ଅଦାଲତରେ ଅଚଳାବସ୍ଥା

ନୂଆଦିଲ୍ଲୀ,୬ା୬: ମେ ୨୫ ତାରିଖରେ ଭାରତରେ ଇଦ୍‌-ଉଲ୍‌-ଫିତର ପାଳନ କରାଯାଉଥିବାବେଳେ ୧୨ ବର୍ଷୀୟା ତଲ୍‌ହା ଓ ୫ ବର୍ଷୀୟା ମରିଅମ୍‌ ରାତିରେ ସେମାନଙ୍କ ମା’ଙ୍କ ମୋବାଇଲ୍‌ ଫୋନ୍‌ ସହ ଶୋଇଥିଲେ। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଦୁହେଁ ସେମାନଙ୍କ ବାପା ଖାଲିଦ୍‌ ସୈଫିଙ୍କ ସହ କଥା ହୋଇପାରି ନ ଥିଲେ। ଇଦ୍‌ ଥିବାରୁ ବାପା ସେମାନଙ୍କ ପାଖକୁ କଲ୍‌ କରିବେ ବୋଲି ଦୁହେଁ ଭାବିଥିବା ନେଇ ମା’ ନର୍ଗିସ ସୈଫି କହିଛନ୍ତି। ଖାଲିଦ୍‌ ଗତ ଫେବୃୟାରୀରୁ ନୂଆଦିଲ୍ଲୀସ୍ଥିତ ଏକ ଜେଲ୍‌ରେ ଅଛନ୍ତି। ଅନ୍ୟ ହଜାର ହଜାର କଏଦୀଙ୍କ ଭଳି ଖାଲିଦ୍‌ ମଧ୍ୟ ଶୁଣାଣିକୁ ଅପେକ୍ଷା କରିଥିଲେ। ହେଲେ ଭାରତର ଫୌଜଦାରି ନ୍ୟାୟ ବ୍ୟବସ୍ଥା ଏହି ମହାମାରୀ ବେଳେ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯାଇଛି। ଲକ୍‌ଡାଉନ୍‌ ବେଳେ ନ୍ୟାୟ ସେବାକୁ ସରକାର ଜରୁରୀ ସେବା ଭାବେ ବର୍ଗୀକୃତ କରିନାହାନ୍ତି। କେବଳ ଭିଡିଓ କନ୍‌ଫରେନ୍ସ ଜରିଆରେ ଅଳ୍ପ କେତେକ କୋର୍ଟ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏଭଳି ନ୍ୟାୟାଳୟକୁ ଭର୍ଚୁଆଲ କୋର୍ଟ ବୋଲି କୁହାଯାଉଛି। ଭର୍ଚୁଆଲ କୋର୍ଟଗୁଡ଼ିକରେ କେବଳ ‘ଜରୁରୀ’ ମାମଲାଗୁଡ଼ିକର ଶୁଣାଣି ହେଉଛି। କିନ୍ତୁ କେଉଁଟାକୁ ‘ଜରୁରୀ’ ମାମଲା କୁହାଯିବ ତାହା ମଧ୍ୟ ସ୍ପଷ୍ଟ ଭାବେ ପରିଭାଷିତ ହୋଇନାହିଁ। ଫଳରେ ଆଇନଗତ ପ୍ରତିନିଧିତ୍ୱ, ଜାମିନ ବା ଉପଯୁକ୍ତ ତଦନ୍ତ ବସ୍ତୁତଃ ଅସମ୍ଭବ ହୋଇଯାଇଛି।
ମହାମାରୀ ଯୋଗୁ ଜେଲଗୁଡ଼ିକୁ ଆଇନଜୀବୀ ଓ ବନ୍ଦୀଙ୍କ ପରିବାରମାନେ ଯାଇପାରୁ ନାହାନ୍ତି। କାରଣ ଏହା ଉପରେ ମଧ୍ୟ ରୋକ ଲଗାଯାଇଛି। କଏଦୀମାନେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି ଲ୍ୟାଣ୍ଡଫୋନ୍‌। କିନ୍ତୁ ଏଥିପାଇଁ ସେମାନଙ୍କୁ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଘରକୁ ଫୋନ୍‌ କରିବା ପାଇଁ ଖାଲିଦ୍‌ଙ୍କ ପାଳି ଆସିନାହିଁ।
ଗତ ସପ୍ତାହରେ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ) ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପତ୍ର ଲେଖିଥିଲା। ଜୁନ୍‌ ୧ରୁ ଦେଶବ୍ୟାପୀ ସମସ୍ତ କୋର୍ଟ ପୂର୍ବଭଳି ଚାଲୁ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ସକାଶେ ଏଥିରେ ଅନୁରୋଧ କରାଯାଇଥିଲା। ୯୫% ଓକିଲ ଓ ଆଇନଜୀବୀ ଟେକ୍ନୋଲୋଜି ସମ୍ପର୍କରେ ଅଜ୍ଞ ହୋଇଥିବାବେଳେ ଭର୍ଚୁଆଲ୍‌ କୋର୍ଟ ଜରିଆରେ ମାତ୍ର ଅଳ୍ପ କେତେଜଣ ନିଜ ମହକିଲଙ୍କ ପାଇଁ ମାମଲା ଲଢ଼ିପାରୁଛନ୍ତି ବୋଲି ବିସିଆଇ ଉକ୍ତ ଚିଠିରେ ସିଜେଆଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
କମନ୍‌ଓ୍ବେଲଥ ହ୍ୟୁମାନ୍‌ ରାଇଟ୍ସ ଇନିସିଏଟିଭ୍‌ରେ ବନ୍ଦୀଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ସହ ଜଡ଼ିତ ମଧୁରିମା ଧନୁକା କହିଛନ୍ତି, ଭାରତୀୟ କୋର୍ଟଗୁଡ଼ିକରେ ଥିବା ଅଧିକାରୀମାନେ ତାଲିମପ୍ରାପ୍ତ ନୁହନ୍ତି ଏବଂ ସେମାନଙ୍କ ପାଖରେ ଭର୍ଚୁଆଲ କୋର୍ଟ ଜରିଆରେ ମାମଲା ପରିଚାଳନା ନିମନ୍ତେ ସାଧନ ମଧ୍ୟ ନାହିଁ। ଅନେକ କୋର୍ଟରେ ଇଣ୍ଟରନେଟ ଥିବାବେଳେ ତାକୁ ଆକ୍‌ସେସ୍‌ କରିବା ସମ୍ଭବପର ହେଉନାହିଁ। ଫଳରେ ଫୌଜଦାରି କୋର୍ଟଗୁଡ଼ିକ କାମ କରୁନାହିଁ କି ଜାମିନ ପିଟିଶନଗୁଡ଼ିକର ଶୁଣାଣି ମଧ୍ୟ ହେଉନାହିଁ ବୋଲି ମଧୁରିମା କହିଛନ୍ତି। ଭାରତର ନ୍ୟାୟାଳୟଗୁଡ଼ିକରେ ୩୬ ନିୟୁତ ମାମଲା ପଡ଼ିରହିଥିବାବେଳେ କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଅଚଳାବସ୍ଥାକୁ ଆହୁରି ଆଗକୁ ନେଇଯାଇଛି।
ଜେଲ୍‌ଗୁଡ଼ିକରେ ଧାରଣ କ୍ଷମତାରୁ ଅଧିକ ବନ୍ଦୀ
ଭାରତର ଫୌଜଦାରି ନ୍ୟାୟ ବ୍ୟବସ୍ଥା ଅଚଳ ହୋଇଯାଇଥିବାର ଆଉ ଏକ ବୈଶିଷ୍ଟ୍ୟ ହେଉଛି ଜେଲ୍‌ଗୁଡ଼ିକରେ ଥିବା ଅତ୍ୟଧିକ ବନ୍ଦୀଙ୍କ ସଂଖ୍ୟା। କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଥିବାବେଳେ ଜେଲ୍‌ ବିପଜ୍ଜନକ ସ୍ଥାନରେ ପରିଣତ ହୋଇଛି। ଏହି ଜେଲ୍‌ଗୁଡ଼ିକରେ ଧାରଣ କ୍ଷମତାଠାରୁ ୧୧୪% ଅଧିକ ବିଚାରାଧୀନ କଏଦୀ ଅଛନ୍ତି। ସେହିପରି ତଦନ୍ତ କିମ୍ବା ଶୁଣାଣିକୁ ଅପେକ୍ଷା କରିଥିବା କଏଦୀଙ୍କ ସଂଖ୍ୟା ମୋଟ ବନ୍ଦୀଙ୍କର ୬୮%। ଏହି ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୦% ହେଉଛନ୍ତି ନିରକ୍ଷର ବା ଅର୍ଦ୍ଧସ୍ବାକ୍ଷର, ଯାହାକି ସେମାନଙ୍କ ଅନଗ୍ରସର ତଥା ବଞ୍ଚତ୍ତ ପୃଷ୍ଠଭୂମିକୁ ଦର୍ଶାଉଛି। ରାଜଧାନୀ ଦିଲ୍ଲୀରେ ଘଟିଥିବା ଏକ ସାମ୍ପ୍ରଦାୟିକ ହିଂସା ମାମଲାର ଶୁଣାଣି ସୋମବାର ଦିଲ୍ଲୀ ହାଇକୋର୍ଟରେ ହୋଇଥିଲା। ବିଚାର ବେଳେ ହାଇକୋର୍ଟ କହିଥିଲେ, ବନ୍ଦୀଶାଳା ହେଉଛି ଦୋଷୀଙ୍କୁ ଦଣ୍ଡ ଦିଆଯିବା ପାଇଁ ପ୍ରାଥମିକ ସ୍ଥାନ, ବିଚାରାଧୀନ ଅଟକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଅଦାଲତଙ୍କ କାମ ହେଉଛି ଆଇନାନୁସାରେ ନ୍ୟାୟ ପ୍ରଦାନ କରିବା, ସମାଜକୁ ବାର୍ତ୍ତା ପଠାଇବା ନୁହେଁ ବୋଲି ଜଷ୍ଟିସ୍‌ ଅନୁପ ଜେ. ଭମ୍ଭାନି କହିଛନ୍ତି। ଜଷ୍ଟିସ୍‌ ଭମ୍ଭାନିଙ୍କ ମତରେ ଜେଲ୍‌ରେ ଅତ୍ୟଧିକ ବିଚାରାଧୀନ କଏଦୀଙ୍କୁ ବିନା କୌଣସି ଉଦ୍ଦେଶ୍ୟରେ ରଖାଯିବା ଫଳରେ ସେମାନଙ୍କ ସଂଖ୍ୟା ବଢ଼ିଚାଲିବ। ଏଥିଯୋଗୁ କଏଦୀଙ୍କ ମନରେ ଏକ ଧାରଣା ସୃଷ୍ଟି ହେବ ଯେ, ସେମାନଙ୍କୁ ବିଚାର ପୂର୍ବରୁ ଦଣ୍ଡ ଦିଆଯାଉଛି, ତାହା ପୁଣି ଦୟନୀୟ ସ୍ଥିତିରେ।
ଭାରତରେ ଲକ୍‌ଡାଉନ୍‌ ଘୋଷଣାର ୪ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ରେ କୋଲ୍‌କାତା ସହରର ପୂର୍ବଭାଗରେ ଥିବା ଦମ୍‌ଦମ୍‌ ସେଣ୍ଟ୍ରାଲ ଜେଲରେ ଦଙ୍ଗା ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ। କୋଭିଡ୍‌-୧୯ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ କଏଦୀମାନେ ବିଚଳିତ ହୋଇଯାଇଥିଲେ। ଶୁଣାଣିରେ ବିଳମ୍ବ ଓ ପରିବାର ଲୋକଙ୍କ ସହ ସାକ୍ଷାତ୍‌ କରାଇଦିଆ ନ ଯିବାକୁ ନେଇ ସେମାନେ ବିରକ୍ତ ହୋଇଯାଇଥିବା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାର ଦୁଇଦିନ ପରେ ସୁପ୍ରିମକୋର୍ଟ ଜେଲ୍‌ଗୁଡ଼ିକରେ ସଂକ୍ରମଣ ରୋକିବା ଲାଗି ଭିଡ଼ କମାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କଏଦୀମାନଙ୍କୁ ପାରୋଲ୍‌ କିମ୍ବା ଅନ୍ତରୀଣ ଜାମିନରେ ଛଡ଼ାଯିବା ପାଇଁ ଗଠିତ କମିଟିଗୁଡ଼ିକ ସୁପାରିସ କରିଥିଲେ ଯେ, ୭ ବର୍ଷ କିମ୍ବା ତହିଁରୁ କମ୍‌ ଦଣ୍ଡ ଭୋଗୁଥିବା ଦୋଷୀ ବା ବିଚାରାଧୀନ କଏଦୀଙ୍କୁ ମୁକ୍ତ କରାଯିବା ଉଚିତ।
ବର୍ତ୍ତମାନ ସୁଦ୍ଧା ନୂଆଦିଲ୍ଲୀର ୩ଟି ଜେଲ୍‌ରେ ପ୍ରାୟ ଦୁଇ ଡଜନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଲକ୍ଷଣ ଦେଖାଦେଇ ନ ଥିବା କଏଦୀଙ୍କ ସଂଖ୍ୟା ବହୁତ ଥିବା ମନେକରାଯାଉଛି। ଦିଲ୍ଲୀସ୍ଥିତ ଜେଲଗୁଡ଼ିକର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍‌ କହିଛନ୍ତି, କରେନା ଭାଇରସ୍‌ର କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ଏକ ସ୍ବତନ୍ତ୍ର ଫୋର୍ସ ଗଠନ କରାଯାଇଛି। କଏଦୀଙ୍କୁ ସେମାନଙ୍କ ପରିବାର ସହ ଫୋନ୍‌ରେ କଥା ହେବା ପାଇଁ କାହିଁକି ଅନୁମତି ଦିଆଯାଉନାହିଁ ବୋଲି ପ୍ରଶ୍ନ କରାଯିବାରୁ ସେ ଏଥି ନିମନ୍ତେ ସୀମିତ ସାଧନ ରହିଥିବା ପ୍ରକାଶ କରିଛନ୍ତି।
ଇତିମଧ୍ୟରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପ୍ରଥମେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମିଶେଲ ବାଚେଲେଟ୍‌ ମାର୍ଚ୍ଚରେ ଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ। କିନ୍ତୁ ଭାରତରେ ଜେଲଗୁଡ଼ିକୁ ଭିଡ଼ମୁକ୍ତ କରିବା ପାଇଁ ଅଦ୍ୟାବଧି ମାତ୍ର ୪୨,୦୦୦ ବନ୍ଦୀଙ୍କୁ ଛଡ଼ାଯାଇଛି। ରାଜନୈତିକ ବନ୍ଦୀଙ୍କୁ ମୁକ୍ତ ନ କରି ଭାରତ ନିକାରାଗୁଆ, ତୁର୍କୀ, ଅଲ୍‌ଜେରିଆ, ସ୍ପେନ୍‌ ଓ ମ୍ୟାନ୍‌ମାର ଭଳି ଦେଶ ସହ ସାମିଲ ହୋଇଛି।
ଆକ୍ଟିଭିଷ୍ଟ, ମୁସଲମାନଙ୍କୁ ଟାର୍ଗେଟ
ଦୁଇମାସର ଲକ୍‌ଡାଉନ୍‌ ଭିତରେ ରାଜନୈତିକ ଭିନ୍ନ ମତପୋଷଣ କରୁଥିବା ବ୍ୟକ୍ତି ଓ ମୁସ୍‌ଲମାନ ସମ୍ପ୍ରଦାୟର ଲୋକଙ୍କୁ ହିନ୍ଦୁ ଜାତୀୟତାବାଦୀ ସରକାରଙ୍କ ଦ୍ୱାରା ଟାର୍ଗେଟ କରାଯାଇଛି। ଗତ ଡିସେମ୍ବରରେ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ୩୮ ବର୍ଷୀୟ ଖାଲିଦ୍‌ ଗିରଫ ହୋଇଥିଲେ। ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣମୁସ୍‌ଲିମ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତ୍ୱ ପ୍ରଦାନ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି। ସିଏଏ ଭାରତର ଧର୍ମନିରପେକ୍ଷ ସମ୍ବିଧାନକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ସବୁଠି ସମାଲୋଚନା କରାଯାଇଛି। ଖାଲିଦ୍‌ଙ୍କ ଗିରଫଦାରିର ୩ ସପ୍ତାହ ପରେ ମାର୍ଚ୍ଚରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଖାଲିଦ୍‌ଙ୍କୁ ଏକ ହ୍ବିଲ୍‌ ଚେୟାରରେ କୋର୍ଟକୁ ହାଜିରା ପାଇଁ ନିଆଯାଉଥିବା ସେଥିରେ ଦେଖିବାକୁ ମିଳିଥିଲା। ଖାଲିଦ୍‌ଙ୍କୁ ଗିରଫ କରାଯିବା ବେଳେ ସେ ସୁସ୍ଥ ଥିଲେ। ତେଣୁ ହାଜତରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ହ୍ବିଲ୍‌ଚେୟାରରୁ ବୁଝାପଡ଼ୁଛି। ଖାଲିଦ୍‌ଙ୍କ ସ୍ତ୍ରୀ ନର୍ଗିସ୍‌ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ଆମେ ତାଙ୍କୁ ପୁଷ୍ଟିକର ସପ୍ଲିମେଣ୍ଟ ଏବଂ ଔଷଧ ଦେଇପାରି ନାହୁଁ। ତାଙ୍କୁ ନିର୍ମମ ଭାବେ ମାଡ଼ ମରାଯିବା ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବିଶ୍ୱାସ କରିହେଉ ନାହିଁ। ଗତ ୩ ମାସ ମଧ୍ୟରେ ଖାଲିଦ୍‌ଙ୍କ ଜାମିନ ଆବେଦନ ଅନେକ ଥର ଖାରଜ ହୋଇସାରିଲାଣି। ହାଜତରେ ତାଙ୍କୁ ଆହୁରି ନିର୍ଯାତନା ଦିଆଯାଉଥିବ ବୋଲି ନର୍ଗିସ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସୁପ୍ରିମକୋର୍ଟ ଆଇନଜୀବୀ ରେବେକା ଜନ୍‌ କହିଛନ୍ତି, ଭାରତୀୟ ସମ୍ବିଧାନ ନାଗରିକଙ୍କ ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ଦେଇଛି। ତେବେ ଗୋଟିଏ ପକ୍ଷକୁ ଆଇନଗତ ସହାୟତାର ସୁଯୋଗ ନ ମିଳିଲେ ହାଜତରେ ଥିବା ସମ୍ପୃକ୍ତ ବ୍ୟକ୍ତି ନିଜ ଅଧିକାରଗୁଡ଼ିକରୁ ବଞ୍ଚତ୍ତ ହୋଇଥାନ୍ତି। ଏହି ସ୍ଥଳେ ସେ ନ୍ୟାୟ ପାଇବା ଆଶା ମଉଳିଯାଇଥାଏ।
ଗିରଫଦାରି ଜାରି ରହିଛି
ଦିଲ୍ଲୀରେ ଫେବୃୟାରୀରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କ ପ୍ରାଣହାନି ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ। ସେହି ହିଂସାରେ ସମ୍ପୃକ୍ତ ଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ବି ଗିରଫ କରିବା ପାଇଁ ମାର୍ଚ୍ଚ ୩୧ରେ ଦିଲ୍ଲୀ ପୋଲିସକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧,୩୦୦ ଜଣଙ୍କୁ ଗିରଫ କରାଗଲାଣି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ପୀଡ଼ିତ, ଅଭିଯୋଗକାରୀ ଓ ଅଧିକାର କର୍ମୀ ଅଛନ୍ତି।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ମେ ୨୩ରେ ଦୁଇଜଣ ଆକ୍ଟିଭିଷ୍ଟଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ସେମାନେ ହେଲେ ଦେବାଙ୍ଗନା କଲିତା(୩୦) ଓ ନତାଶା ନରଓ୍ବାଲ(୩୨)। ପିଞ୍ଜରା କୋଡ୍‌ ଫେମିନିଷ୍ଟ ଆନ୍ଦୋଳନର ଏହି ଦୁଇ ସଦସ୍ୟାଙ୍କୁ ସିଏଏ ବିରୋଧୀ ବିକ୍ଷୋଭରେ ଯୋଗଦାନ ଏବଂ ଦିଲ୍ଲୀ ଦଙ୍ଗାରେ ଭୂମିକାକୁ ନେଇ ଗିରଫ କରାଯାଇଛି। କଲିତାଙ୍କ ବିରୋଧରେ ବେଆଇନ ଭାବେ ଏକତ୍ରିତ ହେବା ଓ ନତାଶାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଲଗାଯାଇଛି। ୟୁଏପିଏ ବଳରେ ତଦନ୍ତକାରୀ ଏଜେନ୍ସି ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିପାରିବ ଏବଂ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ।
ସେହିପରି ଛାତ୍ରୀ ସଫୁରା ଜରଗାର(୨୭)ଙ୍କୁ ସିଏଏ ବିରୋଧୀ ବିକ୍ଷୋଭ ପାଇଁ ଗିରଫ କରାଯାଇ ତାଙ୍କ ବିରୋଧରେ ୟୁଏପିଏ ଲଗାଯାଇଛି। ସଫୁରା ୪ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ତିହାର ଜେଲରେ ରଖାଯାଇଛି। ସିଏଏ ବିରୋଧୀ ବିକ୍ଷୋଭକାରୀ ଗୁଲ୍‌ଫିଶା ଫତିମା, ମିରାନ ହାଇଦର, ଆସିଫ୍‌ ଇକ୍‌ବାଲ୍‌ ତନ୍‌ହା ଓ ଶାଫି-ଉର୍‌ ରେହମାନଙ୍କ ବିରୋଧରେ ମଧ୍ୟ ଉପରୋକ୍ତ ଆଇନ ବଳରେ ମାମଲା ରୁଜୁ କରାଯାଇଛି। ଏନେଇ ଆଇନଜୀବୀ ରେବେକା ଜନ୍‌ କହିଛନ୍ତି, କରୋନା କାଳରେ ଗିରଫଦାରି ପୂର୍ବରୁ ନୋଟିସ ଦେବା ବ୍ୟବସ୍ଥାକୁ ବାତିଲ କରାଯାଇଛି। ଫଳରେ ଅଭିଯୁକ୍ତ ନିଜ ପକ୍ଷ ରଖିବା ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳି ସମୟରେ ୟୁଏପିଏ ଭଳି କଠୋର ଆଇନ ବଳରେ ମାମଲା ରୁଜୁ କରାଯିବା ଦୁର୍ଭାଗ୍ୟଜନକ। ୟୁଏପିଏ ବଳରେ ମାମଲା ରୁଜୁ ନ କରିବା ପାଇଁ ମେ ୬ରେ ଜାତିସଂଘ ପକ୍ଷରୁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ହେଲେ ସରକାର ଉକ୍ତ ଚିଠିକୁ ଅଣାଦେଖା କରିଛନ୍ତି। ଗତ ୧୩ ତାରିଖରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଜାତିସଂଘରେ ମାନବାଧିକାର ଉଚ୍ଚାୟୁକ୍ତଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ସଙ୍ଗଠନ ଏକ ମିଳିତ ବିବୃତି ଜାରି କରିଥିଲେ। କରୋନା ସଂକ୍ରମଣ ଦୃଷ୍ଟିରୁ ଜେଲ୍‌ଗୁଡ଼ିକରେ ଥିବା ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ବିବୃତିରେ ପରାମର୍ଶ ଦିଆଯାଇଥିଲା।
ଲକ୍‌ଡାଉନ୍‌ ବେଳେ ହିଁ ଦୁଇଜଣ ବିଶିଷ୍ଟ ଅଧିକାର କର୍ମୀ ଗୌତମ ଲଭଲଖା ଓ ଆନନ୍ଦ ତେଲତୁମ୍ବଡେଙ୍କୁ ଗିରଫ କରାଯାଇଥିଲା, ଯାହାଙ୍କ ବୟସ ୬୫ ବର୍ଷରୁ ଅଧିକ। ଦିଲ୍ଲୀ ୟୁନିଭସିର୍ଟିର ପୂର୍ବତନ ପ୍ରାଧ୍ୟାପକ ଜି.ଏନ୍‌. ସାଇବାବା ବିଗତ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶଦ୍ରୋହ ମାମଲାରେ ଜେଲ୍‌ରେ ଥିବାବେଳେ ତାଙ୍କୁ ମଧ୍ୟ ଜାମିନ ମିଳୁନାହିଁ। ଏଭଳି ସମୟରେ ଫୌଜଦାରି କୋର୍ଟଗୁଡ଼ିକ ଏକପ୍ରକାର ଅକାମୀ ହୋଇଯାଇଥିବାରୁ ବନ୍ଦୀମାନଙ୍କ ଆଶା ମଉଳିଯାଇଛି ବୋଲି କମନ୍‌ଓ୍ବେଲଥ ହ୍ୟୁମାନ୍‌ ରାଇଟ୍ସ ଇନିସିଏଟିଭ୍‌ର ଧନୁକା କହିଛନ୍ତି। ତେବେ ଖାଲିଦ୍‌ ସୈଫିଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ଫୋନ୍‌ ବାଜିଉଠିଲେ ଦୁଇ କୁନିଝିଅ ମରିଅମ୍‌ ଓ ତଲ୍‌ହା ଦୌଡ଼ିଯାଆନ୍ତି କାଳେ ବାପାଙ୍କ କଲ୍‌ ଆସିଥିବ ବୋଲି। ପିଲାମାନେ ଆଶା ଛାଡ଼ିନାହାନ୍ତି। ସେମାନଙ୍କ ଆଶା ପୂରଣ କରିବା ପାଇଁ ଅଦାଲତଗୁଡ଼ିକରେ ବ୍ୟବସ୍ଥା କରାଯିବା ଉଚିତ ବୋଲି ନର୍ଗିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri