ଜରା ଆଖୋଁ ମେ ଭରଲୋ ପାନି…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ୯୨ ବର୍ଷରେ ପରଲୋକ ଘଟିଛି। ସରସ୍ବତୀ ପୂଜାର ଗୋଟିଏ ଦିନ ପରେ ସ୍ବର ସାମ୍ରାଜ୍ଞୀ ଅଜଣା ରାଇଜକୁ ବାହୁଡ଼ି ଯାଇଛନ୍ତି।  ମୁମ୍ବାଇ ସ୍ଥିତ ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ୨୮ ଦିନ ଧରି ସେ ଚିକିତ୍ସିତ ହେଉଥିଲେ। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଜାନୁୟାରୀ ୮ରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ରଖାଯାଇଥିଲା। ସୁସ୍ଥ ହେବାରୁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥିଲା। ତେବେ ପୁଣି ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତର ପ୍ରତୀତ ସମଦାନିିଙ୍କ ଟିମ୍‌ ଲତାଙ୍କ ଚିକିତ୍ସା କରୁଥିଲେ। ତେବେ ଶେଷରେ ଲତା ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି।
ଲତାଙ୍କ ଦ୍ୱାରା ଗାନ କରାଯାଇଥିବା ଗୀତ ମଧ୍ୟରେ ଏ ମେରେ ଓ୍ବତନ୍‌ କି ଲୋଗୋ, ଜରା ଆଖୋଁ ମେ ଭର୍‌ ଲୋ ପାନି… ବେଶ୍‌ ଲୋକପ୍ରିୟ ଥିଲା। ଏହି ଗୀତକୁ ୧୯୬୩ରେ କବି ପ୍ରଦୀପ ଲେଖିଥିଲେ। ୫୮ ବର୍ଷ ତଳେ ଲତା ଏହାକୁ ପ୍ରଥମେ ଗାନ କରିଥିଲେ। ଏହା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କର ପସନ୍ଦର ଗୀତ ଥିଲା।
ସେହିପରି ଅନ୍ୟ ଲୋକପ୍ରିୟ ଗୀତ ମଧ୍ୟରେ ତୁ ଯାହାଁ ଯାହାଁ ଚଲେଗା ମେରା ସାୟା ସାଥ ହୋଗା… ରହିଛି। ଆଜି ଲତା ନାହାନ୍ତି। କିନ୍ତୁ ତାଙ୍କର ଏସବୁ ଗୀତ ଦେଶବାସୀଙ୍କୁ ଭାବୁକ କରୁଛି।
୧୯୨୯ ସେପ୍ଟେମ୍ବର ୨୮ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୪୨ରୁ ସେ ସଙ୍ଗୀତ କ୍ଷେତ୍ରରେ ମାତ୍ର ୧୩ ବର୍ଷ ବୟସରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ୧୯୬୯ରେ ତାଙ୍କୁ ପଦ୍ମ ଭୁଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୮୯ରେ ଲତା ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନୀତ ହୋଇଥିଲେ। ୧୯୯୯ରେ ତାଙ୍କ ପଦ୍ମ ବିଭୁଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ୨୦୦୧ରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ ହୋଇଥିଲେ।

Share