Posted inଜାତୀୟ

ଆଇସିଜେ ରାୟ: ଭାରତର ବୃହତ୍‌ ବିଜୟ

ହେଗ୍‌,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍‌ ମାମଲାର ରାୟ ପ୍ରକାଶ ବେଳେ ଭାରତ ସପକ୍ଷରେ ୧୫ ବିଚାରପତି ମତ ଦେଇଛନ୍ତି। ହେଲେ ଆଇସିଜେରେ ଅସ୍ଥାୟୀ ବିଚାରପତି ଥିବା ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ତସାଦୁକ୍‌ ହୁସେନ ଜିଲାନି ଭିନ୍ନମତ ପ୍ରକାଶ କରିଛନ୍ତି। ଏହାସତ୍ତ୍ୱେ ସଂଖ୍ୟାଗରିଷ୍ଠ ମତ ପାକିସ୍ତାନୀ ସେନା କୋର୍ଟ ବିରୋଧରେ ଯାଇଥିବାରୁ ଏହାକୁ ଭାରତର ବୃହତ୍‌ ବିଜୟ ବୋଲି କୁହାଯାଉଛି।
ପୋଓ୍ବାଇ ନିବାସୀ ୪୯ ବର୍ଷୀୟ କୁଳଭୂଷଣ ସୁଧୀର ଯାଦବ ନୌସେନାରୁ ଅବସର ନେବା ପରେ ବ୍ୟବସାୟ କରୁଥିଲେ। ସେ ଇରାନକୁ ବ୍ୟବସାୟିକ କାମରେ ଯାଇଥିବାବେଳେ ୨୦୧୬ ମାର୍ଚ୍ଚ ୩ରେ ପାକିସ୍ତାନୀ ସୁରକ୍ଷା ବଳ ତାଙ୍କୁ ଅପହରଣ କରି ନେଇଥିଲେ। ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା ଦର୍ଶାଇ ପାକିସ୍ତାନ ମାମଲା ରୁଜୁ କରିଥିଲା। ଏହାର ୨୨ ଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୨୫ରେ ତାଙ୍କ ଗିରଫଦାରି ସମ୍ପର୍କରେ ଭାରତକୁ ଅବଗତ କରାଇଥିଲା। ସେଠାକାର ସାମରିକ କୋର୍ଟ କୁଳଭୂଷଣଙ୍କୁ ଜୋରଜବରଦସ୍ତି ଦୋଷ ସ୍ବୀକାର କରାଇ ଦୋଷୀ ସାବ୍ୟସ୍ତ କରିବା ସହ ୨୦୧୭ ଏପ୍ରିଲ ୧୦ରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। କୁଳଭୂଷଣଙ୍କୁ ନୂଆଦିଲ୍ଲୀ ପକ୍ଷରୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଆଇନଗତ ସହାୟତା ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିବାବେଳେ ଇସ୍‌ଲାମାବାଦ ମନା କରିଦେଇଥିଲା। ଫଳରେ ୨୦୧୮ ମେ ୮ରେ ଭାରତ କୁଳଭୂଷଣଙ୍କ ସ୍ବୀକାରୋକ୍ତିକୁ ନେଇ ଆଇସିଜେରେ ପ୍ରଶ୍ନ ଉଠାଇବା ସହ ପାକିସ୍ତାନ ବିରୋଧରେ ଭିଏନା ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଥିଲା। ଏହାସହ ତାଙ୍କ ବିରୋଧରେ ପାକିସ୍ତାନ ଦେଇଥିବା ଦଣ୍ଡାଦେଶ ରଦ୍ଦ କରିବା ପାଇଁ ଅନ୍ତର୍ଜାତୀୟ ଅଦାଲତଙ୍କୁ ଅନୁରୋଧ କରିଥିଲା। ୨୦୧୮ ମେ ୧୮ରେ ଆଇସିଜେ ପାକିସ୍ତାନର ରାୟ ଉପରେ ସ୍ଥଗିତାଦେଶ ରାଜି କରିଥିଲେ। ଆଇସିଜେ ଅଧ୍ୟକ୍ଷ ବିଚାରପତି ଅବ୍‌ଦୁଲକାଓ୍ବି ଅହମ୍ମଦ ୟୁସୁଫ୍‌ ଅଧ୍ୟକ୍ଷତା କରୁଥିବା ୧୫ ଜଣିଆ ଖଣ୍ଡପୀଠ ଉଭୟ ପକ୍ଷର ଜବାବ ଓ ପ୍ରତିଜବାବ ଶୁଣିବା ପରେ ଗତ ଫେବୃୟାରୀ ୨୧ରେ ଶୁଣାଣି ଶେଷ କରି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାର ଶୁଣାଣି ପ୍ରକ୍ରିୟା ୨ ବର୍ଷ ୨ ମାସରେ ଶେଷ ହୋଇଛି। ୧୫ ସଦସ୍ୟତା ବିଶିଷ୍ଟ ଆଇସିଜେରେ ଭାରତ ପକ୍ଷରୁ ଜଷ୍ଟିସ୍‌ ଦଲବୀର ଭଣ୍ଡାରୀ (ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି) ପ୍ରତିନିଧିତ୍ୱ କରୁଥିବାବେଳେ ପାକିସ୍ତାନର କୌଣସି ସ୍ଥାୟୀ ବିଚାରପତି ନାହାନ୍ତି। ଜଷ୍ଟିସ୍‌ ଜିଲାନିଙ୍କୁ ସେଠାରେ ଅସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଜିଲାନି ଏହି ମାମଲାରେ ଭାରତ ବିପକ୍ଷରେ ମତ ରଖିଥିଲେ।
୧୪ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦର ଆକ୍ରମଣରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଉପରକୁ ଆମତ୍ଘାତୀ ଆକ୍ରମଣ ହୋଇଥିଲା। ଏଥିରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣ ପରେ କୁଳଭୂଷଣ ମାମଲାର ୪ ଦିନିଆ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖି ବିସ୍ତୃତ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିଥିଲେ। ଭାରତ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିସ୍‌ ସାଲ୍‌ଭେ ଦୁଇଟି ପ୍ରସଙ୍ଗ ଉଠାଇଥିଲେ। ଗୋଟିଏ ହେଉଛି ଭିଏନା ଚୁକ୍ତିର ଉଲ୍ଲଂଘନ ଓ ଅନ୍ୟଟି ପ୍ରସ୍ତାବନାର ପ୍ରକ୍ରିୟା। ପାକିସ୍ତାନର କୁଖ୍ୟାତ୍‌ ସେନା କୋର୍ଟଗୁଡ଼ିକର କାର୍ଯ୍ୟକାରିତା ଉପରେ ସେ ପ୍ରଶ୍ନ ଉଠାଇ କୁଳଭୂଷଣଙ୍କୁ ଜବରଦସ୍ତ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଇଛି। ତେଣୁ ତାଙ୍କ ବିରୋଧରେ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ରଦ୍ଦ କରିବାକୁ ସାଲ୍‌ଭେ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଶୁଣାଣିର ଶେଷ ଦିନରେ ପାକିସ୍ତାନର ଓକିଲ ଖାଓ୍ବର କୁରେଶୀ ଭାରତର ଦାବିକୁ ପ୍ରତ୍ୟାଖ୍ୟାନ କରି ଗ୍ରହଣଯୋଗ୍ୟ ନୁହେଁ ବୋଲି ଘୋଷଣା କରିବା ପାଇଁ ଆଇସିଜେଙ୍କୁ ଅନୁରୋଧ କରିଥିଲେ।

