Categories: ଖେଳ

ସ୍ତ୍ରୀଙ୍କ ସହ ମନୋମାଳିନ୍ୟକୁ ନେଇ ମୁହଁ ଖୋଲିଲେ ଚହଲ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଫାଟକୁ ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି ଚହଲ। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କହିଛନ୍ତି। ସେ ଲେଖିଛନ୍ତି, ଆମ ଅଲଗା ହେବାର ଗୁଜବକୁ ବିଶ୍ୱାସ ନ କରିବାକୁ ଅନୁରୋଧ କରାଯାଉଛି। ଦୟାକରି ଏହାକୁ ବନ୍ଦ କରନ୍ତୁ। ସମସ୍ତଙ୍କୁ ଭଲପାଇବା ଏବଂ ଶୁଭେଚ୍ଛା।
ଚହଲ ଏବଂ ତାଙ୍କ ସ୍ତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ନେଇ ବେଶ୍‌ ଆଲୋଚନା ହେଉଛି। ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନାମରୁ ଚହଲ ସରନେମ୍‌କୁ ହଟାଇ ଦେଇଛନ୍ତି। ଏଥିସହିତ ଚହଲ ମଧ୍ୟ ନିକଟରେ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଥିଲେ ‘ନ୍ୟୁ ଲାଇଫ୍‌ ଲୋଡିଂ’। ଏହି ପୋଷ୍ଟ ଶେୟାର କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ୍‌ କରିଦେଇଥିଲେ।
ଏହାପରେ ଧନଶ୍ରୀ ମଧ୍ୟ ନିଜର ୨ଟି ଫଟୋ ଶେୟାର କରି ଲେଖିଛନ୍ତି, ଜଣେ ରାଜକୁମାରୀ ସବୁବେଳେ ନିଜ ଯନ୍ତ୍ରଣାକୁ ଶକ୍ତିରେ ବଦଳାଇ ଦିଏ। ଏହାକୁ ଲାଇକ୍‌ କରିଛନ୍ତି ଚହଲ। ସୋସିଆଲ ମିଡିଆରେ ଧନଶ୍ରୀ ଏବଂ ଚହଲଙ୍କ ପୋଷ୍ଟ ସବୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ସବୁ ଠିକ ନ ଥିବା ପ୍ରଶଂସକମାନେ ଅନୁମାନ କରୁଛନ୍ତି।
ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଚହଲ ମାତ୍ର ୩ ମାସ ପରସ୍ପରକୁ ଡେଟିଂ କରିବା ପରେ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଧନଶ୍ରୀ ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ କୋରିଓଗ୍ରାଫର୍‌। ଚହଲ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ସେ ଏସିଆ କପ ୨୦୨୨ରେ ଭାରତୀୟ ଦଳ ସହ ନଜର ଆସିବେ।

Share