Categories: ଜାତୀୟ

ଜାକିଆଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍‌ ଚିଟ୍‌ ଦେବା ମାମଲା ଖାରଜ…

ନୂଆଦିଲ୍ଲୀ, ୨୪।୬ : ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ଏସଆଇଟି ରିପୋର୍ଟକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏହି ରିପୋର୍ଟ ବିରୋଧରେ ପିଟିଶନ ଦାଖଲ କରିଥିବା ଜାକିଆ ଜାଫ୍ରିଙ୍କୁ ଶୁକ୍ରବାର ଶୀର୍ଷକୋର୍ଟଙ୍କ ପକ୍ଷରୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

୨୦୦୨ରେ ହୋଇଥିବା ଦଙ୍ଗାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ଏହାର ରିପୋର୍ଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬୪ ଜଣ ଲୋକଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଥିଲେ। ଏହା ବିରୋଧରେ ଜାକିଆ ଜାଫ୍ରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ୨୮ ଫେବୃଆରୀ ୨୦୦୨ରେ ଅହମଦାବାଦର ଗୁଲବର୍ଗ ସୋସାଇଟିରେ ହିଂସା ସମୟରେ ଜାକିଆଙ୍କ ସ୍ବାମୀ ତଥା କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କୁ ହତ୍ୟା କରାଯାଇଥିଲା।

ଜାକିଆ ଜାଫ୍ରିଙ୍କ ଆବେଦନ ଉପରେ ଶୁଣାଣି ଶେଷ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ୯ ଡିସେମ୍ବର ୨୦୨୧ରେ ଶୀର୍ଷକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ। ବର୍ତ୍ତମାନ ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି ଶେଷ କରିଛନ୍ତି।

ଏହି ଆବେଦନ ବିରୋଧରେ ଗୁଜୁରାଟ ଦଙ୍ଗାର ଯାଞ୍ଚ କରିଥିବା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜାକିଆ ଜାଫ୍ରିଙ୍କ ଦ୍ୱାରା ଦାଖଲ କରାଯାଇଥିବା ମାମଲା ବ୍ୟତୀତ ଅନ୍ୟ କେହି ଆମ ଅନୁସନ୍ଧାନ ଉପରେ ଆଙ୍ଗୁଳି ଉଠାଇ ନାହାଁନ୍ତି। ଜାଫ୍ରି ତାଙ୍କ ପିଟିଶନରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏହି ହିଂସା ଘଟଣାରେ ଏକ ବଡ଼ ଷଡଯନ୍ତ୍ର ହୋଇଥିଲା। ଏହି ଆବେଦନ ଉପରେ ପୂର୍ବରୁ ଶୁଣାଣି ବେଳେ ଜାକିଆ ଜାଫ୍ରି ପ୍ରାୟ ୧୨ ହଜାର ପୃଷ୍ଠାର ଆବେଦନ କରିଥିଲେ। ଏପରି କରି ଜାକିଆ ଏହି ପ୍ରସଙ୍ଗକୁ ସରଗରମ ରଖିବାକୁ ଚାହୁଁଥିଲେ ଏବଂ ଏହା ଏକ ମନ୍ଦ ଉଦ୍ଦେଶ୍ୟ।

Share