ଜେଲେନସ୍କିଙ୍କ କଡା ଅଭିଯୋଗ, ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ୪୦୦ ଇରନୀ ଡ୍ରୋନ ବ୍ୟବହାର କରିଛି ରୁଷିଆ

କ୍ୱିଭ,୨୭ ।୧୦: ଦୀର୍ଘ ପ୍ରାୟ ୯ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏହା ଏବେବି ଥମିବାର ନାଁ ନେଉନି । ଆମେରିକା ସମେତ କିଛି ଦେଶ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ ବି ଏହା ଭ୍ଲାଦିମିର ପୁଟିନଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ଏପଟେ ପୁଣିଥରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ବୁଧବାର ରୁଷିଆ ଉପରେ ବଡ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏପର୍ଯ୍ୟନ୍ତ ଯୁଦ୍ଧରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରାୟ ୪୦୦ ଇରାନୀ ଡ୍ରୋନ୍ ବ୍ୟବହାର କରି ସାରିଲାଣି ।
ଜେଲେନସ୍କି କ୍ୱିଭରେ ଗଣମାଧ୍ୟମ ସହ କଥା ହୋଇ ୟୁକ୍ରେନ ଓ ଇସ୍ରାଏଲର ସମ୍ପର୍କ ବିଷୟରେ କହିଛନ୍ତି । ସେ କହିଛନ୍ତି ବେଶ କିଛି ସମୟ ପରେ ଇସ୍ରାଏଲ ସହ ସେ ଆଗକୁ ବଢୁଥିବା ଦେଖିପାରୁଛନ୍ତି । ଏହାସହ ୟୁକ୍ରେନ୍ ଇସ୍ରାଏଲକୁ କିଛି ଗୁପ୍ତ ତଥ୍ୟ ଶେୟାର କରିଛି । ଏହାକୁ ନେଇ ଜେଲେନସ୍କି କହିଛନ୍ତି, ଇସ୍ରାଏଲ ପକ୍ଷରୁ ଏହା ଏକ ସକରାତ୍ମକ ପଦକ୍ଷେପ । ମୁଁ ଏଥିପାଇଁ ଧନ୍ୟବାଦ ଜଣାଉଛି । ଇସ୍ରାଏଲର ସାହାଯ୍ୟକୁ ନେଇ ଭରସା ରଖିଛନ୍ତି ଜେଲେନସ୍କି ।

Share