କଞ୍ଜରଭେଟିଭ୍‌ ପାର୍ଟି ସଭାପତି ପଦରୁ ଜାହାଓ୍ବି ବହିଷ୍କୃତ

ଲଣ୍ଡନ,୩୦।୧: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର କଞ୍ଜରଭେଟିଭ୍‌ ପାର୍ଟି ସଭାପତି ପଦରୁ ଦାଧିମ ଜାହାଓ୍ବିଙ୍କୁ ବହିଷ୍କାର କରିଛନ୍ତି। ଜାହାଓ୍ବିଙ୍କ ବିରୋଧରେ ଟ୍ୟାକ୍ସ ଠକେଇ ଅଭିଯୋଗ ଆସିବା ପରେ ସୁନକ ଗତମାସରେ ଏ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ତେବେ ବ୍ରିଟେନ୍‌ର ପୂର୍ବତନ ବିଭାଗ ବିହୀନମନ୍ତ୍ରୀ ଜାହାଓ୍ବି ମନ୍ତ୍ରୀସ୍ତରୀୟ ନିୟମ ଉଲ୍ଲଂଘନ କରିଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ପଦରୁ ବହିଷ୍କାର କରାଯାଇଥିବା ସୁନକଙ୍କ ପକ୍ଷରୁ ଜାରି ଖବରଦାତା ବିଜ୍ଞପ୍ତିରେ କୁହାଯାଇଛି। ଟ୍ୟାକ୍ସ ହେର୍‌ଫେର୍‌ ମାମଲାରେ ଜାହାଓ୍ବିଙ୍କୁ ୫ ମିଲିୟନ୍‌ ପାଉଣ୍ଡ (୫୦,୪୬,୨୧,୭୦୧ ଟଙ୍କା) ପଇଠ କରିବାକୁ ପଡ଼ିଥିବା ତଦନ୍ତରୁ ଜଣାପଡ଼ିଛି। ଗତବର୍ଷ ଜୁଲାଇରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଜାହାଓ୍ବିଙ୍କୁ ବିଭାଗ ବିହୀନ ମନ୍ତ୍ରୀ କରିଥିଲେ। ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ଥିବାବେଳେ ମଧ୍ୟ ଜାହାଓ୍ବି ମନ୍ତ୍ରୀ ଦାୟିତ୍ୱରେ କାର୍ଯ୍ୟ କରିଥିଲେ।