ଅଗଷ୍ଟ ପନ୍ଦର ଯିବା ପରେ

ବିଚିତ୍ର ବିଶ୍ୱାଳ
ଓଡ଼ିଆରେ ଅକ୍ଷୟ ମହାନ୍ତିଙ୍କ ଗୋଟେ ଗୀତ ଥିଲା ‘ହେ ଫଗୁଣ ତୁମେ ଯିବା ପରେ ଅନେକ ଯାତନା ଏଠି’। ଠିକ୍‌ ସେମିତି ଅଗଷ୍ଟ ପନ୍ଦର ଯିବା ପରେ ପରେ ଦେଶର ଶାସକ ଓ ଜନସାଧାରଣଙ୍କ ସାମୟିକ ଦେଶଭକ୍ତିର ମୁଖା ତଳୁ ଉକୁଟି ଉଠେ ସ୍ବ-ଭକ୍ତି ଓ ନିଜ ସ୍ବାର୍ଥ ସାଧନର ଅସଲ ଚେହେରା। ସ୍ବାଧୀନତା ରୂପକ ସ୍ବପ୍ନର ଚିକ୍‌ମିକିଆ ଜରି ପୋଷାକଟା ଖସିଯାଇ ଆଖି ଆଗରେ ଝଲସି ଉଠେ ଦୁର୍ଭାଗ୍ୟର ନଗ୍ନ ବାସ୍ତବତା, ଯେଉଁଥିରେ ଏତେ ଟିକେ ବି ସ୍ବାଧୀନତାର ଚିହ୍ନ ନ ଥାଏ। ଅଗଷ୍ଟ ପନ୍ଦର ଦିନ ସକାଳେ ଯେଉଁସବୁ ପ୍ରତିଶ୍ରୁତିର ବନ୍ୟା ଆସେ ସଞ୍ଜ ହେଉ ହେଉ ତାହା ପ୍ରତାରଣାର ଶୁଖିଲା ଖଡ୍‌ଖଡ୍‌ ଭୂଇଁରେ ପରିଣତ ହୋଇଯାଇଥାଏ। ତେଣୁ ଅକ୍ଷୟ ମହାନ୍ତିଙ୍କ ଗୀତ ଭଙ୍ଗୀରେ ଯଦି କୁହାଯାଏ, ‘ହେ ଅଗଷ୍ଟ ପନ୍ଦର ତୁମେ ଗଲା ପରେ ତୁମ ଅସ୍ତିତ୍ୱକୁ ନେଇ ଅନେକ ସନ୍ଦେହ ଏଠି’, ତେବେ ଏଥିରେ ଟିକେ ବି ଭୁଲ୍‌ ହେବ ନାହଁି। କାରଣ ଅଗଷ୍ଟ ପନ୍ଦର ଯେଉଁ ସ୍ବାଧୀନତା ଦିବସର ସନ୍ତକ, ସତରେ କ’ଣ ସେ ସ୍ବାଧୀନତାକୁ ଆମେ ଭୋଗ କରୁଛେ? ସ୍ବାଧୀନତା ଦିବସ କହିଲେ କ’ଣ କେବଳ ପତାକା ଟାଣିବା କି ଭୋଟ୍‌ ଦେବା? ଯେଉଁ ସ୍ବାଧୀନତାକୁ ହାସଲ କରିବା ପାଇଁ ଏତେ ତ୍ୟାଗ ଓ ବଳିଦାନ ଗଲା, ସେହି ସ୍ବାଧୀନତାକୁ ବଜାୟ ରଖିବା ପାଇଁ ସତରେ କ’ଣ ଆମ ଦେଶର ଶାସକମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି! ନା କଳେବଳେ କୌଶଳେ ଦେଶର ସମ୍ପଦକୁ ବିଦେଶୀଙ୍କ ପାଖରେ ବନ୍ଧା ପକେଇବା କାମରେ ଲାଗିପଡ଼ିଛନ୍ତି! ଦେଶର ଜନସାଧାରଣଙ୍କ କଷ୍ଟକୁ କମ୍‌ କରିବା ପାଇଁ ପ୍ରୟାସ କରାଯାଉଛି ନା ଜନସାଧାରଣଙ୍କ ଦୁଃଖକଷ୍ଟ ବିନିମୟରେ ମୁଷ୍ଟିମେୟ ଗୋଷ୍ଠୀ ନିଜ ଟ୍ରେଜେରି ଭରିବା କାମରେ ଲାଗିଛନ୍ତି! ଏହା ଆଜିର ସମୟରେ ଏକ ମସ୍ତବଡ଼ ପ୍ରଶ୍ନ।
ଅଗଷ୍ଟ ପନ୍ଦରରେ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଲେ। ଦେଶର ବିକାଶ କଥା କହିଲେ, ଅର୍ଥନୈତିକ ପ୍ରଗତି କଥା କହିଲେ ଓ ଆସନ୍ତା ଦଶ ବର୍ଷରେ ଆମ ଦେଶ କେଉଁଠି ପହଞ୍ଚିବ ସେ ବିଷୟରେ ରଙ୍ଗିନ ସ୍ବପ୍ନ ଦେଖାଇଲେ। ଯେମିତି ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଆସିବା ଏକ ଚିରାଚରିତ ଧାରା ସେମିତି ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲା ଉପରୁ ସ୍ବାଧୀନତା ଦିବସ ଭାଷଣରେ ଦେଶର ବିକାଶ ଓ ଆଗାମୀ ସମୟ ପାଇଁ ରଙ୍ଗିନ ସ୍ବପ୍ନର ଗୀତ ଗାଇବା ବି ସେମିତି ଏକ ଚିରାଚରିତ ଧାରା ହୋଇଗଲାଣି। ପ୍ରଧାନମନ୍ତ୍ରୀ ଯାହା ବି କୁହନ୍ତୁ, କିନ୍ତୁ ଯଦି ସ୍ବାଧୀନତାର ଅର୍ଥ ନିଜ ଦେଶର ସମ୍ପଦ ଯଥା ପାହାଡ଼, ପର୍ବତ, ପାଣି, ଖଣି ଉପରେ ନିଜର ଅଧିକାର ବା ସେଠାକାର ଅଧିବାସୀଙ୍କ ଅଧିକାରକୁ ବୁଝାଯାଏ, ତେବେ ଆଜିର ସମୟରେ ଏସବୁ ସମ୍ପଦକୁ ଆମେ ଦେଶବାସୀ ଛାତିରେ ହାତ ବାଡ଼େଇ ଆମର କହିପାରିବା କି? କିମ୍ବା କହିପାରୁଛେ କି? ଆମେ ଦେଖୁଛେ ଅର୍ଥନୈତିକ ବିକାଶ ନାଁରେ ଆମ ଦେଶର ସମ୍ପଦକୁ ମାଟିଗୋଡ଼ି ମୂଲ୍ୟରେ ବିଦେଶୀମାନଙ୍କ ହାତକୁ ଟେକି ଦିଆଯାଉଛି। ସରକାରଙ୍କ ଚଳିତ ବର୍ଷର ବଜେଟରେ ଯାହା ଚିତ୍ର ଦିଆଯାଇଛି, ସେଥିରୁ ସମ୍ପୂର୍ଣ୍ଣ ରୂପେ ବୁଝାପଡ଼ୁଛି ଯେ, ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲାରୁ ଓହ୍ଲେଇ ଆମ ଦେଶର ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବିଦେଶୀ ପୁଞ୍ଜି ଖଟେଇବାର ରାସ୍ତାକୁ ଆହୁରି ସୁଗମ କରିବାରେ ଲାଗିପଡ଼ିଛନ୍ତି। ବିଦେଶୀ ପୁଞ୍ଜି ଲଗାଣକୁ ଯଦି ଆଉ ଟିକେ ସ୍ପଷ୍ଟ ଭାଷାରେ କହିବା, ତେବେ ତା’ର ଅର୍ଥ ହେବ, ସରକାରୀ ଉଦ୍ୟୋଗକୁ ବିଦେଶୀମାନଙ୍କ ନିୟନ୍ତ୍ରଣକୁ ଦେଇଦେବା। ଯଦି ଏହା ବିକାଶ, ତେବେ ଆମେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଂରେଜ ସରକାରକୁ ଏତେ କଷ୍ଟ କରି ଆମ ଦେଶରୁ ହଟେଇଥିଲେ କାହଁିକି? ଆଜି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ ତା’ର ଶେଷ ନିଃଶ୍ୱାସ ଗଣୁଛି ଓ ସରକାର ଖୋଦ୍‌ ତା’ର କଫିନ୍‌ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଇଣ୍ଡିଆନ୍‌ ଏୟାର୍‌ ଲାଇନ୍‌ସର ଅବସ୍ଥା ବି ତଦ୍ରୂପ। ରେଳ ଚଳାଚଳ କ୍ଷେତ୍ରରେ ବି ଘରୋଇ ଓ ବିଦେଶୀ ପୁଞ୍ଜି ଲଗାଣ ପାଇଁ ରାସ୍ତା ପରିଷ୍କାର ହେଲାଣି। ଯଦି ଆମ ଦେଶର ସରକାରଙ୍କ ନିଜର ପାରଙ୍ଗମତା ଉପରେ ଭରସା ନାହଁି ଅର୍ଥାତ୍‌ ନିଜ ଅଧୀନରେ ଥିବା କମ୍ପାନୀଗୁଡ଼ିକୁ ଘରୋଇ ବହୁଦେଶୀୟ କମ୍ପାନୀଙ୍କ ହାତକୁ ଟେକି ଦେଉଛନ୍ତି, ତେବେ ଅଗଷ୍ଟ ପନ୍ଦରରେ ସେ ତ୍ରିରଙ୍ଗା ପତାକା ତଳେ ଯେଉଁ ଭାଷଣ ଦେଲେ ତାହା କ’ଣ ଥିଲା? ‘ଆମରି ଡଙ୍ଗାରେ ଆମେ ନାଉରୀ, ଆମେ ଚଳାଉଛୁ ଦେଶ ଆମରି’ର କ’ଣ ଅର୍ଥ କେବଳ ଆମ ଦେଶର ଲୋକମାନେ ନେତା-ମନ୍ତ୍ରୀ ହେବେ, ସରକାରରେ ରହିବେ କିନ୍ତୁ ଆମ ଦେଶର ଅର୍ଥନୀତି ବହୁଦେଶୀୟ କମ୍ପାନୀଙ୍କ ନିୟନ୍ତ୍ରଣରେ ରହିବ!
କେବଳ ଶାସନର ଉପର ସ୍ତରରେ ନୁହେଁ ନିମ୍ନ ସ୍ତରରେ ବି ଯେଉଁମାନେ ପତାକା ଉତ୍ତୋଳନ କରି ଆମକୁ ସ୍ବାଧୀନ ହେବାର ଭରସା ଦେଉଛନ୍ତି, ସେମାନେ ବି ପ୍ରତି ମୁହୂର୍ତ୍ତରେ ଆମ ସ୍ବାଧୀନତାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବି ପତାକା ଟାଣି ସ୍ବାଧୀନତା ଦିବସ ଉପଲକ୍ଷେ ଭାଷଣ ଦେଲେ, ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ଓ ଲୋକସେବାକୁ ଉଦାହରଣ ଭାବେ ପେଶ୍‌ କଲେ। କିନ୍ତୁ ପରମୁହୂର୍ତ୍ତରେ ସେମାନେ ରାଜ୍ୟର ଖଣି, ପାଣି ଓ ପାହାଡ଼ପର୍ବତକୁ ବିଦେଶୀ କମ୍ପାନୀ ହାତକୁ ଟେକିଦେବା ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରୁଛନ୍ତି। ଲୋକମାନେ ନିଜର ଭିଟାମାଟି ରକ୍ଷାକରିବା ପାଇଁ ଯଦି ସ୍ବର ଉତ୍ତୋଳନ କରୁଛନ୍ତି, ତେବେ ଆମ ସ୍ବାଧୀନ ଦେଶର ପୋଲିସମାନେ ହଁି ତାଙ୍କ ଉପରକୁ ଲାଠି ଓ ଗୁଳି ଚଳାଉଛନ୍ତି। ଯଦି ଆମ ମା’ ମାଟିକୁ ବି ରଖିବାର ଅଧିକାର ଆମର ନାହଁି, ତା’ହେଲେ ଏ ସ୍ବାଧୀନତା ଛଳନା ନୁହେଁ ତ ଆଉ କ’ଣ! ସାଧାରଣ ସରପଞ୍ଚଟିଏ ପଞ୍ଚାୟତ ଅଫିସରେ ପତାକା ଉତ୍ତୋଳନ କରି ଆମକୁ ଅତି ତୃଣମୂଳ ସ୍ତରରେ ବି ଆମେ ସ୍ବାଧୀନ ହୋଇଥିବାର ବିଶ୍ୱାସ ଦେଲେ। କିନ୍ତୁ ପରଦିନ ସେହି ସରପଞ୍ଚ ଜଣେ ସାଧାରଣ ଲୋକଠାରୁ ଇନ୍ଦିରା ଆବାସ କରେଇଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗୁଛି। ଶାସକ ଓ ଜନସାଧାରଣ ଆମେ ସମସ୍ତେ ଏହି ସ୍ବାଧୀନତାର ମୂଲ୍ୟକୁ ବେଶ୍‌ ଭଲ ଭାବରେ ବୁଝିଯାଇଛେ। ତା’ହେଲେ ଏ ଛଳନା କିଏ କାହା ସହିତ କରୁଛି? ସ୍ବାଧୀନ ଭାରତର ଆମ ଶାସନ କଳରେ ଏହା ଅଲିଖିତ ନିୟମ ହୋଇଗଲାଣି। ପ୍ରତ୍ୟେକ କାମ ପାଇଁ ଲୋକଙ୍କୁ ପି.ସି. ଦେବାକୁ ପଡ଼ୁଛି, ନ ହେଲେ ଆମ ଗାଁ ରାସ୍ତାଠାରୁ ଆରମ୍ଭକରି ସ୍କୁଲ୍‌ ଯାଏ କିଛି ବି ହୋଇପାରିବ ନାହଁି। ପ୍ରଶାସକମାନେ ହସି ହସି ଲୋକ ଓ ଠିକାଦାରଙ୍କଠାରୁ ପି.ସି. ଆଦାୟ କରୁଛନ୍ତି। ଏସବୁ କାମ ଲୁଚାଛପାରେ ବି ଆଉ ହେଉନାହଁି। ସ୍ବାଧୀନତା ଦିବସ ପାଳନର ଠିକ୍‌ ପରେ ପରେ ଯଦି ଏପରି ସବୁ ହେବାର ଅଛି ବା ହେଉଛି, ତେବେ ବିଚରା ଅଗଷ୍ଟ ପନ୍ଦର ପାଇଁ ଏତେ ଆଡ଼ମ୍ବର କାହଁିକି?
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri