ନୂଆଦିଲ୍ଲୀ,୨୫।୧୧: ୨୦୧୧ ବିଶ୍ୱକପ୍ ବିଜୟର ଅନ୍ୟତମ ନାୟକ ତଥା ପୂର୍ବତନ ଭାରତୀୟ କ୍ରିକେଟ୍ ତାରକା ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ପରଦା ପଛରେ ରହି ସେ ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ ଦେବା ସହ ସେମାନଙ୍କ ବ୍ୟାଟିଂ ଦକ୍ଷତାକୁ ଶାଣିତ କରୁଛନ୍ତି । ନିକଟରେ ୟୁଏଇ ବିପକ୍ଷରେ ରେକର୍ଡଭରା ଦ୍ୱିଶତକ ହାସଲ କରିଥିବା ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ନିଜ ସଫଳତାର ଶ୍ରେୟ ଯୁବରାଜଙ୍କୁ ଦେଇଛନ୍ତି।
ବୈଭବଙ୍କ କହିବା ଅନୁସାରେ, ଏହି ମ୍ୟାଚ୍ ପୂର୍ବରୁ ସେ ଯୁବରାଜଙ୍କ ସହ ଫୋନ୍ରେ ପ୍ରାୟ ୩୦ ମିନିଟ୍ କଥା ହୋଇଥିଲେ। ଏହି ସମୟରେ ଯୁବରାଜ ତାଙ୍କୁ ବ୍ୟାଟିଂ ସମ୍ପର୍କରେ ଅନେକ ପରାମର୍ଶ ଦେଇଥିଲେ। ତେବେ କେବଳ ବୈଭବ ନୁହନ୍ତି, ଗତ କିଛି ବର୍ଷ ମଧ୍ୟରେ ଅନେକ ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଯୁବରାଜ ଜଣେ ଭରସାଯୋଗ୍ୟ ମେଣ୍ଟର୍ ଭାବେ ଉଭା ହୋଇଛନ୍ତି।
ଶୁଭମନ ଗିଲ୍: ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ବର୍ତ୍ତମାନର ଅଧିନାୟକ ଶୁଭମନ ଗିଲ୍ଙ୍କ କ୍ରିକେଟ୍ ଯାତ୍ରାରେ ଯୁବରାଜ ସିଂହଙ୍କ ଅବଦାନ ରହିଛି। କ୍ୟାରିୟରର ପ୍ରାରମ୍ଭିକ ଦିନରେ ଯୁବରାଜ ତାଙ୍କୁ ବ୍ୟାଟିଂର ଅନେକ ସୂକ୍ଷ୍ମ ଦିଗ ଶିଖାଇବା ସହ ବଡ଼ ସ୍ତରରେ ଖେଳିବା ପାଇଁ ମାନସିକ ଭାବେ ପ୍ରସ୍ତୁତ କରିଥିଲେ। ଗିଲ୍ ମଧ୍ୟ ଅନେକ ଥର ନିଜ ସଫଳତାର ଶ୍ରେୟ ଯୁବରାଜଙ୍କୁ ଦେଇଛନ୍ତି।
ଅଭିଷେକ ଶର୍ମା: ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଭିଷେକ ଶର୍ମା ଭାରତୀୟ ଦଳରେ ଡେବ୍ୟୁ କରିବା ପୂର୍ବରୁ ପ୍ରାୟ ଚାରି ବର୍ଷ ଯୁବରାଜଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିଥିଲେ। ଅଭିଷେକଙ୍କ ସଟ୍ ଚୟନ ଓ ପାୱାର ହିଟିଂ କ୍ଷମତାକୁ ଉନ୍ନତ କରିବାରେ ଯୁବରାଜଙ୍କ ଭୂମିକା ରହିଛି। ବର୍ତ୍ତମାନ ଟି-୨୦ ଫର୍ମାଟ୍ରେ ଅଭିଷେକ ଭାରତର ଜଣେ ପ୍ରମୁଖ ବ୍ୟାଟର୍।
ସଞ୍ଜୁ ସାମସନ୍: କ୍ୟାରିୟରର କଠିନ ସମୟରେ ସଞ୍ଜୁ ସାମସନ୍ ମଧ୍ୟ ଯୁବରାଜଙ୍କଠାରୁ ମାର୍ଗଦର୍ଶନ ଓ ଆତ୍ମବିଶ୍ୱାସ ପାଇଥିଲେ। ଟି-୨୦ ବିଶ୍ୱକପ୍ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିବା ସଞ୍ଜୁଙ୍କୁ ଯୁବରାଜ ନିଜ ଖେଳ ଉପରେ ଭରସା ରଖିବା ଏବଂ ନିରନ୍ତର ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସଞ୍ଜୁ ଅନେକ ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ।
ଋଷଭ ପନ୍ତ: ଷ୍ଟାର୍ ୱିକେଟ୍କିପର୍-ବ୍ୟାଟର୍ ଋଷଭ ପନ୍ତ ମଧ୍ୟ ଆଇପିଏଲ୍ ୨୦୨୬ ପୂର୍ବରୁ ନିଜ ବ୍ୟାଟିଂକୁ ଆହୁରି ଶାଣିତ କରିବା ପାଇଁ ଯୁବରାଜଙ୍କ ସହାୟତା ନେଇଥିଲେ। ଆଇପିଏଲ୍ ପରେ ମଧ୍ୟ ଦୁହେଁ ତାଙ୍କ ବ୍ୟାଟିଂ ଉପରେ କାମ କରିଥିଲେ। ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରେ ପନ୍ତ ଏକ ସ୍ମରଣୀୟ ଶତକ ହାସଲ କରିଥିଲେ।
ପ୍ରିୟାଂଶ ଆର୍ଯ୍ୟ: ଦିଲ୍ଲୀର ଯୁବ ବ୍ୟାଟର୍ ପ୍ରିୟାଂଶ ଆର୍ଯ୍ୟ ମଧ୍ୟ ପ୍ରଭସିମରନ୍ ସିଂହଙ୍କ ସହ ଯୁବରାଜଙ୍କ ମାର୍ଗଦର୍ଶନରେ ଟ୍ରେନିଂ ନେଇ ନିଜ ଖେଳରେ ଉନ୍ନତି ଆଣିଛନ୍ତି। ଯୁବରାଜ ତାଙ୍କ ବ୍ୟାଟିଂ ଉପରେ ନିୟମିତ କାମ କରିବା ସହ ଆବଶ୍ୟକ ପରାମର୍ଶ ଦେଇ ଆସୁଛନ୍ତି।
ବୈଭବ ସୂର୍ଯ୍ୟବଂଶୀ: ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ। ନିଜ ବ୍ୟାଟିଂରେ ଉନ୍ନତି ଆଣିବା ଏବଂ ବୈଷୟିକ ତ୍ରୁଟି ସୁଧାରିବା ପାଇଁ ସେ ଯୁବରାଜଙ୍କ ପରାମର୍ଶ ନେଇଥିଲେ। ଏହାପରେ ୟୁଏଇ ବିପକ୍ଷରେ ମଇଦାନକୁ ଓହ୍ଲାଇ ସେ ରେକର୍ଡଭରା ଦ୍ୱିଶତକ ହାସଲ କରିଥିଲେ।
ଏହି ଯୁବ ଖେଳାଳିଙ୍କ ସଫଳତାରେ ଯୁବରାଜ ସିଂହଙ୍କ ମାର୍ଗଦର୍ଶନ ଓ ଅଭିଜ୍ଞତାର ଭୂମିକା ଭାରତୀୟ କ୍ରିକେଟ୍ରେ ତାଙ୍କର ନୂଆ ପରିଚୟ ସୃଷ୍ଟି କରିଛି।