ବଜ୍ରକାପ୍ତା ପାଇଁ ବନ୍ଦ ହେଉ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର, ୧୮ା୮(ବ୍ୟୁରୋ):    ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଆଦିମାତା କଲୋନୀସ୍ଥିତ ‘ମୋ ବସ’ ଡିପୋରେ ଚାଲିଥିବା ନିର୍ମାଣ କାମକୁ ବନ୍ଦ କରି ବଜ୍ରକାପ୍ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ପ୍ରାଣୀ ବିଶେଷଜ୍ଞମାନେ ଦାବି ଜଣାଇଛନ୍ତି। ଏନେଇ ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ରାଜ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ୍‌ ମହାନ୍ତି। ମୋ ବସ୍‌ ଡିପୋରେ ପାଣି ଜମୁ ଥିବାରୁ ତାହାର ଉଚ୍ଚତା ବୃଦ୍ଧି ପାଇଁ ବାଲି ଫିଲିଂ କରାଯାଉଛି। ସେହି ଅଞ୍ଚଳରୁ ଗତ ୬ ତାରିଖରେ ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ତେବେ ସେହିଦିନ ଆଦିମାତା କଲୋନୀ ପଟେ ନିର୍ମାଣ ହେଉଥିବା ଡ୍ରେନ ଭିତରେ କାଦୁଅ ସ୍ତର ଉପରେ ଏକାଧିକ ବଜ୍ରକାପ୍ତାଙ୍କ ଛୋଟ ଓ ବଡ଼ ଅସଂଖ୍ୟ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। ନିକଟରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ରାତିରେ ଅନେକଥର ଛୋଟବଡ଼ ୩ଟି ବଜ୍ରକାପ୍ତାଙ୍କୁ ଦେଖିଥିବା କହିଥିଲେ। ତେଣୁ ସେଠାରେ ଏକାଧିକ ବଜ୍ରକାପ୍ତା ରହିଥିବା ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ବଜ୍ରକାପ୍ତାଙ୍କ ଗତିବିଧି ଠାବ କରିବାକୁ ନନ୍ଦନକାନନର ବିଶେଷଜ୍ଞ ଟିମ୍‌ ଆସି ୪ଟି କ୍ୟାମେରା ଟ୍ରାପ ମଧ୍ୟ ଲଗାଇଛନ୍ତି। ଭୁବନେଶ୍ୱର ରେଞ୍ଜ୍‌ କର୍ମଚାରୀମାନେ ପାଳି କରି ୨୪ଘଣ୍ଟା ପହରା ମଧ୍ୟ ଦେଉଛନ୍ତି। ଯେହେତୁ ଏକାଧିକ ସଂଖ୍ୟକ ବଜ୍ରକାପ୍ତା ସେଇ ସ୍ଥାନରେ ଚଳପ୍ରଚଳ କରିବାର ପ୍ରମାଣ ମିଳିଛି, ସେମାନଙ୍କୁ ସେଇ ଅସୁରକ୍ଷିତ ସ୍ଥାନରୁ ଧରି ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପର୍ଯ୍ୟନ୍ତ ସେଠାରେ ନିର୍ମାଣ କାମ ବନ୍ଦ ହେବା ନିହାତି ଆବଶ୍ୟକ ବୋଲି ବିଶ୍ୱଜିତ କହିଛନ୍ତି।