Posted inଫୁରସତ

ଅକ୍ଷତ

ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ। ବ୍ରାହ୍ମଣ, ପୂଜକ ତଥା ପୁରୋହିତ ସର୍ବପ୍ରଥମେ ଯଜମାନଙ୍କୁ ଯାହା ବରାଦ କରିଥାନ୍ତି ତାହା ହେଉଛି ତଣ୍ଡୁଳ। ଅର୍ଥାତ୍‌ ଚାଉଳ।

ଏବେ ଆରମ୍ଭ ହୋଇଯାଇଛି ପୂଜା ଆଉ ପାର୍ବଣର ଋତୁ। ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ ଏବେ ହେଉଛି ଦେବୀ ଦେବତାଙ୍କର ଧରାପୃଷ୍ଠକୁ ଓହ୍ଲେଇ ଆସିବାର ସମୟ। ଜନ୍ମାଷ୍ଟମୀ ବା କୃଷ୍ଣଜନ୍ମରୁ ଆରମ୍ଭ ହୋଇଥାଏ ଏହି ଧାରା। ଆଉ ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ। ବ୍ରାହ୍ମଣ, ପୂଜକ ତଥା ପୁରୋହିତ ସର୍ବପ୍ରଥମେ ଯଜମାନଙ୍କୁ ଯାହା ବରାଦ କରିଥାନ୍ତି ତାହା ହେଉଛି ତଣ୍ଡୁଳ। ଅର୍ଥାତ୍‌ ଚାଉଳ। ଏ ଚାଉଳ ପୁଣି ଯାହିତାହି ଚାଉଳ ନୁହେଁ; ଅକ୍ଷତ। ଅକ୍ଷତର ଅର୍ଥ ହେଉଛି ଯାହା ଦେହରେ କ୍ଷତ ଲାଗି ନ ଥାଏ। ଯାହା ସ୍ବୟଂ ସମ୍ପୂର୍ଣ୍ଣ ଥାଏ। ଯାହା ପବିତ୍ର ହୋଇ ରହିଥାଏ। ସେହି ଅକ୍ଷତକୁ କୁହାଯାଏ ଅରୁଆ ଚାଉଳ। ଆଞ୍ଚଳିକ ଭାଷାରେ କୌଣସି କୌଣସି ସ୍ଥାନରେ ‘ଉଆ’ ଚାଉଳ ବୋଲି ମଧ୍ୟ କୁହାଯାଇଥାଏ। ପୂଜା ପାର୍ବଣ ହେଉ କି ବାହାଘର ବ୍ରତଘର, ପିଣ୍ଡଦାନ ହେଉ କି ସାତ୍ତ୍ୱିକ ଭୋଜନ – ଅକ୍ଷତ ବା ଅରୁଆ ଚାଉଳ ବିନା ସବୁକିଛି ଅସମ୍ଭବ। ସେଥିପାଇଁ ବୈଦିକ ପରମ୍ପରାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ହିନ୍ଦୁମାନଙ୍କ ପାଇଁ ଏହି ଅକ୍ଷତ ବା ଅରୁଆ ଚାଉଳର ରହିଛି ଏକ ସ୍ବତନ୍ତ୍ର ଭୂମିକା। ତଥ୍ୟ ଅନୁଯାୟୀ ଅକ୍ଷତ ବା ଅରୁଆ ଚାଉଳ ହେଉଛି ସମ୍ପନ୍ନତା ତଥା ସମ୍ପୂର୍ଣ୍ଣତାର ପ୍ରତୀକ। ସମ୍ଭବତଃ ସେଇଥିଲାଗି କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ବ୍ରାହ୍ମଣ-ଭଗବାନ ଅରୁଆ ଚାଉଳରେ ମଣ୍ଡଳ ସୃଷ୍ଟିକରି ସେଥିରେ ସ୍ବସ୍ତିକ ଚିହ୍ନ ଅଙ୍କନ କରିଥାନ୍ତି।

କୁଳଦେବତା ତୁଷ୍ଟ ହୁଅନ୍ତି : ବହୁ ଶାସ୍ତ୍ର ପୁରାଣରେ ମଧ୍ୟ ଅକ୍ଷତର ବର୍ଣ୍ଣନା ରହିଛି। ପ୍ରତ୍ୟେକଙ୍କ କୁଳ ବା ବଂଶକୁ ଜଣେ ଜଣେ ଦେବତାଙ୍କ ନାମରେ ସମର୍ପଣ କରାଯାଇଛି। ତାଙ୍କୁ କୁଳଦେବତା ବୋଲି କୁହାଯାଏ। ଆଉ ଅକ୍ଷତରେ ଆରାଧନା କଲେ କୁଳଦେବତା ତୁଷ୍ଟ ବା ସନ୍ତୁଷ୍ଟ ହୋଇଥାନ୍ତି। ଫଳରେ ଗୃହସ୍ଥକୁ ଆଉ କୌଣସି ସଙ୍କଟକୁ ସାମ୍ନା କରିବାକୁ ପଡ଼େନାହିଁ। ସେତିକିନୁହେଁ, ଅନେକ ସ୍ଥାନରେ ଏମିତି ଏକ ପରମ୍ପରା ରହିଛି ଯେ,
ନୂଆବୋହୂ ଗୃହ ପ୍ରବେଶ କରିବା ପୂର୍ବରୁ ଘରର ଚାରିଆଡ଼େ ଅରୁଆ ଚାଉଳ ବୁଣିଥାଏ। ପୁଣି କେତେକ ସ୍ଥାନରେ ଅକ୍ଷତ କଳସକୁ ଗୋଡ଼ରେ ଗଡ଼େଇ ସେ ପ୍ରଥମ ପାଦ ଶାଶୁଘରେ ରଖିଥାଏ। ଏହାର ତାତ୍ପର୍ଯ୍ୟ ହେଉଛି ଅକ୍ଷତ ଭଳି ତା’ର ଦାମ୍ପତ୍ୟ ଅକ୍ଷୁଣ୍ଣ ରହୁ ଆଉ ଘରେ ସୁଖଶାନ୍ତି ଭରିଉଠୁ।

ଦୁଷ୍ଟାତ୍ମାଙ୍କ କବଳରୁ ରକ୍ଷାକରେ ଅକ୍ଷତ : ତନ୍ତ୍ର ବିଜ୍ଞାନରେ ଅକ୍ଷତର ବହୁଳ ବ୍ୟବହାର ହେଉଥିବା ଦେଖାଯାଏ। କୁହାଯାଏ, ଅକ୍ଷତ ଯେଉଁଠି ଥାଏ ସେଠାରେ ଦୁଷ୍ଟାତ୍ମା କୌଣସି ଅଘଟଣ ଘଟେଇ ପାରନ୍ତି ନାହିଁ। ସେମାନଙ୍କର ଦୁଷ୍ଟଶକ୍ତି ହ୍ରାସ ପାଇଥାଏ। ସେଥିଲାଗି ଝଡ଼ାଫୁଙ୍କା କରିବା ହେଉକି ତନ୍ତ୍ରସାଧନା କରିବା ହେଉ – ସାଧକମାନେ ଅକ୍ଷତର ପ୍ରୟୋଗ କରିଥାନ୍ତି। ସେତିକିନୁହେଁ, ଶବକୁ ଶ୍ମଶାନକୁ ନେଇ ଯିବା ବେଳେ ମଧ୍ୟ ଅନେକ ସ୍ଥାନରେ ଅକ୍ଷତ ଚାଉଳ ବୁଣାଯାଇଥାଏ। ଏହାପଛରେ ଥିବା ଉଦ୍ଦେଶ୍ୟ ହେଉଛି କୌଣସି ଅମଙ୍ଗଳ ଘଟିବାରୁ ଉଦ୍ଧାର ପାଇବା।
ଷାଠିଏ ପଉଟି ଭୋଗ : ବଡ ଠାକୁର ଜଗନ୍ନାଥଙ୍କ ନୀତିକାନ୍ତି ଓ ଭୋଗରାଗ ବେଶ ଲମ୍ବା ା ନାଲି ମାଟିର କୁଡୁଆରେ ଜଗନ୍ନାଥଙ୍କ ରୋଷଘରର ନିଆଁରେ ପ୍ରତିଦିନ ୬୦ ପଉଟି ଅବଢା ସହିତ ୫୬ ଭୋଗ ପ୍ରସ୍ତୁତ ହୁଏ ା ଭଜନ ସମ୍ରାଟ ଭିକାରୀ ବଳଙ୍କ ଭାବବିହ୍ବଳ ଭକ୍ତି ସଙ୍ଗୀତ ୬୦ ପଉଟି ଭୋଗରୁ ତୁମର କାଢିତ ନେଇନି ହରି/କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି ା ଜଗନ୍ନାଥଙ୍କ ଜମିରୁ ପ୍ରସ୍ତୁତ ଅରୁଆ ଚାଉଳରୁ ଅବଢା ପ୍ରସ୍ତୁତି କେଉଁକାଳରୁ ହୋଇଆସୁଛି ା ଅବଢା ଠାକୁରଙ୍କ ନିକଟରେ ଭୋଗ ଲାଗିବା ପରେ ଏଥିରୁ ବାସନା ଚହଟି ଉଠେ। କି ଶୀତ କି ବରଷା ବର୍ଷ ତମାମ ପ୍ରତିଦିନ ରାତିରେ ଆରଡିର ଆଖଣ୍ଡଳମଣିଙ୍କ ନିକଟରେ ଦହି ପଖାଳ ଭୋଗ ଲାଗିଥାଏ ା ନରେନ୍ଦ୍ରପୁରର ପାଟଣମଙ୍ଗଳା ପୀଠରେ ଦୈନିକ ରାତିରେ ଖିରି ପିଠା ଭୋଗ ଲାଗିହୁଏ ା ଏ ସବୁ କାର୍ଯ୍ୟରେ ମୁଖ୍ୟ ଉପାଦାନ ହେଉଛି ଅକ୍ଷତ ବା ଅରୁଆ ଚାଉଳ।

ବାସୁମତୀର ବାସ : ବାସୁମତୀ, ଲୀଳାବତୀ ପରି ସୁଗନ୍ଧି ଚାଉଳରୁ ଖିରି ଓ ପାଏସ୍‌ ପ୍ରସ୍ତୁତ ହୁଏ। ଓଡ଼ିଶାର ଉପକୂଳବର୍ତ୍ତୀ ସାମୁଦ୍ରିକ ଲୁଣାପାଣି ମାଡୁଥିବା ଅଞ୍ଚଳରେ ବାସୁମତୀ ଧାନ ଚାଷ ହୁଏ ା ଅନ୍ୟ ଧାନ ତୁଳନାରେ କମ୍‌ ଅମଳ ପାଇଁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି ା ମୁଖ୍ୟତଃ ବାସୁମତୀ ଅରୁଆ ଚାଉଳ ରାଜ୍ୟ ବାହାରକୁ ରପ୍ତାନି କରାଯାଏ ା  ପୂର୍ବରୁ ଢିଙ୍କି ସାହାଯ୍ୟରେ ଧାନକୁ କୁଟି ଚାଉଳ ପ୍ରସ୍ତୁତ କରାଯାଉଥିଲା ା ଏବେ ବୈଜ୍ଞାନିକ ପଦ୍ଧତିରେ ରାଇସ୍‌ ମିଲ୍‌ରେ ଅରୁଆ ଚାଉଳ ଅମଳ ହୋଇପାରୁଛି ା ଏହାକୁ ଭଲ ଭାବରେ ପାଛୋଡି ପଲିଥିନ୍‌ ବ୍ୟାଗରେ ପ୍ୟାକିଂ ହୋଇଥାଏ ା ସ୍ବୟଂ ସହାୟିକା ଗୋଷ୍ଠୀ ଓ ମହିଳାମଣ୍ଡଳର ସଭ୍ୟାମାନେ ଏହି ପ୍ୟାକିଂ କାମରେ ଲାଗିଥାନ୍ତି ା ଅରୁଆ ଚାଉଳ, ଅଠା, ରଙ୍ଗ, ତୂଳୀ ଓ କାଗଜ ସାହାଯ୍ୟରେ ଗ୍ରାମାଞ୍ଚଳରେ କାରିଗରମାନେ ଦେବୀ ଦେବତାଙ୍କ ମୁଖା ପ୍ରସ୍ତୁତ କରି ବ୍ୟବସାୟ କରନ୍ତି ା ଏହା ଘର ସାଜସଜ୍ଜାରେ ମଧ୍ୟ ବ୍ୟବହାର ହୁଏ ା
ବିବାହ, ବ୍ରତ, ଯଜ୍ଞ କର୍ମକାଣ୍ଡ : ବିବାହ, ବ୍ରତ, ଯଜ୍ଞ କର୍ମକାଣ୍ଡ ଆଦି କର୍ମରେ କଦଳୀପତ୍ର ଉପରେ ଅରୁଆ ଚାଉଳ, ଗୋଟାଗୁଆ, ଖଣ୍ଡ ହଳଦୀ ଓ ରଙ୍ଗବେରଙ୍ଗ ଅବିରରେ ସାବିତ୍ରୀ, ବ୍ରହ୍ମା, ନବଗ୍ରହ, ଦଶଦିଗପାଳ, ଅଷ୍ଟାଦଶ ମଣ୍ଡଳ ସହିତ ଅନ୍ୟ ମଣ୍ଡଳ ତିଆରି ହୁଏ ା ଦୂବ ପତ୍ର, ବରକୋଳି ପତ୍ର, ଫୁଲ ଓ ଅରୁଆ ଚାଉଳରେ ଦେବୀ ଦେବତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଏ ା ପୂଜାକର୍ମରେ ସ୍ଥଳ ବିଶେଷରେ ଫୁଲ ଅଭାବରେ ଅରୁଆ ଚାଉଳକୁ ମଧ୍ୟ ବ୍ୟବହାର କରାଯାଏ ା ସତ୍ୟନାରାୟଣ ପୂଜାରେ ପ୍ରସ୍ତୁତ ଶିରଣିରେ ଅରୁଆ ଚାଉଳର ଗୁଣ୍ଡ ବା ଚୂନା ବ୍ୟବହାର ହୁଏ ା ସେତିକିନୁହେଁ, ବ୍ରାହ୍ମଣ ଦେବତାଙ୍କୁ ସଞ୍ଚା ଭାବରେ ମଧ୍ୟ ଅରୁଆ ଚାଉଳ ଏବଂ ପରିବା ପ୍ରଦାନ କରାଯାଏ। ପୂଜା ଶେଷରେ ପୁରୋହିତ ଗୃହର ଯଜମାନଙ୍କୁ ଗୋଟିଏ ସ୍ଥାନରେ ବସେଇ ମନ୍ତ୍ରପୂତ ଅରୁଆ ଚାଉଳ ମୁଣ୍ଡ ଉପରେ ପକେଇ ଆଶୀର୍ବାଦ କରିଥାନ୍ତି। ଏସବୁ ଦେଖିଲେ ଲାଗେ ସତେ ଅବା ଅରୁଆ ଚାଉଳ ବା ଅକ୍ଷତ ଯେମିତି ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି।

ସୂର୍ଯ୍ୟପୂଜା ଓ ମକର ଚାଉଳ : ମକର ସଂକ୍ରାନ୍ତି ଆମ ମହାଭାରତୀୟ ସଂସ୍କୃତିର ଏକ ଅଂଶବିଶେଷ। ଏହି ଦିନ ସୂର୍ଯ୍ୟପୂଜା କରାଯାଇଥାଏ। ସୂର୍ଯ୍ୟଙ୍କର ଗତି ପଥରେ ପରିବର୍ତ୍ତନ ଘଟିଥାଏ। ତେଣୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ମତରେ ସମଗ୍ର ମାନବ ଜାତି ପାଇଁ ଏହି ଦିନଟି ଅତି ମହତ୍ତ୍ୱ ରଖିଥାଏ। ତଥ୍ୟ ଅନୁଯାୟୀ ଏହି ଦିନଠାରୁ ସୂର୍ଯ୍ୟ ଉତ୍ତରାୟଣ ହୋଇ ଥାଆନ୍ତି ା ବିଭିନ୍ନ ଦେବଦେବୀ ପୀଠରେ ମକର ମେଳା ଅନୁଷ୍ଠିତ ହୁଏ ା ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି ମକର ଚାଉଳ ଖାଇବା। ବ୍ରାହ୍ମଣ ଘରର ପିଲାମାନେ ସ୍ବତନ୍ତ୍ର ଭାବରେ ଅରୁଆ ଚାଉଳ, କଦଳୀ, ଗୁଡ଼ ଆଦିକୁ ମିଶ୍ରଣ କରି ଏକପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି; ଯାହାକୁ କୁହାଯାଏ ‘ମକର ଚାଉଳ’। ଏହାକୁ ସେମାନେ ଘର ଘର ବୁଲି ବଣ୍ଟନ କରିଥାନ୍ତି। ସ୍ବାସ୍ଥ୍ୟ ବିଜ୍ଞାନ ଅନୁଯାୟୀ ଏହି ଚାଉଳର ବେଶ୍‌ ସ୍ବାସ୍ଥ୍ୟଗତ ଦିଗ ମଧ୍ୟ ରହିଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ରହିଛି ମା’ ଧାମରାଈଙ୍କ ପୀଠ। ଏହି ପୀଠରେ ପ୍ରତିବର୍ଷ ହେଉଥିବା ମକର ମେଳା ବେଶ୍‌ ପ୍ରସିଦ୍ଧ ା ଦେବୀଙ୍କ ନିକଟରେ ମକର ଚାଉଳ ଭୋଗହୁଏ ା ଅରୁଆ ଚାଉଳ ଚୂନା ସହ ସହିତ କଦଳୀ, ନଡ଼ିଆ, ଗୋଲମରିଚ, ଗୁଡ଼, ପୋଡପିଠା ଆଦି ପକାଇ ସ୍ବାଦିଷ୍ଟ ମକର ଚାଉଳ ପ୍ରସ୍ତୁତ ହୁଏ ା ରାଜ୍ୟର କେତେକ ପ୍ରାଚୀନ ମଠ ମନ୍ଦିରରେ ଡାଲି, ଚାଉଳ, ପନିପରିବା, ଘିଅ ଓ ମସଲା ମିଶ୍ରିତ ଖେଚୁଡି ଭୋଗ ଏବେ ମଧ୍ୟ ପ୍ରଚଳିତ ା

କାକରା ପିଠା ଆହାକି ମିଠା : ଚାଷୀମାନେ ବର୍ଷ ତମାମ ବିଭିନ୍ନ ପର୍ବ ପାଳନ କରନ୍ତି ା ମକର ସଂକ୍ରାନ୍ତି, ବଉଳ ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ବଳଭଦ୍ର ଜନ୍ମ ବା ଗହ୍ମା ପୂର୍ଣ୍ଣମୀ, ନୂଆଖାଇ, ପ୍ରଥମାଷ୍ଟମୀ ଆଦିକୁ ଚାଷୀର ପର୍ବ ଭାବରେ ବିବେଚନା କରାଯାଏ। ଏହି ଅବସରରେ ପିଠା, ଖିରି ଆଦି ପ୍ରସ୍ତୁତ ହୋଇ ଭୋଗ ଲାଗିଥାଏ ା ଏ ସବୁ ହୋଇଥାଏ ଅରୁଆ ଚାଉଳରେ। ଗହ୍ମା ପୂର୍ଣ୍ଣମୀ ଓ ଜନ୍ମାଷ୍ଟମୀରେ ପିଠା, କ୍ଷେତବଢାରେ ମୁଢ଼ିମୁଆଁ ଭୋଗ ଓ ଖଳା ଶେଷରେ ଖିରି ଭୋଗ ଲାଗିହୁଏ। ବଉଳ ଅମାବାସ୍ୟାରେ ଆମ୍ବ ଓ ନଡ଼ିଆ ଗଛ ମୂଳରେ ବଉଳ ଗୋଡ଼ିପିଠା ଲାଗିଥାଏ ା ଚିତାଲାଗି ଅମାବାସ୍ୟାରେ ଗେଣ୍ଡା ଶାମୁକାଙ୍କ ଲାଗି ନଦୀ, ପୋଖରୀ ଓ ଜଳାଶୟରେ ପିଠା ଦାନ କରାଯାଏ ା ଅରୁଆ ଚାଉଳର ଚୂନାରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ପିଠା ପ୍ରସ୍ତୁତ ହୁଏ ା ବିଭିନ୍ନ ପୂଜାପର୍ବ, ବିବାହ ବ୍ରତରେ ଅରୁଆ ଚାଉଳ ଗୁଣ୍ଡରୁ ଝୋଟି ପକାଯାଏ ା ମାଣବସା ଗୁରୁବାର ଓ ସୁଦଶା ବ୍ରତରେ ଲକ୍ଷ୍ମୀପାଦ ମଧ୍ୟ ଅଙ୍କନ କରାଯାଏ ା ନୂଆଖାଇରେ ଦେବୀଙ୍କ ନିକଟରେ ଯେଉଁ ନବାନ୍ନ ଭୋଗ ଲାଗି ହୋଇଥାଏ ତାହା ଏହି ଅରୁଆ ଚାଉଳରୁ ହିଁ ପ୍ରସ୍ତୁତ ହୋଇଥାଏ।

ଅକ୍ଷତ, ଅକ୍ଷୟ ପାତ୍ର ଓ ଋଷି ଦୁର୍ବାସା : ଏହା ହେଉଛି ମହାଭାରତର ପାଣ୍ଡବମାନଙ୍କ ବନବାସ ସମୟର କଥା ା ଦ୍ରୌପଦୀ ପ୍ରତ୍ୟେକ ଦିନ ଏକ ଅକ୍ଷୟ ପାତ୍ରରେ ରୋଷେଇ କରିଥାନ୍ତି। କଥାଥାଏ ଦ୍ରୌପଦୀ ଖାଇ ନ ଥିବା ପର୍ଯ୍ୟନ୍ତ ସେହି ଅକ୍ଷୟ ପାତ୍ରରୁ ଖାଦ୍ୟ କେବେ ଶେଷ ହେବନାହିଁ। ମାତ୍ର ଥରେ ଦ୍ରୌପଦୀ ଖାଇ ସାରିବା ପରେ ସେଥିରୁ ଆଉ ଖାଦ୍ୟ ମିଳିବ ନାହିଁ। ଦୁର୍ଯ୍ୟୋଧନ ଏହା ଜାଣି ଋଷି ଦୁର୍ବାସାଙ୍କୁ ପାଣ୍ଡବଙ୍କ ନିକଟକୁ ପଠେଇଲା। ଉଦ୍ଦେଶ୍ୟ ଥିଲା ଦ୍ରୌପଦୀ ଖାଇ ସାରିବା ପରେ ଆଉ ତ ଅକ୍ଷୟ ପାତ୍ରରୁ ଖାଦ୍ୟ ବାହାରିବନି। ଫଳରେ ପାଣ୍ଡବମାନେ ଦୁର୍ବାସାଙ୍କୁ ଖାଇବାକୁ ଦେଇପାରିବେ ନାହିଁ। ଫଳରେ ଦୁର୍ବାସା ସେମାନଙ୍କୁ ଅଭିଶାପ ଦେବେ। ଦୁର୍ବାସା ତାଙ୍କ ଲକ୍ଷାଧିକ ଶିଷ୍ୟଙ୍କୁ ଧରି ଆସି ପାଣ୍ଡବମାନଙ୍କୁ ଖାଇବାକୁ ମାଗିଲେ। ଦ୍ରୌପଦୀ ସେତେବେଳକୁ ଖାଇ ସାରି ପାତ୍ର ମାଜିଲେଣି। ପାଣ୍ଡବମାନେ ଉପାୟ ନ ପାଇ ସଖା କୃଷ୍ଣଙ୍କୁ ଚିନ୍ତାକଲେ। କୃଷ୍ଣ ଆସି ଦ୍ରୌପଦୀଙ୍କୁ କହିଲେ ଯେ, ଅକ୍ଷୟ ପାତ୍ର ଆଣି ତାଙ୍କୁ ଦେବା ପାଇଁ। ଦ୍ରୌପଦୀ ତାହା ହିଁ କଲେ। ସେହି ଅକ୍ଷୟ ପାତ୍ରର ଗୋଟିଏ କୋଣରେ ‘ଅକ୍ଷତର ତଣ୍ଡୁଳ କଣା’ଟିଏ ଲାଗି ରହିଥିଲା। କୃଷ୍ଣ ତାହାକୁ ଭକ୍ଷଣ କରି ତୃପ୍ତ ହୋଇଗଲେ। ଭଗବାନ ଯେତେବେଳେ ତୃପ୍ତ ହୋଇଗଲେ ସେତେବେଳେ ଦୁର୍ବାସା ତଥା ତାଙ୍କର ଶିଷ୍ୟମାନଙ୍କର ମଧ୍ୟ ପେଟ ପୂରିଗଲା। ସେମାନେ ଆତ୍ମସନ୍ତୋଷର ସହିତ ଫେରିଗଲେ।

ଗରମ ଯାଉ ପାଖେଇ ପାଖେଇ ଖାଉ : ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଓଡ଼ିଶାର ଜନସାଧାରଣଙ୍କୁ ଅନେକ ସମୟରେ ଦାରିଦ୍ର୍ୟକୁ ସାମ୍ନା କରିବାକୁ ପଡୁଥିଲା। ସେଥିଲାଗି ନଥିଲା ଘରର ଲୋକମାନେ ଯାଉଖାଇ ନିଜର ପେଟ ଭୋକ ମେଣ୍ଟାଉଥିଲେ। ଅକାଣ୍ଡିଆ ଅରୁଆ ଚାଉଳକୁ ଫୁଟେଇ ପ୍ରସ୍ତୁତ ହୁଏ ‘ଯାଉ’। ଏହା ଖାଇବାକୁ ସ୍ବାଦୁକର ଓ ପୁଷ୍ଟିକର ା କମ୍‌ ସମୟରେ ମଧ୍ୟ ଏହା ପ୍ରସ୍ତୁତ ହୋଇ ପାରିଥାଏ ା ଏହି ଯାଉକୁ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ଶୁଣିବାକୁ ମିଳେ। କିମ୍ବଦନ୍ତୀଟି କୋଣାର୍କ ମନ୍ଦିର ସହିତ ମଧ୍ୟ ଜଡ଼ିତ। ଲାଙ୍ଗୁଳା ନରସିଂହ ଦେବଙ୍କ ମନ୍ତ୍ରୀ ଶିବେଇ ସା’ନ୍ତରା ଚନ୍ଦ୍ରଭାଗା ନଦୀ କୂଳରେ କୋଣାର୍କ ମନ୍ଦିର ଭିତ୍ତି ସ୍ଥାପନ ବେଳେ ଅଡୁଆରେ ପଡିଲେ ା କୁହାଯାଏ, କାକଟପୁରର ମା’ ମଙ୍ଗଳା ତାଙ୍କୁ ‘ଗରମ ଯାଉ ପାଖେଇ ପାଖେଇ ଖାଉ’ ଉପାଖ୍ୟାନ କହି ନଦୀରେ ମନ୍ଦିରର ଭିତ୍ତି କିପରି ସ୍ଥାପନ କରିବେ ଓ ପଥର କିପରି ପକାଇବେ ତାହା ବୁଝାଇ ଦେଇଥିଲେ।
ଏମିତି ଖୋଜିଲେ ଅରୁଆ ଚାଉଳ ବା ଅକ୍ଷତକୁ ନେଇ ଅନେକ କଥା ରହିଛି। ତେବେ ମୋଟାମୋଟି ଭାବରେ ଏତିକି କୁହାଯାଇପାରିବ ଯେ, ଅକ୍ଷତ ଆମର ସଂସ୍କୃତି, ପରମ୍ପରା, ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ।

-ଅଶୋକ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri