ଅପରାଧର ଶିକାର

ସମ୍ପାଦକୀୟ/ତଥାଗତ ସତପଥୀ
ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରାୟ ସବୁ ଗଣମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା ହୋଇସାରିଲାଣି। ତେବେ କେହି ଜଣେ ମଧ୍ୟ କୌଣସି ପ୍ରତିକାର ସମ୍ପର୍କରେ ସ୍ପଷ୍ଟ ମତ ଦେବାର ଆମେ ଦେଖିନାହୁଁ। ସମସ୍ତେ କଠୋର ଆଇନ ପ୍ରଣୟନ ଓ ଦୋଷୀଙ୍କୁ ଦଣ୍ଡ ଦେବା ବିଷୟ ଉଲ୍ଲେଖ କରୁଛନ୍ତି। କେବଳ ହାଇଦ୍ରାବାଦ ନୁହେଁ, ୨୦୧୨ରେ ‘ନିର୍ଭୟା’, ୨୦୧୮ରେ ଜମ୍ମୁ କଶ୍ମୀରର କଠୁଆ ଏବଂ ଏବେ ଓଡ଼ିଶାର ତୀର୍ଥସ୍ଥାନ ପୁରୀ ଓ ବିହାରର ବକ୍ସର ପର୍ଯ୍ୟନ୍ତ ଏହିଭଳି ଜଘନ୍ୟ ଘଟଣା ସମଗ୍ର ଭାରତବର୍ଷରେ ଘଟିଚାଲିଛି। ଏଭଳି ବଳାତ୍କାର ଘଟଣାରେ ଅପରାଧୀଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଉ ବୋଲି ପାର୍ଲାମେଣ୍ଟରେ ରାଜ୍ୟ ସଭା ସଦସ୍ୟା ଜୟା ବଚ୍ଚନ ପ୍ରସ୍ତାବ ଦେଇଛନ୍ତି। ବାସ୍ତବ କାରଣକୁ ନ ବୁଝି ତତ୍‌କ୍ଷଣାତ୍‌ ମତ ଦେଇଦେଲେ ଯେ ବଳାତ୍କାର ଭଳି ଘଟଣା ରାତାରାତି କମିଯିବ ଭାବିବା ଭୁଲ। ଯେଉଁ ଦେଶରେ ପୋଲିସ ବ୍ୟବସ୍ଥା ନିରୀହଙ୍କୁ ଦଣ୍ଡ ଦେଉଛି ଓ ଦୋଷୀଙ୍କୁ ମୁକ୍ତ ବିଚରଣ କରିବା ଲାଗି ଛାଡ଼ିଦେଉଛି, ସେଠାରେ ଲୋକେ ଆଇନକୁ ହାତକୁ ନେଲେ ପରିବର୍ତ୍ତନ ଆସିପାରିବ ବୋଲି ଭାବି ହେଉନାହିଁ । ଏପରି କି ‘ନିର୍ଭୟା’ ପୂର୍ବରୁ ଏ ଦେଶରେ ବଳାତ୍କାରୀଙ୍କ ପାଇଁ କଠୋର ନିୟମ ରହିଥିଲା। ହେଲେ ତାହା କାର୍ଯ୍ୟକାରୀ ହୋଇ ନ ପାରିବାରୁ ଅମାନୁଷିକ ଘଟଣା ହ୍ରାସ ପାଇପାରୁ ନାହିଁ। ଯୌନ ବିକୃତଜନିତ ଘଟଣା ଲାଗି କିଭଳି ଦଣ୍ଡ ବ୍ୟବସ୍ଥା ରହିଛି ତାହା ସମସ୍ତେ ଜାଣିନାହାନ୍ତି। କାରଣ ଛାପା ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମରେ କେବଳ ଏହା ବିସ୍ତୃତ ଭାବେ ବର୍ଣ୍ଣନା ହେଉଛି। କାଗଜକଲମ ଓ ଟେଲିଭିଜନ କାର୍ଯ୍ୟକ୍ରମ ଆଲୋଚନାରେ ବସୁଥିବା ବ୍ୟକ୍ତିଙ୍କ କଥାକୁ ସମାଜର ସବୁ ଶ୍ରେଣୀର ଲୋକେ ଦେଖି ନ ଥାଆନ୍ତି। ବଳାତ୍କାର ପରି ଘଟଣା ମାଦକଦ୍ରବ ସେବନକାରୀ ଓ ମାସ ମାସ ଧରି ପରିବାରଠାରୁ ଦୂରରେ ରହୁଥିବା କେବଳ ଡ୍ରାଇଭରମାନେ କରୁଥିବା କହି ଖସିଯିବା ଉଚିତ ନୁହେଁ। ଏଠାରେ ମନେପଡ଼େ କିଛିବର୍ଷ ପୂର୍ବରୁ ରାଜସ୍ଥାନର ଗ୍ରାମାଞ୍ଚଳରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଏକ ଭିଡିଓ ଭାଇରାଲ କଥା । ଜଣେ ନାବାଳିକା ବିଲରେ କାମ କରୁଥିବା ବେଳେ କେହି ଜଣେ ବ୍ୟକ୍ତି ଭିଡିଓ ଉଠାଇଥିଲେ, ଯେଉଁଥିରେ ସ୍ପଷ୍ଟ ଦର୍ଶାଯାଇଥିଲା ୪ଜଣ ବ୍ୟକ୍ତି ସେହି ନାବାଳିକାଙ୍କୁ ତାଙ୍କ ମା’ଙ୍କ ନିକଟରୁ ଜୋରଜବରଦସ୍ତି ଅପହରଣ କରି ନେଉଛନ୍ତି। ସେଥିରୁ ବୁଝିବାକୁ ହେବ ଯେ, ଗ୍ରାମାଞ୍ଚଳ ଏବଂ ଭାରତୀୟ ସହରଗୁଡ଼ିକରେ ଥିବା ବସ୍ତି ଅଞ୍ଚଳରେ ମହିଳା ଓ ଝିଅମାନେ ଅତ୍ୟନ୍ତ ଅସୁରକ୍ଷିତ। ଏହା କେବଳ ହିନ୍ଦୁ, ମୁସଲମାନ ବିଭେଦରେ ବାଣ୍ଟିଦେଲେ ହେବନାହିଁ। ସାଧାରଣରେ ଦେଖାଯାଇଛି ଯେ, ହିନ୍ଦୁ ପୁରୁଷ ଅତ୍ୟାଚାର କରିଥାଏ ହିନ୍ଦୁ ମହିଳାଙ୍କ ଉପରେ। ଅର୍ଥାତ୍‌ ଅପରାଧୀର ଧର୍ମ ସହିତ କୌଣସି ସମ୍ପର୍କ ନ ଥାଏ।
ଏଭଳି ସ୍ଥଳେ କିଭଳି ଭାବେ ସଚେତନତା ସୃଷ୍ଟି କରାଗଲେ ଏହାର ମାତ୍ରା କମିଯାଇପାରିବ ବୋଲି ଏଠାରେ ପ୍ରଶ୍ନ ଉଠିପାରେ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଦୃଷ୍ଟାନ୍ତ ଭାବେ ଦେଖାଯାଉ। ସରକାର ନିଜ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସହରଠାରୁ ଗାଁ ଯାଏ ଗାଡ଼ିରେ ପୋଷ୍ଟର ମାରି ପ୍ରଚାର କରିଚାଲୁଛନ୍ତି। ଫଳରେ ସାଧାରଣ ଲୋକ ସରକାରୀ ସୁବିଧା ବିଷୟରେ ଜାଣିବା ପାଇଁ ଗାଡ଼ି ନିକଟରେ ରୁଣ୍ଡ ହେଉଛନ୍ତି। ଏପରି କି ଯେଉଁମାନେ ଯୋଜନା ବା କାର୍ଯ୍ୟକ୍ରମ ବିଷୟରେ ଅବୁଝା ରହୁଛନ୍ତି, ସେମାନେ ଅଧିକ ଜାଣିବା ଲାଗି ଅନ୍ୟର ସହାୟତା ନେଉଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଯଦି ବଳାତ୍କାର ଓ ହତ୍ୟା ପରି ବୀଭତ୍ସ କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ଗାଡ଼ି ଓ ରାସ୍ତାଘାଟରେ ଉଲ୍ଲେଖ କରାଯାଇପାରନ୍ତା, ତାହାହେଲେ ସମ୍ଭବତଃ ଜନଜାଗରଣ ସୃଷ୍ଟି ହୋଇପାରନ୍ତା। କେବଳ ସେତିକି ନୁହେଁ, ସେହି ଦାବିକୁ ସତ୍ୟ ବୋଲି ପ୍ରମାଣ କରିବା ପାଇଁ ଯାଇ ସରକାର ଅତିଶୀଘ୍ର ‘ନିର୍ଭୟା’ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କ ସହ ଦେଶରେ ଅନ୍ୟସବୁ ସାବ୍ୟସ୍ତ ଦୋଷୀଙ୍କୁ ସାଧାରଣରେ ଯଦି ଫାଶୀ ଦେବାର ବନ୍ଦୋବସ୍ତ କରନ୍ତେ, ଏହିଭଳି ଅପରାଧ ହ୍ରାସ ପାଇପାରନ୍ତା। ଅନ୍ୟପଟେ ସଂସଦରେ ଜୟା ବଚ୍ଚନ ଦେଇଥିବା ଭାଷଣକୁ ସମର୍ଥନ କରିପାରୁନାହୁଁ। ଜୟା କହିଛନ୍ତି, ଧରାପଡ଼ିଥିବା ଅପରାଧୀଙ୍କୁ ତତ୍‌କ୍ଷଣାତ୍‌ ଫାଶୀ ଦିଆଯାଉ। ଏଭଳି ନ୍ୟାୟକୁ ସୁଯୋଗ ଦେଲେ ଅଧିକ ଅନ୍ୟାୟ ଘଟିବାର ସବୁ ଆଶଙ୍କା ରହିଛି। ଭାରତୀୟ ପୋଲିସ ପାଖରେ ଯେକୌଣସି ନାଗରିକର କାର୍ଯ୍ୟ ପଡିଛି, ସମସ୍ତେ ଜାଣିଥିବେ ଯେ ନ୍ୟାୟ ପାଇବା ଅତ୍ୟନ୍ତ କଷ୍ଟକର। ଅଧିକାଂଶ ଘଟଣାରେ ଭାରତୀୟ ପୋଲିସର ଆଭିମୁଖ୍ୟ ଅନୁଯାୟୀ ଅଭିଯୋଗକାରୀ ହେଉଛି ପ୍ରଥମ ଦୋଷୀ। ସେଇଥିପାଇଁ ପୋଲିସ କେବେହେଲେ ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେନାହିଁ। ହାଇଦ୍ରାବାଦ ପ୍ରାଣୀ ଡାକ୍ତରାଣୀଙ୍କ ଘଟଣା ତା’ର ଜ୍ୱଳନ୍ତ ଉଦାହରଣ। ତାଙ୍କ ପରିବାରବର୍ଗ ଯେତେବେଳେ ଥାନାରେ ପହଞ୍ଚି ଅଭିଯୋଗ କଲେ ସେତେବେଳେ ହୁଏତ ଝିଅଟି ଜୀବିତ ଥିଲେ ା କିନ୍ତୁ ତତ୍‌କ୍ଷଣାତ୍‌ ଖୋଜିବା ପରିବର୍ତ୍ତେ ପୋଲିସ ଏହି ଘଟଣା ସେହି ଥାନା ଅଞ୍ଚଳରେ ଆସୁନାହିଁ କହି ନିଷ୍କ୍ରିୟ ରହିଲା। ଅନ୍ୟ ଦେଶଗୁଡ଼ିକରେ ଏଭଳି ନିର୍ମମ ମାନସିକତା ପୋଲିସଠାରେ ଦେଖାଦିଏ ନାହିଁ। ଯେକୌଣସି ଥାନାର ଅଧିକାରୀ ପାଖରେ ଅଭିଯୋଗ ପହଞ୍ଚିଲେ ସେମାନେ ଅଞ୍ଚଳ ଦେଖିବା ପରିବର୍ତ୍ତେ ଅପରାଧର ଗମ୍ଭୀରତା ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଭାରତରେ ସେଭଳି ପ୍ରତିକ୍ରିୟା ପୋଲିସଠାରୁ ମିଳେନାହିଁ।
ଅନ୍ୟ ଏକ ଦିଗକୁ ଦେଖାଯାଇପାରେ। ମୋଦି ସରକାର ବିଭିନ୍ନ ଆଳରେ ‘ଡିଜିଟାଲ ଇଣ୍ଡିଆ’ର ଭିତ୍ତିଭୂମି ପକାଇବାକୁ ବ୍ୟସ୍ତ। ଦୁଃଖର ବିଷୟ ହେଉଛି, ଏହି ଡିଜିଟାଲ ଯୁଗ ସୃଷ୍ଟି କରିବାର ପ୍ରତ୍ୟେକଟି ପଦକ୍ଷେପ କେବଳ ବ୍ୟବସାୟ, ଅର୍ଥ ଓ ଟିକସ କ୍ଷେତ୍ରରେ ସୀମିତ ରହିଯାଉଛି। ସାମାଜିକ ଅସ୍ଥିରତା ସୃଷ୍ଟି ହେଲେ କୌଣସି ବ୍ୟବସାୟ ସଫଳ ହେବନାହିଁ। ଧର୍ମ, ଜାତିଆଣ ଘୃଣା ଓ ହିଂସା ବୃଦ୍ଧି ପାଉଥିବାରୁ ଭାରତରେ ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଡିଜିଟାଲ ଇଣ୍ଡିଆକୁ କେବଳ ଅର୍ଥନୀତିରେ ସୀମିତ ନ ରଖି ସାମାଜିକ ସ୍ଥିରତା ସୃଷ୍ଟି କରିବା ଲାଗି ବ୍ୟବହାର କରାଯିବା ଦରକାର। ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଆଧାର କାର୍ଡ ତିଆରି କରୁଥିବା ମୋଦି ସରକାର କହୁଥିଲେ ଯେ, ଏହାଦ୍ୱାରା ଅପରାଧୀ ଧରାପଡ଼ିଯିବେ। ବାସ୍ତବତା ତାହାକୁ ଅସତ୍ୟ ବୋଲି ପ୍ରମାଣିତ କରିସାରିଲାଣି। ଆଜିର ଯୁଗରେ ଅପରାଧୀକୁ ଘଟଣା ପରେ ଧରିବାଠାରୁ ଅଧିକ ଗୁରୁତ୍ୱ ବହନ କରୁଛି ଅପରାଧ ଅଟକାଇବା। ସେଥିପାଇଁ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ହିଂସା ଦିଗରେ ଡିଜିଟାଲ ଇଣ୍ଡିଆର ଅବଦାନ ରହିବା ଦରକାର। ଯଦି ‘ଉବର’ ଏବଂ ‘ଓଲା’ ଭଳି ଟ୍ୟାକ୍ସି କମ୍ପାନୀ ନିଜ ଡ୍ରାଇଭର ସହ ଗାଡ଼ିକୁ ୫ରୁ ୭ ମିନିଟ ମଧ୍ୟରେ ଯେକୌଣସି ସ୍ଥାନରେ ପହଞ୍ଚାଇ ପାରୁଛନ୍ତି, ତେବେ ସରକାରୀ କଳ ଦ୍ୱାରା ମହିଳାଙ୍କ ସୁରକ୍ଷା ପାଇଁ ସେହିଭଳି ବ୍ୟବସ୍ଥା ଅତି ସହଜରେ କାର୍ଯ୍ୟକାରୀ କରାଯାଇପାରନ୍ତା। କେନ୍ଦ୍ର ସରକାର ଯଦି ଇଚ୍ଛା ପ୍ରକାଶ କରନ୍ତେ, ତେବେ ଉବର ଏବଂ ଓଲା ଭଳି କମ୍ପାନୀ ସହ ଗୁଗଲ୍‌ ଏବଂ ଅନ୍ୟ ଇଣ୍ଟରନେଟ୍‌ ଜଡିତ ବୈଷୟିକ କମ୍ପାନୀକୁ ମିଶାଇ ଏକ ‘ଆପ୍‌’ ପ୍ରସ୍ତୁତ କରିପାରନ୍ତେ, ଯଦ୍ଦ୍ବରା ପ୍ରତ୍ୟେକ ମହିଳା ଉପକୃତ ହୋଇପାରନ୍ତେ। ଅର୍ଥାତ୍‌ କୌଣସି ମହିଳା ନିଜ ପ୍ରତି ବିପଦ ଆଶଙ୍କା କଲେ ସେହି ‘ଆପ୍‌’କୁ ବ୍ୟବହାର କରି ଅସୁରକ୍ଷିତ ସ୍ଥାନରୁ ନିଜକୁ ନିରାପଦ କରାଇବାର ସୁଯୋଗ ପାଇପାରନ୍ତେ। ଏଥିସହିତ ସେହି ମହିଳାଙ୍କ ସହାୟତା ପାଇଁ ପଠାଯାଇଥିବା ଗାଡ଼ି ବା ପିସିଆର୍‌ର କମ୍ପ୍ୟୁଟର ମାଧ୍ୟମରେ ଟ୍ରାକିଂ ବା ସ୍ଥାନ ନିରୂପଣ ମଧ୍ୟ ହୋଇପାରିବ। ଏହିଭଳି ବ୍ୟବସ୍ଥା ଅନ୍ୟ ଦେଶରେ ଉପଲବ୍ଧ ଅଛି। ସେଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ପ୍ରୟୋଜନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଧାର କାର୍ଡ କରାଇବା ପାଇଁ ଯେତିକି ଜନସଚେତନତା ସୃଷ୍ଟି କରାଯାଇଛି, ସେତିକି ଜନଜାଗରଣ ଯଦି ସୃଷ୍ଟି କରାଯାଇପାରନ୍ତା, ହୁଏତ ବଳାତ୍କାର, ଅସଦାଚରଣ, ବୀଭତ୍ସ ହତ୍ୟା ଭଳି ଘଟୁଥିବା ଅପରାଧ ଅନେକାଂଶରେ ରୋକାଯାଇପାରନ୍ତା। ସେଭଳି ପଦକ୍ଷେପ ଗ୍ରହଣ କଲେ ଭାରତୀୟ ସମାଜରେ ସକାରାତ୍ମକ ପରିବର୍ତ୍ତନ ଘଟିପାରେ। କିନ୍ତୁ ଆଧାର କାର୍ଡ ମାଧ୍ୟମରେ ଗଚ୍ଛିତ ହେଉଥିବା ତଥ୍ୟ (ଡାଟା) ଭଳି ମୂଲ୍ୟବାନ ସମ୍ବଳ ଆଜିର ରାଜନୈତିକ ନେତା କିମ୍ବା ବ୍ୟବସାୟୀଙ୍କୁ ମିଳିପାରିବ ନାହିଁ। ଯେଉଁ ପର୍ଯ୍ୟନ୍ତ ଜନତା ଜାଗିନାହାନ୍ତି, ସେପର୍ଯ୍ୟନ୍ତ ଏହିଭଳି ଅତ୍ୟାଚାରର ଶିକାର ହେବା ପାଇଁ ଆମେ ସମସ୍ତେ ବାଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri