ତୃତୀୟ ବିଶ୍ୱଯୁଦ୍ଧ ଚେତାବନୀ ଦେଲେ ଜେଲେନସ୍କି

କିଭ୍‌,୨୧।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ବର୍ତ୍ତମାନ ଯୁଦ୍ଧ ଶେଷ ହେବାର କୌଣସି ସୂଚନା ମଧ୍ୟ ନାହିଁ। ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇ କହିଛନ୍ତି, ଏହି ଯୁଦ୍ଧରୁ ଚାଇନା ଦୂରେଇ ରହିବା ଉଚିତ୍‌। ଯଦି ଚାଇନା ରୁଷିଆକୁ ସାହାଯ୍ୟ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ।
ଜର୍ମାନ ଖବରକାଗଜ ସହ ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି, ଏହି ଯୁଦ୍ଧରେ ଚାଇନା ରୁଷିଆ ଫେଡେରେଶନକୁ ସମର୍ଥନ ନ କରୁ, ଏହା ଆମ ପାଇଁ ଏହା ଅତ୍ୟନ୍ତ ଜରୁରୀ। ମୁଁ ଚାହେଁ ଯେ ସେ ଆମ ପକ୍ଷରେ ରୁହନ୍ତୁ। ତଥାପି, ଏହା ସମ୍ଭବ ନୁହେଁ ବୋଲି ମୁଁ ଭାବୁଛି।
ଜେଲେନସ୍କି ଆହୁରି କହିଛନ୍ତି, ଚାଇନା ଏଠାରେ କ’ଣ ଘଟୁଛି ତାହାର ମୂଲ୍ୟାଙ୍କନ ଜାରି ରଖିବା ଉଚିତ୍‌। ବର୍ତ୍ତମାନ ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ଘଟୁଛି କିନ୍ତୁ ଯଦି ଚାଇନା ରୁଷିଆ ସହିତ ଯାଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବ ଏବଂ ମୁଁ ଭାବୁଛି ଚାଇନା ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫେବୃଆରୀ ୨୦ରେ ୟୁକ୍ରେନ ଗସ୍ତରେ ଆସିଥିବା ବେଳେ ଜେଲେନସ୍କି ଏହି ବିବୃତ୍ତି ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେବେଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି।

Share