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ କାନ୍ଧରେ ଆଘାତ ସମସ୍ୟା କାରଣରୁ ବିଶ୍ୱକପ୍‌ରୁ ବାଦ ପଡିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକାର ସମସ୍ୟା ଦ୍ୱିଗୁଣିତ ହୋଇଛି। ତାଙ୍କ ବଦଳରେ ବାମହାତୀ ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଭାରତ ବିପକ୍ଷ ମ୍ୟାଚ୍‌ରେ ନ ଖେଳିବା ସ୍ପଷ୍ଟ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ ହାସିମ ଆମଲାଙ୍କ ହେଲମେଟ୍‌ରେ ବାଜିଥିଲା। ସେଥିପାଇଁ ଆମଲା ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ସାମାନ୍ୟ ଦୁର୍ବଳ ହୋଇଛି ବୋଲି କହିଲେ ଭୁଲ ହେବନାହିଁ।
ତେବେ କୌଣସି ପ୍ରକାର ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାକୁ ଆଦୌ ହେୟ ମନେ କରିହେବ ନାହିଁ ବୋଲି ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ସତର୍କ କରାଇଦେଇଛନ୍ତି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଆଶାକରାଯାଉଛି। ମେଘୁଆ ପାଗ ହେବା ସଙ୍ଗେ ସଙ୍ଗେ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତକୁ ବିଶେଷ ଭାବେ ସତର୍କ ରହିବାକୁ ହେବ। ତୃତୀୟ ଦ୍ରୁତବୋଲର ଭାବେ ଭୁବନେଶ୍ୱର କୁମାର ଖେଳିବେ କି ନା ତାହା ପରେ ଜଣାପଡିବ। ପୁଣି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଦମ୍‌ଦେଖାଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ଦୁଇ ରିଷ୍ଟ ସ୍ପିନର କୁଲଦୀବ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଏଭଳି ପରିସ୍ଥିତିରେ ଖେଳାଯିବ କି ନା ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗୋଟିଏ ମାସ ହେବ କେଦାର ଯାଦବ ଖେଳିନାହାନ୍ତି ଓ ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ନେଇ ସଂଶୟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ଅନୁମାନ କରାଯାଉଛି।
ଆଘାତ ସମସ୍ୟା ଓ ଦୁର୍ବଳ ଫର୍ମ ଦେଇ ଗତିକରୁଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାର ଅନ୍ୟତମ ଦ୍ରୁତ ବୋଲର କାଗିସୋ ରାବାଡ଼ାଙ୍କ ଗୋଟିଏ ଉଚ୍ଚକୋଟୀର ସ୍ପେଲ୍‌ ମ୍ୟାଚ୍‌ ମୋଡ ବଦାଇବାରେ ସମର୍ଥ ହେବ। ଭାରତ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କୁ ରାବାଡ଼ା ଚକ୍‌ମା ଦେବାର କ୍ଷମତା ରଖୁଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ଗତ କେତେମାସ ହେବ ଶ୍ରେଷ୍ଠ ଫର୍ମରେ ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରଠାରୁ ଏହି ଦୁଇ ଓପନର ଆଶାନୁରୂପ ରନ୍‌ ସଂଗ୍ରହ କରିପାରି ନାହନ୍ତି। ତେଣୁ ଏମାନଙ୍କ ଆତ୍ମ ବିଶ୍ୱାସ କମ୍‌ ଥିବ। ଲେଗ୍‌ ସ୍ପିନ୍‌କୁ ଭଲ ଖେଳିପାରୁ ନ ଥିବା ରୋହିତଙ୍କୁ ପ୍ରତିପକ୍ଷ ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ସମସ୍ୟାରେ ପକାଇବେ। ଲୋକେଶ ରାହୁଲ ୪ ନମ୍ବରରେ ବ୍ୟାଟିଂ କରିବେ। ସେହିପରି ଧୋନୀ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଧୋନୀ ଓ ରାହୁଲ ଦମ୍‌ଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ପ୍ରତିପକ୍ଷ ବୋଲିଂକୁ ପ୍ରତିହତ କରିବାରେ ଏହି ଦୁଇ ବ୍ୟାଟ୍ସମ୍ୟାନ ସମର୍ଥ ହେବେ। ଅଭିଜ୍ଞ ଏବି ଡିଭିଲର୍ସଙ୍କ ଅନୁପସ୍ଥିତି ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସ୍ଲୋ ବୋଲିଂ ତଥା ସ୍ପିନ୍‌କୁ ଖେଳିବାରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ସବୁବେଳେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପାଦ ଆଗରେ ଥିବା ଭଲି ମନେହେଉଛି। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ସାରିଥିବାରୁ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଯେକୌଣସି ମତେ ଦକ୍ଷିଣ ଆଫ୍ରିକା ବିଜୟୀ ହେବାକୁ ଚେଷ୍ଟା କରିବ। ଫଳରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ, ଏଡେନ ମାରକ୍ରାମ, ହାସିମ୍‌ ଅମଲା, ଜେପି ଡୁମିନି, ଡେଭିଡ ମିଲର, ବେଉରାନ ହେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଡ୍ବେନ ପେର୍ଟୋରିୟସ୍‌, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶମ୍‌ଶି, ଇମ୍ରାନ ତାହିର, ଲୁନ୍‌ଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌ ଓ ରାସି ଭାନ ଡେର ଡୁସେନ।

ସମୟ: ଅହରାହ୍ନ ୩ଟା
ସ୍ଥାନ: ରୋଜ ବଲ ଗ୍ରାଉଣ୍ଡ, ସାଉଥାମ୍ପଟନ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri