ବୈଭବଙ୍କ ଐତିହାସିକ ଦ୍ୱିଶତକ ପଛରେ ଯୁବରାଜଙ୍କ ହାତ: ୩୦ ମିନିଟ୍‌ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୫।୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଦ୍ୱିଶତକ ପଛରେ ରହିଛି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପରାମର୍ଶ। ୟୁଏଇ ବିପକ୍ଷରେ ମାତ୍ର ୫୨ ବଲ୍‌ରେ ଦ୍ୱିଶତକ ହାସଲ କରିଥିବା ବୈଭବ ନିଜେ ଏହାର ଖୁଲାସା କରିଛନ୍ତି। ମ୍ୟାଚ ପରେ ବିସିସିଆଇ ଟିଭିକୁ ଦେଇଥିବା ସାକ୍ଷାତକାରରେ ସେ ଯୁବରାଜଙ୍କଠାରୁ ପାଇଥିବା ପରାମର୍ଶ ବିଷୟରେ କହିଛନ୍ତି। ବୁଧବାର ବିସିସିଆଇ ଏହି ସାକ୍ଷାତକାରର ଭିଡିଓ ଶେୟାର କରିଛି।
ବୈଭବ କହିଛନ୍ତି, ଯୁବରାଜ ସିଂହ ତାଙ୍କୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ବୁଝାଇଥିଲେ ଏବଂ ପରାମର୍ଶ ଦେଇଥିଲେ ଯେ, ଯଦି ସେ ପ୍ରଥମ ୨୦ଟି ବଲ ଧୈର୍ଯ୍ୟର ସହ ଖେଳିପାରିବେ, ତେବେ ତାଙ୍କ ସ୍କୋର ଅଲଗା ସ୍ତରରେ ପହଞ୍ଚିବ। ଏହା ସହ ଯୁବରାଜ ତାଙ୍କ ବ୍ୟାଟିଂ ଟେକ୍‌ନିକ୍‌ରେ ଥିବା କିଛି ତ୍ରୁଟି ଦେଖାଇବା ସହ ସେଗୁଡ଼ିକୁ ସୁଧାରିବାର ଉପାୟ ମଧ୍ୟ କହିଥିଲେ। ପୂର୍ବରୁ ଦୁଇଟି ଇନିଂସ ଏବଂ ଘରୋଇ ମ୍ୟାଚ୍‌ରେ ଗୁଡ଼ିକରେ ସେ ଭଲ ରନ କରିପାରୁ ନ ଥିଲେ। ଏହାକୁ ନେଇ ସେ ଚିନ୍ତାରେ ଥିଲେ ଏବଂ ଖେଳ ଉପରୁ ଧ୍ୟାନ ମଧ୍ୟ ହଟିଯାଉଥିଲା। ନିଜ ଖେଳରେ କ’ଣ ଭୁଲ ହେଉଛି, ତାହା ବୁଝିପାରୁ ନ ଥିଲେ।

ଯୁବରାଜଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ବୈଭବ। ତାଙ୍କ ସହ କଥା ହେବା ପରେ ଯୁବରାଜ ଦେଇଥିବା ପରାମର୍ଶ ଉପରେ ସେ ଧ୍ୟାନ ଦେଇଥିଲେ। ପରେ ନିଜ ବ୍ୟାଟିଂର ଭିଡିଓ ଦେଖିବାରୁ କେଉଁଠି ଭୁଲ କରୁଥିଲେ, ତାହା ବୁଝିପାରିଥିଲେ। ଯୁବରାଜ କହିଥିବା ଏକ-ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥାକୁ ମ୍ୟାଚ୍‌ରେ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ଏହା ତାଙ୍କୁ ବେଶ ସହାୟତା କରିଥିଲା।

ବୈଭବ ଆହୁରି କହିଛନ୍ତି ଯେ, ପୂର୍ବରୁ ଦୁଇଟି ଇନିଂସ୍‌ରେ ସେ ଲମ୍ବା ଫର୍ମାଟ ଅନୁସାରେ ବ୍ୟାଟିଂ କରୁଥିଲେ। ଏହି ମ୍ୟାଚକୁ ମଧ୍ୟ ସେ ସମାନ ମାନସିକତା ନେଇ ଖେଳିବାକୁ ଓହ୍ଲାଇଥିଲେ। କିନ୍ତୁ ବଲ ବ୍ୟାଟ୍‌ରେ ଭଲ ଭାବେ ଲାଗିବା ଆରମ୍ଭ କରିବା ପରେ ସେ ବଡ଼ ସଟ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ ପରିସ୍ଥିତି ଅନୁସାରେ ନିଜ ଖେଳ ବଦଳାଇଥିଲେ।

ବୈଭବଙ୍କ ଏହି ଐତିହାସିକ ପାଳି ପରେ ଯୁବରାଜ ସିଂହ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଲେଖିଥିଲେ, ଏହା ଏକ ଅସାଧାରଣ ପ୍ରତିଭା ଓ ଚମତ୍କାର ପାଳି। ମାତ୍ର ୫୨ ବଲ୍‌ରେ ଦ୍ୱିଶତକ ହାସଲ କରିବା ପ୍ରକୃତରେ ନିର୍ଭୀକ ବ୍ୟାଟିଂର ଉଦାହରଣ। କଠିନ ପରିଶ୍ରମ ଜାରି ରଖିବା ସହ ଏହି ଯାତ୍ରାର ଆନନ୍ଦ ନେବାକୁ ସେ ବୈଭବଙ୍କୁ ପରାମର୍ଶ ଦେଇଥିଲେ। ଆଗକୁ ଆହୁରି ଭଲ ପ୍ରଦର୍ଶନ ଅପେକ୍ଷା କରିଛି ବୋଲି ମଧ୍ୟ ଯୁବରାଜ ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ୟୁଏଇ ବିପକ୍ଷରେ ବୈଭବ ୫୩ ବଲ୍‌ରୁ ୨୦୪ ରନ କରିଥିଲେ। ଏଥିରେ ୨୮ଟି ଛକା ଓ ୭ଟି ଚୌକା ସାମିଲ ଥିଲା। ତାଙ୍କ ଏହି ଇନିଂସ ଭାରତ-ଏକୁ ମାତ୍ର ୧୪.୨ ଓଭରରେ ବିଜୟୀ କରାଇଥିଲା।

 

Dharitri – Odisha’s No.1 Odia Daily

 

Share