ଆଇପିଏଲ୍‌ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍‌

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ ହୋଇଥିଲେ। ଯଦିଓ ଦଳ ଚଳିତ ସିଜନରେ ଆଇପିଏଲ ଟାଇଟଲ ଜିତି ନ ଥିଲା, ଅନେକ ଖେଳାଳି ନିଜ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ରାଜସ୍ଥାନର ବୋଲର ୟୁଜବେନ୍ଦ୍ର ଚହଲ ଏକ ବଡ଼ ଆଇପିଏଲ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ।
ଚଳିତ ଆଇପିଏଲରେ ଚହଲ ବଡ଼ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ନିଜ ଜାଲରେ ପକାଇଥିଲେ। ଏହି ସିଜିନ୍‌ରେ ୨୭ଟି ଉଇକେଟ ନେଇଥିଲେ। ଫାଇନାଲ୍‌ ମ୍ୟାଚରେ ସେ ଗୋଟିଏ ଉଇକେଟ ପାଇବା ମାତ୍ରେ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ଉଇକେଟ ନେଇଥିବା ସ୍ପିନର ହୋଇଥିଲେ। ଆଇପିଏଲ ଇତିହାସରେ ଗୋଟିଏ ସିଜନରେ ଜଣେ ସ୍ପିନର୍‌ ଏତେ ଉଇକେଟ ନେଇ ନ ଥିଲେ।
ଆଇପିଏଲରେ ଏହି ସିଜିନ୍‌ ପୂର୍ବରୁ କେବଳ ୨ଟି ସ୍ପିନର ପର୍ପଲ କ୍ୟାପ ଜିତିଥିଲେ। ଚହଲ ଆଇପିଏଲରେ ଏଭଳି ସଫଳତା ହାସଲ କରିବା ପାଇଁ ତୃତୀୟ ସ୍ପିନର ହୋଇଥିଲେ। ଚହଲଙ୍କ ପୂର୍ବରୁ, ପ୍ରଜ୍ଞା ଓଝା ୨୦୧୦ରେ ଏହି କୀର୍ତ୍ତିମାନ କରିଥିଲେ। ଡେକାନ ଚାର୍ଜର୍ସ ପାଇଁ ଖେଳୁଥିବା ପ୍ରଜ୍ଞା ୧୬ଟି ମ୍ୟାଚରେ ୨୧ଟି ଉଇକେଟ ନେଇଥିଲେ। ଏଥି ସହିତ ଚେନ୍ନାଇ ପାଇଁ ଖେଳୁଥିବା ଲେଗ-ସ୍ପିନର ଇମ୍ରାନ ତାହିର ଦ୍ୱାଦଶ ସିଜନରେ ସର୍ବାଧିକ ୨୬ଟି ଉଇକେଟ ନେଇଥିଲେ।

Share