ଭିଏନା ଚୁକ୍ତି କ’ଣ


କନ୍‌ସୁଲାର ସମ୍ପର୍କ ଉପରେ ଭିଏନା ସମ୍ମିଳନୀ ୧୯୬୩ରେ ହୋଇଥିଲା। ଏହା ହେଉଛି ସ୍ବାଧୀନ ରାଷ୍ଟ୍ରଗୁଡିକ ମଧ୍ୟରେ କୂଟନୈତିକ ସ୍ତରରେ ଆଇନଗତ ସହାୟତା ଯୋଗାଇଦେବା ଲାଗି ଅନ୍ତର୍ଜାତୀୟ ଚୁକ୍ତି। ଏହାକୁ ୧୮୦ଟି ରାଷ୍ଟ୍ର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ଚୁକ୍ତିନାମାରେ ୭୯ଟି ଅନୁଚ୍ଛେଦ ରହିଛି। ଅନୁଚ୍ଛେଦ ୩୬ରେ ପ୍ରେରକ ରାଷ୍ଟ୍ରର ନାଗରିକ ଏବଂ କନ୍‌ସୁଲାର ଅଫିସରଙ୍କ ମଧ୍ୟରେ ଯୋଗାଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପ୍ରେରକ ରାଷ୍ଟ୍ରର ନାଗରିକ ସହ ଜଣେ କନ୍‌ସୁଲାର ଅଫିସରଙ୍କର ଯୋଗାଯୋଗ କରିବାର ସ୍ବାଧୀନତା ଏଥିରେ ପ୍ରଦାନ କରାଯାଇଛି ଏବଂ ଏହା ସେମାନଙ୍କୁ ଯୋଗାଇଦେବାକୁ ହେବ। ଗିରଫ କିମ୍ବା ଅଟକ ଥିବା ବିଦେଶୀ ନାଗରିକମାନଙ୍କ ସମ୍ପର୍କରେ ସେମାନଙ୍କ ଦେଶର ଦୂତାବାସକୁ ଅବିଳମ୍ବେ ନୋଟିସ ଦେବାକୁ ହେବ। ସେହିପରି ଜେଲ୍‌ରେ ଥିବା କିମ୍ବା ଅଟକ ଥିବା ବ୍ୟକ୍ତିଙ୍କୁ ଭେଟିବା ଅଧିକାର କନ୍‌ସୁଲାର ଅଫିସରଙ୍କର ରହିଛି। ସେ ଉକ୍ତ ଗିରଫ ବ୍ୟକ୍ତିଙ୍କ ସହ ଆଲୋଚନା କରି ତାଙ୍କର ଆଇନଗତ ପ୍ରତିନିଧିତ୍ୱର ବ୍ୟବସ୍ଥା କରିପାରିବେ। କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଏହାର ଉଲ୍ଲଂଘନ କରିଥିବା ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ତାଙ୍କ ରାୟରେ କହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠା ହୋଇଥିଲା ଆଇସିଜେ

ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)କୁ ବିଶ୍ୱ ଅଦାଲତ ମଧ୍ୟ କୁହାଯାଇଥାଏ। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦାଏର ଅନ୍ତର୍ଜାତୀୟ ଆଇନଗତ ବିବାଦର ସମାଧାନ କରିବା ହେଉଛି ଆଇସିଜେର ମୁଖ୍ୟ କାର୍ଯ୍ୟ। ଏହା ବ୍ୟତୀତ ଜାତିସଂଘ ପଠାଇଥିବା ଆଇନଗତ ପ୍ରସଙ୍ଗ ଉପରେ ଏହା ପରାମର୍ଶ ଦେଇଥାଏ। ଆଇସିଜେ ମତାମତ ଏବଂ ରାୟକୁ ଅନ୍ତର୍ଜାତୀୟ ଆଇନର ଉତ୍ସ ଭାବେ ଗ୍ରହଣ କରାଯାଏ। ଲିଗ୍‌ ଅଫ୍‌ ନେଶନ୍ସ ଦ୍ୱାରା ୧୯୨୦ରେ ସ୍ଥାୟୀ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ପିସିଆଇଜେ) ଗଠନ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଲିଗ୍‌ ଅଫ୍‌ ନେଶନ୍ସ ଜାତିସଂଘରେ ପରିଣତ ହେବା ସହ ପିସିଆଇଜେକୁ ଆଇସିଜେରେ ପରିବର୍ତ୍ତନ କରାଯାଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡ୍‌ସର ହେଗ୍‌ଠାରେ ରହିଛି। ଆଇସିଜେରେ ୧୫ ଜଣିଆ ବିଚାରପତି କମିଟି ରହିଛି। ସେମାନେ ଜାତିସଂଘ ସାଧାରଣ ପରିଷଦ ଏବଂ ସୁରକ୍ଷା ପରିଷଦ ଦ୍ୱାରା ୯ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି।

ଆଇନଜୀବୀ ଭାବେ ସନ୍ତୁଷ୍ଟ: ହରିଶ୍‌ ସାଲ୍‌ଭେ

କୁଳଭୂଷଣ ଯାଦବ ମାମଲାରେ ଭରତ ପକ୍ଷରୁ ଆଇସିଜେରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ ରାୟ ଆସିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ସାଲ୍‌ଭେ କହିଛନ୍ତି, ଭିଏନା ଚୁକ୍ତି ଉଲ୍ଲଂଘନ କରିଥିବାରୁ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ନେଇ ରାୟର ପୁନର୍ବିଚାର କରିବାକୁ ପାକିସ୍ତାନକୁ ଆଇସିଜେ ନିର୍ଦ୍ଦେଶ ଦେବା ଗୁରୁତ୍ୱପୂର୍ଣ୍ଣ। ଜଣେ ଆଇନଜୀବୀ ଭାବେ ଏହି ରାୟ ସହ ଆଶ୍ୱସ୍ତି ଲାଭ କରୁଛି। ଫାଶୀ ଦିଆଯିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଅଦାଲତ କହିଥିବାରୁ ଖୁସି ଅନୁଭବ କରୁଛି। ପ୍ରକାଶ ଯେ, ଏହି ସମ୍ବେଦନଶୀଳ ହାଇପ୍ରୋଫାଇଲ୍‌ ମାମଲା ଲଢ଼ିବା ପାଇଁ ଫି ବାବଦରେ ସାଲ୍‌ଭେ ମାତ୍ର ୧ଟଙ୍କା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri