Categories: ଖେଳ

ଅଷ୍ଟ୍ରେଲିଆର ବିବିଏଲ୍‌ରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ଯୁବରାଜ ସିଂହ, ଡିସେମ୍ବରରୁ ସିଜନ୍‌-୧୦ ଆରମ୍ଭ

ନୂଆଦିଲ୍ଲୀ,୮।୯: ଗତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ଭାରତୀୟ କ୍ରିକେଟର ଯୁବରାଜ ସିଂହ। ଏବେ ସେ ଅଷ୍ଟ୍ରେଲିଆର ଟି-୨୦ ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ତାଙ୍କ ପାଇଁ କ୍ଲବ ଖୋଜିବାରେ ସାହାଯ୍ୟ ମଧ୍ୟ କରୁଛି। ଏବେ ପର୍ଯ୍ୟନ୍ତ ଭାରତର କୌଣସି ଖେଳାଳି ବିବିଏଲ୍‌ରେ ଭାଗ ନେଇ ନାହାନ୍ତି। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସକ୍ରିୟ ଖେଳାଳିମାନଙ୍କୁ ବିଦେଶୀ ଲିଗ୍‌ ଖେଳିବାକୁ ଅନୁମତି ଦେଇ ନ ଥାଏ। ଏଭଳିସ୍ଥିତିରେ ୩୮ ବର୍ଷୀୟ ଯୁବରାଜ ଖେଳିବାକୁ ନେଇ ପଥ ପରିଷ୍କାର ହୋଇଛି।

ବିବିଏଲ୍‌ର ୧୦ମ ସିଜନ୍‌ ଡିସେମ୍ବର ୩ରୁ ଆରମ୍ଭ ହୋଇ ଫେବୃୟାରୀ ୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଖେଳିବାକୁ ହେଲେ ଭାରତୀୟ କ୍ରିକେଟରୁ ସନ୍ୟାସ ନେବା ଜରୁରୀ । ଏଥିରେ ଆଇପିଏଲ୍‌ ମଧ୍ୟ ସାମିଲ ରହିଛି। ଫଳରେ ଯୁବରାଜ ଏବେ ସିଏ ସହ ମିଶି ଟିମ୍‌ ଖୋଜୁଛନ୍ତି।

୨୦୧୧ ବିଶ୍ୱକପ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୁବରାଜ ୨୦୧୭ ପରଠାରୁ ଭାରତ ପାଇଁ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ତାଙ୍କ ରେକର୍ଡକୁ ଯଦି ଦେଖାଯାଏ ତେବେ ସେ ୩୦୪ ଏକ ଦିବସୀୟ ମ୍ୟାଚ୍‌ରେ ୮୭୦୧ ରନ୍‌ କରିଥିବା ବେଳେ ୧୧୧ ଓ୍ବିକେଟ୍‌ ମଧ୍ୟ ଦେଇଛନ୍ତି। ଏବେ ବିବିଏଲ୍‌ ଯୁବରାଜଙ୍କୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁନଥିଲେ ହେଁ ଆଗାମୀ ଦିନରେ କିଛି ବି ହୋଇପାରେ ବୋଲି କୁହାଯାଉଛି।

Share